Unknown

 

 

 

 

 

 

 

 

 

ପ୍ରବନ୍ଧ

ଭକ୍ତକବି ମଧୁସୂଦନ ରାଓ

 

ସୈାନ୍ଦର୍ଯ୍ୟ ଏବଂ ରୁଚି

 

ସୈାନ୍ଦର୍ଯ୍ୟ ଅନୁଭବ କରିବା ଶକ୍ତି ମନୁଷ୍ୟଜାତିର ସାଧରଣ ସମ୍ପତ୍ତି । ଜଗତରେ ଏମନ୍ତ କେହି ବ୍ୟକ୍ତି ନାହିଁ ଯାହାର ମନ ଅନନ୍ତ ବ୍ରହ୍ମାଣ୍ଡ ମଧ୍ୟରେ କୈାଣସି ଶୋଭା ସନ୍ଦର୍ଶନ ନକରେ । ସଭ୍ୟ, ଅସଭ୍ୟ, ଧନୀ, ଦରିଦ୍ର, ପଣ୍ଡିତ, ମୁର୍ଖ, ସଂସାରୀ, ବୈରାଗୀ, ରାଜା, ପ୍ରଜା ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ଶୋଭାନୁଭାବକତା ଶକ୍ତି ନିହିତ ଅଛି । ଆମ୍ଭମାନଙ୍କ ହୃଦୟ ସ୍ୱଭାବତଃ ସୈାନ୍ଦର୍ଯ୍ୟପିପାସୁ। ଏହି ସୈାନ୍ଦର୍ଯ୍ୟ ଦୁଇ ବିଭିନ୍ନ ରୂପ ଧାରଣକରି ମନୁଷ୍ୟର ମନକୁ ହରଣ କରେ । ଜଗତ ଦ୍ୱିବିଧ ; ଇନ୍ଦ୍ରିୟୋପଲବ୍‌ଧ ବହିର୍ଜଗତ ଏବଂ ମାନସୋପଲବ୍‌ଧ ଅନ୍ତର୍ଜଗତ । ଜଗତର ଏହି ଦ୍ୱିବିଧ ବିଭାଗ ଅନୁସାରେ, ସୌନ୍ଦର୍ଯ୍ୟ ଦୁଇପ୍ରକାର; ଯଥା– ବହିଃ- ସୌନ୍ଦର୍ଯ୍ୟ ଓ ଅନ୍ତଃସୌନ୍ଦର୍ଯ୍ୟ । ଏହି ଶୋଭବିଳାସିନୀ ମେଦିନୀ ମଧ୍ୟରେ ବହିଃ– ସୌନ୍ଦର୍ଯ୍ୟର ଅସଂଖ୍ୟ ନିଦର୍ଶନ ଲକ୍ଷିତ ହେଉଅଛି-। ନକ୍ଷତ୍ରମଣ୍ତିତ ନଭୋମଣ୍ତଳ, ସୌରରଶ୍ମିରଞ୍ଜିତ ମେଘମାଳା, ରଜତ– ଜ୍ୟେତ୍ସ୍ନାଯୂକ୍ତ ଚନ୍ଦ୍ରମା , ଅନନ୍ତ ସମୁଦ୍ରର ଲହରୀମାଳା ,ଗଗନସ୍ପର୍ଶୀ ଗିରିଶିଖର, ଦୂରବାହିନୀ ସ୍ରୋତସ୍ୱତୀ , ଶ୍ୟାମାୟମାନ ଅରଣ୍ୟାନୀ, ଶିଶିରସିକ୍ତ ନବବିକଶିତ ପୁଷ୍ପ, ଦେବଭାବପୂର୍ଣ୍ଣ ମନୁଷ୍ୟମୁଖ; ଏଗୁଡ଼ିକ ଚକ୍ଷୁରିନ୍ଦ୍ରିୟଗୋଚର ଶୋଭାର ଉଦାହରଣ । ବିହଙ୍ଗମର ମଧୁର କୂଜନ, ନଦୀର କଳ କଳ ନାଦ, ରମଣୀ- ମଣ୍ଠୋତ୍‌ଥିତ ମଧୁମୟ ସଙ୍ଗୀତ, ବୀଣା ପ୍ରଭୃତି ଯନ୍ତ୍ରର ମଧୁର ଝଙ୍କାର, ଏଗୁଡ଼ିକ କର୍ଣ୍ଣେନ୍ଦ୍ରିୟ ବିଷୟୀଭୂତ ସୌନ୍ଦର୍ଯ୍ୟର ଉଦାହରଣ । ଘ୍ରାଣେନ୍ଦ୍ରିୟ, ରସନେନ୍ଦ୍ରିୟ ଓ ସ୍ପର୍ଶେନ୍ଦିୟ ଦ୍ୱାରା ଯେଉଁ ମାଧୁର୍ଯ୍ୟ ଉପଲବ୍‌ଧ ହୁଏ, ତାହା ସେହି ଇନ୍ଦ୍ରିୟଗ୍ରାହ୍ୟ ସୌନ୍ଦର୍ଯ୍ୟର ଉଦାହରଣ ରୂପେ ନିର୍ଦ୍ଦିଷ୍ଟ ହୋଇପାରେ ; ମାତ୍ର ସୌରଭ, ସୁସ୍ୱାଦ ଏବଂ କୋମଳସ୍ପର୍ଶ ନିକୃଷ୍ଟ ପ୍ରକାର ସୌରଭ ମଧ୍ୟରେ ପରିଗଣନୀୟ– ସନ୍ଦେହ ନାହିଁ । ପୂର୍ବକଥିତ ସୌନ୍ଦର୍ଯ୍ୟ ଅପେକ୍ଷା ଆନ୍ତର ସୌନ୍ଦର୍ଯ୍ୟ ଆହୁରି ଅଧିକତର ମନୋହର । ଦୟା, ପ୍ରେମ, ଭକ୍ତି, ବାତ୍ସଲ୍ୟ, ସରଳତା, ବିନୟ, ପବିତ୍ରତା, ଆନନ୍ଦ, ବିରଭାବ ଏଗୁଡ଼ିକ ଆନ୍ତର– ସୌନ୍ଦର୍ଯ୍ୟର ଉଦାହରଣ ।

 

ସର୍ବପ୍ରକାର ସୌନ୍ଦର୍ଯ୍ୟ ତୁଳନା – ସାପେକ୍ଷ । ଯଦି ସମସ୍ତ ପଦାର୍ଥ ଏକପ୍ରକାର ଏବଂ ସର୍ବତୋଭାବରେ ପ୍ରଭେଦଶୂନ୍ୟ ହୋଇଥାନ୍ତା, ତାହାହେଲେ ଆମ୍ଭେମାନେ ଆଦୌ ସୌନ୍ଦର୍ଯ୍ୟାନୁଭବ କରି ପାରନ୍ତୁ ନାହିଁ । ପକ୍ଷାନ୍ତରେ ଯଦି ସମସ୍ତ ପଦାର୍ଥ ସମ୍ପୁର୍ଣ୍ଣ ରୂପେ ବିଭିନ୍ନ ପ୍ରକୃତିକ ହୋଇଥାନ୍ତି, ତାହାହେଲେ ପରସ୍ପର ତୁଳନାରେ କିଛି ମାତ୍ର ସମ୍ଭାବନା ନଥାନ୍ତା ; ସୁତରାଂ ସୌନ୍ଦର୍ଯ୍ୟୋପଲବ୍‌ଧି ସମ୍ଭବପର ହୁଅନ୍ତା ନାହିଁ । ଅତଏବ ଏଥିରୁ ବିଶଦରୂପେ ଅନୁମିତ ହେଉଅଛି ଯେ ସାମ୍ୟ ଏବଂ ବୈଷମ୍ୟ ଏହି ଉପକରଣଦ୍ୱୟର କାରଣ ଅଟେ । ମନେକର, ଚତୁଷ୍କୋଣ ଏବଂ ପଞ୍ଚକୋଣ ଦୁଇଗୋଟି କ୍ଷେତ୍ର ଅଛି । ସମସ୍ତେ ସ୍ୱୀକାର କରିବେ ଚତୁଷ୍କୋଣକ୍ଷେତ୍ର ପଞ୍ଚକୋଣକ୍ଷେତ୍ର ଅପେକ୍ଷା ସୁନ୍ଦରତର । କିନ୍ତୁ ଏହି ସୌନ୍ଦର୍ଯ୍ୟର କାରଣ କଣ ? ସୂକ୍ଷ୍ମଦର୍ଶୀ ବ୍ୟକ୍ତିମାନେ ଅବଶ୍ୟ ସ୍ୱୀକାର କରିବେ ଯେ ଚତୁଷ୍କୋଣକ୍ଷେତ୍ରର ବିଭିନ୍ନ ଅଂଶମାନଙ୍କରେ ପରସ୍ପର ସାମଞ୍ଜସ୍ୟ ଯେପରି କୌଶଳରେ ସଂରକ୍ଷିତ ହୋଇଅଛି, ପଞ୍ଚକୋଣକ୍ଷେତ୍ରର ସେପରି ହୋଇନାହିଁ । ଦର୍ଶନେନ୍ଦ୍ରୀୟ ବିଷୟୀଭୂତ ସୌନ୍ଦର୍ଯ୍ୟର ଆହୁରି କେତେଗୁଡ଼ିକ ଉପକରଣ ଅଛି । ତନ୍ମଧ୍ୟରୁ ବର୍ଣ୍ଣ, ଉଜ୍ଜ୍ୱଳତା ଏବଂ ବୈପରୀତ୍ୟ ପ୍ରଧାନ । ନୀଳ, ପୀତ, ଲୋହିତ ପ୍ରଭୃତି ବର୍ଣ୍ଣବିନ୍ୟାସ ଦ୍ୱାରା ସୌନ୍ଦର୍ଯ୍ୟ ବିଶେଷରୂପେ ପରିସ୍ଫୁଟ ହୁଏ । ସମସ୍ତ ଉଜ୍ଜ୍ୱଳ ପଦାର୍ଥ ସୁନ୍ଦର ବୋଲି ପ୍ରତୀୟମାନ ହୁଏ । ଅନନ୍ତ ନୀଳକାଶ ମଧ୍ୟରେ କ୍ଷୁଦ୍ର ତାରକା, ଗୌର ଶରୀରର କୃଷ୍ଣ ପରିଚ୍ଛଦ, ଏଗୁଡ଼ିକ ବୈପରୀତ୍ୟଜନିତ ସୌନ୍ଦର୍ଯ୍ୟର ଉଦାହରଣ । ଶବ୍ଦମାନଙ୍କର ସାମଞ୍ଜସ୍ୟ ଏବଂ ବିଚିତ୍ରତା ଶ୍ରବଣେନ୍ଦ୍ରିୟ ବିଷୟୀଭୂତ ସୌନ୍ଦର୍ଯ୍ୟର କାରଣ ଅଟେ । ଉଚ୍ଚ-ନୀଚ, ହ୍ରସ୍ୱ-ଦୀର୍ଘ, କର୍କଶ-ମଧୁର, ଗମ୍ଭୀର-ତୀକ୍ଷ୍‌ଣ ନାନାପ୍ରକାର ଶବ୍ଦବୈଷମ୍ୟର ସାମଞ୍ଜସ୍ୟ ସଂଘଟିତ ହେଲେ କର୍ଣ୍ଣ ସଙ୍ଗୀତର ମନୋହାରିତା ଅନୁଭବ କରେ । ଆନ୍ତର ସୌନ୍ଦର୍ଯ୍ୟର ମୂଳରେ ମଧ୍ୟ ସାମ୍ୟ ଓ ବୈଷମ୍ୟର ସାମଞ୍ଜସ୍ୟ ନିଗୂଢ କାରଣରୂପେ ବିଦ୍ୟମାନ ଅଛି । ପିତା ଓ ଭିନ୍ନ ବ୍ୟକ୍ତି; କିନ୍ତୁ ଏହି ଦୁହିଁଙ୍କ ମଧ୍ୟରେ ଯେଉଁପ୍ରକାର ସମ୍ବନ୍ଧ ଅଛି, ତାହା ବ୍ୟକ୍ତିଗତ ବୈଷମ୍ୟର ସାମଞ୍ଜସ୍ୟ ମାତ୍ର ।

 

ଯେଉଁ ସବୁ ସୁକୁମାର ଶିଳ୍ପବିଦ୍ୟା ଦ୍ୱାରା ମନୁଷ୍ୟସଂସାର ଏତାଦୃଶ ଶ୍ରୀସମ୍ପନ୍ନ ହୋଇଅଛି, ତତ୍‌ସମୁଦାୟ ସୌନ୍ଦର୍ଯ୍ୟ ଜ୍ଞାନରୁ ପ୍ରସୂତ । ଚକ୍ଷୁରିନ୍ଦ୍ରିୟ ଗ୍ରାହ୍ୟ ସୌନ୍ଦର୍ଯ୍ୟ ଚିତ୍ରବିଦ୍ୟା, ଗୃହନିର୍ମାଣ ବିଦ୍ୟା, ମୂର୍ତ୍ତିନିର୍ମାଣ ବିଦ୍ୟା, ଭାସ୍କରବିଦ୍ୟା ପ୍ରଭୃତିର କାରଣ । ଶ୍ରବଣେନ୍ଦିୟଗ୍ରାହ୍ୟ ସୌନ୍ଦର୍ଯ୍ୟ ସଙ୍ଗୀତ ବିଦ୍ୟାର ନିଦାନ ଅଟେ । କବିତାକୁ ଆନ୍ତର ସୌନ୍ଦର୍ଯ୍ୟର ବିଷୟୀଭୂତ ଶିଳ୍ପବୋଲି ନିର୍ଦ୍ଦେଶ କରାଯାଇପାରେ । ବାହ୍ୟ ସୌନ୍ଦର୍ଯ୍ୟ ସହିତ ଆନ୍ତର ସୌନ୍ଦର୍ଯ୍ୟର ସାମଞ୍ଜସ୍ୟ ହେଲେ ସୌନ୍ଦର୍ଯ୍ୟମୋହିତ ମନୁଷ୍ୟ ଯେଉଁ ଭାବନିଚୟ ପ୍ରକାଶ କରେ, ତାହାକୁ କବିତା ବୋଲାଯାଏ ।

 

ବର୍ତ୍ତମାନ ଆମ୍ଭେମାନେ ରୁଚି ବିଷୟ ଆଲୋଚନା କରିବା । ରୁଚି କ’ଣ ? ଏହା ଆଦୌ ବିଚାର କରିବା ଉଚିତ । ଜଣେ ପ୍ରସିଦ୍ଧ ଇଂରାଜ ଆଳଂକାରିକ ଲେଖିଅଛନ୍ତି ଯେ, ଯାଉଁ ବୃତ୍ତିଦ୍ୱାରା ମନୁଷ୍ୟ ବାହ୍ୟ ଏବଂ ଆନ୍ତର ସୌନ୍ଦର୍ଯ୍ୟର ସ୍ୱାଦ ଗ୍ରହଣ କରିପାରେ , ତାହା ରୁଚି ନାମରେ ଅଭିଧେୟ । କିନ୍ତୁ ସାଧାରଣତଃ ଲୋକେ ରୁଚି ଶବ୍ଦକୁ ଏହି ଅର୍ଥରେ ପ୍ରୟୋଗ କରନ୍ତି ନାହିଁ । କୌଣସି ପଦାର୍ଥ ଭଲଲାଗିଲେ ମନରେ ଯେଉଁ ପ୍ରୀତି ବା ଆନନ୍ଦ ହୁଏ , ଲୋକେ ତାହାକୁ ରୁଚି କହନ୍ତି । କାହାକୁ କୌଣସି ପଦାର୍ଥ ଭଲ ଲାଗେ କାହାକୁ ଅବା ଭଲ ଲାଗେନାହିଁ । ଜଣେ ଗୋଟିଏ ପଦ୍ମପୁଷ୍କ ଦର୍ଶନକରି ଏପରି ମୋହିତ ହୋଇଯାଏ ଯେ, ତାହାକୁ ବାରମ୍ବାର ନିରୀକ୍ଷଣ କରି ସୁଦ୍ଧା ପରିତୃପ୍ତ ହୁଏ ନାହିଁ ; ଆଉ ଜଣେ ସେହି ପୁଷ୍କରେ କିଛିମାତ୍ର ସୌନ୍ଦର୍ଯ୍ୟ ଦର୍ଶନ କରେନାହିଁ । ଜଣେ ବୀରରସାତ୍ମକ କବିତା ପାଠକରି ଅନିର୍ବଚନୀୟ ଆନନ୍ଦ ଉପଭୋଗ କରେ; ଆଉ ଜଣେ ସେପରି କବିତାକୁ ନୀରସ କାଷ୍ଠତୁଲ୍ୟ ମଣି ଅନ୍ୟ ରସୋଦ୍ଦୀପକ କବିତାକୁ ସମାଦର କରେ । ଗୋଟିଏ ସଙ୍ଗୀତ ଶ୍ରବଣ କରି ଜଣଙ୍କର ହୃଦୟ ଆନନ୍ଦରସରେ ଅଭିଷିକ୍ତ ହେଉଅଛି , ସେହି ସଙ୍ଗୀତ ଅନ୍ୟଜଣକର କର୍ଣ୍ଣରେ ବିଷଧାରା ବର୍ଷଣ କରୁଅଛି । ଆମ୍ଭମାନଙ୍କ ଦେଶରେ ‘‘ଭିନ୍ନ ରୁଚିର୍ହିଲୋକାଃ’’ ଏହି ଯେଉଁ ପ୍ରବାଦ ପ୍ରଚଳିତ ଅଛି , ଆମ୍ଭେମାନେ ତାହାର ଶତ ଶତ ଉଦାହରଣ ପ୍ରତିଦିନ ପ୍ରତ୍ୟକ୍ଷ କରୁଅଛିଁ ।

 

ସଂସାରରେ ଲୋକମାନଙ୍କ ମଧ୍ୟରେ ସକଳ ବିଷୟରେ ଯେଉଁ ବିଷମ ରୁଚିଭେଦ ପରିଲକ୍ଷିତ ହୁଏ , ତାହାର କାରଣ କଣ? ନିବିଷ୍ଟଚିତ୍ତରେ ଆଲୋଚନା କଲେ, ଏହା ବିଶଦରୂପେ ପ୍ରତିପନ୍ନ ହେବ ଯେ ଏକା ଏହି ରୁଚିବୈଷମ୍ୟର ମୂଳରେ ଶକ୍ତିଭେଦ , ଶିକ୍ଷାଭେଦ ଓ ପ୍ରବୃତ୍ତିଭେଦ ଏହି କାରଣମାନ ବିଦ୍ୟମାନ ଅଛି । ସମସ୍ତଙ୍କର ମାନସିକ ଶକ୍ତି ସମାନ ନୁହେଁ । ପ୍ରତିଭାଶାଳୀ ଲୋକେ ସୌନ୍ଦର୍ଯ୍ୟନିରୂପଣ ଏବଂ ତାହାର ସ୍ୱାଦଗ୍ରହଣ ବିଷୟରେ ଏପରି ନିପୁଣ ଯେ ସେମାନେ କୌଣସି ସୁନ୍ଦର ସାମଗ୍ରୀ ଦେଖିଲାକ୍ଷଣି ତାହାର ସମସ୍ତ ଦୋଷଗୁଣ ଅବଲୀଳାକ୍ରମେ ନିର୍ଦ୍ଦେଶକରି ସ୍ୱୀୟ ରୁଚି ପ୍ରକାଶ କରନ୍ତି । କିନ୍ତୁ ସାମାନ୍ୟ ଲୋକଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ସହକାରେ ସୌନ୍ଦର୍ଯ୍ୟ ଦେଖାଇଦେଲେ ସୁଦ୍ଧା ସେମାନେ ସୌନ୍ଦର୍ଯ୍ୟ ବୁଝିପାରନ୍ତି ନାହିଁ । କୌଣସି ମନୁଷ୍ୟ ସମସ୍ତ ଶକ୍ତିର ଆଧାର ହୋଇ ନ ପାରେ । ଶକ୍ତି ବହୁଧା ବିଭକ୍ତ । ଅତଏବ ପ୍ରତିଭାଶାଳୀ ବ୍ୟକ୍ତି ମାତ୍ର ଯେ ସର୍ବବିଧ ସୌନ୍ଦର୍ଯ୍ୟ ହୃଦୟଙ୍ଗମ କରିପାରିବେ ଏହା ଅସମ୍ଭବ । ଯେଉଁମାନଙ୍କର ସଙ୍ଗୀତବିଷୟିନୀ ବୁଦ୍ଧି ଅତିଶୟ ଉଚ୍ଚ ଅଟେ, ସେମାନେ କେବଳ ଗୀତ ଏବଂ ବାଦ୍ୟର ମାଧୁର୍ଯ୍ୟ ଅନୁଭବ କରିବା ବିଷୟରେ ବିଚକ୍ଷଣ ଅଟନ୍ତି । ନୟନର ବିଷୟୀଭୂତ ସୌନ୍ଦର୍ଯ୍ୟ ବିଷୟରେ ସେମାନେ ଅନ୍ଧତୁଲ୍ୟ ଅଥବା ଅତିଶୟ ଅରସିକ । ପୁଣି ଶକ୍ତିର ପରିମାଣଗତ ବୈଷମ୍ୟ ଅନୁସାରେ ମଧ୍ୟ ରୁଚିର ତାରତମ୍ୟ ହୋଇଥାଏ । କାବ୍ୟପ୍ରଣୟନ– ଶକ୍ତି ଅନେକ ବ୍ୟକ୍ତିଙ୍କର ଅଛି; କିନ୍ତୁ ସମସ୍ତେ ଏକପ୍ରକାର କାବ୍ୟ ରଚନା କରନ୍ତି ନାହିଁ । କେଉଁ କବି କେବଳ ପ୍ରକୃତିର ବାହ୍ୟ ସୌନ୍ଦର୍ଯ୍ୟ ଚିତ୍ରିତ କରି ସୁଖୀ ହୁଅନ୍ତି, କାହାର ଶକ୍ତି କେତେଗୁଡ଼ିଏ ସଦୁପଦେଶପୂର୍ଣ୍ଣ ବାକ୍ୟକୁ ଛନ୍ଦୋନିବନ୍ଧ କରିବାରେ ପର୍ଯ୍ୟବସିତ ହୁଏ । ଯେଉଁମାନେ ଉଚ୍ଚଶ୍ରେଣୀର କବି, କେବଳ ସେହିମାନେ ମନଚଷ୍ୟ ପ୍ରକୃତିର ଅନ୍ତଃସ୍ଥଳ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରି ମହାକାବ୍ୟ, ଶ୍ରେଷ୍ଠ ନାଟକ ପ୍ରଣୟନ ଦ୍ୱାରା ପାଠକ– ସଂସାରକୁ ମୋହିତ କରନ୍ତି ।

 

ଶିକ୍ଷାଭେଦ ହେତୁରୁ ରୁଚି ସମ୍ବନ୍ଧରେ ଅତି ମହାନ୍‌ ପ୍ରଭେଦ ଲକ୍ଷିତ ହୁଏ । ସୁଶିକ୍ଷତମାନେ ଯେଉଁ କବିତାକୁ ସମାଦର କରନ୍ତି, ତହିଁରେ କଳ୍ପନାରେ ବୈଚିତ୍ର୍ୟ, ହୃସୟଭାବରେ ଉଚ୍ଛ୍ୱାସ, ରସମାଧୁର୍ଯ୍ୟ ଏବଂ ପବିତ୍ରତା ଜାଜ୍ୱଲ୍ୟମାନ ଥାଏ । ଅଶିକ୍ଷିତ ଅଥବା ଅର୍ଦ୍ଧଶିକ୍ଷିତ ଲୋକେ ଯେଉଁ କବିତାକୁଆଗ୍ରହପୂର୍ବକ ପାଠକରନ୍ତି, ତାହା କେବଳ ଶବ୍ଦାଡ଼ମ୍ବରପୂର୍ଣ୍ଣ ଅଥବା ଅତି ନିକୃଷ୍ଟ ପ୍ରବୃତ୍ତିର ଉଦ୍ଦୀପକ ।

 

ମନୁଷ୍ୟର ଶ୍ରେଷ୍ଠ ଏବଂ ନିକୃଷ୍ଟ ଉଭୟ ପ୍ରକାର ପ୍ରବୃତ୍ତି ଅଛି । ଶ୍ରେଷ୍ଠ ପ୍ରବୃତ୍ତିର ଅନୁସରଣ କରି ଲୋକେ ସୁରୁଚିମନ୍ତ ହୁଅନ୍ତି ଏବଂ ନିକୃଷ୍ଟ ପ୍ରବୃତ୍ତିର କର୍ତ୍ତୃତ୍ୱାଧୀନ ହେଲେ ଲୋକେ କୁରୁଚିଗ୍ରସ୍ତ ହୁଅନ୍ତି । ଯେଉଁମାନଙ୍କ ହୃଦୟରେ ପ୍ରୀତି, ଭକ୍ତି, ବିଶ୍ୱାସ, ଉତ୍ସାହ ପ୍ରଭୃତି ଶ୍ରେଷ୍ଠଭାବ ସ୍ୱଭାବତଃ ପ୍ରବଳ, ସେମାନେ ବୀର, ଶାନ୍ତ ଏବଂ କରୁଣରସର କାବ୍ୟ ଅଧ୍ୟୟନରେ କାଳଯାପନ କରନ୍ତି । ସେହିପରି ଯେଉଁମାନଙ୍କର ଶ୍ରେଷ୍ଠ ପ୍ରବୃତ୍ତିଚୟ ଦୁର୍ବଳ, ଅଥଚ ଯେଉଁମାନଙ୍କର କାମାଦି ନିକୃଷ୍ଟବୃତ୍ତି ଅତ୍ୟନ୍ତ ବଳବତୀ, ସେମାନେ କାମୋଦ୍ଦୀପକ ଆଦିରସଯୁକ୍ତ କବିତା ପାଠକରି ପରିତୃପ୍ତ ହୁଅନ୍ତି ।

 

ଜାତିବିଶେଷର ରୁଚି ସେହି ଜାତିର ନୈତିକ ଅବସ୍ଥାର ପରିଚୟ ପ୍ରଦାନ କରେ । ଯେଉଁ ଜାତୀୟ ଲୋକେ ପ୍ରତିଭାଶାଳୀ ବ୍ୟକ୍ତିର ସୁରୁଚିସମ୍ଭୂତ ଗ୍ରନ୍ଥମାନଙ୍କୁ ଶ୍ରଦ୍ଧା କରନ୍ତି, ସେମାନଙ୍କର ଧର୍ମନୀତି ଯେ ଉନ୍ନତ, ଏଥିରେ ସନ୍ଦେହ ନାହିଁ । ପକ୍ଷାନ୍ତରେ ଏହା ନିଃସଂଶୟ ଯେ ଯେଉଁ ଜାତୀୟ ଲୋକେ କୁରୁଚି– ପ୍ରଣୋଦିତ ହୋଇ ଅଶ୍ଳୀଳ ଅପକୃଷ୍ଟ ଗ୍ରନ୍ଥମାନଙ୍କୁ ଆଦର କରନ୍ତି , ସେମାନଙ୍କର ଧର୍ମନୀତି ଅତି ହୀନ ଅଟେ । ଦେଶର ରୁଚି ଏବଂ ଧର୍ମନୀତି ଉନ୍ନତକରିବା ଅତ୍ୟନ୍ତ ପବିତ୍ର କାର୍ଯ୍ୟ ଅଟେ। ଯେଉଁ ଗ୍ରନ୍ଥକାରମାନେ ଏହି କର୍ତ୍ତବ୍ୟର ଗୁରୁତ୍ୱ ହୃଦୟଙ୍ଗମ ନକରି କେବଳ ଲୋକମାନଙ୍କର ନୀଚ ଆମୋଦ ପ୍ରବୃତ୍ତି ପରିତୃପ୍ତ କରିବାପାଇଁ ଯତ୍ନବାନ ହୁଅନ୍ତି, ଯେଉଁମାନେ ଲୋକମାନଙ୍କର କଳ୍ପନା ସପକ୍ଷରେ କୁତ୍ସିତ ଚିତ୍ରମାନ ଉପସ୍ଥାପିତ କରି ଲୋକମାନଙ୍କର ବିକୃତ ଭାବମାନଙ୍କୁ ଉତ୍ତେଜିତ କରନ୍ତି , ସେମାନେ ସମାଜର ଶତ୍ରୁ ଅଟନ୍ତି ।     

 

ମାନବଜାତିର ଉନ୍ନତି

 

ଏହି ପୃଥିବୀସ୍ଥ ଜୀବମାନଙ୍କ ମଧ୍ୟରେ କେବଳ ମନୁଷ୍ୟମାତ୍ର ଉନ୍ନତିଶୀଳ ଅଟେ । ଅତି ପ୍ରାଚୀନକାଳରେ ଖେଚରବୃନ୍ଦ ଯେପରି କୌଶଳ ସହକାରେ କୁଲାୟ ନିର୍ମାଣ କରୁଥିଲେ, ମଧୁମକ୍ଷିକାମାନେ ମଧୁଚକ୍ର ଗଠନ କରୁଥିଲେ, ପଶୁମାନେ ଯେପରି ଉଦରପୂର୍ତ୍ତି ନିମିତ୍ତ ଇତସ୍ତତଃ ପରିଭ୍ରମଣ କରୁଥିଲେ, ବର୍ତ୍ତମାନ ସମୟରେ ମଧ୍ୟ ସେହିପରି କରୁଅଛନ୍ତି । କିନ୍ତୁ ମାନବଜାତିର ଆଦିମ-ବନ୍ୟ-ଅବସ୍ଥାର ଯେତେ ପରିବର୍ତ୍ତନ ହୋଇଅଛି, ତାହା ଆଲୋଚନା କଲେ ମନ ବିସ୍ମୟରେ ଅବଶପ୍ରାୟ ହୁଏ । ଗିରିଗହ୍ୱର ଯେଉଁମାନଙ୍କର ଆଶ୍ରୟସ୍ଥାନ ଥିଲା, ସେମାନେ ଏବେ ସୁରମ୍ୟ ଅଟ୍ଟାଳିକାରେ ବାସ କରୁଅଛନ୍ତି । ବୃକ୍ଷର ଫଳ ଏବଂ ଅପକ୍ୱମାଂସ ଯେଉଁମାନଙ୍କର ଖାଦ୍ୟ ଥିଲା, ଯେଉଁମାନେ ଅନାବୃତ ଶରୀରକୁ ନାନାବର୍ଣ୍ଣରେ ରଞ୍ଜିତ କରୁଥିଲେ, ଯେଉଁମାନେ ଜ୍ଞାନେଲୋକ ବିରହିତ ହୋଇ ସୃଷ୍ଟିର ଅନ୍ଧଶକ୍ତି ସମୂହ ନିକଟରେ ମସ୍ତକକୁ ଅବନତ କରୁଥିଲେ, ସେମାନଙ୍କ ବଂଶଧର ସଭ୍ୟଜାତୀୟ ମନୁଷ୍ୟବର୍ଗର ଆହାର ଏବଂ ପରିଚ୍ଛଦର ପାରିପାଟ୍ୟ, ଜଡ଼ଶକ୍ତିଚୟୋପରି ସେମାନଙ୍କ ସର୍ବତୋମୁଖୀ ପ୍ରଭୁତା ଏବଂ ସେମାନଙ୍କ ଜ୍ଞାନ ଧର୍ମଲୋକ ପ୍ରଭୃତି ବିବିଧ ବିଚିତ୍ର ପରିବର୍ତ୍ତନ ପ୍ରତି ଦୃଷ୍ଟିପାତ କଲେ କିଏ ବିସ୍ମୟାନ୍ୱିତ ନୋହିବ ?

 

କିନ୍ତୁ ଏହିସବୁ ପରିବର୍ତ୍ତନର କାରଣ କଅଣ ? କେଉଁ ଅଲକ୍ଷିତ ଶକ୍ତି ପ୍ରଭାବରେ ମନୁଷ୍ୟସମାଜ ଏପରି ପରିବର୍ତ୍ତିତ ହୋଇଅଛି ? ସୁଧୀବର୍ଗ ଏହି ପ୍ରଶ୍ନର ନାନାପ୍ରକାର ଉତ୍ତର ପ୍ରଦାନ କରିଅଛନ୍ତି । କେହି କେହି କହନ୍ତି ଯେ ମାନବଜାତିର ହୃଦୟନିହିତ ଧର୍ମପ୍ରବୃତ୍ତି ଏହି ଉନ୍ନତିର ନିଦାନ ଅଟେ । କାହାରି କାହାରି ମତରେ ବୁଦ୍ଧିବୃତ୍ତିର କ୍ରମିକ ବିକାଶ ଏହି ପରିବର୍ତ୍ତନର ପ୍ରବର୍ତ୍ତକ । ପୁଣି କେହି କେହି ସମୁଦାୟ ମନୁଷ୍ୟ ପ୍ରକୃତିକୁ ସଭ୍ୟତା ବିକାଶର ନିଦାନଭୂତ ବୋଲି ଅବଧାରଣ କରିଅଛନ୍ତି । ଆମ୍ଭେମାନେ ଶେଷୋକ୍ତ ମତର ପକ୍ଷପାତୀ ଅଟୁଁ ।

 

ମାନବପ୍ରକୃତିରେ ଦୁଇଗୋଟି ପରସ୍ପର ବିରୋଧୀ ଭାବ ସଂଲକ୍ଷିତ ହୁଏ । ଗୋଟିଏ ସ୍ୱାନୁବର୍ତ୍ତିତା, ଅପରଟି ନିର୍ଭରଭାବ । ଯେପରି କେନ୍ଦାଭିକର୍ଷିଣୀ ଏବଂ କେନ୍ଦାପସାରିଣୀ ନାମକ ପରସ୍ପର ବିରୁଦ୍ଧ ଶକ୍ତିଦ୍ୱୟ ଦ୍ୱାରା ଏହି ଅଖିଳବିଶ୍ୱ ସଂରକ୍ଷିତ ଏବଂ ପରିଚାଳିତ ହେଉଅଛି, ସେହିପରି ଊପର୍ଯ୍ୟୁକ୍ତ ଆଧ୍ୟାତ୍ମିକ ଶକ୍ତିଦ୍ୱୟ ମାନବସମାଜକୁ ଅନନ୍ତ ଉନ୍ନତି ଆଡକୁ ଘେନିଯାଉଅଛି । ସ୍ୱାନୁବର୍ତ୍ତିତା ମନୁଷ୍ୟକୁ ସ୍ୱତନ୍ତ୍ର, ସ୍ୱାର୍ଥାନ୍ୱେଷୀ, ଆତ୍ମନିର୍ଭରଶୀଳ ହେବାକୁ ଉପଦେଶ ପ୍ରଦାନ କରେ । ନିର୍ଭରଭାର ଜନସଙ୍ଗଲାଳସାକୁ ଉତ୍ପାଦନ କରି ମନୁଷ୍ୟକୁ ସମାଜ ବନ୍ଧନରେ ନିବଦ୍ଧ କରେ । ସ୍ୱାନୁବର୍ତ୍ତିତା ନ ଥିଲେ ମନୁଷ୍ୟ ପରମୁଖାପେକ୍ଷୀ ହୋଇ କେବଳ ଅନୁକରଣଶୀଳ ପ୍ରାଣୀରୂପରେ ପରିଣତ ହୁଅନ୍ତା । ପକ୍ଷାନ୍ତରେ ନିର୍ଭରଭାବର ଅଭାବରେ ମନୁଷ୍ୟ ଏକାକୀ କୌଣସି ମହତ୍‌କାର୍ଯ୍ୟ କରିପାରନ୍ତି ନାହିଁ । ସ୍ୱାନୁବର୍ତ୍ତୀ ମନୁଷ୍ୟ ଏକାକୀ କୌଣସି ମହାତ୍‌କାର୍ଯ୍ୟ କରିପାରନ୍ତା ନାହିଁ । ସ୍ୱାନୁବର୍ତ୍ତୀ ମନୁଷ୍ୟ ଅଶେଷ ଶକ୍ତି ସମ୍ପନ୍ନ ହେଲେହେଁ ପରସାହାଯ୍ୟ ବିରହରେ ଏତାଦୃଶ ହୀନବଳ ହୁଅନ୍ତା ଯେ ସମ୍ଭବତଃ କେବଳ ଗ୍ରାସାଚ୍ଛାଦନ ଅନ୍ୱେଷଣରେ ତାହାକୁ ସମୁଦେୟ ଜୀବନ ଅତିବାହନ କରିବାକୁ ହୁଅନ୍ତା । ପୁଣି ଏକାନ୍ତ ପରପଦାନୁସାରୀ ସ୍ୱାନୁବର୍ତ୍ତିତା–ବିବର୍ଜିତ ମନୁଷ୍ୟମାନେ ନେତୃଶୂନ୍ୟ ହୋଇ କୌଣସି ପ୍ରକାର ଶୁଭସମ୍ପଦର ଅଧିକାରୀ ହୋଇପାରନ୍ତେ ନାହିଁ । ଅତଏବ ଏହା ସ୍ପଷ୍ଟରୂପେ ପ୍ରତିପନ୍ନ ହେଉଅଛି ଯେ ଆମ୍ଭାମାନଙ୍କର ପ୍ରକୃତିନିହିତ ଉପର୍ଯ୍ୟୁକ୍ତ ଶକ୍ତିଦ୍ୱୟର କାର୍ଯ୍ୟଦ୍ୱାରା ମନୁଷ୍ୟଜାତିର ସୁଖସମୁନ୍ନତି ସମ୍ପାଦିତ ହେଉଅଛି ।

 

ମନୁଷ୍ୟର ଉନ୍ନତି ଆପେକ୍ଷିକ ଅଟେ । ଏକ ଶତାବ୍ଦୀ ପୂର୍ବରେ ଯେଉଁ ଅବସ୍ଥା ଉନ୍ନତତମ ବୋଲି ପ୍ରତୀୟମାନ ହେଉଥିଲା, ଇଦାନୀଂ ତାହାକୁ ଲୋକେ ସଭ୍ୟତା ବୋଲି ସ୍ୱୀକାର କରିବାକୁ କୁଣ୍ଠିତ ହେଉଅଛନ୍ତି । ପୁଣି ଇଦାନୀନ୍ତନ ସଭ୍ୟଜାତୀୟ ମନଷ୍ୟବର୍ଗ ଯେଉଁ ପଦବୀରେ ଅଧିରୂଢ ହୋଇଅଛନ୍ତି, ଦୁଇଶତାବ୍ଦୀ ପୂର୍ବରେ ତାହା କାହାରି କଳ୍ପନାକୁ ସୁଦ୍ଧା ସ୍ପର୍ଶ କରିନଥିଲା । କିନ୍ତୁ ଏହି ବର୍ତ୍ତମାନ ସଭ୍ୟତା ସୁଦ୍ଧା ଉନ୍ନତିର ପରାକାଷ୍ଠା ନୁହେ । ଏଥିରେ ସୁଦ୍ଧା ଆମ୍ଭମାନଙ୍କର ଆଶା ପରିତୃପ୍ତ ହୋଇ ନ ପାରେ । ଅନନ୍ତ ଯେଉଁ ମନୁଷ୍ୟଜାତିର ଆଶାସ୍ଥଳ, ପରିମିତ, ସୀମାବଦ୍ଧ ଉନ୍ନତି କଦାପି ସେମାନଙ୍କର ହୃଦୟପିପାସାକୁ ନିବୃତ୍ତ କରି ନ ପାରେ । ବର୍ତ୍ତମାନ ସଭ୍ୟତାର ବହିରୁଜ୍ଜ୍ୱଳ ଆବରଣ ଭେଦକରି ଦେଖିଲେ ଅଶେଷ ପ୍ରକାର ପାପ ଏବଂ ଦୁର୍ଗତି ପରିଲକ୍ଷିତ ହେବ । ଊନବିଂଶ ଶତାବ୍ଦୀର ସଭ୍ୟତମ ଜନପଦ ଇଂଲଣ୍ତର ଅବସ୍ଥା ଆଲୋଚନା କରି କିଏ କହିବ ଯେ ଆଧୁନିକ ସଭ୍ୟତା ମନୁଷ୍ୟଜାତିର ଉନ୍ନତତମ ଅବସ୍ଥା ଅଟେ ? ଲୋକସାଧାରଣର ଦାରିଦ୍ର୍ୟ ଏବଂ ଅଜ୍ଞାନତା, ନାରୀଜାତିର ଦୁର୍ଦ୍ଦଶା, ଧର୍ମ ଏବଂ ବିଶୁଦ୍ଧ ନୀତିପ୍ରତି ସାଧାରଣଙ୍କର ଅନାସ୍ଥା ଇଂଲଣ୍ତରେ ସୁଦ୍ଧା ପ୍ରଭୂତରୂପେ ପରିଦୃଷ୍ଟ ହୁଏ । କିନ୍ତୁ ଏହା ବୋଲି ବର୍ତ୍ତମାନ ସଭ୍ୟତାକୁ ତୁଚ୍ଛ ମଣିବା ଉଚିତ ନୁହେ । କନ୍ଧ ସାନ୍ତାଳ ପ୍ରଭୃତି ଅରଣ୍ୟଚାରୀ ମନୁଷ୍ୟମାନଙ୍କ ଅବସ୍ଥାଠାରୁ ଇଂଲଣ୍ତୀୟମାନଙ୍କର ଅବସ୍ଥା କୋଟିଗୁଣରେ ଉତ୍କୃଷ୍ଟ ଅଟେ।

 

ଏହି ଧରଣୀପୃଷ୍ଠରେ ପ୍ରାୟ ଏକଶତ ପଞ୍ଚାଶତକୋଟି ମନୁଷ୍ୟ ଅଧିବାସ କରୁଅଛନ୍ତି । ଏମାନେ ସମସ୍ତେ ସଭ୍ୟତାରୂପ ମଞ୍ଚର ଏକ ସୋପାନରେ ଅବସ୍ଥିତ ନୁହନ୍ତି । ଏମାନେ ବିଭିନ୍ନ ଜାତି ଏବଂ ଧର୍ମସମ୍ପ୍ରଦାୟରେ ବିଭକ୍ତ ହୋଇ ଉନ୍ନତିର ବିଭିନ୍ନ ଅବସ୍ଥାକୁ ଲାଭ କରିଅଛନ୍ତି । କୌଣସି କୌଣସି ଜାତି ମାନସିକ ଏବଂ ନୈତିକ ଉତ୍କର୍ଷର ଅତ୍ୟୁଚ୍ଚ ପଦବୀ ଅଧିରୋହଣ କରିଅଛନ୍ତି। କେହି କେହି ଅବା ବନଚାରୀ ପଶୁମାନଙ୍କ ଅପେକ୍ଷା ଅତ୍ୟନ୍ତ ପରିମାଣରେ ଉନ୍ନତ ମାତ୍ର । ଜାତିଗତ ବିଭିନ୍ନତା ଯୋଗୁଁ ଭାଷା, ଚରିତ୍ର, ଧର୍ମ ବହିରାକୃତି ପ୍ରଭୃତି ବିଷୟରେ ଅତିଶୟ ବୈଲକ୍ଷଣ୍ୟ ଲକ୍ଷିତ ହୁଏ । ଉଲ୍ଲିଖିତ ପ୍ରଭେଦମାନ ଥିଲେହେଁ ମାନବ ଦେହ ତତ୍ତ୍ୱଜ୍ଞ ପଣ୍ତିତମାନେ ଅବଧାରଣ କରିଅଛନ୍ତି ଯେ ଭିନ୍ନ ଭିନ୍ନ ମନୁଷ୍ୟଜାତି ମଧ୍ୟରେ କିଛି ହିଁ ମୂଳଗତ ବିଭିନ୍ନତା ନାହିଁ । ବୁଦ୍ଧିଶାଳୀ ସୁଶ୍ରୀକ ଆର୍ଯ୍ୟ ବା କକେଷୀୟ, ବିଭୀଷଣାକୃତି ଏସ୍କିମୋବର୍ବର, ଘନୌଷ୍ଠପତ୍ର ନିଗ୍ରୋ, ନୀଳନେତ୍ର ସ୍କାଣ୍ତିନେବୀୟ, ସମସ୍ତେ ମନୁଷ୍ୟବଂଶର ଭିନ୍ନ ଭିନ୍ନ ପରିବାର ମାତ୍ର ।

 

ମନୁଷ୍ୟବଂଶ ପାଞ୍ଚଗୋଟି ବିଭିନ୍ନ ପରିବାରରେ ବିଭକ୍ତ; ଯଥା – କକେଷୀୟ ଅବା ଆର୍ଯ୍ୟ, ମୋଗଲତାତାର, ମାଳୟ, ଇଥିଅପ ଏବଂ ଆଦିମ ମାର୍କିନ ।

 

ସମସ୍ତ ଇଉରୋପ, ଉତ୍ତର ଆଫ୍ରିକା, ସମସ୍ତ ଭାରତବର୍ଷ, ଆାରବ ପାରସ୍ୟ, ଆସିୟାମାଇନର ଏବଂ ଆମେରିକାର ଇଉନାଇଟେଡ୍‌ଷ୍ଟେଟ୍‌ସ ଏହି ଦେଶମାନ କକେଷୀୟ ଜାତିର ଆବାସସ୍ଥାନ । ଏହି ଜାତୀୟ ମନୁଷ୍ୟମାନେ ସର୍ବକାଳରେ ସଭ୍ୟତାର ଅଗ୍ରଣୀରୂପେ ପରିଗଣିତ ହୋଇଅଛନ୍ତି । ପ୍ରାଚୀନକାଳର ହିନ୍ଦୁ, ଗ୍ରୀକ୍‌, ରୋମକ, ଆରବ ଏବଂ ମିଶରବାସିବର୍ଗ ଏବଂ ଆଧୁନିକ ଇଉରୋପୀୟ ଜାତିସମୂହ ନିଜ ନିଜ ଗୌରବାନ୍ୱିତ ଉନ୍ନତିଦ୍ୱାରା ଆର୍ଯ୍ୟଜାତିର ଶ୍ରେଷ୍ଠତା ପ୍ରତିପାଦନ କରିଅଛନ୍ତି । କିନ୍ତୁ ଏହି ପ୍ରାଧାନ୍ୟର ହେତୁ କ’ଣ ? କେବଳ ପ୍ରକୃତିର ଅନୁକୂଳତା ଏହାର ଏକମାତ୍ର କାରଣ ହୋଇନପାରେ, ଯେହେତୁ ଉଲ୍ଲିଖିତ ଅନୁକୂଳତା ଅସଭ୍ୟ ଆଦିମ ମାର୍କିନମାନଙ୍କର ଅଧ୍ୟୁଷିତ ଦେଶରେ ମଧ୍ୟ ପ୍ରଭୂତରୂପେ ବର୍ତ୍ତମାନ ଅଛି । ଅତଏବ କକେଷୀୟ ଜାତିର ସ୍ୱାଭାବିକ ଉନ୍ନତି–ପ୍ରବଣତାକୁ ସଭ୍ୟତାର ମୁଖ୍ୟକାରଣ ବୋଲି ନିର୍ଦ୍ଦେଶ କରିବାକୁ ହେବ । ଏହାଦ୍ୱାରା ଆମ୍ଭେମାନେ ଏମନ୍ତ କହୁଁନାହିଁ ଯେ ପ୍ରକୃତିର ଅନୁକୂଳତା ଦ୍ୱାରା ଆର୍ଯ୍ୟଜାତୀୟ ସଭ୍ୟତାର କିଛି ଉପକାର ହୋଇନାହିଁ । ଆମ୍ଭମାନଙ୍କ ମତରେ ସ୍ନିଗ୍ଧ ଜଳବାୟୁ, ଉର୍ବର ମୃତ୍ତିକା ଏବଂ ବାଣିଜ୍ୟାନୁକୂଳ ନଦୀବୃନ୍ଦ ପ୍ରଭୃତି ପ୍ରାକୃତିକ ଅନୁକୂଳତାର ନିଦର୍ଶନମାନ ଗୌଣକାରଣରୂପେ ବିଦ୍ୟମାନ ଥାଇ ଉନ୍ନତିର ସହାୟତା କରିଅଛି ।

 

ମୋଗଲ ତାତାର ଜାତି ହିମାଳୟ ଏବଂ ପାରସ୍ୟ ଅଧିତ୍ୟକାର ଉତ୍ତରବର୍ତ୍ତୀ ସମସ୍ତ ଆସିୟାଖଣ୍ତ ଏବଂ ଆମେରିକାର ଉତ୍ତରକୈନ୍ଦ୍ରିକ ପ୍ରଦେଶରେ ଅଧିବାସ କରନ୍ତି । ତୁରଷ୍କ, ମୋଗଲ, ତାତାର, ଚୀନ ଦେଶୀୟ, ଜାପାନ ଦେଶୀୟ ଏବଂ ଏସ୍କିମୋ ପ୍ରଭୃତି ଜାତି ଏହି ମନୁଷ୍ୟ ପରିବାରର ଅନ୍ତର୍ଗତ । ଏହି ଜାତୀୟ ମନୁଷ୍ୟ ବର୍ଗ ମଧ୍ୟରେ ଚୀନ ଏବଂ ଜାପାନବାସିମାନେ ବିଶିଷ୍ଟରୂପେ ଉନ୍ନତ ଅଟନ୍ତି ; କିନ୍ତୁ ସେମାନଙ୍କର ସାମାଜିକ ପ୍ରଣାଳୀ ଏପରି ସଂକୀର୍ଣ୍ଣଭାବାପନ୍ନ ଯେ ସେମାନେ ଅନ୍ୟାନ୍ୟ ସଭ୍ୟଜାତିମାନଙ୍କ ସଙ୍ଗରେ ମିଶିବାକୁ ଅଭିଳାଷ କରନ୍ତି ନାହିଁ । ସୁତରାଂ ସେମାନଙ୍କର ସଭ୍ୟତା କକେଷୀୟ ସଭ୍ୟତା ଅପେକ୍ଷା ବହୁପରିମାଣରେ ନିକୃଷ୍ଟତର ଅଟେ । ତୁରଷ୍କ, ତାତାର ଏବଂ ମୋଗଲମାନେ ଏସ୍କିମୋମାନଙ୍କ ଅପେକ୍ଷା ଅନେକାଂଶରେ ଉନ୍ନତ ହେଲେହେଁ ଅଦ୍ୟାବଧି ଅରଣ୍ୟଚାରିତା ଏବଂ ଲୁଣ୍ଠନପ୍ରିୟତା ପରିତ୍ୟାଗ କରିନାହାନ୍ତି ।

 

ମାଳୟଜାତି ଦେଖିବାକୁ ଅସୁନ୍ଦର । ଏମାନେ ଭାରତସାଗରର ଦ୍ୱୀପପୁଞ୍ଜ, ଅଷ୍ଟ୍ରେଲିୟା, ବୋର୍ଣ୍ଣିୟୋ, ଟାସମାନିଆ ଦ୍ୱୀପ ପ୍ରଭୃତିରେ ବାସ କରନ୍ତି । ଏ ଜାତିର କତି ପୟ ଶାଖା ଅତି ପ୍ରାଚୀନ କାଳରେ କିୟତ୍‌ପରିମାଣରେ ସଭ୍ୟ ହୋଇଥିଲେ । ସେମାନଙ୍କର ଲିଖିତ ସାହିତ୍ୟ ସେମାନଙ୍କର ପ୍ରାଚୀନ ଉନ୍ନତି ବିଷୟରେ ସାକ୍ଷ୍ୟ ପ୍ରଦାନ କରୁଅଛି । ମାଳୟବଂଶୀୟ ମନୁଷ୍ୟମାନେ ମୃଦୁସ୍ୱଭାବ ଏବଂ ଶିଳ୍ପବିଦ୍ୟାରେ କିୟତ୍‌ ପରିମାଣରେ ଉନ୍ନତି ।

 

ସାହାରା ମରୁଭୂମିର ଦକ୍ଷିଣବର୍ତ୍ତୀ ସମସ୍ତ ଆଫ୍ରିକା ଏବଂ ମାଡାଗାସ୍କର ଦ୍ୱୀପ ଇଥିଅପଜାତିର ଅଧିବାସସ୍ଥଳ । ଏହି ଜିତି ଦେଖିବାକୁ ଅତ୍ୟନ୍ତ କୁତ୍ସିତ । କୃଷ୍ଣଚର୍ମ, ଘନ ଓଷ୍ଠପତ୍ର, ବହିର୍ନିଗତ ଚକ୍ଷୁ ଏବଂ ଅତ୍ୟୁଚ୍ଚକପୋଳାସ୍ଥି ଏହି ଜାତୀୟ ଲୋକମାନଙ୍କର ବିଶେଷ ଲକ୍ଷଣ । ଇଥିଅପଜାତି ଅସଭ୍ୟ ଅବସ୍ଥାରେ ଅବସ୍ଥିତ । ଭୀଷଣ ମରୁପ୍ରାନ୍ତରସ୍ଥ ଜଳବାୟର ଅନିଷ୍ଟକାରିତା ଏବଂ ଜଘନ୍ୟ ଦାସତ୍ୱ ପ୍ରଥା ହେତୁରୁ ଏହି ଜାତି ଏପରି ଅନୁନ୍ନତ ଅବସ୍ଥାରେ ପଡ଼ିରହିଅଛି ।

 

ଆଦିମ ମାର୍କିନମାନେ ତାମ୍ରବର୍ଣ୍ଣ, ପ୍ରଲମ୍ବକେଶ ଏବଂ ସୁଶ୍ରୀକ । ଏମାନେ ମୃଗୟାଶୀଳ, କୃଷିବିମୁଖ ଏବଂ ଯୁଦ୍ଧପ୍ରିୟ । ଏମାନଙ୍କର ବୈରପରାୟଣତା ଅତି ଭୟଙ୍କର ଅଟେ । ଏହି ଜାତିର କତିପୟ ଶାଖା ଅର୍ଦ୍ଧସଭ୍ୟ ଏବଂ ଅବଶିଷ୍ଟ ଘୋର ବର୍ବରଭାବାପନ୍ନ ।

 

ଆମ୍ଭେମାନେ ଯେଉଁ ପଞ୍ଚଜାତିର ଉଲ୍ଲେଖ କଲୁଁ, ତାହା ପୁଣି ଅଗଣିତ ଶାଖା ପ୍ରଖାଖାରେ ବିଭକ୍ତ । ଏହି ସଂଖ୍ୟାତୀତ ବିଭେଦର ସମୁଦାୟ କାରଣ ଅବଧାରଣ କରିବା ଅତ୍ୟନ୍ତ କଠିନବ୍ୟାପାର ଅଟେ । ଭିନ୍ନ ଭିନ୍ନ ଜାତିର ପ୍ରାକୃତିକ ଅବସ୍ଥାନ, ଭାଷା, ଧର୍ମ, ବର୍ଣ୍ଣ, ମାନସିକ ଏବଂ ନୈତିକ ଶକ୍ତି ସେହି କାରଣନିଚୟ ମଧ୍ୟରେ ପ୍ରଧାନ ବୋଲି ଗଣନୀୟ । ସ୍ଥାନୀୟ ଶୀତ, ଗ୍ରୀଷ୍ମ, ଭୂମିର ଉର୍ବରତା ବା ଅନୁର୍ବରତା, ନଦୀ ଏବଂ ପର୍ବତର ବହୁଳତା ବା ବିରଳତା, ଜଳବାୟୁର ସ୍ନିଗ୍ଧତା ବା କଠୋରତା, ନୈସର୍ଗିକ ଦୃଶ୍ୟର ବୈଚିତ୍ର୍ୟ ବା ତାହାର ଅଭାବ ଏହିସବୁ ଅବସ୍ଥାର ତାରତମ୍ୟ ଅନୁସାରେ ପ୍ରାକୃତିକ ଅବସ୍ଥାନର ବିଭିନ୍ନ ପ୍ରଭାବ ଲକ୍ଷିତ ହୁଏ । କେନ୍ଦ୍ର ସନ୍ନିହିତ ତୀବ୍ରଶୀତପ୍ରଦେଶବାସୀ ମନୁଷ୍ୟମାନେ ପ୍ରକୃତିର କଠୋରତା ହେତୁରୁ ମାନସିକ ଉତ୍କର୍ଷସାଧନାର୍ଥ ଏକାନ୍ତ ଅଶକ୍ତ; ତେଣୁ ସେମାନେ ଉନ୍ନତିର ନିମ୍ନତମ ସୋପାନରେ ଅବସ୍ଥିତ । ଭୂମଧ୍ୟସାଗର ତଟବର୍ତ୍ତୀ ଗ୍ରୀସ, ଇତାଲୀ ଏବଂ ଫ୍ରାନ୍‌ସ ଦେଶର ପ୍ରକୃତି ମନୁଷ୍ୟମାନଙ୍କ ପ୍ରତି ଅତ୍ୟନ୍ତ ଅନୁକୂଳ ଅଟେ, ତତ୍ରତ୍ୟ ଜଳବାୟୁର ରମଣୀୟତା, ଭୂମିର ଉର୍ବରତା ଏବଂ ଜୀବିକାର୍ଜନର ଅଳ୍ପାୟାସସୁଲଭତା ପ୍ରଭୃତି କାରଣରୁ ସେଠାରେ ମାନସିକ ବିକାଶ ସୁଚାରୁରୂପେ ସମ୍ପନ୍ନ ହୁଏ । ଜର୍ମେନୀ ଏବଂ ହଲାଣ୍ତରେ ପ୍ରକୃତି ଅପେକ୍ଷାକୃତ କଠୋରଗଭାବାପନ୍ନ ଏବଂ ଜୀବିକାର୍ଜନ ଅଧିକ ଶ୍ରମସାପେକ୍ଷ, ସୁତରାଂ ତତ୍ରତ୍ୟ ଲୋକମାନଙ୍କର ଚରିତ୍ରରେ ଅଜେୟ ଅଧ୍ୟବସାୟ ଏବଂ ଦୃଢତା ଲକ୍ଷିତ ହୁଏ । ସାଗାର ପରିବୃତ ଖନିପୂର୍ଣ୍ଣ ଇଂଲଣ୍ତର ଅବସ୍ଥା ଭିନ୍ନପ୍ରକାର; ସୁତରାଂ ତତ୍ରତ୍ୟ ଅଧିବାସୀମାନେ ଶିଳ୍ପନୈପୁଣ୍ୟ, ବାଣିଜ୍ୟପ୍ରିୟତା ଏବଂ ଶ୍ରମଶୀଳତା ପ୍ରଭୃତି ଗୁଣଦ୍ୱାରା ବିଭୂଷିତ ।

 

ପୃଥିବୀରେ ଦ୍ୱିସହସ୍ରାଧିକ ଭାଷା ପ୍ରଚଳିତ ଅଛି । ଏଥିମଧ୍ୟରେ କତିପୟ ଭାଷା ଏକାର୍ଥବୋଧକ ଶବ୍ଦଗତ ସାଦୃଶ୍ୟରେ, କତିପୟ ଭାଷା ବ୍ୟାକରଣଗତ ସାଦୃଶ୍ୟରେ ଏବଂ କେତେକ ଉଭୟଥା ପରସ୍ପର ସହିତ ସମ୍ବନ୍ଧିତ । ଏହିପ୍ରକାର ସାଦୃଶ୍ୟ ଅନୁସନ୍ଧାନ କରି ଶବ୍ଦଶାସ୍ତ୍ରଜ୍ଞ ପଣ୍ତିତମାନେ ଭାଷାସମୂହକୁ ଆର୍ଯ୍ୟ ବା ଇଣ୍ତୋ – ଇଉରୋପୀୟ, ସେମିଟିକତାତାର , ଇଣ୍ତୋଚିନୀୟ, ଇଥିଅପ ଏବଂ ଆଦିମ ମାର୍କିନ ଏହି କେତୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ଆର୍ଯ୍ୟଜାତୀୟ ଭାଷା ବିଭିନ୍ନ ଦେଶରେ ବିଭିନ୍ନରୂପେ ପରିବର୍ତ୍ତନ ହୋଇ ଗ୍ରୀକ୍‌, ଲାଟିନ, ସଂସ୍କୃତ, ପାରସିକ, ଜର୍ମାନ ଏବଂ ଫ୍ରେଞ୍ଚ ପ୍ରଭୃତି ବିଭିନ୍ନଭାଷାରେ ପରିଣତ ହୋଇଅଛି । ଏହିସବୁ ଭାଷାରେ ଏକାର୍ଥବୋଧକ ଅନେକ ବିଭିନ୍ନ ଶବ୍ଦ ଦେଖାଯାଏ । ଏହିପ୍ରକାର ଆରବି ଏବଂ ହେବ୍ରୁ ସେମିଟିକ ଶ୍ରେଣୀର ଏବଂ ଚୀନଭାଷା ଇଣ୍ତୋଚିନୀୟ ଶ୍ରେଣୀର ଅନ୍ତର୍ଗତ । ସଭ୍ୟତାର ବୃଦ୍ଧି ସହକାରେ ଭାଷାର ଉନ୍ନତି ସମ୍ପାଦିତ ହୁଏ । ସମାଜ ମଧ୍ୟରେ ଅଭିନବ ଭାବ ପ୍ରବେଶ କଲେ ଏବଂ ନୂତନ ଆବିଷ୍କ୍ରିୟାମାନ ସମ୍ପାଦିତ ହେଲେ, ନୂତନ ଶବ୍ଦମାନ ସଂଗଠିତ ହୁଏ ଏବଂ ତଦ୍ଦ୍ୱାରା ଭାଷା ପରିପୁଷ୍ଟ ଏବଂ ସମାର୍ଜିତ ହୂଏ ।

 

ମନୁଷ୍ୟଜାତି ନାନା ଧର୍ମସମ୍ପ୍ରଦାୟରେ ବିଭକ୍ତ । ପ୍ରାୟ ସମସ୍ତ ଇଉରୋପ ଖ୍ରୀଷ୍ଟଧର୍ମାବଲମ୍ବୀ । ଆସିୟାରେ ମୁସଲମାନ, ବୌଦ୍ଧ ଏବଂ ହିନ୍ଦୁ ଏହି ତିନୋଟି ପ୍ରଧାନ ଧର୍ମସମ୍ପ୍ରଦାୟ । ଆଫ୍ରିକାର ଉତ୍ତରଭାଗ ମୁସଲମାନ ଧର୍ମାବଲମ୍ବୀ । ଆମେରିକାର କତିପୟ ଅଂଶରେ ଲୋକେ ଖ୍ରୀଷ୍ଟଧର୍ମର ଆଶ୍ରିତ । ଆଦିମମାର୍କିନ ଏବଂ ଇଥିଅପମାନେ ଘୋର ବର୍ବରଭାବାପନ୍ନ । ସେମେନେ କାଷ୍ଠପାଷାଣକୁ ପୂଜା କରନ୍ତି ଏବଂ ଯୂକ୍ତିପରମ୍ପରାଦ୍ୱାରା ଧର୍ମନିରୁପଣ କରିବା ବିଷୟରେ ଏକାନ୍ତ ଅସମର୍ଥ । ସଭ୍ୟତାର ବୃଦ୍ଧି ଏବଂ ମାନସିକ ବିକାଶ ସହକାରେ ଧର୍ମବିଷୟକ କୁସଂସ୍କାର ତିରୋହିତ ହୁଏ ଏବଂ ବିଶୁଦ୍ଧତର ଧର୍ମ ତତ୍‌ପରିବର୍ତ୍ତରେ ଅବଲମ୍ବିତ ହୁଏ ।

 

ମନୁଷ୍ୟମାନଙ୍କ ମଧ୍ୟରେ ବର୍ଣ୍ଣଗତ ପାର୍ଥକ୍ୟ ପ୍ରଭୂତରୂପେ ଲକ୍ଷିତ ହୁଏ । ଏହି ପାର୍ଥକ୍ୟର ପ୍ରକୃତ କାରଣ ଆଜିପର୍ଯ୍ୟନ୍ତ ଅବଧାରିତ ହୋଇନାହିଁ । ସମ୍ଭବତଃ ଆହାର, ପ୍ରାକୃତିକ ଅବସ୍ଥାନ, ସୌରତେଜ ପ୍ରଭୃତିର ତାରତମ୍ୟ ଏହି ପାର୍ଥକ୍ୟର କାରଣ ହୋଇପାରେ ।

 

ଆମ୍ଭେମାନେ ବିଭିନ୍ନ ଜାତିୟ ମନୁଷ୍ୟମାନଙ୍କର ପ୍ରଭେଦ ପ୍ରଦର୍ଶନ କରୁଅଛୁ; କିନ୍ତୁ ଆମ୍ଭେମାନେ କହିଅଛୁଁ ଯେ ସମୁଦାୟ ମନୁଷ୍ୟଜାତି ଏକ ଏବଂ ଅଭିନ୍ନ । ଭିନ୍ନଜାତିୟ ମନୁଷ୍ୟମାନଙ୍କର ଆଧ୍ୟାତ୍ମିକ ପ୍ରକୃତି ଏକ ଅଥଚ ଭିନ୍ନ ରୂପ ଅଟେ । ମନୋବୃତ୍ତିନିଚୟର ପରିମାଣଗତ ବୈଲକ୍ଷଣ୍ୟ, ତତ୍‌ ସମୁଦାୟର ବିକାଶଗତ ତାରତମ୍ୟ ଏବଂ ବାହ୍ୟ ଅବସ୍ଥାନିକରର ପ୍ରଭାବ ଲକ୍ଷିତ ପ୍ରଭେଦମାନଙ୍କର କାରଣ ।

 

ମନୁଷ୍ୟ ଈଶ୍ୱରପ୍ରଦତ୍ତ ଶକ୍ତିନିଚୟର ପ୍ରୟୋଗଦ୍ୱାରା ଏହି ପୃଥିବୀର ଯେପରି ପରିବର୍ତ୍ତିତ କରିଅଛି ବର୍ତ୍ତମାନ ତାହା ଆମ୍ଭମାନଙ୍କର ଆଲୋଚ୍ୟ । ମାନବୀଶକ୍ତିର କାର୍ଯ୍ୟକ୍ଷେତ୍ର ତିନିଗୋଟି– ଜଡ଼ଜଗତ୍‌, ପଶୁଜଗତ୍‌ ଏବଂ ମନୁଷ୍ୟଜଗତ୍‌ । ଜଡ଼ଜଗତ୍‌ ଉପରେ ମାନୁଷୀଶକ୍ତି କୀଦୃଶ ଆଧିପତ୍ୟ ବିସ୍ତାର କରିଅଛି ତାହା ସମସ୍ତେ ଦେଖୁଅଛନ୍ତି । ଜଳ, ଅଗ୍ନି, ବାୟୁ ପ୍ରଭୃତି ଭୂତଶକ୍ତିସମୂହ ଭୂତ୍ୟଭାବରେ ମନୁଷ୍ୟର ପରିଚର୍ଯ୍ୟାରେ ନିଯୁକ୍ତ ରହିଅଛନ୍ତି । ଆକାଶର ବିଜୁଳି ବାର୍ତ୍ତାବହ ରୂପେ ତାହାର ସେବା କରୁଅଛି; ସମୁଦ୍ର ନିଜ ଲହରୀମୟ ବକ୍ଷରେ ତାହାର ତରଣୀମାନଙ୍କୁ ବହନ କରୁଅଛି; ବାଷ୍ପ, ଶକଟ, ତରଣୀ ଏବଂ ନାନାବିଧ ଯନ୍ତ୍ରରେ ପ୍ରଯୁକ୍ତ ହୋଇ ଦୂରତ୍ୱ ବିନାଶ ପ୍ରଭୃତି ବିସ୍ମୟକର କାର୍ଯ୍ୟମାନ ସାଧନ କରୁଅଛି । ଜଡ଼ରାଜ୍ୟର ପ୍ରତ୍ୟେକ ବିଭାଗରେ ମନୁଷ୍ୟର ଜୟବୈଜୟନ୍ତୀ ଉଡୁଅଛି । ଅରଣ୍ୟକୁ ଉପବନରୂପରେ ପରିଣତ କରି, ନାନାମାର୍ଗ ପ୍ରସ୍ତୁତ କରି, ନାଳ ଖନନ କରି, ନଦୀର ଗତିକୁ ପରିବର୍ତ୍ତନ କରି, କୃଷିକାର୍ଯ୍ୟର ଉତ୍କର୍ଷ ସାଧନ କରି ଏବଂ ଏକ ଦେଶର ଉଦ୍ଭିଜ୍ଜକୁ ବନ୍ୟଦେଶକୁ ଆନୟନ କରି ମନୁଷ୍ୟ ଅତି ବିଚିତ୍ର ରୂପେ ପୃଥିବୀର ମୁଖଚ୍ଛବିକ ରୂପାନ୍ତରିତ କରିଅଛି । ପଶୁସଂସାରୋପରି ମାନବପ୍ରଭାବ କୀଦୃଶ କାର୍ଯ୍ୟ କରୁଅଛି, ତାହା ମଧ୍ୟ ସମସ୍ତଙ୍କର ପ୍ରତ୍ୟକ୍ଷ ହେଉଅଛି । ଆରଣ୍ୟଜନ୍ତୁମାନଙ୍କୁ ବଶୀଭୂତ କରି ମନୁଷ୍ୟ ସେମାନଙ୍କୁ ନାନାକାର୍ଯ୍ୟରେ ନିୟୋଜିତ କରୁଅଛି । ଅଶ୍ୱ, ମହିଷ, ଗାଭୀ, କୁକୁର ପ୍ରଭୃତି ପଶୁମାନେ ସର୍ବଦା ତାହାର ପରିଚର୍ଯ୍ୟା କରୁଅଛନ୍ତି । ଆକାଶର ବିହଙ୍ଗବର୍ଗ, କାନନବାସୀ ଭୀଷଣ ଶ୍ୱାପଦକୁଳ ଏବଂ ଜଳଚର ଜୀବବୃନ୍ଦ ମଧ୍ୟ ମନୁଷ୍ୟପ୍ରଭାବର ବହିର୍ଭୂତ ନୁହନ୍ତି । ମାନୁଷୀଶକ୍ତି କେବଳ ଜଡ଼ଜଗତ୍‌ ଏବଂ ପଶୁଜଗତ୍‌ପ୍ରତି ଆବଦ୍ଧ ନୁହେ । ତାହା ମାନବଜଗତ୍‌ରେ ଯେପରି ବିକାଶଲାଭ କରେ, ଏପରି ଅନ୍ୟତ୍ର ନୁହେ । ବ୍ୟକ୍ତିଗତଶକ୍ତି ସାଧାରଣତଃ ଅଳ୍ପ ପରିମାଣ; ସୁତରାଂ ତାହାର ପ୍ରଭାବ ସର୍ବଦା ବିଶିଷ୍ଟରୂପେ ଅନୁଭୂତ ହୁଏନାହିଁ । କିନ୍ତୁ ସମ୍ମିଳିତ ମନୁଷ୍ୟଶକ୍ତି ଏତାଦୃଶ ପ୍ରବଳ ଯେ ମନୁଷ୍ୟ ତାହାକୁ କଦାପି ସହଜରେ ଅବମାନତ କରିପାରେ ନାହିଁ । ସମସ୍ତେ ତାହା ନିକଟରେ ନତମସ୍ତକ । ଇତିହାସ ତାହାର କୀର୍ତ୍ତି ଗାନ କରୁଅଛି । ତାହାର ଶାସନରେ ନୂତନ ସମାଜ ଉତ୍‌ପନ୍ନ ହେଉଅଛି ଏବଂ ପ୍ରାଚୀନ ସାମ୍ରାଜ୍ୟ ବିଧ୍ୱସ୍ତ ହେଉଅଛି; ଅଭିନବ ସାମ୍ରାଜ୍ୟ ସଂଗଠିତ ହେଉଅଛି ଏବଂ ପ୍ରାଚୀନ ସାମ୍ରାଜ୍ୟ ଜୀର୍ଣ୍ଣପ୍ରାସାଦବତ୍‌ ଚୂର୍ଣ୍ଣ ଏବଂ ବିପର୍ଯ୍ୟସ୍ତ ହେଉଅଛି ; ଦେଶ ମଧ୍ୟରେ ନୂତନ ରୂଚି ଅବତୀର୍ଣ୍ଣ ହେଉଅଛି ଏବଂ ପୁରାତନ ରୁଚି ଜୀର୍ଣ୍ଣବସ୍ତ୍ର ତୁଲ୍ୟ ପରିତ୍ୟକ୍ତ ହେଉଅଛି ଓ ନୀତି ନିତ୍ୟ ନୁତନଭାବ ଧାରଣ କରି ଜଗତ୍‌କୁ ଶାସନ କରୁଅଛି । ସଭ୍ୟତାର ବୃଦ୍ଧି ସହକାରେ ସମ୍ମିଳିତ ହେବ– ସନ୍ଦେହ ନାହିଁ । ବର୍ତ୍ତମାନ ଶତାବ୍ଦୀରେ ଉପନିବେଶ ସଂସ୍ଥାପନ, ବିଦେଶ ପର୍ଯ୍ୟଟନ, ବାଣିଜ୍ୟବୃଦ୍ଧି ପ୍ରଭୃତି ଉପାୟଦ୍ୱାରା ମନୁଷ୍ୟକ୍ଷମତା ଯେତେ ପରିର୍ତ୍ତନମାନ ବିଧାନ କରିଅଛି, ତାହା ଚିନ୍ତାକଲେ କିଏ ଆଶ୍ଚର୍ଯ୍ୟାନ୍ୱିତ ନୋହିବ ?

 

ଏହି ଊନବିଂଶ ଶତାବ୍ଦୀରେ ସଭ୍ୟଜାତୀୟ ମନୁଷ୍ୟମାନେ ସ୍ୱୀୟ ଶକ୍ତିଦ୍ୱାରା ଯେଉଁସବୁ ଉଦାରକାର୍ଯ୍ୟମାନ ସଂସାଧନ କରିଅଛନ୍ତି, ଆମ୍ଭେମାନେ ବର୍ତ୍ତମାନ ସ୍ଥୂଳତଃ ତାହାର ଆଲୋଚନା କରିବା । ଉପନିବେଶ ସଂସ୍ଥାପନଦ୍ୱାରା ଇଂଲଣ୍ତ, ଫ୍ରାନ୍‌ସ ପ୍ରଭୃତି ସମୁନ୍ନତ ଜାତିମାନେ ଅଷ୍ଟ୍ରେଲିୟା, କାନେଡା, ଆଫ୍ରିକା, ଆମେରିକାର ଦ୍ୱୀପପୁଞ୍ଜ ପ୍ରଭୃତି ବିସ୍ତୀର୍ଣ୍ଣ ଅଥଚ ଘୋର ବର୍ବରତାପନ୍ନ ଜନପଦମାନଙ୍କରେ ସଭ୍ୟତାର ବୀଜ ବପନ କରି ଜ୍ଞାନ, ଧର୍ମ ଶିଳ୍ପ ଏବଂ ବାଣିଜ୍ୟର ଉତ୍କର୍ଷ ସଂସାଧନ କରୁଅଛନ୍ତି । ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏହି ଆରଣ୍ୟଦେଶମାନଙ୍କର ମୁଖଚ୍ଛବି ପରିବର୍ତ୍ତିତ ହୋଇଅଛି । ପଶୁ ସଦୃଶ ଅସଭ୍ୟଜାତିମାନଙ୍କ ମଧ୍ୟରେ ଜ୍ଞାନ ଧର୍ମାଲୋଚନା ଆରବ୍ଧ ହୋଇଅଛି । ଯେଉଁମାନେ ଇତି ପୂର୍ବେ ନରମାଂସ ଭକ୍ଷଣଦ୍ୱାରା ଉଦରପୂର୍ତ୍ତି କରୁଥିଲେ, ସେମାନେ ଏବେ ପରସ୍ପର ପ୍ରତି ପ୍ରୀତିପୂର୍ଣ୍ଣ ବ୍ୟବହାର କରିବାକୁ ଶିଖୁଅଛନ୍ତି । ବାଣିଜ୍ୟ ଏବଂ ବିନିୟମର ବିସ୍ତାରଦ୍ୱାରା ଜାତୀୟ ବିଦ୍ୱେଷ ଖର୍ବୀକୃତ ହେଉଅଛି , ମନୁଷ୍ୟଜାତିର ସାର୍ବଭୌମିକ ମିଳନର ସୂତ୍ରପାତ ହେଉଅଛି ଏବଂ ଧନ ଓ ବିଦ୍ୟାର ପ୍ରଭୂତ ଉନ୍ନତି ସମ୍ପାଦିତ ହେଉଅଛି । ଏହି ଶତାବ୍ଦୀରେ ବିଜ୍ଞାନ ଯେପ୍ରକାର ଉତ୍କର୍ଷରନ୍ୱିତ ହୋଇଅଉଛି ଏପରି ପୂର୍ବରେ କଦାପି ହୋଇନଥିଲେ । ବିଜ୍ଞାନର ଯେଉଁ ତତ୍ତ୍ୱମାନ ପୂର୍ବକାଳରେ କେବଳ ଶ୍ରେଣୀବି ଶେଷ ଅବଗତ ହେଉଥିଲେ, ତାହା ବର୍ତ୍ତମାନ ମନୁଷ୍ୟଜାତିର ସାଧାରଣସମ୍ପତ୍ତି ହୋଇଅଛି । ଇଉରୋପ ଏବଂ ଆମେରିକାର ବିଜ୍ଞାନବିତ୍‌ ପଣ୍ତିତମାନେ ପ୍ରତିବର୍ଷ ନାନାବିଧ ନୂତନତତ୍ତ୍ୱ ପ୍ରକାଶ କରୁଅଛନ୍ତି । ପୂର୍ବକାଳରେ ଲୋକମାନେ ଯେଉଁ ଦେଶମାନଙ୍କର ନାମ ସୁଦ୍ଧା ଶ୍ରବଣ କରିନଥିଲେ ଏବଂ ଯେଉଁ ସମୁଦ୍ରର ତରଙ୍ଗାୟୀତ ବକ୍ଷ ଦର୍ଶନ କରି ଭୟରେ ସ୍ତବ୍ଧ ହେଉଥିଲେ, ଆଧୁନିକ ତତ୍ତ୍ୱଜ୍ଞମାନେ ସେହି ଦେଶ ଏବଂ ସେହି ସମୁଦ୍ରର ମାନଚିତ୍ର ଏବଂ ପୂର୍ଣ୍ଣ ବିବରଣ ପ୍ରସ୍ତୁତ କରିଅଛନ୍ତି । ମନୁଷ୍ୟର ବୁଦ୍ଧି ଏବଂ ଅଧ୍ୟବସାୟ ଯାନ୍ତ୍ରକ ପର୍ଯ୍ୟବେକ୍ଷଣ ଏବଂ ସୂକ୍ଷ୍ମଗଣନାଦ୍ୱାରା ନଭୋମଣ୍ତଳସ୍ଥ ଅସଂଖ୍ୟ ନକ୍ଷତ୍ରମାନଙ୍କର ଅବସ୍ଥିତି ଏବଂ ଗତି ନିରୂପଣ କରିଅଛି । ଯେତେପ୍ରକାର ଯନ୍ତ୍ର ଉଦ୍ଭାବିତ ହୋଇଅଛି, ତାହା ଗଣନା କରିବା ଦୁଃସାଧ୍ୟ । ଯନ୍ତ୍ରଦ୍ୱାରା ଯାବତୀୟ ଶିଳ୍ପକାର୍ଯ୍ୟ ସମ୍ପାଦିତ ହେଉଅଛି । ବୟନ, ସୀବନ, ଅସ୍ତ୍ରନିର୍ମାଣ, କାଳନିର୍ଦ୍ଧାରଣ, ମୁଦ୍ରାଙ୍କନ ପ୍ରଭୁତି ସମସ୍ତ କାର୍ଯ୍ୟରେ ଯନ୍ତ୍ର ବ୍ୟବହୃତ ହେଉଅଛି । ମନୁଷ୍ୟ ଜ୍ଞାନ ସଂକଳନାର୍ଥ ବିଦେଶ ପର୍ଯ୍ୟଟନ କରି ଯେତେ ଅଭିନବ ଆବିଷ୍କ୍ରିୟାମାନ ପ୍ରକାଶ କରୁଅଛି, ତାହା କିଏ ଗଣନା କରିପାରିବ ? ଜଳ, ସ୍ଥଳ, ବାୟୁ, ଅଗ୍ନି, ବ୍ୟୋମ ସମସ୍ତେ ନିଜ ନିଜ ତତ୍ତ୍ୱ ତାହାର ହସ୍ତରେ ସମର୍ପଣ କରୁଅଛନ୍ତି । ଯେଉଁ ସଙ୍ଗୀତବିଦ୍ୟା ହୃଦୟର ଗଭୀରତମ ପ୍ରଦେଶରେ ପ୍ରବେଶକରି ଶୋକାର୍ତ୍ତକୁ ସାନ୍ତ୍ୱନା ପ୍ରଦାନ କରେ, ଅନୁତପ୍ତର ଦଗ୍ଧ ହୃଦୟକୁ ଶୀତଳ କରେ ଏବଂ ଘୋର ପାତକୀର ପାଷାଣ ମନକୁ ସୁଦ୍ଧା ବିଗଳିତ କରେ ; ଯେଉଁ ଚିତ୍ରବିଦ୍ୟା ସୌନ୍ଦର୍ଯ୍ୟର ନାନାବିଧ ମନୋହରଛବି ଉଦ୍ଭାବନ କରି ମନୁଷ୍ୟ ହୃଦୟକୁ ମାଧୁର୍ଯ୍ୟରସରେ ସିକ୍ତ କରେ ; ଏହି ଉଭୟ ସୁକୁମାରବିଦ୍ୟାର ସାଦର ଅନୁଶୀଳନଦ୍ୱାରା ବିଷୟବ୍ୟସ୍ତ ମନୁଷ୍ୟ ସମାଜର ଅଶେଷ କଲ୍ୟାଣ ସଂସାଧିତ ହେଉଅଛି । ଉଚ୍ଚଶ୍ରେଣୀର ମହାକାବ୍ୟ ଏବଂ ନାଟକ – ଯାହାର ମୋହିନୀଶକ୍ତି ପ୍ରଭାବରେ ବିଷୟବ୍ୟାପତ କଠିନ ମନ ସୁଦ୍ଧା ତରଳିତ ହୁଏ ଏବଂ ଯାହା ହୃଦୟର ଉଦାର ଏବଂ ସୁନ୍ଦରଭାବମାନଙ୍କୁ ଉଜ୍ଜୀବିତ କରେ, ଏହି ତର୍କପରାୟଣ ଊନବିଂଶ ଶତାବ୍ଦୀରେ ସେ ପ୍ରକାର ନୂତନ ମହାକାବ୍ୟ ଏବଂ ନାଟକ ଅତ୍ୟନ୍ତ ବିରଳ ସତ୍ୟେ କିନ୍ତୁ ତତ୍ପରିବର୍ତ୍ତରେ ଇତିହାସ, ଉପନ୍ୟାସ, ଦର୍ଶନ ଏବଂ ବିଜ୍ଞାନ ପ୍ରଭୃତି ସାହିତ୍ୟତରୁର ଅନ୍ୟାନ୍ୟ ଶାଖାଚୟ ଯେପରି ପରିପୁଷ୍ଟ ଓ ସମ୍ବର୍ଦ୍ଧିତ ହୋଇଅଛି, ତାହା ପୂର୍ବରେ କେହି ସ୍ୱପ୍ନରେ ସୁଦ୍ଧା ଭାଳିନଥିଲେ। ଯେଉଁ ଜ୍ଞାନ-ଉଷାର ପ୍ରଭାବରେ ମନୁଷ୍ୟ ଏତେଦୂର ଉନ୍ନତ ହୋଇଅଛି, ତାହାର ଗୌରବ ଏବଂ ଉପକାରିତା ଦିନକୁଦିନ ପ୍ରସାରିତ ହେଉଅଛି । ଇଉରୋପୀୟ ସଭ୍ୟଜନପଦମାନଙ୍କରେ ଶିକ୍ଷାକାର୍ଯ୍ୟର ଉନ୍ନତି ନିମିତ୍ତ କେତେ ଅର୍ଥ ବ୍ୟୟିତ ହେଉଅଛି, କେତେ ବିଶ୍ୱବିଦ୍ୟାଳୟ ଏବଂ ପାଠଶାଳା ସଂସ୍ଥାପିତ ହୋଇଅଛି , କେତେ ଚିନ୍ତାଶୀଳ ମହାମହୋପାଧ୍ୟାୟମାନେ ନିୟୋଜିତ ହୋଇଅଛନ୍ତି, ତାହାର ଆଭାସ ଆମ୍ଭେମାନେ ଏହି ଦୂରସ୍ଥିତ ଭାରତବର୍ଷରେ ସୁଦ୍ଧା ପାଉଅଛିଁ । ସମାଜର ସର୍ବାଙ୍ଗୀନ ମଙ୍ଗଳନିମିତ୍ତ ଯେଉଁ ସ୍ୱାଧୀନତାରୁଣ ଅମୁଲ୍ୟ ଅଧିକାର ମନୁଷ୍ୟ ଜୀବନର ଅପରିହାର୍ଯ୍ୟ ପ୍ରୟୋଜନ, ତାହା ମଧ୍ୟ ଗାର୍ହସ୍ଥ୍ୟ ରାଜନୈତିକ ଏବଂ ସାମାଜିକ ସର୍ବପ୍ରକାର ସମ୍ବନ୍ଧରେ ପରିବର୍ଦ୍ଧିତ ଏବଂ ସାମ୍ମାନିତ ହେଉଅଛି। ଏହି ସ୍ୱାଧୀନତାର ବୃଦ୍ଧି ସହକାରେ ଅନେକ ଅଚିନ୍ତିତପୂର୍ବ ପରିବର୍ତ୍ତନମାନ ସଂଘଟିତ ହେଉଅଛି । ଭୟଙ୍କର ବିପ୍ଳବସମୂହ ଉପସ୍ଥିତ ହୋଇ ଯଥେଚ୍ଛାଚାର ରାଜତ୍ୱ, କୁସଂସ୍କାରଜଡ଼ିତ ଧର୍ମ, ଅବୈଧ ଆଭିଜାତ୍ୟ ଦାର୍ପ ପ୍ରଭୃତି ସଭ୍ୟତାର ପ୍ରତିବନ୍ଧକମେନଙ୍କୁ ଅନ୍ତରିତ କରୁଅଛି । ଊନବିଂଶ ଶତାବ୍ଦୀରେ ମନୁଷ୍ୟ ହୃଦୟ ନିହିତ ଦୟାରୂପ ସ୍ୱର୍ଗୀୟ ବୃତ୍ତ ସମଧିକରୂପେ ବିକଶିତ ହୋଇ ଚିକିତ୍ସାଳୟ, ଅନ୍ଧନିବାସ, ଦରିଦ୍ରାଳୟ, ଦାନସମାଜ ପ୍ରଭୃତି ଅଗଣିତ ଉପାୟଦ୍ୱାରା ଅସହାୟ ଏବଂ ଦୁଃସ୍ଥମାନଙ୍କର ଦୁଃଖ ହ୍ରାସ ଏବଂ ସୁଖବର୍ଦ୍ଧନ ନିମିତ୍ତ ଅବିରାମ ଭାବରେ ଯତ୍ନ କରୁଅଛି । ଆହୁରି ଅନେକ ପ୍ରକାର ଉନ୍ନତି ଲକ୍ଷିତ ହେଉଅଛି, ମାତ୍ର ସେ ସମସ୍ତର ବିବରଣ ଏହି କ୍ଷୁଦ୍ର ପ୍ରବନ୍ଧ ମଧ୍ୟରେ ବିନ୍ୟସ୍ତ ହୋଇନପାରେ ।

 

ଆମ୍ଭେମାନେ ମନୁଷ୍ୟଜାତିର ସଭ୍ୟତାର ବିବରଣ କିୟତ୍‌ପରିମାଣରେ ଅବଗତ ହେଲୁଁ; କିନ୍ତୁ ଏହି ସଭ୍ୟତା ମାନବୋନ୍ନତିର ପରାକାଷ୍ଠା ନୁହେଁ । ଆମ୍ଭେମାନେ କହିଅଛୁଁ ଯେ ମାନବୋନ୍ନତି କଦାପି ସୀମାବଦ୍ଧ ଏବଂ ପରିମିତ ହୋଇନପାରେ । ମନୁଷ୍ୟଜାତିର ଭାବୀ ଉନ୍ନତି ବର୍ତ୍ତମାନ ସଭ୍ୟତା ଅପେକ୍ଷା ଶତଗୁଣରେ ଯେ ଉଜ୍ଜ୍ୱଳତର ହେବ, ଏକଥା କିଏ ସନ୍ଦେହ କରିପାରେ ? ଯେପରି ନକ୍ଷତ୍ରାଲୋକବିଶିଷ୍ଟ ଶର୍ବରୀର ତମିସ୍ରଗର୍ଭ ମଧ୍ୟରେ ଜ୍ୟୋତିର୍ମୟ ସୂର୍ଯ୍ୟୋଦ୍ଭାସିତ ପ୍ରଭାତ ଗୁପ୍ତଭାବରେ ଅବସ୍ଥାନ କରେ, ସେହି ପରି ଅପରିଜ୍ଞେୟ ଭବିଷ୍ୟତର ଅନ୍ଧକାରଜଡ଼ିତ ଗର୍ଭ ମଧ୍ୟରେ ଅଚିନ୍ତିତପୂର୍ବ ନ୍ୟାୟପବିତ୍ରତାପୂର୍ଣ୍ଣ ଜ୍ଞାନସମୁଜ୍ଜ୍ୱଳ ମାନବୋନ୍ନତି ଅଧିବାସ କରୁଅଛି । ତାହା କ୍ରମଶଃ ଏହି ପୃଥିବୀରେ ଅଭିବ୍ୟକ୍ତ ହେବ । ଯେଉଁ କୋଟି କୋଟି ମନୁଷ୍ୟ ସମ୍ପ୍ରତି ଘୋର ଅଜ୍ଞାନସାଗରରେ ନିମଜ୍ଜିତ ଅଛନ୍ତି ସେମାନେ ସର୍ବଜୟୀ କାଳର ଅମେୟ ଶକ୍ତି ପ୍ରଭାବରେ ସଭ୍ୟତାର ଉନ୍ନତି ସୋପାନ ଆରୋହଣ କରିବେ । ଯେଉଁ ପାପ କୀଟନୀଚୟ ଜନସମାଜର ଆନ୍ତରିକ ସାର ଅପହରଣ କରୁଅଛି, ତାହା ଭସ୍ମୀଭୂତ ହେବ, ପୃଥିବୀର ଆଚାର ବ୍ୟବହାର ସମ୍ମାର୍ଜିତ ହେବ, ନରନାରୀ ସମସ୍ତେ ପରସ୍ପର ପ୍ରତି ଯଥୋଚିତ ସମ୍ମାନ କରି ପବିତ୍ରତାର ନିର୍ମଳ ଜ୍ୟୋତିଦ୍ୱାରା ନିଜ ନିଜ ଅନ୍ତର ଆଲୋକିତ କରିବେ, ତ୍ରିଭୁବନବିଜୟୀ ସତ୍ୟର ଅଜେୟଶକ୍ତି ନିକଟରେ ସମସ୍ତେ ପ୍ରଣତ ହେବେ ଏବଂ ସର୍ବପ୍ରକାର ମିଥ୍ୟା, କୁସଂସାର ଏବଂ ଅମଙ୍ଗଳକୁ ବୀରଜନୋଚିତ ସାହସ ମହକାରେ ପାଦଦଳିତ କରିବେ; ମନୁଷ୍ୟର ଜ୍ଞାନରାଜ୍ୟ ବିସ୍ତାରିତ ହୋଇ ତାହାକୁ ସର୍ବପ୍ରକାର ଈଶ୍ୱରନିର୍ଦ୍ଦିଷ୍ଟ ସୁଖସ୍ୱଚ୍ଛନ୍ଦତା ପ୍ରଦାନ କରିବ ଏବଂ ସମସ୍ତେ ସତ୍ୟାନୁପ୍ରାଣିତ ପରମାର୍ଥପ୍ରଦ ଧର୍ମକୁ ଅନୁସରଣ କରି ଅପାର ମଙ୍ଗଳଦାତା, ହୃଦୟର ଚିରବାଞ୍ଛନୀୟ ପରମସଖା, ଧର୍ମାବହ, ଅନନ୍ତ ପରମେଶ୍ୱରଙ୍କ ଆରାଧନାଦ୍ୱାରା ମାନବଜୀବନ ସାର୍ଥକ କରିବେ ।

 

କବିର କୌଶଳ

 

ଏହିପରି ଦୃଶ୍ୟମାନଜଗତ୍‌ ଗୋଟିଏ ମହାଚିତ୍ର ଏବଂ ଅନନ୍ତ ଜ୍ଞାନମୟ ପରମେଶ୍ୱର ସେହି ମହାଚିତ୍ରର ଅଲୌକିକ ଚିତ୍ରକର । ଏହି ମନୋହାରିଣୀ ବୈଚିତ୍ର୍ୟମୟୀ ସୃଷ୍ଟି ଗୋଟିଏ ମହାକାବ୍ୟ ଏବଂ ଅନାଦି ଭୂମା ମହାନ୍‌ ପରମେଶ୍ୱର ତାହାର ଆଦି ମହାକବି । ଏହି ମହାଚିତ୍ରରେ– ଏହି ଅତୁଲ୍ୟ କାବ୍ୟରେ କେମନ୍ତ କଳ୍ପନାବିନୋଦନ ବୈଚିତ୍ର୍ୟ, କେମନ୍ତ ଦିଗନ୍ତପ୍ରସାରୀ ମହିମାଛଟା, କେମନ୍ତ ଅମୃତମୟ ଅନିର୍ବଚନୀୟ ଶୋଭା ପରିସ୍ଫୁଟିତ ହୋଇଅଛି । ଆକାଶ, ସାଗର, କାନନ, ପର୍ବତ, ଗ୍ରହ, ନକ୍ଷତ୍ର, ପ୍ରାଣିମଣ୍ତଳ, ନରନାରୀସମାଜ ସମୁଦାୟ ସୌନ୍ଦର୍ଯ୍ୟପୂର୍ଣ୍ଣ ଏବଂ ଚିତ୍ତବିମୋହନ ପ୍ରେମାଲୋକଦ୍ୱାରା ବିଭୂଷିତ ଅଟେ । କି ଅଚିନ୍ତ୍ୟ କୌଶଳରେ ଆଲୋକ ଏବଂ ଛାୟାର ଯଥାଯୋଗ୍ୟ ବିନାସ ସହକାରେ ସେହି ଆଦିଚିତ୍ରକର ଏବଂ ଆଦିକବି ଏହି ଜଗତ୍‌ ଚିତ୍ରକୁ ରଞ୍ଜିତ କରିଅଛନ୍ତି । ଛାୟା ସଙ୍ଗରେ ଆଲୋକର ମିଳନ ଆହା କି ନୟନବିନୋଦନ ମନୋହର ଏବଂ କୌଶଳପୂର୍ଣ୍ଣ କାର୍ଯ୍ୟ ! ସଂସାରରେ ଏପରି କିଏ ଅଛି ଯେ ଜଗତ୍‌ଚିତ୍ରରେ ଏହି ଅଲୌକିକ କୌଶଳ ଅବଲୋକନ କରି ଅଳ୍ପାଧିକ ପରିମାଣରେ ମୋହିତ ହୋଇନାହିଁ ? ଆଲୋକପୂର୍ଣ୍ଣ ଦିବସ ଅନ୍ଧକାରମୟୀ ଶର୍ବରୀର ଉଷାକାଳୀନ ଏବଂ ଗୋଧୂଳିକାଳୀନ ସମାଗମ, ଛାୟାବୟ ମେଘପଟଳରେ ଜ୍ୟୋତିର୍ମୟୀ ଚପଳାର ହାସ୍ୟ, ସ୍ନିଗ୍ଧ ନିର୍ମଳ ଜ୍ୟୋତ୍ସ୍ନା ସହିତ କାନନଚ୍ଛାୟାର ସମ୍ମିଶ୍ରଣ ଏହି ଦୃଶ୍ୟମାନ କେଉଁ ହୃଦୟବନ୍ତ ଲୋକର ମନକୁ ମୁଗ୍ଧ କରେନାହିଁ ? ଜୀବଜଗତରେ ମଧ୍ୟ ଏହି ଛାୟା ଲୋକସମାଗମର ମାଧୁରୀ ପରିଲକ୍ଷିତ ହୁଏ । ଜିବନର ସୁଖ-ଦୁଖ, ଆନନ୍ଦ-ବିଷାଦ, ପ୍ରେମ-ବିରହ, ସାତ୍ତ୍ୱିକ ଓ ତାମସିକ ଭାବ, ବିଷୟ ମୋହ ଏବଂ ବୈରାଗ୍ୟ, ଆଶା ଏବଂ ନୈରାଶ୍ୟ ପ୍ରଭୃତିର ସମ୍ମିଳନରେ ମାନବସଂସାର କିପରି ବିଚିତ୍ର ଏବଂ କମନୀୟ ଛବି ଆରଣ କରିଅଛି ! ବାସ୍ତବରେ ସୃଷ୍ଟିକର୍ତ୍ତା ଆଦିକବି ଏବଂ ପୂର୍ଣ୍ଣକବି, ଆଦି ଚିତ୍ରକର ଏବଂ ପୂର୍ଣ୍ଣ ଚିତ୍ରକର । ବିଧାତା ମନୁଷ୍ୟ ହୃଦୟରେ ଶୋଭାନୁଭାବିକା କଳ୍ପନାବୃତ୍ତି ନିହିତ କରି ତାହାକୁ କବି ଏବଂ ଚିତ୍ରକର ହେବାର ସାମର୍ଥ୍ୟ ପ୍ରଦାନ କରିଅଛନ୍ତ । ଯେଉଁ ମନୁଷ୍ୟ ଯେଉଁ ପରିମାଣରେ ସୃଷ୍ଟିନିହିତ ଶୋଭାର ନିଗୂଢ ତତ୍ତ୍ୱ ଏବଂ କୌଶଳ ଆୟତ୍ତ କରିଅଛି, ସେ ସେହି ପରିମାଣରେ କବି ଏବଂ ଚିତ୍ରକର ଅଟେ ।

 

ବାଲ୍ମୀକି, ହୋମର, ବ୍ୟାସ, ଭର୍ଜିଲ, କାଳିଦାସ, ଶେଷପିୟର, ଭବଭୂତି, ମିଲ୍‌ଟନ ପ୍ରଭୃତି ଜଗତ୍‌ପୂଜ୍ୟ କବିମାନଙ୍କର ଗ୍ରନ୍ଥ ପାଠକରି ଆମ୍ଭେମାନେ କାହିଁକି ଏତେ ନିର୍ମଳ ଆନନ୍ଦ ସମ୍ଭୋଗ କରୁଁ । ସେହି କବିମାନେ ଆଦକବି ସୃଷ୍ଟିକର୍ତ୍ତାଙ୍କର ପ୍ରକୃତ ଅନୁକାରୀ। ସେମାନଙ୍କ କାବ୍ୟରେ ନିସର୍ଗାନୁସରଣ, ଛାୟାଲୋକର କୌଶଳପୂର୍ଣ୍ଣ ସନ୍ନିବେଶ, କମନୀୟ ବୈଚିତ୍ର୍ୟର ସମାବେଶ ଆମ୍ଭମାନଙ୍କ ହୃଦୟକୁ ମୋହିତ କରେ । ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ଏବଂ ବନବାସ, ସୀତାଙ୍କର ଉଦ୍ଧାର ଏବଂ ନିର୍ବାସନ, ଶକୁନ୍ତଳାଙ୍କର ବିବାହ ଏବଂ ପରିତ୍ୟାଗ, ଓଥେଲୋଙ୍କ ସଙ୍ଗେ ଡେଶ୍‌ଡିମୋନଙ୍କର ପ୍ରଣୟାନନ୍ଦ ଏବଂ ଶଠ ଇୟାଗୋ ପ୍ରଣୋଦିତ ଓଥେଲୋଙ୍କ ଅବିଶ୍ୱାସ ଏହିସବୁ ଜୀବନଚିତ୍ର ଅତି ବିଚିତ୍ର କୌଶଳ ସହକାରେ ଚିତ୍ରିତ, ସୁତରାଂ ସେମାନଙ୍କର ମାଧୁରୀ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ଏବଂ ମନୋହାରୀ । ଧନ୍ୟ ସେହି କବି – ଯେ ଏହିପ୍ରକାର ନିପୁଣଚିତ୍ର ଅଙ୍କିତ କରି ନରନାରୀର ହୃଦୟକୁ ଉଦାର ସୌନ୍ଦର୍ଯ୍ୟରସରେ ଅଭିଷିକ୍ତ କରନ୍ତି । ଧନ୍ୟ ତାଙ୍କର ଜୀବନ, ଧନ୍ୟ ତାଙ୍କର ଅମୃତମୟୀ ଲେଖନୀ ।

 

ବିଦ୍ୟାଳୟର ଶାସନ

 

ବିଦ୍ୟାଳୟ ଗୋଟିଏ କ୍ଷୁଦ୍ର ରାଜ୍ୟ । ଯେଉଁ ବିଦ୍ୟାଳୟରେ ସୁଶାସନ ନାହିଁ, ତାହା ଅରାଜକ ଦେଶ ପରି । ସେଥିରେ ଶିକ୍ଷାର କାର୍ଯ୍ୟ କଦାପି ଉତ୍ତମରୂପେ ସଂପାଦିତ ହୋଇପାରେ ନାହିଁ । ସେଥିରେ ପ୍ରତିଦିନ ନାନାପ୍ରକାର ବିଘ୍ନ ଓ ଅନର୍ଥ ଉପୁଜେ ଏବଂ ଛାତ୍ରମାନେ ଅମାନିଆ, ଅମନୋଯୋଗୀ ଓ ଅକର୍ମଣ୍ୟ ହୋଇଯାନ୍ତି । ପକ୍ଷାନ୍ତରେ ଯେଉଁ ବିଦ୍ୟାଳୟର ଶିକ୍ଷକ ଶାସନ କାର୍ଯ୍ୟରେ ପଟୁ, ସେଥିରେ ଶୃଙ୍ଖଳା ସର୍ବଦା ବିରାଜିତ ଥାଏ ଏବଂ ଛାତ୍ରମାନେ ଆଜ୍ଞାବହ, ମନୋଯୋଗୀ, ପରିଶ୍ରମୀ ଓ ସଚ୍ଚରିତ୍ର ହୁଅନ୍ତି ।

 

ଅନେକେ ଶିକ୍ଷକେ, ବିଶେଷତଃ ଚାଟଶାଳୀର ଅବଧାନମାନେ ମନେକରନ୍ତି ଯେ ଛାତ୍ରମାନଙ୍କୁ ପ୍ରହାର କରିବା ବିଦ୍ୟାଳୟ ଶାସନର ପ୍ରଧାନ ଉପାୟ; କିନ୍ତୁ ଏପରି ମନୋକରିବା ଗୋଟିଏ ଭ୍ରମ ଅଟେ । ପ୍ରହାର ଦ୍ୱାରା ଶିକ୍ଷାକାର୍ଯ୍ୟର ଉନ୍ନତି ହେବା ଦୂରେଥାଉ ତଦ୍ଦ୍ୱାରା ପଢୁଆମାନଙ୍କ ସେମାନଙ୍କର ବୁଦ୍ଧିକୁ ନିସ୍ତେଜ କରିପକାଏ । ଆମ୍ଭମାନଙ୍କ ମତରେ ଶିକ୍ଷକ ସଚ୍ଚରିତ ଓ ତେଜସ୍ୱୀ ହୋଇଥିଲେ ସେ ଆପଣା ଚରିତ୍ରର ବଳଦ୍ୱାରା ଛାତ୍ରମାନଙ୍କୁ ଯେପରି ଶାସନ କରିପାରିବେ, ଅନ୍ୟ କୌଣସି ଉପାୟଦ୍ୱାରା ସେପରି କରିପାରିବେ ନାହିଁ ।

 

ବିଦ୍ୟାଳୟର ଶାସନ ବିଷୟରେ କେତୋଟି ନିୟମ ପ୍ରତି ଶିକ୍ଷକଙ୍କର ସର୍ବଦା ଦୃଷ୍ଟି କରିବାର ଏକାନ୍ତ ଆବଶ୍ୟକ । ଆମ୍ଭେମାନେ ନିମ୍ନରେ କେତେଗୁଡ଼ିଏ ନିୟମ ନିର୍ଦ୍ଦେଶ କଲୁଁ ।

 

୧ । କୌଣସି ପଢୁଆ ଯେପରି କ୍ଷଣେସୁଦ୍ଧା କାର୍ଯ୍ୟଶୂନ୍ୟ ହୋଇ ବସି ନ ରହେ, ଶିକ୍ଷକ ପ୍ରତ୍ୟେକ ପଢୁଆକୁ ତାହାର ଅନୁରୂପ କାର୍ଯ୍ୟରେ ଏପରି ନିଯୁକ୍ତ ରଖିଥିବେ ଯେ, କୌଣସି ସମୟରେ ଅନର୍ଥ କରିବାକୁ ସମୟ ପାଇବନାହିଁ ।

 

୨ । ସ୍ଥାନ ଏବଂ କାଳ ସମ୍ବନ୍ଧରେ ଶିକ୍ଷକ ଏପରି ନିୟମ କରିବେ ଯେ ପ୍ରତ୍ୟେକ ପଢୁଆ ସେହି ନିୟମ ଅନୁସାରେ ଯଥାସ୍ଥାନରେ ଏବଂ ଯଥା ସମୟରେ ଆପଣାର କାର୍ଯ୍ୟ କରିବେ । ଛାତ୍ରମାନେ ପୁସ୍ତକ, ସ୍ଲେଟ ପ୍ରଭୃତି ନିରୂପିତ ସ୍ଥାନରେ ରଖିବେ ଏବଂ ଦରକାର ବେଳେ କିଛିମାତ୍ର ଗୋଳମାଳ ନକରି ସେଗୁଡ଼ିକ ବ୍ୟବହାର କରିବେ । ଶିକ୍ଷକ ମଧ୍ୟ ନିରୂପିତ ସମୟରେ ପ୍ରତ୍ୟେକ କାର୍ଯ୍ୟ କରିବେ ।

 

୩ । ନିର୍ମଳତା ପ୍ରତି ଛାତ୍ରମାନଙ୍କର ମନ ସର୍ବଦା ଆକର୍ଷଣ କରିବା ଉଚିତ । ପଢୁଆମାନଙ୍କର ବସ୍ତ୍ର, ବିଦ୍ୟାଳୟର ଗୃହ ଓ ହତା ସର୍ବଦା ପରିଷ୍କୃତ ଥିବାର ଉଚିତ ।

 

୪ । ଛାତ୍ର ଶାସନ ବିଷୟରେ ଶିକ୍ଷକ କାହାରି ପ୍ରତି ପକ୍ଷପାତ କରିବେ ନାହିଁ ।

 

୫ । ଶିକ୍ଷକ ପଢୁଆମାନଙ୍କ ସଙ୍ଗରେ ବନ୍ଧୁଭାବରେ ମିଶି ସେମାନଙ୍କୁ ସତ୍ୟାନୁରାଗୀ, ନ୍ୟାୟାନୁରାଗୀ, ଭକ୍ତିମାନ, ସାହସୀ ଓ ଉତ୍ସାହୀ କରାଇବେ ।

 

୬ । ଶିକ୍ଷକ କ୍ରୋଧକୁ ଦମନ କରିବେ ଏବଂ ଗାଳି କୁଭାଷା ଓ ପ୍ରହାରକୁ ପରିତ୍ୟାଗ କରିବେ ।

 

୭ । ଶିକ୍ଷକ ପଢୁଆମାନଙ୍କୁ ପିତାଙ୍କ ସଙ୍ଗେ ସଦ୍ଭାବ ରଖି, ସେମାନଙ୍କୁ ପରାମର୍ଶ ଦେଇ ଓ ସେମାନଙ୍କ ପରାମର୍ଶ ଗ୍ରହଣ କରି, ଗୃହ ଓ ବିଦ୍ୟାଳୟ ଉଭୟ ସ୍ଥାନରେ କିପରି ଛାତ୍ରମାନଙ୍କର ଆଚରଣ ଉତ୍ତମ ହେବ, ସାଥିପ୍ରତି ଦୃଷ୍ଟି ଦେବେ ।

 

[ଶିକ୍ଷାବନ୍ଧୁ, ପ୍ରଥମ ବର୍ଷ, ତୃତୀୟ ସଂଖ୍ୟା (ମାର୍ଚ୍ଚ; ୧୮୮୫)]

 

ବ୍ୟାକରଣ-ଶିକ୍ଷା

 

ମଧ୍ୟଶ୍ରେଣୀ ବିଦ୍ୟାଳୟମାନଙ୍କରେ ବ୍ୟାକରଣ-ଶିକ୍ଷାର ଶୋଚନୀୟ ଅବସ୍ଥା ଦେଖି ଆମ୍ଭେ ଯତ୍‌ପରୋନାସ୍ତି ଦୁଃଖିତ ହୋଇଅଛୁ । ଉପଯୋଗୀ ପୁସ୍ତକର ଅଭାବ ନାହିଁ, କେବଳ ଶିକ୍ଷକମାନଙ୍କର ଅଜ୍ଞତା ଅଥବା ଉଦାସୀନତା କିମ୍ବା ଉଭୟ ତ୍ରୁଟିର ଏହି ଏକମାତ୍ର ହେତୁ ଅଟେ ।

 

ଅବଶ୍ୟ ଶିକ୍ଷକ ସ୍ୱୟଂ ବ୍ୟାକରଣରେ ଏବଂ ସାହିତ୍ୟରେ ବାଞ୍ଛନୀୟ ବ୍ୟୁତ୍ପତ୍ତି ଲାଭ କରିନାହାନ୍ତି । ପୁଣି ଯେଉଁମାନେ ବ୍ୟତ୍ପନ୍ନି ସେମାନେ ବ୍ୟାକରଣ ଅଧ୍ୟାପନାର ପ୍ରକୃତ ପ୍ରଣାଳୀ ଜାଣନ୍ତି ନାହିଁ କିମ୍ବା ଜାଣିବାକୁ ଯତ୍ନ କରନ୍ତି ନାହିଁ । ଏହା ଉଭୟ କାରଣରୁ ଉତ୍କଳ ସାହିତ୍ୟ ଶିକ୍ଷା ପୂର୍ବେ ଯେମନ୍ତ ଥିଲା ବର୍ତ୍ତମାନ ମଧ୍ୟ ସେହିପରି ଅଛି ବୋଇଲେ ଅତ୍ୟୁକ୍ତି ହେବନାହିଁ ।

 

ଅଧିକାଂଶ ଶିକ୍ଷକ ଛାତ୍ରମାନଙ୍କୁ ସୂତ୍ର କଣ୍ଠସ୍ଥ କରିବାକୁ କହି ନିଶ୍ଚିନ୍ତ ହୁଅନ୍ତି । ସୂତ୍ରଗୁଡ଼ିକ ଛାତ୍ରମାନଙ୍କର ବ୍ୟୁତ୍ପତ୍ତିରେ ସହାୟତା ନକରି କେବଳ ସେମାନଙ୍କ ସ୍ମୃତିକୁ ଭାରାକ୍ରାନ୍ତ କରେ । ଅଳ୍ପ ପରିମାଣରେ ସୂତ୍ର ଅଭ୍ୟାସ କରାଇ କାର୍ଯ୍ୟରେ ସେସବୁର ପ୍ରୟୋଗ ଏବଂ ସାହିତ୍ୟ–ଅଧ୍ୟୟନ ସଙ୍ଗେ ସଙ୍ଗେ ସେହି ସୂତ୍ରର ଯଥାବିଧି ଅନୁଶୀଳନ କରାଇବାର ପ୍ରଣାଳୀ ଅତି ଅଳ୍ପ ବିଦ୍ୟାଳୟରେ ଦେଖାଯାଏ । ଛାତ୍ରମାନଙ୍କର କୋମଳମତି ରାଶି ରାଶି ସୂତ୍ର ପରିପାକ କରିପାରେ ନାହିଁ । ବାହୁଲ୍ୟ ରୂପେ ଉଦାହରଣ ଦର୍ଶାଇ ସୂତ୍ର ଶିଖାଇଲେ ସିନା ଶିକ୍ଷା ସାରବାନ ହୁଏ । ଏକ ତୋଳା ସୂତ୍ର ପରିପାକ କରିବା ନିମିତ୍ତ ଏକ ସେର ଉଦାହରଣ ଆବଶ୍ୟକ ଅଟେ । କାର୍ଯ୍ୟତଃ ସେଥିର ବିପରୀତ ଦେଖାଯାଏ । ଅଧିକାଂଶ ଶିକ୍ଷକ ଏକ ସେର ସୂତ୍ର ପରିପାକ କରିବା ନିମିତ୍ତ ଏକ ତୋଳା ମାତ୍ର ଉଦାହରଣକୁ ପର୍ଯ୍ୟାପ୍ତ ମଣନ୍ତି ।

 

ବ୍ୟାକରଣରେ ବ୍ୟୁତ୍ପତ୍ତି ଜନ୍ମାଇବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷାରେ କେବଳ ଖଣ୍ତିଏ ପୁସ୍ତକ ରଚିତ ହୋଇଅଛି । ବାବୁ ରାଧାନାଥ ରାୟଙ୍କ ପ୍ରଣୀତ ‘ଉତ୍କଳ ରଚନା’ ଆମ୍ଭମାନଙ୍କର ଲକ୍ଷ୍ୟସ୍ଥଳ । ଏ ପୁସ୍ତକର ସଜାତୀୟ ପୁସ୍ତକ ବଙ୍ଗଭାଷାରେ ସୁଦ୍ଧା ଦେଖାଯାଏ ନାହିଁ । ଦୁଃଖର ବିଷୟ ଉତ୍କଳୀୟ ଶିକ୍ଷକମାନେ ଅବଧି ଏହି ପୁସ୍ତକର ସଦ୍‌ବ୍ୟବହାର କରିବାକୁ ଶିଖିନାହାନ୍ତି । ଛାତ୍ରମାନଙ୍କ ଶିକ୍ଷାରେ ବ୍ୟବହୃତ ହେବା ଦୂରେ ଥାଉ, ପୁସ୍ତକଖଣ୍ତି ସ୍ୱୟଂ ଆଦ୍ୟୋପାନ୍ତ ପଢିଅଛନ୍ତି ଏଭଳି ଶିକ୍ଷକଙ୍କର ସଂଖ୍ୟା ଅତି ଅଳ୍ପ ଅଟେ ।

 

ଦୀର୍ଘୀକରଣ, ପରିବର୍ତ୍ତନ, ସଂକ୍ଷେପଣ, ସୂକ୍ଷ୍ମପ୍ରୟୋଗ, ପ୍ରତିଶବ୍ଦ, ଯ଼ୁଗ୍ମଶଦ୍ଦ ପ୍ରଭୃତି ପାରିଭାଷିକ ସଂଜ୍ଞାଗୁଡ଼ିକର ଅଧିକାଂଶ ଶିକ୍ଷକଙ୍କ ଜ୍ଞାନରେ ବିଦେଶୀୟ ଶବ୍ଦରୂପେ ପ୍ରତିଭାତ ହୁଏ । ପରିବର୍ତ୍ତନ ଏବଂ ସଂକ୍ଷେପଣ ସମ୍ବନ୍ଧୀୟ ସାମାନ୍ୟ ପ୍ରଶ୍ନରେ ବାଳକଙ୍କ କଥା ଦୂରେ ଥାଉ ଅଧିକାଂଶ ଶିକ୍ଷକ ଅକୃତକାର୍ଯ୍ୟ ହେବେ ।

 

‘ଉତ୍କଳ ରଚନା’, ‘ସର୍ବସାର ବ୍ୟାକରଣ’ ର ଅନୁପୂରକ ପୁସ୍ତକରୂପେ ବ୍ୟବହୃତ ହେବାର ଆମ୍ଭେମାନେ ଛଅ ସାତଗୋଟି ବିଦ୍ୟାଳୟରେ ଦେଖିଅଛୁ କି ନାହିଁ ସନ୍ଦେହ । ସ୍ଥୂଳରେ ଆମ୍ଭେମାନେ ଏହା କହିପାରୁଁ ଯେ ଯେଉଁ ବିଦ୍ୟାଳୟ ସାରବାନ୍‌ ଏବଂ ବ୍ୟୁତ୍‌ପାଦକ ଶିକ୍ଷାନିମିତ୍ତ ପ୍ରତିଷ୍ଠିତ, ସେପରି ବିଦ୍ୟାଳୟରେ ‘ ଉତ୍କଳ ରଚନା ’ ଉପେକ୍ଷିତ ହୋଇନାହିଁ ।

 

‘ ଉତ୍କଳ ରଚନା ’ରେ ବାହୁଲ୍ୟରୂପେ ସାଧନୀ ପ୍ରଦତ୍ତ ହୋଇଅଛି । ଯେଉଁମାନେ ସାହିତ୍ୟଶିକ୍ଷାଗତ ତ୍ରୁଟି ସ୍ୱୟଂ କାର୍ଯ୍ୟରେ ଅନୁଭବ କରନାହାନ୍ତି ସେମାନେ ଏହି ସାଧନୀର ପରିମାଣକୁ ପ୍ରୟୋଜନାତିରିକ୍ତ ମନେ କରିଥାଆନ୍ତି । ମାତ୍ର ଯେଉଁମାନେ ଉକ୍ତ ବିଦ୍ୟାଳୟମାନଙ୍କରେ ବାରମ୍ବାର ଶିକ୍ଷାଦେଇ ଅଥବା ପରୀକ୍ଷାକରି ସୂତ୍ର ଶିକ୍ଷା ଏବଂ ପ୍ରୟୋଗ ପ୍ରଦର୍ଶନରେ ଶୋଚନୀୟ ବୈଷମ୍ୟ ଅନୁଭବ କରିଅଛନ୍ତି ସେମାନେ ଶଂସିତ ସାଧନୀର କାର୍ଯ୍ୟକାରିତା ସ୍ୱାକାର କରିବାକୁ କୁଣ୍ଠିତ ହେବେନାହିଁ । ଆମ୍ଭେମାନେ ପୂର୍ବରେ କହିଅଛି ଯେ ଅଧିକାଂଶ ଶିକ୍ଷକ ଏକ ସେର ସୂତ୍ର ପରିପାକ କରାଇବା ନିମିତ୍ତ ଏକ ତୋଳା ମାତ୍ର ଉଦାହରଣକୁ ପର୍ଯ୍ୟାପ୍ତ ମଣନ୍ତି । ‘ଉତ୍କଳ ରଚନା’ ର ଉଚିତ ବ୍ୟବହାର ଦ୍ୱାରା ଏହି ବିସଦୃଶ ବୈଷମ୍ୟ ବହୁ ପରିମାଣରେ ତିରୋହିତ ହେବାର ସମ୍ଭାବନା ।

 

ସାହିତ୍ୟ-ଶିକ୍ଷା ସଙ୍ଗରେ ବ୍ୟାକରଣ ଅନୁଶୀଳନ ଅଧିକାଂଶ ବିଦ୍ୟାଳୟରେ ହୋଇଥାଏ ସତ୍ୟ, ମାତ୍ର ସେଥିର ପ୍ରଣାଳୀ ପ୍ରଶସ୍ତ ନୁହେଁ । ଛାତ୍ରମାନେ ଗୋଟିଏ ବାକ୍ୟ ପଢିଲେ, ସେହି ବାକ୍ୟଗତ ଶବ୍ଦମାନଙ୍କ ମଧ୍ୟରେ କିଏ କେଉଁ ପଦ, ବିଶେଷ୍ୟମାନଙ୍କ ମଧ୍ୟରେ କିଏ କେଉଁ କାରକ, ସମାସର ବ୍ୟାଖ୍ୟା, ଶବ୍ଦମାନଙ୍କର ବ୍ୟୁତ୍ପତ୍ତି ଇତ୍ୟାଦି ବିଷୟମାନ ପ୍ରଶ୍ନର ବିଷୟୀଭୂତ ହୁଏ, ମାତ୍ର ବିଶେଷଣକୁ ବିଶେଷ୍ୟରେ, କର୍ତ୍ତୃବାଚ୍ୟକୁ କର୍ମବାଚ୍ୟରେ ପରିଣତ କରିବାର ଓ ବାକ୍ୟମାନଙ୍କୁ ସଂକ୍ଷିପ୍ତ ଅଥବା ରୂପାନ୍ତରିତ କରିବାର ପ୍ରଥା ପ୍ରାୟ ଶତକଡ଼ା ପନ୍ଦରରୁ କୋଡ଼ିଏ ବିଦ୍ୟାଳୟରେ ପ୍ରଚଳିତ ଅଛି କହିଲେ ଅତ୍ୟୁକ୍ତି ହେବ । ଶିକ୍ଷକମାନଙ୍କର ଅଜ୍ଞତା, ଉଦାସୀନତା ଅଥବା ଉଭୟ ଉପରେ ଦୋଷାରୋପ ନକରି ଆଉ କାହା ଉପରେ କରାଯିବ ?

 

ବୃତ୍ତି ପରୀକ୍ଷାରେ ସାହିତ୍ୟରେ ଅଧିକାଂଶ ଛାତ୍ର ଅକୃତକାର୍ଯ୍ୟ ହୁଅନ୍ତି – ଏଥିରେ ଆଶ୍ଚର୍ଯ୍ୟର ବିଷୟ କିଛି ନାହିଁ । ଅଧିକାଂଶ ବିଦ୍ୟାଳୟରେ ବ୍ୟାକରଣ-ଶିକ୍ଷା-ପ୍ରଣାଳୀ ଯେମନ୍ତ କଦର୍ଯ୍ୟ, ତାହା ସ୍ମରଣ କଲେ ମନ ଏକ ଏକ ସମୟରେ ନିରାଶ ହୁଏ। ସର୍ବ ସାର ବ୍ୟାକରଣ, ଉତ୍କଳ ରଚନା, ଆଦର୍ଶ ପ୍ରଶ୍ନାବଳୀ ପ୍ରଭୃତି ପୁସ୍ତକ ଥିବା ସତ୍ତ୍ୱେ ଯଦି ଶିକ୍ଷକମାନେ ସେଥିର ଉପଯୁକ୍ତ ବ୍ୟବହାର ନ କରିବେ ଏବଂ ତତ୍ତ୍ୱାବଧାୟକ କର୍ମଚାରିମାନେ ଉକ୍ତ ବିଷୟରେ ସେମାନଙ୍କୁ ପ୍ରବର୍ତ୍ତାଇବା ନିମିତ୍ତ ସଚେଷ୍ଟ ନ ହେବେ, ତାହାହେଲେ ବାଞ୍ଛନୀୟ ଉତ୍‌କର୍ଷ କଦାପି ସାଧିତ ହୋଇପାରିବ ନାହିଁ ।

 

କବିତା ଅଧ୍ୟୟନ

 

ବିଦ୍ୟାଳୟମାନଙ୍କରେ ଯେତେ ବିଷୟ ଅଧୀତ ହୁଏ, ସେଥିମଧ୍ୟରେ କବିତା ଯେପରି ମନୁଷ୍ୟ ହୃଦୟକୁ ମାର୍ଜିତ କରେ, ମନୁଷ୍ୟ ମନକୁ ସୌନ୍ଦର୍ଯ୍ୟ ରସରେ ଅଭିଷିକ୍ତ କରେ, ମନୁଷ୍ୟ ପ୍ରାଣକୁ ବିମଳ ଆନନ୍ଦଜଳରେ ମଗ୍ନ କରେ ଏବଂ ମନୁଷ୍ୟ କଳ୍ପନାକୁ ସ୍ୱାଧୀନଭାବରେ ଅନନ୍ତ-ବ୍ରହ୍ମାଣ୍ତ ମଧ୍ୟରେ ପରିଭ୍ରମଣ କରିବାର ସାମର୍ଥ୍ୟ ପ୍ରଦାନ କରେ, ସେପରି କାର୍ଯ୍ୟ ଅନ୍ୟ କୌଣସି ବିଷୟଦ୍ୱାରା ସାଧିତ ହୋଇନପାରେ । କବିତାର ମୋହିନୀଶକ୍ତିର ପ୍ରଶଂସା ଛଳରେ ଜଣେ ଇଂରାଜୀ କବି ଲେଖିଛନ୍ତି– ‘‘ମୋହ ନିଜ ଜୀବନରେ ମୁଁ ଦେଖିଅଛି ଯେ କବିତା ପୁରସ୍କାର ଅଟେ; କବିତା ମୋର ଦୁଃଖବେଦନା ଦୂର କରିଅଛି । କବିତାର ପ୍ରସାଦରେ ବିଜନ ସ୍ଥାନ ସୁଦ୍ଧା ମୋ ନିକଟରେ ପରମ ରମଣୀୟ ବେଶ ଧାରଣ କରେ । କବିତାର କୃପାରେ ମୁଁ ଜଗତର ପ୍ରତ୍ୟେକ ପଦାର୍ଥରୁ ନବ ନବ ଶିକ୍ଷାଲାଭ କରେ । କବିତା ହୃଦୟର ଗଭୀରତମ ପ୍ରବେଶ ମଧ୍ୟରେ ପ୍ରବେଶ କରି କେତେବେଳେ ସ୍ୱର୍ଗୀୟ ପ୍ରେମର ଦ୍ୱାର ଉନ୍ନୁକ୍ତ କରିଦିଏ, କେତେବେଳେ ସାହସ ଏବଂ ଉତ୍ସାହଅଗ୍ନି ପ୍ରଜ୍ୱଳିତ କରିଦିଏ । କେତେବେଳେ ପାଷାଣ ପ୍ରାଣକୁ ତରଳ କରି ଚକ୍ଷୁକୁ ଅଶ୍ରୁଜଳରେ ପୂର୍ଣ୍ଣ କରେ, କେତେବେଳେ କ୍ଷୁଦ୍ର ମନକୁ ମହାଭାବରେ ପୁର୍ଣ୍ଣ କରି ଦେବଧାମକୁ ଘେନିଯାଏ । ବାସ୍ତବରେ କବିତାର ମହୀୟସୀ ଶକ୍ତି ନିକଟରେ ସମସ୍ତେ ପରାସ୍ତ । କବିତା ପରି ପ୍ରକୃତ ଶିକ୍ଷାର ବନୁକୂଳ ଅନ୍ୟ କୌଣସି ବିଷୟ ହୋଇନପାରେ । କିନ୍ତୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ଯେ ବିଦ୍ୟାଳୟମାନଙ୍କରେ କବିତାର ଆଦର ନାହିଁ, ସେହି ସେହି ସ୍ଥାନମାନଙ୍କରେ କବିତାର ଅଧ୍ୟୟନ ବିଡମ୍ବନା ମାତ୍ର ।’’

 

ବିଦ୍ୟାଳୟମାନଙ୍କରେ ଯେଉଁସବୁ କବିତା ପୁସ୍ତକ ପଠିତ ହୁଏ, ସେଥିମଧ୍ୟରୁ ଅଧିକାଂଶ କବିତା ନାମର ଅଯୋଗ୍ୟ । ଲୋକସାଧାରଣଙ୍କର ସଂସ୍କାରକୁ ଅତିକ୍ରମ କରିନାହାନ୍ତି । ସେମାନେ ନିଜେ ଅଧିକାଂଶ ସ୍ଥଳରେ କବିତାର ଅମୃତସ୍ୱାଦ ପାଇନାହାନ୍ତି। ସୁତଃରାଂ ସେମାନଙ୍କ ଅଧ୍ୟାପନା ଯେ ନିତାନ୍ତ ନୀରସ ଓ ଉଦ୍ଦେଶ୍ୟହୀନ ବ୍ୟାପାର ହେବ, ତାହା ସହଜରେ ଅନୁମିତ ହେଉଅଛି । ...ହେ ଶିକ୍ଷକ ! ତୁମେ କବିତା ପଢାଇବାର ଭାର ଗ୍ରହଣ କରିଅଛି । ଛାତ୍ରମାନେ ତୁମ୍ଭ ନିକଟରେ ମ୍ରିୟମାଣ ଭାବରେ ବସିଅଛନ୍ତି । ତୁମ୍ଭ ନିକଟରେ ମ୍ରିୟମାଣ ଭାବରେ ବସିଅଛନ୍ତି । ତୁମ୍ଭେ ନିଜେ ମ୍ରିୟମାଣ ଭାବରେ ଶବ୍ଦର ଅର୍ଥ କହିଦେଉଅଛି । କବିତାର ସୌନ୍ଦର୍ଯ୍ୟ, କବିତାର ଭାବ ପ୍ରତି ତୁମ୍ଭର କିଛିମାତ୍ର ଦୁଷ୍ଟିନାହିଁ । ତୁମ୍ଭେ କିପରି ସୁକୁମାରମତି ବାଳକମାନଙ୍କୁ କବିତାର ସୌନ୍ଦର୍ଯ୍ୟ ଶିଖାଇପାରିବ ? ତୁମ୍ଭେ କିପରି ଛାତ୍ରମାନଙ୍କର ନୂତନ ହୃଦୟ-କୁସୁମର ଶ୍ରୀବର୍ଦ୍ଧନ କରିପାରିବ ? ତୁମ୍ଭେ କିପରି ସୁନୀଳ ଗଗନପଟରେ ଯେଉଁ ରବି –ଚନ୍ଦ- ନକ୍ଷତ୍ରମୟୀ ମହାକବିତା ଲିଖିତ ହୋଇଅଛି, ସେଥିର ମହିମା ଛାତ୍ରମାନଙ୍କୁ ବୁଝାଇ ସେମାନଙ୍କ ପ୍ରାଣକୁ ଉଦାର କରିପାରିବ ? ତୁମ୍ଭେ କିପରି ସମୁଦ୍ରର ଗମ୍ଭୀର ଧ୍ୱନି ମଧ୍ୟରେ ଛାତ୍ରମାନଙ୍କ ବ୍ରହ୍ମାଣ୍ତପତିଙ୍କର ମହାସ୍ତବ ଶୁଣାଇପାରିବ? ତୁମ୍ଭେ କିପରି ପର୍ବତ-କାନନ-ଜଳ-ସ୍ଥଳ ସର୍ବତ୍ର ଶିକ୍ଷାର ଦ୍ୱାର ଉଦ୍‌ଘାଟନ କରିପାରିବ ? ତୁମ୍ଭେ କିପରି ନରନାରୀ ହୃଦୟର ନିଗୂଢ ସୌନ୍ଦର୍ଯ୍ୟ ନିଜେ ନ ଦେଖି ଅନ୍ୟକୁ ଦେଖାଇପାରିବ ? ...

 

...ହେ ଶିକ୍ଷକ ! ତୁମ୍ଭେ ନିଜେ ହୃଦୟକୁ ସୌନ୍ଦର୍ଯ୍ୟରସରେ ସରସ କରି କବିତାର ସ୍ନିଗ୍ଧ ସମୀରଣ ସେବନ କର; ନୀରସ ସଂସାର – ମରୁ ପରିତ୍ୟାଗ କରି କାବ୍ୟର ନନ୍ଦନକାନନ ମଧ୍ୟରେ ବାଲ୍ମୀକି, ବ୍ୟାସ, କାଳଦାସ, ଭବଭୂତି, ସେକ୍ସପିୟର, ମିଲ୍‌ଟନ ପ୍ରଭୃତି କବିକୋକିଳମାନଙ୍କର ଅମୃତମୟ ସଙ୍ଗୀତ ଶ୍ରବଣ କର; କଳ୍ପନା-ପକ୍ଷରେ ସ୍ୱର୍ଗ ମର୍ତ୍ତ୍ୟ ବିଚରଣ କରି ସୌନ୍ଦର୍ଯ୍ୟର ଛବି ସଂଗ୍ରହ କର । ତୁମ୍ଭର କାର୍ଯ୍ୟ ସୁପବିତ୍ର ଓ ସୁମହତ୍‌ । ତରୁଣ ହୃଦୟର ସର୍ବାଙ୍ଗୀନ –ସୌନ୍ଦର୍ଯ୍ୟ ସମ୍ପାଦନ କରିବା ନିମିତ୍ତ, ମାନବମନକୁ ଦେବଭାବରେ ପୂର୍ଣ୍ଣ କରିବା ନିମିତ୍ତ, ଛାତ୍ରମାନଙ୍କର ବୁଦ୍ଧି, କଳ୍ପନା, ସ୍ମୃତି, ହୃଦୟ, ବିବେକ ଓ ଆତ୍ମାର ପୂର୍ଣ୍ଣ କଲ୍ୟାଣ ସମ୍ପାଦନ କରିବା ନିମିତ୍ତ ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରୁଅଛନ୍ତି । ଜାଗ୍ରତ ହୁଅ, ତୁମ୍ଭ ଜୀବନର ମହାବ୍ରତ ସାଧନ ନିମିତ୍ତ ପ୍ରାଣପଣରେ ଯତ୍ନ କର ।

 

ହସ୍ତାକ୍ଷର

 

ହସ୍ତାକ୍ଷର– ଏହି ବିଷୟରେ ପାଠଶାଳା ଓ ବିଦ୍ୟାଳୟମାନଙ୍କର ଶିକ୍ଷକ ଓ ଛାତ୍ରମାନେ ଯଥୋପଯୁକ୍ତ ମନୋଯୋଗୀ ହେବାର ପ୍ରାୟ ଦେଖାଯାଏ ନାହିଁ । ଶିକ୍ଷକମାନେ ସାଧାରଣତଃ ଛାତ୍ରମାନଙ୍କୁ ‘ହସ୍ତାକ୍ଷର ଲେଖ’ ଏହି ଆଦେଶ ଦେଇ ନିଶ୍ଚିନ୍ତ ହୋଇ ବସିରୁହନ୍ତି । ଛାତ୍ରମାନେ ତହିଁ ବଙ୍କାଟଙ୍କା କରି ମନଇଚ୍ଛା କିଛି ଲେଖନ୍ତି । ଶିକ୍ଷକମାନେ କୌଣସି ଦୋଷ ସଂଶୋଧନ କରି କିପରି ଲେଖିଲେ ଛାତ୍ରମାନଙ୍କର ଅକ୍ଷର ସ୍ପଷ୍ଟ ଓ ସୁନ୍ଦର ହେବ ତାହା ଯେ ନିର୍ଦ୍ଦେଶ କରନ୍ତି ନାହିଁ – ଏହା ବୋଲିବା ବାହୁଲ୍ୟ ଅଟେ ।

 

ଆମ୍ଭେମାନେ ବିନୀତଭାବରେ ଶିକ୍ଷକମାନଙ୍କୁ ପ୍ରାର୍ଥନା କରୁଅଛିଁ ଯେ ସେମାନେ ଲିଖନର ଗୁରୁତ୍ୱ ଉପଲବ୍ଧି କରି ଉକ୍ତ ବିଷୟପ୍ରତି ସମୁଚିତ ଧ୍ୟାନ ପ୍ରଦଶନ କରିବେ । ଲିଖନ ସମ୍ବନ୍ଧରେ ନିମ୍ନରେ କେତେଗୁଡ଼ିଏ ନିୟମ ଦିଆଗଲା । ଆଶା କରୁଁ, ତାହା ଶିକ୍ଷକମାନେ ପାଳନ କରିବେ ।

 

୧। ଦେଶୀୟ ଚାଟଶାଳୀମାନଙ୍କରେ ପଢା ଓ ଲେଖା ଏକସମୟେ ଆରବ୍ଧ ହୁଏ । ଏହା ଅତି ଉତ୍ତମ ରୀତି ଅଟେ । ପ୍ରଥମରେ ଶିକ୍ଷକ ଭୂମି ଉପରେ ଗୋଟିଏ ଗୋଟିଏ ଅକ୍ଷର ଲେଖିଦେବେ ଏବଂ ଅକ୍ଷରର ଯେଉଁ ସ୍ଥାନରୁ ଆରମ୍ଭ କରିବାକୁ ହେବ, ସେହି ସ୍ଥାନରୁ ଛାତ୍ରର ହାତ ଧରି ଅକ୍ଷର ଉପରେ ମଡ଼ାଇବାକୁ ଶିଖାଇବେ । ଏଥି ଉତ୍ତାରେ ଛାତ୍ରମାନେ ଅକ୍ଷରକୁ ଲିଭାଇଦେଇ ପୁନର୍ବାର ନିଜେ ସେହି ଅକ୍ଷରକୁ ଲେଖିବେ । ଏହିପରି ସବୁ ଅକ୍ଷର ଲଖି ଶିଖିଲା ପରେ ଶିକ୍ଷକ ଯଥେଚ୍ଛାକ୍ରମେ ଅକ୍ଷରଗୁଡ଼ିକ ଉଚ୍ଚାରଣ କରିବେ । ଛାତ୍ରମାନେ ସେଗୁଡ଼ିକ ଲେଖିଲା ଉତ୍ତାରେ ଶିକ୍ଷକ ସେଥିରେ ଥିବା ଦୋଷ ଦେଖାଇଦେଇ ଛାତ୍ରମାନଙ୍କ ଦ୍ୱାରା ତାହା ସଂଶୋଧନ କରିବେ ।

 

୨। ପୂର୍ବୋକ୍ତ ପ୍ରକାର ଅକ୍ଷରଗୁଡ଼ିକ ଅଭ୍ୟାସ କଲା ଉତ୍ତାରେ, ଛାତ୍ରମାନଙ୍କୁ କାଗଜ ବା ତାଳପତ୍ରରେ ଲେଖିବାକୁ ଶିଖିଇବେ । ଛାତ୍ରର କିପରି କରିବା ଉଚିତ୍, କିପରି କଲମ ବା ଲେଖନୀ ଧରିବାର ଉଚିତ, ଅକ୍ଷରମାନଙ୍କ ବର୍ଗ ଓ ଦୂରତ୍ୱ କିପରି ହେବା ଉଚିତ, ଇତ୍ୟାଦି ବିଷୟ ଦେଖାଇଦେଇ ତତ୍‌ସମ୍ୱନ୍ଧୀୟ ଦୋଷ ବାରମ୍ବାର ସଂଶୋଧନ କରିଦେବେ । କାଗଜ ରୁଲ କରିବା ଏବଂ ଧାଡ଼ି ସଳଖ କରି ଲେଖିବା ବିଷୟରେ ଶିକ୍ଷକମାନେ ଛାତ୍ରମାନଙ୍କୁ ଶିକ୍ଷାଦେବେ ।

 

୩। ସମୁଦାୟ ଅକ୍ଷର ଲେଖିବା ଅଭ୍ୟାସ ହେଲା ଉତ୍ତାରୁ ଅକ୍ଷରମାନଙ୍କରେ ଆକାର ଇକାରାଦି ବନାନ୍‌ ଚିହ୍ନ, ଯ୍‌ ର୍‌ ପ୍ରଭୃତି ଫଳାଦେଇ ଯୋଗକରି ଲେଖିବାକୁ ଶିଖାଇବା ଉଚିତ ।

 

୪। ଅକ୍ଷର ଲିଖନ ଉତ୍ତାରେ ଶବ୍ଦ ଲିଖନ । ପ୍ରଥମରେ ଯେଉଁ ସହଜ ଶବ୍ଦମାନ ଛାତ୍ରମାନେ ନିତ୍ୟ ବ୍ୟବହାର କରନ୍ତି— ଯଥା; ଗ୍ରାମର ନାମ, ମନୁଷ୍ୟ ଓ ଦେବତାର ନାମ, ତରୁ-ଲତା, ପଶୁ-ପକ୍ଷୀ ଓ ପଦାର୍ଥର ଦେବତାର ନାମ, ସେହିସବୁ ଶବ୍ଦ ଲେଖିବାକୁ ଶିଖାଇବାର ଉଚିତ୍ । ଶିକ୍ଷକ ପ୍ରତ୍ୟେକ ଛାତ୍ରର ହସ୍ତାକ୍ଷର-ପୁସ୍ତକରେ ଏହିପରି କେତେଗୁଡ଼ିଏ ଶବ୍ଦ ପରିପାଟୀରୂପେ ଲେଖିଦେବେ । ଛାତ୍ରମାନେ ତାହାକୁ ଅନାଇ ଲେଖିବେ । ତହିଁ ଉତ୍ତାରେ ପ୍ରତ୍ୟେକ ପୁସ୍ତକକୁ ପରୀକ୍ଷା କରି ଦୋଷମାନ ସଂଶୋଧନ କରିଦେଲାରୁ, ଛାତ୍ରମାନେ ସଂଶୋଧିତ ଅଂଶଗୁଡ଼ିକୁ ପୁନର୍ବାର ଲେଖି ଦେଖାଇବେ ।

 

୫। ଶବ୍ଦଲେଖା ଶିକ୍ଷା ଉତ୍ତାରେ, ବାକ୍ୟଲିଖନ ଶିଖାଇବାର ବିଧେୟ । ଶିକ୍ଷକ ପ୍ରଥମେ କ୍ଷୁଦ୍ର କ୍ଷୁଦ୍ର ବାକ୍ୟ ଲେଖିବାକୁ ଦେବେ କିମ୍ୱା କୈାଣସି ଆଦର୍ଶଲିପି ପୁସ୍ତକକୁ ଅନାଇ ଲେଖିବାକୁ ଆଦେଶ ଦେବେ । ତହିଁ ଉତ୍ତାରେ କ୍ରମେ କ୍ରମେ ଦୀର୍ଘବାକ୍ୟ ଲେଖିବାର ଏବଂ ଶ୍ରୁତିଲିପି ଅଭ୍ୟାସ କରିବାର ଶିକ୍ଷା ଦେବାର ବିଧେୟ ।

 

୬। ପ୍ରତ୍ୟେକ ଶ୍ରେଣୀରେ ଲିଖନ ବିଷୟ କ୍ରମୋନ୍ନତ ଶିକ୍ଷାର ନିର୍ଦ୍ଦେଶ କରିବା ଏକାନ୍ତ ଆବଶ୍ୟକ । ଅକ୍ଷର ଓ ଶବ୍ଦମାନ ବଡ଼ ବଡ଼ ଅକ୍ଷରରେ ଲେଖିବା, ତହିଁ ଉତ୍ତାରେ ଅକ୍ଷର ଓ ଶବ୍ଦମାନ ଛୋଟ ଛୋଟ ଅକ୍ଷରରେ ଲେଖିବା, ତହିଁ ଉତ୍ତାରେ ବାକ୍ୟମାନ ଲେଖିବା, ତହିଁ ଉତ୍ତାରେ ବାକ୍ୟମାନ ଲେଖିବା, ତହିଁ ଉତ୍ତାରେ ଅନୁଲିଖନ, ପ୍ରଶ୍ନୋତ୍ତର ଲିଖନ, ପତ୍ରଲେଖନ ପ୍ରଭୃତି ଅନୁଶୀଳନ କରାଇବାର ଉଚିତ୍ ।

 

୭। ପ୍ରତ୍ୟେକ ଛାତ୍ରର ଖଣ୍ଡିଏ ହସ୍ତାକ୍ଷର-ପୁସ୍ତକ, ଗୋଟିଏ ଦୁଆତ ଏବଂ ଦୁଇ ତିନୋଟି କଲମ ଥିବାର ଉଚିତ୍ । ହସ୍ତାକ୍ଷର-ପୁସ୍ତକକୁ ପରିଷ୍କୃତ ରଖିବାପାଇଁ ଶିକ୍ଷକ ପ୍ରତ୍ୟେକ ଛାତ୍ରକୁ ଉପଦେଶ ଦେବେ ଏବଂ ଉକ୍ତ ପୁସ୍ତକକୁ ପ୍ରତିଦିନ ପରୀକ୍ଷା କରି ଦେଖିବେ ।

 

ପଠନ

 

ବର୍ତ୍ତମାନ ଚାଟଶାଳୀମାନଙ୍କରେ ଯେଉଁ ବାର୍ଷିକ ପରୀକ୍ଷା ହେଉଅଛି, ସେଥିରେ ଛାପା ପୁସ୍ତକ ଓ ହସ୍ତାକ୍ଷର ପାଠର ପରୀକ୍ଷା ନିଆଯାଏ       । ଆମ୍ଭେମାନେ ଅବଗତ ହେଲୁଁ ଯେ ଏହି ପଠନ ବିଷୟରେ ପ୍ରାୟ ସମସ୍ତ ପଢୁଆମାନେ ଉତ୍ତୀର୍ଣ୍ଣ ହୁଅନ୍ତି; କିନ୍ତୁ ଆମ୍ଭେମାନେ ନିଜେ ପରୀକ୍ଷାସ୍ଥଳରେ ଉପସ୍ଥିତ ଥାଇ ଦେଖିଅଛୁଁ ଯେ ଶତକଡ଼ା ଦଶଜଣ ଛାତ୍ର ସୁଦ୍ଧା ଭଲରୂପେ ପଢିପାରନ୍ତି ନାହିଁ । ବାସ୍ତବରେ ପାଠଶାଳାର ଛାତ୍ରମାନଙ୍କ ପଠନପ୍ରତି ଶିକ୍ଷକ ଏବଂ ପରିଦର୍ଶକମାନେ ସମୁଚିତ ମନୋଯୋଗ ଦିଅନ୍ତି ନାହିଁ । ପଢୁଆମାନେ ଅକ୍ଷର ଚିହ୍ନିପାରି ଯଥାତଥା ଦୁଇଚାରିଟା ଶବ୍ଦ ଉଚ୍ଚାରଣ କରିପାରିଲେ, ଶିକ୍ଷକ ଏବଂ ପରିଦର୍ଶକମାନେ ସନ୍ତୁଷ୍ଟ ହୋଇଯାନ୍ତି । ଉତ୍ତମ ପଢା କାହାକୁ କହନ୍ତି, ଛାତ୍ରମାନେ କାହିଁକି ଉତ୍ତମରୂପେ ପଢିପାରୁନାହାନ୍ତି, କି ଉପାୟରେ ସେମାନେ ଉତ୍ତମରୂପେ ପଢିପାରିବେ, ଅଧିକାଂଶ ଲୋକ ଏହାର ଆଲୋଚନା କରନ୍ତି ନାହିଁ । ନିମ୍ନରେ ପଠନ ସମ୍ୱନ୍ଧରେ ଯାହା ଲେଖାଗଲା ଆଶାକରୁଁ ଶିକ୍ଷକ ଦର୍ଶକମାନେ ସେଥିପ୍ରତି ମନୋଯୋଗୀ ହେବେ ।

 

ଯେଉଁ ପଢାରେ ପ୍ରତ୍ୟେକ ଅକ୍ଷର ଓ ପ୍ରତ୍ୟେକ ଶବ୍ଦ ଶୁଦ୍ଧରୂପେ ସ୍ପଷ୍ଟରୂପେ ଉଚ୍ଚାରିତ ହୁଏ ଏବଂ ଯେଉଁ ପଢାରେ ଯଥୋଚିତ ସ୍ୱରଭଙ୍ଗୀ ଥିବାରୁ ବାକ୍ୟର ତାତ୍‌ପର୍ଯ୍ୟ ବା ଭାବ ସହଜରେ ଜଣାପଡ଼େ, ତାହାକୁ ସୁପଠନ ବା ଉତ୍ତମ ପଢା ବୋଲାଯାଇପାରେ । ପଢିବାର ଧାରା ଯେତିକି କଥା କହିବାପରି ହୁଏ, ତେତିକି ତାହାକୁ ଉତ୍କୃଷ୍ଟ ବୋଲାଯିବ । ଯେ କଥା କହିଲାପରି ପଢିପାରେ, ସେ ସୁପାଠକ ଅଟେ ।

 

ଅଧିକାଂଶ ଶିକ୍ଷକମାନେ ନିଜେ ସୁପାଠକ ନୁହନ୍ତି; ଏହି କାରଣରୁ ଛାତ୍ରମାନେ ଉତ୍ତମରୂପେ ପଢିପାରନ୍ତି ନାହିଁ । ଯେଉଁ ଶିକ୍ଷକ ଛାତ୍ରର ପଢାରେ କି କି ଦୋଷ ହେଲା ନିଜେ ଜାଣନ୍ତି ନାହିଁ; ସେ କାହୁଁ ଛାତ୍ରଙ୍କୁ ସୁପାଠକ କରିପାରିବେ !

 

ଆମ୍ଭେମାନେ ଆଶାକରୁଁ ପରିଦର୍ଶକ କର୍ମଚାରୀମାନେ ଚାଟଶାଳୀମାନଙ୍କରେ ପଠନର ଉତ୍କର୍ଷର ସାଧନ ପ୍ରତି ଯଥୋଚିତ ମନୋଯୋଗ ପ୍ରଦାନ କରିବେ । ଶିକ୍ଷକମାନଙ୍କ ଜାଣିବା ନିମିତ୍ତ ପଠନ ସମ୍ଭନ୍ଧରେ କେତେଗୁଡିଏ ନିୟମ ନିମ୍ନରେ ଲେଖାଗଲା ।

 

୧। ପଢାଇବା ପୂର୍ବରେ ଶିକ୍ଷକ ନିଜେ ପଢାଇବାର ସନ୍ଥକୁ ଉତ୍ତମରୂପେ ପଢି ରଖିଥିବେ-। କୈାଣସି ଛାତ୍ରର ପଢିବା ଆଗରୁ ଶିକ୍ଷକ ନିଜେ ପ୍ରଥମେ ଛାତ୍ରମାନଙ୍କ ଆଗରେ ସନ୍ଥଟିକୁ ପଢିଯିବେ ଏବଂ ସେଥିରେ ପ୍ରତ୍ୟେକ କଠିନଶବ୍ଦର ଅର୍ଥ, ପ୍ରତ୍ୟେକ ବାକ୍ୟର ଅର୍ଥ କହି ଦେଇ ସନ୍ଥଟିର ତାତ୍‌ପର୍ଯ୍ୟ ଛାତ୍ରମାନଙ୍କର ହୃଦୟଙ୍ଗମ କରାଇବେ ।

 

୨। ପଢିବାବେଳେ ପ୍ରତ୍ୟେକ ଛାତ୍ର ସିଧାହୋଇ ମୁଣ୍ଡକୁ ସିଧା ରଖି ଛିଡ଼ାହେବେ । ପୁସ୍ତକକୁ ମୁଖଠାରୁ ଏପରି ଦୂରରେ ରଖିବେ ଯେ କଣ୍ଠର ଶବ୍ଦ ଯେମନ୍ତ ପୁସ୍ତକଦ୍ୱାରା କୈାଣସି ବାଧାପ୍ରାପ୍ତ ନହୁଏ ।

 

୩। ଏମନ୍ତ ଉଚ୍ଚସ୍ୱରରେ ପଢିବା ଉଚିତ ଯେ, ଶ୍ରେଣୀର ପ୍ରତ୍ୟେକ ଛାତ୍ର ପଢିବା କଥା ଉତ୍ତମରୂପେ ଶୁଣିପାରିବେ । ଶିକ୍ଷକ ମଧ୍ୟ ଉଚ୍ଚସ୍ୱରରେ ପଢିବାର ପ୍ରତ୍ୟେକ ଦୋଷକୁ ସଂଶୋଧନ କରିଦେଉଥିବେ ।

 

୪। ଛାତ୍ରମାନେ ହ୍ରସ୍ୱ ଓ ଦୀର୍ଘ, ଶ ଷ ଓ ସ ପ୍ରଭୃତି ବର୍ଣ୍ଣମାନଙ୍କର ଅଶୁଦ୍ଧ ଉଚ୍ଚାରଣ କଲେ, କିମ୍ୱା କୈାଣସି ଶବ୍ଦକୁ ଅସ୍ପଷ୍ଟରୂପେ ଉଚ୍ଚାରଣ କଲେ, କିମ୍ୱା ଉଚିତ ଶବ୍ଦ ଉପରେ ଜୋର୍‌ ନ ଦେଇ ଅନ୍ୟ ଶବ୍ଦ ଉପରେ ଜୋର୍‌ ଦେଲେ, ଶିକ୍ଷକ ତତ୍‌କ୍ଷଣାତ୍‌ ତାହା ସଂଶୋଧନ କରିଦେଉଥିବେ

 

୫। କମା, ପୂର୍ଣ୍ଣଚ୍ଛେଦ ପ୍ରଭୃତି ଚିହ୍ନପ୍ରତି ଦୃଷ୍ଟି ରଖି, କେଉଁଠାରେ କିପରି ବିଶ୍ରାମ କରିବାକୁ ହେବ, ଶିକ୍ଷକ ତାହା ଶିଖାଇଦେବେ ।

 

୬। ଗଦ୍ୟକୁ ପଢିଲାବେଳେ ରାଗଧରି ପଢିବାର ଉଚିତ ନୁହେଁ ।

 

ପାଠ୍ୟପୁସ୍ତକ ଅଧ୍ୟାପନା

 

ପ୍ରତ୍ୟେକ ଶ୍ରେଣୀରେ ପ୍ରତ୍ୟେକ ବିଷୟର ଶିକ୍ଷା ଦାନପାଇଁ ଖଣ୍ଡେ ଖଣ୍ଡେ ପାଠ୍ୟପୁସ୍ତକ ବ୍ୟବହୃତ ହୁଏ । ପୁସ୍ତକ ବ୍ୟବହାରର ପ୍ରକୃତ ଉଦ୍ଦେଶ୍ୟ ଅତି ଅଳ୍ପ ଶିକ୍ଷକ ବୁଝନ୍ତି । ଅଧିକାଂଶ ଶିକ୍ଷକ ଯେନତେନ ପ୍ରକାରେଣ ସେହି ପୁସ୍ତକଖଣ୍ଡ ପଢାଇଦେଇ ନିଜକୁ କୃତାର୍ଥ ମଣନ୍ତି; ମାତ୍ର ବିଷୟଶିକ୍ଷା ଯେ ପୁସ୍ତକ ବ୍ୟବହାରର ମୂଳ ଉଦ୍ଦେଶ୍ୟ, ଏହା ସ୍ୱପ୍ନରେ ମଧ୍ୟ ସେମାନଙ୍କର ନାହିଁ । ଅଜ୍ଞତା ଏହି ତ୍ରୁଟିର ପ୍ରଧାନ କାରଣ ଅଟେ ।

 

ବିଦ୍ୟାଳୟର ଅନେକ ଶିକ୍ଷକଙ୍କର ସାଧାରଣ ଧାରଣା ଓ ଅଧ୍ୟୟନ ନଥିବାରୁ ସେମାନେ ନିର୍ଦ୍ଦିଷ୍ଟ ମଧ୍ୟରେ ନିଜକୁ ଆବଦ୍ଧ ନରଖି ଅନ୍ୟାନ୍ୟ ଗ୍ରନ୍ଥରୁ ଓ ବିଷୟବହିର୍ଭୂତ ପ୍ରଶ୍ନ ଦିଅନ୍ତି । ବ୍ୟାକରଣରେ ମଧ୍ୟ ସେହି ଅବସ୍ଥା । ଇତିହାସ-ଶିକ୍ଷକ ଏହି ରୀତିକୁ ଅନୁସରି କାର୍ଯ୍ୟ କରିଥାନ୍ତି, ମାତ୍ର ଅନ୍ୟାନ୍ୟ ବିଷୟରେ ନିର୍ଦ୍ଦିଷ୍ଟ ପୁସ୍ତକ ଶିକ୍ଷକମାନଙ୍କର ଏକମାତ୍ର ଆଶ୍ରୟ ଥିବାର ଦେଖାଯାଏ । ଏହାର କାରଣ କଣ ? ଅଜ୍ଞତା କି ଏହାର ଏକ କାରଣ ନୁହେଁ ।

 

ଉତ୍କଳ ବିଦ୍ୟାଳୟମାନଙ୍କରେ ସାହିତ୍ୟଶିକ୍ଷାର ମାନ ଅତ୍ୟନ୍ତ ଶୋଚନୀୟ । ଉଚ୍ଚ ଇଂରାଜୀ ସ୍କୁଲମାନଙ୍କରେ ସାହିତ୍ୟଶିକ୍ଷାର ସହିତ ତୁଳନା କରି ଉଭୟ ରୀତିର ପ୍ରଭେଦ ଦେଖିଲେ ମନ ଏକାବେଳକେ ହତାଶ ହୋଇଯାଏ । ଉତ୍କଳ ସାହିତ୍ୟଶିକ୍ଷା ଅଧିକାଂଶ ସ୍ଥଳରେ କେବଳ ଅକ୍ଷରଶିକ୍ଷା ଅଥବା ଶବ୍ଦଶିକ୍ଷା ମାତ୍ର ଅଟେ । କିନ୍ତୁ ଏହା ପ୍ରାୟ କୈାଣସି ସ୍ଥାନରେ ଭାବଶିକ୍ଷା, ତତ୍ତ୍ୱଶିକ୍ଷା ଏବଂ ଚରନାଶିକ୍ଷାରୂପରେ ପରିଣତ ହୋଇଥିବାର ଦେଖାଯାଏ ନାହିଁ । ଛାତ୍ରମାନେ ସାହିତ୍ୟ ପୁସ୍ତକକୁ ଅନାଇ ପଢିଗଲେ ଏବଂ ପ୍ରବନ୍ଧା ଭାବ ବୁଝନ୍ତୁ ବା ନ ବୁଝନ୍ତୁ ଦୁଇ ଚାରିଟା ଶବ୍ଦର ପ୍ରତିଶବ୍ଦ ଏବଂ ବ୍ୟୁତ୍ପତ୍ତି କହିପାରିଲେ ଶିକ୍ଷକ ସନ୍ତୁଷ୍ଟ ହୋଇ ରହନ୍ତି; କାରଣ ଶିକ୍ଷକ ନିଜେ ପ୍ରବନ୍ଧର ଭାବ ସମ୍ୟକ୍‌ରୂପେ ବୁଝିନାହାନ୍ତି । ଅଭିଧାନ ଏବଂ ବ୍ୟାକରଣ ଏହି ଦୁଇ ବିଷୟକୁ ଅଧିକାଂଶ ଶିକ୍ଷକ ସାହିତ୍ୟଶିକ୍ଷାର ସର୍ବସ୍ୱ ମନେକରନ୍ତି । ପ୍ରବନ୍ଧର ପ୍ରଧାନ ବିଷୟ କଣ, ସେଥିର ରଚୟିତା କିଏ, ପ୍ରବନ୍ଧଗତ ଭାବମାନଙ୍କର ସମଭାବାତ୍ମକ ବାକ୍ୟ ଅନ୍ୟ କୈାଣସି ଗ୍ରନ୍ଥରେ ଅଛି କି ନାହିଁ, ପ୍ରବନ୍ଧରେ କି କି ତତ୍ତ୍ୱ ନିହିତ ଅଛି ଅଥବା କେଉଁ କେଉଁ ଐତିହାସିକ ପୁରୁଷ ବା ଘଟନାର ଉଲ୍ଲେଖ ଅଛି, ଭାଷାର ଦୋଷଗୁଣ, ଛନ୍ଦ, ଅଳଙ୍କାର ପ୍ରଭୃତି ପ୍ରୟୋଜନୀୟ ବିଷୟମାନଙ୍କ ପ୍ରତି ଶିକ୍ଷକମାନଙ୍କର ମନ ପ୍ରାୟ ଆକୃଷ୍ଟ ହୁଏନାହିଁ । ତେଣୁ ସହିତ୍ୟଶିକ୍ଷା ଶୂନ୍ୟଗର୍ଭ ଶବ୍ଦଶିକ୍ଷାରେ ପରିଣତ ହୁଏ ।

 

ଦେଶ କାଳ ପାତ୍ର ବୁଝି ଶିକ୍ଷା ଦେବା

ଦ୍ୱିତୀୟ ପ୍ରସ୍ତାବ

 

‘‘ଲୋକେ ତ ପୁରୁଣା ଧାରା ଛାଡ଼ିବେ ନାହିଁ, କଣ କରିବ ?’’ ଅନେକ ପାଠଶାଳା ଶିକ୍ଷକଙ୍କଠାରୁ ଏହି ନୈରାଶ୍ୟ ଉକ୍ତି ଶୁଣାଯାଏ । ଯେଉଁମାନେ ଏପରି କଥା କହନ୍ତି, ସେମାନଙ୍କର ଧୈର୍ଯ୍ୟ ଏବଂ ସହାନୁଭୂତି ନିତାନ୍ତ ଅଳ୍ପ ଅଟେ ।       ପୁରୁଣା ଧାରା କଣ, ଆଗେ ତାହା ବିଚାରିଦେଖ । ପୂର୍ବକାଳରେ ପାଠଶାଳାରେ ତାଳପତ୍ର ପୋଥି ପଠନ, ତାଳପତ୍ର ଲିଖନ, ଗଣିତ ଓ ଜମିଦାରୀ ସିରସ୍ତାର କେତେକ ବିଷୟ ପଠିତ ହେଉଥିଲା । ବର୍ତ୍ତମାନ ମଧ୍ୟ ସେହି ପାଠଶାଳାମାନଙ୍କରେ ପଠନ, ଲିଖନ, ଅଙ୍କ ଏବଂ ଜମିଦାରୀ ସିରସ୍ତା ପଠିତ ହେଉଅଛି । ପ୍ରଭେଦ ମଧ୍ୟରେ ଏତିକି ଯେ ବର୍ତ୍ତମାନ ପଠନ ବୋଇଲେ ଗଦ୍ୟ ଓ ପଦ୍ୟ ଉଭୟକୁ ବୁଝାଏ। ପୁସ୍ତକ ବୋଇଲେ ଛାପା ଏବଂ ହାତଲେଖା ପୋଥି ବୁଝାଏ । ଲେଖିବାର ସାମଗ୍ରୀ ବୋଇଲେ କାଗଜ ଓ ତାଳପତ୍ର ଉଭୟକୁ ବୁଝାଏ । ଗଦ୍ୟ, ଛାପାପୁସ୍ତକ ଏବଂ କାଗଜର ବ୍ୟବହାର ଓଡ଼ିଶାରେ ଅଳ୍ପଦିନ ହେଲା ଆରମ୍ଭ ହୋଇଅଛି । ଏହି ଅଳ୍ପ ସମୟ ମଧ୍ୟରେ ଲୋକ ଏହି ପଦାର୍ଥମାନଙ୍କର ବ୍ୟବହାର ବିଷୟରେ ଏତେଦୂର ଅଗ୍ରସର ହେଲେଣି ଯେ ଆଉ ଦଶ କୋଡ଼ିଏ ବର୍ଷ ମଧ୍ୟ କେହି ଏ ବିଷୟରେ କୈାଣସି ବାଧା ଦେବେନାହିଁ, ଏହା ନିଶ୍ଚୟ କଥା । ମୁସଲମାନ ଅଧିକାର ବହୁକାଳ ପୂର୍ବରୁ ହୋଇଥିବାରୁ, ବଙ୍ଗଦେଶରେ କାଗଜର ପ୍ରଚାର ପୂର୍ବରୁ ହୋଇଥିଲା । ଇଂରେଜ ଅଧିକାର ମଧ୍ୟ ପୂର୍ବରୁ ହୋଇଥିବାରୁ ବଙ୍ଗଦେଶରେ ଛାପା ଓ ଗଦ୍ୟ ପୁସ୍ତକର ପ୍ରଚାର ମଧ୍ୟ ସେହିପରି ବହୁପୂର୍ବରୁ ହୋଇଅଛି । ଓଡ଼ିଶାର ଅବସ୍ଥା ଭିନ୍ନପ୍ରକାର । ବଙ୍ଗଦେଶ ସହିତ ତୁଳନା କଲେ, ଓଡ଼ିଶାର ଶିକ୍ଷା ନିତାନ୍ତ ଶୈଶବାବସ୍ଥାରେ ଥିବାର ସମସ୍ତେ ସ୍ୱୀକାର କରିବେ । ଏହି ଅଳ୍ପକାଳ ମଧ୍ୟରେ, ବିଶେଷତଃ ଗତ ଦଶ ଏଗାର ବର୍ଷ ମଧ୍ୟରେ ଓଡ଼ିଶାର ଗ୍ରାମମାନଙ୍କରେ ଶିକ୍ଷାର ଅବସ୍ଥା ଅନେକ ବଦଳିଅଛି । ନୂଆରୀତି ପ୍ରତି ଲୋକଙ୍କର ମନ କ୍ରମଶଃ ପକ୍ଷପାତୀ ହେଉଅଛି । ମାତ୍ର କାହାଣୀର ପିଠାଗଛ ପରି ଏହି ପରିବର୍ତ୍ତନ ଯେ ଏକାଦିନକେ ଅଙ୍କୁରିବ, ପଲ୍ଲବିବ, ବଉଳିବ ଏବଂ ଫଳିବ, ଏପରି ଆଶା କରିବା ନିତାନ୍ତ ଅସଙ୍ଗତ ଅଟେ । ଏ ବିଷୟରେ ଧୈାର୍ଯ୍ୟ ଆବଶ୍ୟକ । ଶିକ୍ଷକ ଏହିସବୁ ବିଷୟରେ ବାହାରେ ଗ୍ରାମବାସୀଙ୍କର ଅଧୀନ ନହୋଇ ପ୍ରକୃତରେ ସେମାନଙ୍କର ନେତା ହେବେ । ଆମ୍ଭେମାନେ ପଲ୍ଲୀଗ୍ରାମମାନଙ୍କରେ ଅନେକ ଚତୁର ଶିକ୍ଷକ ଦେଖିଅଛୁ ଯେଉଁମାନେ ପୁରୁଣା ଓ ନୂଆ ଉଭୟ ରୀତିକୁ ମିଶାଇ ଏମନ୍ତ ଭାବରେ ଶିକ୍ଷା ଦିଅନ୍ତି ଯେ ଲୋକ ପରିବର୍ତ୍ତନର ବେଗ ଆଦୈା ଅନୁଭବ ନକରି ଧୀରେ ଧୀରେ ନୂଆ ରୀତି ଆଡ଼କୁ ଚାଲି ଆସନ୍ତି । ଏହିପରି କୈାଣସି ଶିକ୍ଷକଙ୍କ ପାଠଶାଳାରେ ଦିନେ ଆମ୍ଭେମାନେ ଉପସ୍ଥିତ ହୋଇ ଛାତ୍ରମାନଙ୍କୁ ବନାନରେ ପରୀକ୍ଷା କର ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଆମ୍ଭେ ଅନେକ ଥର ସେ ପାଠଶାଳାର କର୍ଯ୍ୟ ଦେଖିଦେଲୁଁ, ମାତ୍ର ଶିକ୍ଷକଙ୍କୁ କୈାଣସି ଦିନ ବନାନ ଶିଖାଇବାର ଦେଖିନଥିଲୁଁ । ବିନା ଶିକ୍ଷାରେ ଏପରି ସଫଳ କିରୂପେ ଫଳିଲା, ଶିକ୍ଷକଙ୍କୁ ଏହା ପଚାରିବାର ସେ କହିଲେ, ‘‘ଗ୍ରାମର ଲୋକ ନୂଆ ରୀତିର ବନାନ ଶିକ୍ଷାକୁ ସୁଖ ପାଆନ୍ତି ନାହିଁ । ବନା ତୁଣ୍ଡରେ ନ ପଚାରି, ପିଲାଙ୍କୁ ଖଡ଼ିରେ ଧାଡ଼ି ଧାଡ଼ି କରି ଶବ୍ଦ ଲେଖାଏଁ । ବିଶେଷତଃ ଗ୍ରାମବାସୀମାନେ ଥିଲେ, ସେମାନଙ୍କର ନାମ, ସେମାନଙ୍କର ବନ୍ଧୁବାନ୍ଧବର ନାମ, ଦେବାଦେବୀଙ୍କର ନାମ ଲେଖାଏଁ ଏବଂ ଭୁଲ ସବୁ ଖଡ଼ିରେ ଗୋଲା କରିଦିଏଁ । ଏ ରାତିରେ ପିଲାମାନେ ବନାନ ଶିଖନ୍ତି, ଗ୍ରାମବାସୀମାନେ ମଧ୍ୟ ବିରକ୍ତ ହୁଅନ୍ତି ନାହିଁ ।

 

ତୃତୀୟ ପ୍ରସ୍ତାବ

 

ପାଠ୍ୟପୁସ୍ତକ ନିର୍ବାଚନ କରିବା ଶିକ୍ଷକତା କାର୍ଯ୍ୟର ଗୋଟିଏ ପ୍ରଧାନ ଅଙ୍ଗ । ଏଥିରେ ମଧ୍ୟ ଦେଶ- କାଳ- ପାତ୍ର ବୁଝି ଚଳିବାର ଉଚିତ୍ । କେଉଁ ଶ୍ରଣୀର ଛାତ୍ର ପଢିବେ, ସେମାନଙ୍କର ବୟସ କେଳେ, ସେମାନଙ୍କର କେତେଦିନଯାଏ ବିଦ୍ୟାଳୟରେ ରହିବାର ସମ୍ଭେବନା, କଣ ପଢିଲେ ଉତ୍ତର କାଳକୁ ସେମାନଙ୍କର କାର୍ଯ୍ୟରେ ଲାଗିବ, ଏ ବିଷୟମାନ ଶିକ୍ଷକମାନେ ପ୍ରାୟ ଆଦୈା ଭାବନ୍ତିନାହିଁ । ପ୍ରତ୍ୟେକ ଶ୍ରେଣୀର ବିଦ୍ୟାଳୟରେ ଏହି ତ୍ରୁଟି ଲକ୍ଷିତ ହୁଏ । ଯେଉଁ ପୁସ୍ତକରେ ଛାତ୍ରମାନଙ୍କର ଦନ୍ତସ୍ଫୁଟି ହେବ ନାହିଁ, ଏଭଳି ଅନେକ ପୁସ୍ତକ ଛାତ୍ରମାନଙ୍କୁ ପାଠ୍ୟପୁସ୍ତକରୂପେ ଦିଆଯାଏ । ଏଥିର କୁଫଳ ଏହା ସଙ୍ଗେ ସଙ୍ଗେ ଫଳେ । ଛାତ୍ରମାନେ ବର୍ଷ ମଧ୍ୟରେ ପୁସ୍ତକର ଆଠ ଦଶ ପୃଷ୍ଠାରୁ ଅଧିକ ପଢିପାରନ୍ତି ନାହିଁ, ପୁଣି ସେହି ଆଠ ଦଶ ପୃଷ୍ଠା ମଧ୍ୟରୁ ଅଳ୍ପ ସ୍ୱଳ୍ପ ଯାହା ପଢନ୍ତି ତାହା ବୁଝିପାରନ୍ତି ନାହିଁ । ଛାତ୍ରଙ୍କର ସମୟ ନଷ୍ଟହୁଏ, ଶିକ୍ଷକଙ୍କର ଯତ୍ନ ବିଫଳ ହୁଏ ଏବଂ ମନ୍ଦ ଫଳ ନିମିତ୍ତ ଶେଷକୁ ସେ ଦାୟୀ ହୁଅନ୍ତି। ପ୍ରତ୍ୟେକ ଶିକ୍ଷକଙ୍କର ବିଦ୍ୟାଳୟ ବ୍ୟବହାର୍ଯ୍ୟ ସମସ୍ତ ପୁସ୍ତକ ପଢି ସେଥି ମଧ୍ୟରେ କେଉଁ ଶ୍ରେଣୀପ୍ରତି କେଉଁ ପୁସ୍ତକ ଉପଯୋଗୀ ତାହା ପୂର୍ବରୁ ସ୍ଥିର କରିବାର ଉଚିତ ।

 

ପାଠଶାଳା ଶିକ୍ଷକଙ୍କ ପକ୍ଷରେ ପାଠ୍ୟପୁସ୍ତକ ନିର୍ବଚନ କରିବା ଅତି ସହଜ କଥା ନୁହେଁ । ଦେଶ-କାଳ-ପାତ୍ର ବୁଝି ସାବଧାନ ହୋଇ ପୁସ୍ତକ ବାଛିବାକୁ ହେବ-। ଗ୍ରାମ୍ୟଲୋକେ ଛାପା ପୁସ୍ତକ, ଗଦ୍ୟ ପୁସ୍ତକ, କଠିନ ସଂସ୍କୃତ ଶବ୍ଦପୂର୍ଣ୍ଣ ପୁସ୍ତକକୁ ସୁଖ ପାଆନ୍ତି ନାହିଁ । ତେଣୁ ଏମନ୍ତ ପୁସ୍ତକ ବାଛି ଦେବାକୁ ହେବ, ଯାହା ସେମାନେ ବୁଝିପାରି ପୁସ୍ତକଗତ ବିଷୟର ଆବଶ୍ୟକତା ନିଜେ ଜାଣିପାରିବେ-। ପାଠ୍ୟପୁସ୍ତକର ପଦ୍ୟାଂଶକୁ ଛାତ୍ରମାନଙ୍କୁ କଣ୍ଠସ୍ଥ କରାଇଲେ ଏବଂ ସେମାନଙ୍କ ଅଭିଭାବକମାନଙ୍କ ଆଗରେ ସେହି ପଦ୍ୟମାନ ଗାନ କରାଇଲେ ପୁସ୍ତକ ପ୍ରତି ଲୋକଙ୍କର ଆଦର ବଢିବ, ପଦ୍ୟାଂଶରେ ପ୍ରଲୋଭିତ ହୋଇ ସେମାନେ ଗଦ୍ୟାଂଶ ପ୍ରତି ଅନାସ୍ଥା ପ୍ରକାଶ କରିବେ ନାହିଁ ।

 

ଯେଉଁ ଶିକ୍ଷକ ଦେଶ-କାଳ-ପାତ୍ର ବୁଝି କାର୍ଯ୍ୟ କରନ୍ତି, ପାଠାଶାଳା ଛାତ୍ରମାନଙ୍କ ମଧ୍ୟରେ ମାନସାଙ୍କର ଉପଯୋଗିତା ସେ ଉତ୍ତମରୂପେ ଜାଣନ୍ତି । ଗ୍ରାମ୍ୟଲୋକ ମାନସାଙ୍କର ଅତ୍ୟନ୍ତ ପକ୍ଷପାତୀ । ଆପଣାର ସନ୍ତାନମାନଙ୍କୁ ମାନସାଙ୍କରେ ପଟୁ ଦେଖିଲେ ସେମାନେ ଶିକ୍ଷକଙ୍କର ଶିକ୍ଷାପ୍ରଣାଳୀକୁ ଆଦର କରନ୍ତି । ପ୍ରତ୍ୟେକ ଶିକ୍ଷକଙ୍କର ଏହା ସର୍ବଦା ମନେରଖି ପାଠଶାଳାରେ ମାନସଙ୍କର ଚର୍ଚ୍ଚା ନିୟମିତରୂପେ କରାଇବାର ଉଚିତ । ଯେଉଁ ଶିକ୍ଷକ ଛାନ୍ଦଗୀତ, ମାନସାଙ୍କ ଏବଂ ଜମିଦାରୀ-ସିରସ୍ତା ନିୟମିତରୁପେ ଶିକ୍ଷା ଦିଅନ୍ତି, ତାହାଙ୍କର ଶିକ୍ଷାପ୍ରତି ଗ୍ରାମବାସୀଙ୍କର ଯଥେଷ୍ଟ ଶ୍ରଦ୍ଧା ହୁଏ । ଏହି ଶ୍ରଦ୍ଧାର ସୁବିଧା ଗ୍ରହଣ କରି ଅନ୍ୟାନ୍ୟ ବିଷୟମାନ ଅତି ସହଜରେ ଶିକ୍ଷାଦିଆଯାଇପାରେ । ଅନେକ ଶିକ୍ଷକ ତାହା ନ କରି ଯେଉଁ ବିଷୟରେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ସେମାନଙ୍କର ସହାନୁଭୂତି ଆକର୍ଷଣ କରି ନ ପାରି, ଏହିପରି ବିଷୟମାନ ଅତ୍ୟନ୍ତ ଆଡ଼ମ୍ୱର ସହିତ ଶିକ୍ଷା ଦିଅନ୍ତି ଏବଂ ଗ୍ରାମବାସୀମାନେ ସେଥିପ୍ରତି ଅନାସ୍ଥା ଦେଖାଇଲେ ସେମାନଙ୍କର ଅଜ୍ଞତାକୁ ଉପହାସ କରନ୍ତି । ଦେଶ କାଳ ପ୍ରତି ଆଦୈା ଦୃଷ୍ଟି ନ କରି ଅନେକ ଅପରିମାଣଦର୍ଶୀ ଶିକ୍ଷକ ଏହିପ୍ରକାର ନିଜ ବ୍ୟବସାୟରେ ହେତୁ ଲୋକଙ୍କର ଆଗ୍ରହତା ଉପରେ ଆରୋପ କରନ୍ତି ।

 

ବର୍ତ୍ତମାନ ଶିକ୍ଷାପ୍ରଣାଳୀ

 

ଅଧିକାଂଶ ଲୋକଙ୍କର ସଂସ୍କାର ଏହି ଯେ କେବଳ ପୋଥି ଘୋଷିଲେ ଲୋକେ ଜ୍ଞାନୀ ଏବଂ ବିଦ୍ୱାନ ହୁଅନ୍ତି । ଆମ୍ଭାମାନଙ୍କ ଦେଶ ପୃଥିବୀରେ ଅତ୍ୟନ୍ତ ବିରଳ । ବୁଝ ବା ନ ବୁଝ, ତୁମ୍ଭେ ଯଦି କାହାଣେ ବା ଅଧିକାହାଣେ ମନ୍ତ୍ର, ଗୀତ କିମ୍ୱା ଶ୍ଳୋକ ପରଟାଇଥିବ, ତାହାହେଲେ ତୁମ୍ଭେ ସର୍ବତ୍ର ଜ୍ଞାନୀ ବୋଲି ସମାଦୃତ ହେବ । ଏହି କାରଣରୁ ଏ ଦେଶର ଅଧିକାଂଶ ବୈଦ୍ୟ, ପୁରୋହିତ ଓ ଶିକ୍ଷକମାନେ ଭୂୟୋଦର୍ଶନ ଏବଂ ବିଷୟଜ୍ଞାନ ପ୍ରତି କିଛିମାତ୍ର ମନୋଯୋଗ ନ ଦେଇ କେବଳ ଶ୍ଲୋକାଦିର ଆବୃତ୍ତିଦ୍ୱାରା ଲୋକମାନଙ୍କୁ ମୋହିତ କରିବାକୁ ଚେଷ୍ଟା କରନ୍ତି । ଚାଟଶାଳୀଠାରୁ ଉଚ୍ଚ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସର୍ବତ୍ର ପୋଥିଘୋଷ ପ୍ରଣାଳୀର ଆଧିପତ୍ୟ ଅକ୍ଷୁଣ୍ଣ ରହିଅଛି । ପୁସ୍ତକପାଠର ମୂଳ ଉଦ୍ଦେଶ୍ୟ ବୁଦ୍ଧିର ସ୍ଫୂର୍ତ୍ତ ସାଧନ କରିବା, ଧାରଣାଶକ୍ତି ଏବଂ ବିଷୟଜ୍ଞାନ ବର୍ଦ୍ଧିତ କରିବା । ଅଧିକାଂଶ ଶିକ୍ଷକ ଏହି ମହାନ୍‌ ଉଦ୍ଦେଶ୍ୟକୁ ପାସୋରିପକାଇ ପୋଥିଘୋଷାକୁ ସାରଶିକ୍ଷା ବୋଲି ମଣନ୍ତି । ଏହି ବିକୃତ ଶିକ୍ଷାପ୍ରଣାଳୀର ଅନିଷ୍ଟକର ଫଳ ଚାରିଆଡ଼େ ଲକ୍ଷିତ ହେଉଅଛି । ଯେ ବିଦ୍ୟାଳୟକୁ ଯାଅ, ଯେ ବିଷୟରେ ପରୀକ୍ଷା ଗ୍ରହଣ କର, ଦେଖିବ ଛାତ୍ରମାନଙ୍କର ବୁଦ୍ଧିବିକାଶ ବିଷୟରେ ଶିକ୍ଷକମାନଙ୍କର କିଛି ମାତ୍ରା ଆସ୍ଥା ନାହିଁ । ପାଠଶାଳାର ପରୀକ୍ଷୋତ୍ତୀର୍ଣ୍ଣ ଚାଟମାନେ ପଟ୍ଟା ବା କବୁଲିଅତ୍‌ ଲେଖିଦେବାକୁ କହ, ଦେଖିବ କୋଡିଏଜଣ ମଧ୍ୟରେ ଜଣେ ସୁଦ୍ଧା କୃତକାର୍ଯ୍ୟ ହୋଇପାରିବ କି ନାହିଁ, ସନ୍ଦେହର ବିଷୟ । ଛାତ୍ରମାନେ ଭୂଗୋଳର ନାମାବଳୀ ପଇଟାଇଅଛନ୍ତି, ମାତ୍ର କେଉଁସ୍ଥାନ କାହାର କେଉଁଆଡ଼େ କେତେଦୂରରେ ଅଛି, ତାହା ଅଧିକାଂଶ ଛାତ୍ର କହିପାରିବେ ନାହିଁ । କ୍ଷେତ୍ରତତ୍ତ୍ୱର ସଂଜ୍ଞା ଏବଂ ପ୍ରତିଜ୍ଞା ଛାତ୍ରମାନଙ୍କର କଣ୍ଠସ୍ଥ ଅଛି; କିନ୍ତୁ ତଦ୍‌ଘଟିତ ବୁଦ୍ଧି କଳିବା ଭଳି ଗୋଟିଏ ଯୋଡ଼ିଏ ପ୍ରଶ୍ନ ପଚାରିଲେ, ସେମାନେ ତୁଣ୍ଡ ଫିଟାଇବେ ନାହିଁ । କବିତା-ପୁସ୍ତକ ତିନି ଚାରିଖଣ୍ଡ ପଢ଼ା ସରିଲାଣି, ମାତ୍ର ଗୋଟିଏ ସହଜ କବିତା ବୁଝାଇବାକୁ କହ, ସେମାନେ ନାନା ଉପହସନୀୟ ଅର୍ଥ କହିବେ । କବିତାପାଠର ଉଦ୍ଦେଶ୍ୟ ସୌନ୍ଦର୍ଯ୍ୟଜ୍ଞାନକୁ କରିସ୍ଫୁଟ କରିବା; କିନ୍ତୁ ଦେଖିବ ପ୍ରାୟ କୌଣସି ଶିକ୍ଷକ ଛାତ୍ରମାନଙ୍କୁ ସୌନ୍ଦର୍ଯ୍ୟ ଅନୁଭବ କରିବାର ଶିକ୍ଷା ଦିଅନ୍ତି ନାହିଁ, ସୁତରାଂ ଛାତ୍ରମାନେ କଣ ପଢ଼ନ୍ତି ତାହା କିଛି ଜାଣନ୍ତି ନାହିଁ । ବ୍ୟାକରଣରୁ ଭରଣେ ସୂତ୍ର ପଢ଼ାହୋଇଅଛି, ମାତ୍ର ତାହା ପ୍ରୟୋଗ କରିବା ଭଳି ବ୍ୟୁତ୍ପତ୍ତି କିଛିମାତ୍ର ହୋଇନାହିଁ । ସଂକ୍ଷେପରେ କହିଲେ, ଛାତ୍ରମାନେ ସମସ୍ତ ବିଷୟକୁ କେବଳ କଣ୍ଠସ୍ଥ କରିବାର ସାମଗ୍ରୀ ମଣନ୍ତି ଏବଂ ଅନେକ ସ୍ଥଳରେ ପ୍ରଶ୍ନର ଉତ୍ତର ଦେଲାବେଳେ ସେମାନେ ଯାହା କହନ୍ତି, ତାହା ସେମାନେ ସ୍ୱୟଂ ବୁଝନ୍ତି ନାହିଁ ।

 

ପୁସ୍ତକର କିମ୍ବା ପୁସ୍ତକପାଠର ନିନ୍ଦା କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେ । ଆମ୍ଭମାନେ ପ୍ରଚଳିତ ଶିକ୍ଷାପ୍ରଣାଳୀର ଅସାରତା ଏବଂ ଅନୁପଯୋଗିତା ଦେଖାଉଛୁଁ । ପୋଥି ଘୋଷିବା କାର୍ଯ୍ୟକୁ ଜ୍ଞାନଲାଭ କରିବାର ପ୍ରଶସ୍ତ ବୋଲି ମଣିବା ବିଷମ ଭ୍ରମ ଅଟେ । ପୁସ୍ତକମାନେ ଯନ୍ତ୍ରସ୍ୱରୂପ । ଯେପରି ଆମ୍ଭରି ଚକ୍ଷୁ ଦୂରବୀକ୍ଷଣାଦି ଯନ୍ତ୍ର ସାହାର୍ଯ୍ୟରେ ଅମୂଲ୍ୟ ଜ୍ଞାନଲାଭକରେ; କିନ୍ତୁ ଚକ୍ଷୁର ଚାଳନା ବ୍ୟତିରେକେ ଦୂରବୀକ୍ଷଣ ଯନ୍ତ୍ର ଯେପରି କୌଣସି କାର୍ଯ୍ୟକୁ ଆସେ ନାହିଁ, ସେହିପରି ମନୋବୃତ୍ତିମାନଙ୍କ ଯଥାଯୋଗ୍ୟ ଚାଳନା ବିନା ପୁସ୍ତକ ପଠନ ନିଷ୍ଫଳ ହୁଏ । ଅତଏବ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ, ଛାତ୍ରମାନଙ୍କର ମାନସିକ ବୃତ୍ତିମାନଙ୍କର ଉତ୍କର୍ଷ ସାଧନା କରିବା । ଯେଉଁ ଶିକ୍ଷକ ଏହି ସୁମହାନ୍‌ ଉଦ୍ଦେଶ୍ୟ ହୃଦୟଙ୍ଗମ କରି, ଛାତ୍ରମାନଙ୍କର ବୁଦ୍ଧି, ବିବେକ ଏବଂ ହୃଦୟକୁ ସୁଶିକ୍ଷିତ ଏବଂ ଉନ୍ନତ କରିବା ବିଷୟରେ ସର୍ବଦା ଯତ୍ନଶୀଳ ହେବେ ତାହାଙ୍କର ଜୀବନ ଧନ୍ୟ ହେବ ।

 

ଆମ୍ଭମାନଙ୍କ ଦେଶରେ ଯେଉଁମାନେ ସାମାନ୍ୟ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କାର୍ଯ୍ୟ କରୁଅଛନ୍ତି, ସୁତରାଂ ସେମାନେ ନିଜ କାର୍ଯ୍ୟର ଗୌରବ ବୁଝିବାକୁ ଏକାନ୍ତ ଅକ୍ଷମ ଅଟନ୍ତି । ଆମ୍ଭେମାନେ ପରିଦର୍ଶକ-କର୍ମଚାରୀମାନଙ୍କୁ ବିନୀତଭାବରେ ପ୍ରାର୍ଥନା କରୁଅଛୁଁ ଯେ ସେମାନେ ସର୍ବଦା ଶିକ୍ଷକମାନଙ୍କର ଚିନ୍ତାକୁ ଜାଗ୍ରତ କରନ୍ତୁ, ସେମାନଙ୍କର ଜ୍ଞାନସ୍ପୃହାକୁ ଉଦ୍ଦୀପିତ କରନ୍ତୁ ଏବଂ ସେମାନଙ୍କ ନିକଟରେ ଅଧ୍ୟାପନାର ପ୍ରକୃତ ଆଦର୍ଶ ଉପସ୍ଥାପିତ କରି ସେମାନଙ୍କର ପଢ଼ାଇବା ପ୍ରଣାଳୀର ମାନ ବୁଦ୍ଧି କରାଉନ୍ତୁ ।

 

ଶିକ୍ଷକମାନଙ୍କର ଅଧ୍ୟାପନ-ପ୍ରଣାଳୀ ଏବଂ ସେମାନଙ୍କର ପ୍ରଶ୍ନ ପଚାରିବା ପଦ୍ଧତିକୁ ମାର୍ଜିତ କରିବା ଅଭିପ୍ରାୟରେ ଭୂଗୋଳ, ଗଣିତ, ସାହିତ୍ୟ, କ୍ଷେତ୍ରତତ୍ତ୍ୱ ପ୍ରଭୃତି ବିଷୟରେ କେତେଖଣ୍ଡ ଆଦର୍ଶ ପ୍ରଶ୍ନାବଳୀ ପୁସ୍ତକ ପ୍ରକାଶିତ ହୋଇଅଛି; କିନ୍ତୁ ଦୁଃଖର ବିଷୟ ଯେ ଅଧିକାଂଶ ଶିକ୍ଷକ ତାହାକୁ ବ୍ୟବହାର କରନ୍ତି ନାହିଁ । ପୁଣି ଯେଉଁ ଅଳ୍ପସଂଖ୍ୟାକ ଶିକ୍ଷକ ତାହାକୁ ବ୍ୟବହାର କରନ୍ତି, ସେମାନେ ସେଥିରେ ଅତି ଅଳ୍ପ ଅଂଶ ମାତ୍ର ବ୍ୟବହାର କରି ନିଶ୍ଚିନ୍ତ ଥାନ୍ତି । ପ୍ରଦର୍ଶିତ ରୀତି ଅନୁସାରେ ସ୍ୱୟଂ ନାନାବିଧ ପ୍ରଶ୍ନ ସଂଗଠନ କରି ଛାତ୍ର ପରୀକ୍ଷା କରିବା ବିଷୟରେ ସେମାନେ କିଛିମାତ୍ର ଯତ୍ନ କରନ୍ତି ନାହିଁ । ଆମ୍ଭେମାନେ ଆଶା କରୁଁ ପ୍ରତ୍ୟେକ ବିଷୟରେ ସ୍ୱୟଂ ଖଣ୍ଡେ ଖଣ୍ଡେ ପ୍ରଶ୍ନାବଳୀ ପୁସ୍ତକ ରଚନା କରି ନିଜ ବିଦ୍ୟାଳୟରେ ବ୍ୟବହାର କରିବାକୁ ଶିକ୍ଷା କରିବେ । ପରିଦର୍ଶକ-କର୍ମଚାରୀମାନେ ଏ ବିଷୟରେ ମନୋଯୋଗୀ ହେଲେ, ଶୀଘ୍ର ଆଶାନୁରୂପେ ଉନ୍ନତି ଲକ୍ଷିତ ହେବ ।

 

ଭୂଗୋଳ ଶିକ୍ଷା

ପ୍ରଥମ ପ୍ରସ୍ତାବ

 

ଜଣେ ବହୁଦର୍ଶୀ ଏବଂ ଅଭିଜ୍ଞ ଶିକ୍ଷକ ଭୂଗୋଳ-ଶିକ୍ଷାର ନିମ୍ନଲିଖିତ ଉପକାରମାନ ନିର୍ଦ୍ଦେଶ କରିଅଛନ୍ତି । ପ୍ରଥମଃ, ଛାତ୍ରମାନେ ବର୍ଣ୍ଣିତ ସ୍ଥାନମାନଙ୍କର ବିବରଣ ଶିକ୍ଷା କରି ପ୍ରୟୋଜନ ଅନୁସାରେ ....

 

X            X             X

 

ଦ୍ୱିତୀୟ ପ୍ରସ୍ତାବ

 

ଆମ୍ଭେମାନେ ଏଥିପୂର୍ବେ ଲେଖିଅଛୁଁ ଯେ ବହୁ ଅଶ୍ରୁତପୂର୍ବ ଦେଶମାନଙ୍କର ବିବରଣ ନ ଶିଖାଇ ନିଜ ଗ୍ରାମର ଓ ନିଜ ଦେଶର ଭୂଗୋଳ-ଶିକ୍ଷା ଦେବାର ଉଚିତ ଅଟେ । ଭୂଗୋଳ-ଶିକ୍ଷା କିପରି ରୀତିରେ ଆରମ୍ଭ କରିବାକୁ ହେବ, ତାହା ଆମ୍ଭେମାନେ ପୂର୍ବସଂଖ୍ୟାରେ ପ୍ରଦର୍ଶନ କରିଅଛୁଁ । ବର୍ତ୍ତମାନ ମାନଚିତ୍ର ବ୍ୟବହାର ବିଷୟ ଆଲୋଚନା କରିବୁଁ ।

 

ଆମ୍ଭେମାନେ ସ୍ୱଚକ୍ଷୁରେ ଯେଉଁମାନେ ସ୍ଥାନ ସଂଦର୍ଶନ କରୁଁ, ସେଥିର ପ୍ରତିରୂପ ସହଜରେ ମନଶ୍ଚକ୍ଷୁରେ ରହିଯାଏ । ସେହି ସବୁ ସ୍ଥାନ କଥା ମନରେ ଆସିଲାକ୍ଷଣି, ସେଥିର ପ୍ରତିରୂପ ଚକ୍ଷୁସମକ୍ଷରେ ନୃତ୍ୟ କରିଥାଏ । କେଉଁସ୍ଥାନ କେଉଁଠାରେ, କାହାର କିଏ କେଉଁ ଦିଗରେ ଅବସ୍ଥିତ, କିଏ ଆକାଶରେ ବଡ଼ ଅଥବା ସାନ ଇତ୍ୟାଦି ବିଷୟରେ ଜ୍ଞାନ ଉଜ୍ଜ୍ୱଳ ରହିଥାଏ । ଅତଏବ ପ୍ରତ୍ୟକ୍ଷଦର୍ଶନ ଭୂଗୋଳ-ଜ୍ଞାନ-ଶିକ୍ଷାର ସର୍ବୋକୃଷ୍ଟ ଉପାୟ ଅଟେ । କିନ୍ତୁ ପୃଥିବୀର ଅଧିକାଂଶ ଲୋକଙ୍କ କକ୍ଷରେ ଏପରି ଶିକ୍ଷାଲାଭ କରିବା ଅସମ୍ଭବ ଅଟେ । ଅତଏବ ଯେଉଁମାନେ ପ୍ରତ୍ୟକ୍ଷ ଦର୍ଶନଦ୍ୱାରା ଭୂଗୋଳଜ୍ଞାନ ଅର୍ଜନ କରିଅଛନ୍ତି, ସେମାନେ ଦେଶମାନଙ୍କର ଯେଉଁ ଚିତ୍ରରୂପ ପ୍ରିତରୂପ ଅଙ୍କନ କରିଅଛନ୍ତି ଏବଂ ଯେଉଁସବୁ ବିବରଣ ଲେଖିଯାଇଅଛନ୍ତି, ତାହାରି ଆଲୋଚନା ଆମ୍ଭମାନଙ୍କ ଭୂଗୋଳ-ଶିକ୍ଷାର ଏକମାତ୍ର ଉପାୟ । ଯେପରି ଦେଶମାନ ସ୍ୱଚକ୍ଷୁରେ ଦେଖିଲେ, ସ୍ଥାନମାନଙ୍କର ଆପେକ୍ଷିକ ଅବସ୍ଥାନ; ଦୂରତ୍ୱ ପ୍ରଭୃତି ବିଷୟ ମନମଧ୍ୟରେ ଉଜ୍ଜଳରୂପେ ମୁଦ୍ରିତ ହୋଇ ରହିଯାଏ, ସେହିପରି ମାନଚିତ୍ରମାନ ମନୋଯୋଗପୂର୍ବକ ଆଲୋଚନା କଲେ— ନଗର, ଗ୍ରାମ, ପର୍ବତ, ନଦୀ, ହ୍ରଦ, ସାଗର ପ୍ରଭୃତିର ଆପେକ୍ଷିକ ଅବସ୍ଥାନ, ପରିମାଣ ଓ ଦୂରତ୍ୱ ପ୍ରଭୃତି ବିଷୟରେ ଆମ୍ଭମାନଙ୍କ ମବନରେ ପ୍ରକୃତ ଜ୍ଞାନ ଜନ୍ମେ । ମାନଚିତ୍ରଦ୍ୱାରା ଶିକ୍ଷା ନ କଲେ ଭୂଗୋଳ ସମ୍ଭନ୍ଧୀୟ ପ୍ରକୃତ ଜ୍ଞାନ ଜନ୍ମି ନ ପାରେ । ଆମ୍ଭେମାନେ ନିମ୍ନରେ ମାନଚିତ୍ର-ବ୍ୟବହାର ଓ ମାନଚିତ୍ର-ଶିକ୍ଷା ବିଷୟରେ କତିପୟ ନିୟମ ଇଂରାଜୀ ଓ ବଙ୍ଗଳା ପୁସ୍ତକରୁ ସଂଗ୍ରହ କଲୁଁ ।

 

(କ) ମାନଚିତ୍ର-ବ୍ୟବହାର

 

୧। ମାନଚିତ୍ରକୁ ଟଙ୍ଗାଇ, ସେଥିର ଦିଗ୍‌ବିଦିକ୍‌ ଅର୍ଥାତ୍‌ ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ, ବାୟୁ- ଅଗ୍ନି, ନୈର୍ଋତ-ଈଶାନ ପ୍ରଭୃତି ଶବ୍ଦ ଉତ୍ତମରୂପ ବୁଝାଇ ଦେବାକୁ ହେବ । ମୁଦ୍ରିତ ମାନଚିତ୍ର ନଥିଲେ ଶିକ୍ଷକ ନିଜେ ବୋର୍ଡ଼ରେ ମାନଚିତ୍ର ଅଙ୍କିତ କରି ଛାତ୍ରମାନଙ୍କୁ ଶିକ୍ଷା ଦେବେ ।

 

୨। ଶିକ୍ଷକ ଛାତ୍ରମାନଙ୍କୁ ଯେଉଁ ପାଠ ଦେବେ, ସେଥିରେ ଥିବା ସ୍ଥାନମାନ ନିଜେ ଗୋଟି ଗୋଟି କରି ଛାତ୍ରମାନଙ୍କୁ ଦେଖାଇଦେବେ ।

 

୩। ପ୍ରତ୍ୟେକ ଛାତ୍ର ନିଜେ ମାନଚିତ୍ର ନିକଟକୁ ଆସି ଶିକ୍ଷକଙ୍କ ସମୀପରେ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକର ନାମ ଉଚ୍ଚାରଣ କରି ଗୋଟି ଗୋଟି କରି ଦେଖାଇଦେବେ ।

୪। ଶିକ୍ଷକ ତହିଁ ଉତ୍ତାରେ କେଉଁ ସ୍ଥାନ କେଉଁ ଦିଗରେ, କେଉଁ ଦେଶ ବା ପର୍ବତ ବା ହ୍ରଦ ବା ଦ୍ୱୀପର ଆପେକ୍ଷିକ ପରିମାଣ, ପ୍ରଭୃତି ନାନା ବିଷୟରେ ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିବେ ।

 

୫। ଶିକ୍ଷକ ତହିଁ ଉତ୍ତାରେ ଯଥେଚ୍ଛାନୁସାରେ ସ୍ଥାନମାନଙ୍କର ନାମ ଉଚ୍ଚାରଣ କରି, ତାହା ଦେଖାଇଦେବା ନିମିତ୍ତ ଛାତ୍ରମାନଙ୍କୁ ଆଦେଶ ଦେବେ । କୈାଣସି ଛାତ୍ର ନ ପାରିଲେ, ତାହାର ପରବର୍ତ୍ତୀ ଛାତ୍ର ଆହୂତ ହେବ ।

 

୬। ଏଥି ଉତ୍ତାରେ ଛାତ୍ରମାନେ ମାନଚିତ୍ର ନ ଦେଖି ସ୍ଥାନମାନଙ୍କର ଆପେକ୍ଷିକ ଅବସ୍ଥାନ ପ୍ରଭୃତି ବିଷୟକ ପ୍ରଶ୍ନର ଉତ୍ତର କରିବାକୁ ଆଦିଷ୍ଟ ହେବେ ।

 

Unknown

(ଖ) ମାନଚିତ୍ର ଅଙ୍କନ

 

୧। ମୁଦ୍ରିତ ମାନଚିତ୍ର ଅଥବା ଶିକ୍ଷକଙ୍କ କର୍ତ୍ତୃକ ବୋର୍ଡ଼ରେ ଅଙ୍କିତ ମାନଚିତ୍ରକୁ ଦେଖି ଛାତ୍ରମାନେ ସ୍ଲେଟରେ ସେଥିର ପ୍ରତିରୂପ ଅଙ୍କନ କରିବାକୁ ଶିକ୍ଷା କରିବେ । ପ୍ରଥମେ ମୋଟାମୋଟି ଭାବରେ ଅଙ୍କନ କରିବାର ଶିକ୍ଷାଦେବାର ଉଚିତ । ସୂକ୍ଷ୍ମ ରେଖାମାନ ପ୍ରଥମ ଛାଡ଼ିଦେବାକୁ ହେବ, କେବଳ ଦେଶର ସୀମା ନିର୍ଦ୍ଦେଶକ ରେଖାଗୁଡ଼ିକ ଅଙ୍କିତ କରାଇବାକୁ ହେବ । ତହିଁ ଉତ୍ତାରେ ପ୍ରଦେଶର ସୀମା, ପର୍ବତ, ନଦୀ, ନଗର ପ୍ରଭୃତି କ୍ରମେ କ୍ରମେ ଅଙ୍କିତ କରାଇବାକୁ ହେବ ।

 

୨ । ଶିକ୍ଷକ ପ୍ରତ୍ୟେକ ଛାତ୍ରର ମାନଚିତ୍ରକୁ ସଂଶୋଧନ କରିଦେବେ ଏବଂ ଯେତେବେଳଯାଏ ଛାତ୍ର ଶୁଦ୍ଧରୂପେ ଅଙ୍କନ କରି ନ ପାରିବ, ତେତେବେଳଟାଏ ତାହାକୁ ସଂଶୋଧନ କରିଦେଉଥିବେ ।

୩ । ଛାତ୍ରମାନେ ମାନଚିତ୍ର ନ ଦେଖି ପ୍ରତିରୂପ ଅଙ୍କିତ କରିବେ ଏବଂ ଶିକ୍ଷକ ସଂଶୋଧନ କରିଦେବେ ।

 

ଶିକ୍ଷାପ୍ରଣାଳୀ

 

ଆମ୍ଭେମାନେ ଏଥିପୂର୍ବେ ବର୍ତ୍ତମାନ ଶିକ୍ଷାପ୍ରଣାଳୀର କତିପୟ ଦୋଷ ଦେଖାଇଅଛୁଁ । ଆଶା କରୁଁ ଶିକ୍ଷକମାନେ ସେହି ଦୋଷମାନ ପରିହାର କରିବାପାଇଁ ଯତ୍ନବାନ ହେବେ । ବର୍ତ୍ତମାନ ପ୍ରକୃତ ଶିକ୍ଷା ସମ୍ବନ୍ଧରେ କେତେଗୁଡ଼ିଏ ନିୟମ ନିର୍ଦ୍ଦେଶ କରିବୁଁ ।

 

ପ୍ରକୃତ ଯେଉଁ ନିୟମ ଅନୁସାରେ ଅସହାୟ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରେ, ତାହାଇ ଆମ୍ଭମାନଙ୍କର ଆଦର୍ଶସ୍ଥଳ ଅଟେ । ସେହି ସ୍ୱାଭାବିକ ନିୟମ ଅନୁସରି ଶିକ୍ଷା ପ୍ରଦାନ କରିବା ଶିକ୍ଷକର ସର୍ବପ୍ରଧାନ କର୍ତ୍ତବ୍ୟ । ଶିଶୁମାନଙ୍କର ବୁଦ୍ଧି କିପରି କ୍ରମରେ ବିକଶିତ ହୁଏ, ସେମାନଙ୍କର ଶରୀର କିପରି ନିୟମରେ ପରିବର୍ଦ୍ଧିତ ହୁଏ, ତାହା ଅଧିକାଂଶ ଲୋକେ ବୁଝନ୍ତି ନାହିଁ । ଅନେକଙ୍କର ସଂସ୍କାର ଏହି ଯେ ବାଳକମାନଙ୍କୁ ଅତି ଶ୍ରୀଘ୍ର ଅନେକ ବିଷୟ ଶିଖାଇ ଦେବାର ଉଚିତ । ଏହି ସଂସ୍କାରର ବଶବର୍ତ୍ତୀ ହୋଇ ସେମାନେ ସୁକୁମାରମତି ବାଳକମାନଙ୍କୁ ସର୍ବଦା ପଢ଼ିବା କାର୍ଯ୍ୟରେ ନିଯୁକ୍ତ ରଖିଥାନ୍ତି । କିନ୍ତୁ ଏପରି ପ୍ରକ୍ରିୟା ଅବଲମ୍ବନ କଲେ ବିପରୀତ ଫଳ ଦେଖାଯାଏ । ଅତଏବ ବାଳକମାନଙ୍କୁ ଏପରି ଶିକ୍ଷା ଦେବାର ଉଚିତ ଯାହା ସେମାନଙ୍କ ବୁଦ୍ଧିର ଉପଯୋଗୀ ହେବ ।

 

ପ୍ରଥମରେ ବାଳକମାନଙ୍କୁ ଯେଉଁସବୁ ଶବ୍ଦ ଅଭ୍ୟାସ କରାଇବାକୁ ହେବ, ସେହି ଶବ୍ଦମାନ ଯେଉଁ ଯେଉଁ ବସ୍ତୁ ବା ବିଷୟରେ ପ୍ରକାଶକ, ସେହି ବସ୍ତୁ ଓ ବିଷୟଗୁଡ଼ିକ ସେମାନେ ଯେପରି ଉଜ୍ଜ୍ୱଳରୂପେ ଉପଲବ୍‌ଧି କରିପାରିବେ, ସେଥିପାଇଁ ସର୍ବଦା ଯତ୍ନ କରିବାକୁ ହେବ; ନତୁବା କେତେଗୁଡ଼ିଏ ଅବୋଧ୍ୟ ନୀରସ ଶବ୍ଦମାଳା ପଢ଼ାଇଲେ, ଛାତ୍ରମାନଙ୍କର ସେଥିପ୍ରତି ରୁଚି ହେବ ନାହିଁ-। ସୁତରାଂ ଛାତ୍ରମାନେ ବିଦ୍ୟାରମ୍ଭ ସମୟରୁ ଅମନୋଯୋଗୀ ହେବାକୁ ଶିକ୍ଷା କରିବେ । ଛାତ୍ରମାନଙ୍କ ବୁଦ୍ଧିଶକ୍ତିର ସୀମା ଭିତରେ ଅନେକ ବିଷୟ ଅଛି, ଯାହା ସମ୍ବନ୍ଧରେ ଅନେକ ଉପକାରଜନକ ଶିକ୍ଷା ଦିଆଯାଇପାରେ । ବିଦ୍ୟାଳୟମାନଙ୍କରେ ଯେଉଁସବୁ ବର୍ଣ୍ଣବୋଧକ ପୁସ୍ତକ ପ୍ରଚଳିତ ଅଛି, ସେଥିରେ ପ୍ରଧାନ ଦୋଷ ଏହି ଯେ ସେଗୁଡ଼ିକ କଠିନ ଦୁର୍ବୋଧ୍ୟ ଶବ୍ଦରେ ପରିପୂର୍ଣ୍ଣ । ଏହି ଦୋଷ ଦୁର କରିବା ନିମିତ୍ତ ଶିକ୍ଷାବିଭାଗର ଚେଷ୍ଟା କରିବା ଏକାନ୍ତ କର୍ତ୍ତବ୍ୟ ଅଟେ ।

 

ଦ୍ୱିତୀୟତଃ, ବାଳକମାନଙ୍କୁ ଆଗେ ବିଶେଷ ବିଶେଷ ଉଦାହରଣ ବା ଦୃଷ୍ଟାନ୍ତ ଦେଖାଇଲା ଭତ୍ତାରେ କୌଣସି ସାଧାରଣ ସଂଜ୍ଞା ବା ସାଧାରଣ ବିଧି ଶିଖାଇବ । ଏଭଳି ପ୍ରକ୍ରିୟା କଲେ ଛାତ୍ରମାନେ ସହଜରେ ଏବଂ ଉଚିତ କ୍ରମରେ ସଂଜ୍ଞା ବା ବିଧିର ଅର୍ଥ ବୁଝିପାରିବେ । ବିଦ୍ୟାଳୟମାନଙ୍କରେ ଏଥିର ବିପରୀତ ପ୍ରକ୍ରିୟା ଅବଲମ୍ବିତ ହୁଏ । ଭୂଗୋଳ ଓ କ୍ଷେତ୍ରତ୍ତ୍ୱର ସଂଜ୍ଞା, ବ୍ୟାକରଣର ସୂତ୍ର ଓ ସଂଜ୍ଞା ଏବଂ ଅନ୍ୟାନ୍ୟ ବିଷୟର ସାଧାରଣ ତତ୍ତ୍ୱମାନ ଅଧିକାଂଶ ଛାତ୍ର ବୁଝିନଥାନ୍ତି । କାହୁଁ ବୁଝିବେ ? ଶିକ୍ଷକ ନାନା ଦୃଷ୍ଟାନ୍ତଦ୍ୱାରା ସେମାନଙ୍କ ମନରେ ସଂଜ୍ଞା ବା ସୂତ୍ରର ବିଷୟ ଆଗରୁ ମୁଦ୍ରିତ କରିଦେଇନଥାନ୍ତି; ସୁତରାଂ ଛାତ୍ରମାନେ କିଛିମାତ୍ର ବୁଝିନପାରି କେବଳ କେତେଗୁଡ଼ିଏ ବାକ୍ୟ କଣ୍ଠସ୍ଥ କରି ରଖିଥାନ୍ତି । ଏପରି ପ୍ରକ୍ରିୟାଦ୍ୱାରା କିପରି ଅନିଷ୍ଟ ହେଉଅଛି, ତାହା ଚିନ୍ତା କଲେ ମନ ଏକାବେଳକେ ହତାଶ ହୋଇଯାଏ ।

 

ତୃତୀୟତଃ, ବାଳକମାନଙ୍କର ଅତିଶୟ ମାନସିକ ପରିଶ୍ରମ କରିବାର ଉଚିତ ନୁହେ । ଅନେକ ଲୋକ ସେମାନଙ୍କର ପିଲାମାନଙ୍କୁ ଦିବାରାତ୍ର ପୁସ୍ତକ ଘୋଷିବା କାର୍ଯ୍ୟରେ ନିଯୁକ୍ତ କରନ୍ତି-। ସେମାନେ ଆଶା କରନ୍ତି ପିଲାମାନେ ସବୁବେଳେ ପାଠର ଚର୍ଚ୍ଚା କଲେ ଅଳ୍ପକାଳ ମଧ୍ୟରେ ବିଦ୍ୱାନ ହୋଇଯିବେ । କିନ୍ତୁ ସେମାନଙ୍କର ଏହି ଆଶା ଅମୂଳକ ଅଟେ, କାରଣ ଯାହାର ଯେପରି ଶକ୍ତି ସେ ତହିଁରୁ ଅତିରତକ୍ତ ପରିଶ୍ରମ କଲେ ସ୍ୱଭାବତଃ ତାହାର ବୁଦ୍ଧି ଦୁର୍ବଳ ଏବଂ ନିସ୍ତେଜ ହୋଇଯାଏ । ଶରୀର ଓ ମନର ଏପରି ପରସ୍ପର ସମ୍ବନ୍ଧ ଯେ ଶାରୀରିକ ବଳ ନଥିଲେ, ବୁଦ୍ଧି ସମ୍ୟକ୍‌ରୂପେ ପରିଚାଳିତ ହୋଇନପାରେ-। ଅତଏବ-ମାନସିକ ଉନ୍ନିତ ନିମିତ୍ତ ଶରୀରର ପୁଷ୍ଟି ଏକାନ୍ତ ଆବଶ୍ୟକ ।

 

ଶିକ୍ଷାର ମୁଖ୍ୟ ଉଦେଶ୍ୟ

(ଶିକ୍ଷକମାନଙ୍କ ପ୍ରତି)

 

ଶିକ୍ଷାକାର୍ଯ୍ୟର ଉଦ୍ଦେଶ୍ୟ କଣ ଏବଂ କି ନିମନ୍ତେ ବାଳକବାଳିକାମାନଙ୍କୁ ଶିକ୍ଷା ଦିଆଯାଏ ତାହା ପ୍ରତ୍ୟେକ ଶିକ୍ଷକଙ୍କର ଅବଶ୍ୟ ଜାଣିବା କର୍ତ୍ତବ୍ୟ । କେହି କେହି ମନେକରିପାରନ୍ତି ଯେ ଏଡ଼େ ସହଜ ବିଷୟଟା ଅବା କାହାକୁ ଜଣାନାହିଁ ଯେ ଏହା ପୁଣି ଆଜି ଆମ୍ଭମାନଙ୍କୁ ଶିକ୍ଷା କରିବାକୁ ହେବ ! ସତ୍ୟ, ଯଦି ଶିକ୍ଷାକାର୍ଯ୍ୟର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଥାଏ ତାହାହେଲେ ଆଉ ଏ ବିଷୟଟା ବଡ଼ ସାମାନ୍ୟ ନୁହେ ବରଂ ଅତି ଗୁରୁତର । ଆଉ ଗୋଟିଏ କଥା— ଅନେକେ ଯାହାକୁ ଶିକ୍ଷାକାର୍ଯ୍ୟର ଉଦ୍ଦେଶ୍ୟ ବୋଲନ୍ତି ତାହା ପ୍ରକୃତରେ ଉଦ୍ଦେଶ୍ୟ ନୁହେ, ପୁଣି କେତେକ ଲୋକ ପ୍ରକୃତ ଉଦ୍ଦେଶ୍ୟ ବୁଝି, କାର୍ଯ୍ୟର ଗୁରୁତ୍ୱ ଜାଣି, ସ୍ୱୀୟ ଦାୟୀତ୍ୱ ଅନୁଭବ କରି ସୁଦ୍ଧା କାର୍ଯ୍ୟ କରନ୍ତି ନାହିଁ । ଦୁଃଖର ବିଷୟ କେତେ ଲୋକ ଭାବନ୍ତି ଯେ ଛାତ୍ରମାନେ ପଢନ୍ତୁ ଅବା ନ ପଢନ୍ତୁ କୈାଣସି ପ୍ରକାରେ ‘ପାସ’ କରିଗଲେ ସେମାନଙ୍କ ପାଇଟି ସରିଲା । ତେଣିକି ପିଲାମାନେ ଯାହା ଇଚ୍ଛା ତାହା ହେଉନ୍ତୁ ପଛକେ, ସେମାନେ ତାହା ଲାଗି ଦାୟୀ ବୋଲି ବିବେଚନା କରନ୍ତି ନାହିଁ ; କିନ୍ତୁ ଏ ପ୍ରକାର ମନେକରିବା ନିତାନ୍ତ ଅଯୈାକ୍ତିକ, କିପାଁ କି ପିତାମାତା ଅଥବା ବାଳକର ଅପର କେହି ଅଭିଭାବକ କି କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବାପାଇଁ ପିଲାକୁ ତୁମ୍ଭ ହସ୍ତରେ ସମର୍ପଣ କରିଦେଇଥିଲେ; ନା ସେମାନଙ୍କର ଅନ୍ୟ କୈାଣସି ଉଦ୍ଦେଶ୍ୟ ଥିଲା ? ରାମକୁ ମୋହର ମନୁଷ୍ୟ କରିଦିଅ— ହରି କିପରି ମନୁଷ୍ୟ ହେବ ତାହା ଦେଖ, ଇତ୍ୟାକାରରେ କେହି କିଛି ତୁମ୍ଭଙ୍କୁ କହିନାହିଁ କି ? ‘‘ମନୁଷ୍ୟ କରିଦିଅ’’ , ‘‘କି ପ୍ରକାରେ ମନୁଷ୍ୟ ହେବ ତାହା ଦେଖ’’ ଏହା କହିଲେ କଣ ବୁଝିବାକୁ ହେବ ? ମନୁଷ୍ୟ ଶବ୍ଦର ଅର୍ଥ କଣ ? ରାମ ଅଥବା ହରି କଣ ମନୁଷ୍ୟ ନୁହନ୍ତି ଯେ ତୁମ୍ଭେ ମାନଙ୍କୁ ମନୁଷ୍ୟ କରିଦେବ ? ଅବୟବ ଏବଂ ଆକୃତିାରେ ତ ସେମାନେ ଅବିକଳ ମନୁଷ୍ୟ ସଦୃଶ୍ୟ— ତେବେ ଆଉ ସେମାନଙ୍କୁ କିପରି ମନୁଷ୍ୟ କରିବ ? ନା, — ଏଠାରେ ଆକୃତିର କଥା ପଡ଼ିନାହିଁ ; ହସ୍ତପଦାଦି ଅବୟବର କଥା ହେଉନାହିଁ, ଏଠାରେ ମନୁଷ୍ୟ ଶବ୍ଦେର ଅର୍ଥ ସାଧାରଣ ଅର୍ଥରୁ କିଞ୍ଚିତ୍‌ ବିଭିନ୍ନ । ହସ୍ତପଦାଦି ଅଙ୍ଗବିଶିଷ୍ଟ ମନୁଷ୍ୟର କଥା ଏଠାରେ ହେଉନାହିଁ; ବିବେକ ବୁଦ୍ଧି ଓ ଜ୍ଞାନସମ୍ପନ୍ନ ମନୁଷ୍ୟର କଥା ଏଠାରେ ପଡ଼ିଅଛି ।

 

ସମସ୍ତେ ଅବଶ୍ୟ ମନେରଖିବେ ଯେ ବିଦ୍ୟାଳୟରେ ଶିକ୍ଷିତବ୍ୟ କେତେକ ବିଷୟ ଶିକ୍ଷା କରି କିଞ୍ଚିତ ବ୍ୟୁତ୍ପତ୍ତି ଲାଭ କଲେ ଯେ ଶିକ୍ଷାର ଚରମ ଫଳ ଲାଭ ହେଲା ଏମନ୍ତ ନୁହେ । ସଂସାରଯାତ୍ରା ନିର୍ବାହ କରିବାର କ୍ଷମତାଲାଭ ଶିକ୍ଷାକାର୍ଯ୍ୟରେ ପ୍ରକୃତ ଉଦ୍ଦେଶ୍ୟ ଅଟେ । ନିଜେ ସ୍ୱାଧୀନ ଭାବରେ ରହି ସମାଜର ଉପକାର କରିବ ଏବଂ ସ୍ୱୟଂ ଆନ୍ତରିକ ସୁଖରେ ସୁଖୀ ହେବ ଏହି ଉଦ୍ଦେଶ୍ୟ ସଂସାଧନ ନିମନ୍ତେ ଶିକ୍ଷାର ଆବଶ୍ୟକ । ବାଳକମାନଙ୍କର ବୁଦ୍ଧିର ପରିଣତ ଏବଂ ବୃତ୍ତିନିଚୟର ସ୍ଫୁରଣ ହେବା ଏକାନ୍ତ ପ୍ରୟୋଜନ; କିନ୍ତୁ ଏହା ମଧ୍ୟ ମନେରଖିବାକୁ ହେବ ଯେ ଏହି ସମସ୍ତ ଉପାୟ କାର୍ଯ୍ୟର ପ୍ରବର୍ତ୍ତକ ହୋଇନପାରେ। ଯେହେତୁ କୈାଣଶି କାର୍ଯ୍ୟ କରିବାର ପ୍ରବୃତ୍ତି ଜନ୍ମାଇ ନ ଦେଇ କେବଳ ଉକ୍ତ କାର୍ଯ୍ୟର ସୁବିଧା କରିଦେଲେ କଣ ହେବ ? ଏଣୁକରି ନୀତି ଏବଂ ବୃଦ୍ଧିବୃତ୍ତର ଶିକ୍ଷାବିଷୟରେ ପ୍ରେମକୁ ପ୍ରବର୍ତ୍ତନ କରିବା ବିଧେୟ । ଜ୍ଞାନ ଥିବା ଯୋଗୁଁ ଲୋକେ ଅନେକ ସମୟରେ ଗର୍ହିତ ଓ ଅନ୍ୟାୟ କାର୍ଯ୍ୟ କରିବାରେ ବିରତ ହୁଅନ୍ତି ସତ୍ୟ; କିନ୍ତୁ ସ୍ୱାର୍ଥ ଏକପ୍ରକାର ପଦାର୍ଥ ଯେ, ଚରିତ୍ରବଳରେ ବଳୀ ନହେଳେ, ମନୁଷ୍ୟକୁ ଅନାୟାସରେ ନରକକୁଣ୍ଡ ମଧ୍ୟରେ ନିକ୍ଷେପ କରିପାରେ । ଅତଏବ ଛାତ୍ରମାନଙ୍କର ନୀତିଶିକ୍ଷା ପ୍ରତି ଦୃଷ୍ଟି ରଖିବା କର୍ତ୍ତବ୍ୟ । ସେମାନଙ୍କର ବୁଦ୍ଧି ପରିମାର୍ଜିତ ଏବଂ ଉଜ୍ଜଳ କରିନେବାକୁ ହେବ ଏବଂ ବିନମ, ପ୍ରେମ, ଭକ୍ତି ଓ ସାଧୁତାଦ୍ୱାରା ସେମାନଙ୍କ ଜୀବନକୁ ଅଳଙ୍କୃତ କରିବାକୁ ହେବ ।

 

ଭାରତବର୍ଷରେ ଶିକ୍ଷାବିସ୍ତାର

 

ଆଜିକାଲି ଭାରତବର୍ଷରେ ଶିକ୍ଷାସ୍ରୋତ କି ପ୍ରକାର ପ୍ରବାହିତ ହେଉଅଛି ତାହା ଅବଶ୍ୟ ପ୍ରତ୍ୟେକ ଭାରତ ସନ୍ତାନଙ୍କର ଆଲୋଚନାର ବିଷୟ ଏବଂ ଲକ୍ଷ୍ୟସ୍ଥଳ ଅଟଇ । ଆଧୁନିକ ଶିକ୍ଷାପ୍ରଣାଳୀର କଥା ମନରେ ଉଦିତ ହେଲାମାତ୍ରକେ ଭାରତବର୍ଷର ଅତୀତକାଳର ସ୍ମୃତି—ଅତୀତକାଳରେ ଶିକ୍ଷାଗୈାରବ କଥା ସହସା ମାନସ କ୍ଷେତ୍ରରେ ଉଦିତ ହୁଏ । ଆମ୍ଭେମାନେ କଣ ଥିଲୁଁ, ମଧ୍ୟରେ କଣ ହୋଇଥିଲୁଁ, ପୁଣି ବର୍ତ୍ତମାନ କଣ ହୋଇମଛୁଁ ଏବଂ ଭବିଷ୍ୟତରେ କଣ ହେବୁଁ— ଏହି ଚାରିଗୋଟି ବିଷୟକୁ କିଛିକାଳ ନିମନ୍ତେ ମନରେ ସ୍ଥାନଦାନ କଲେ ଏକ ଅବ୍ୟକ୍ତ ଆନନ୍ଦ ଉପଲବ୍ଧି ହୁଏ । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ଆଲୋଚନାରେ ‘ହର୍ଷବିଷାଦ’ ଜନିତ ଯେଉଁ ସୁଖ ମିଳଇ ତାହାର ମୂଲ୍ୟ ଜଗତରେ ନାହିଁ । ଇତିହାସ କହିଦେଉଅଛି— ସଭ୍ୟତା ପ୍ରଥମରେ ଭାରତକ୍ଷେତ୍ରରେ ଅଙ୍କୁରିତ ହୋଇଥିଲା, ବିଜ୍ଞାନଚର୍ଚ୍ଚାରେ, ସାହିତ୍ୟର ଅନ୍ୟାନ୍ୟଦେଶର ଅଗ୍ରଗାମୀ । ବୀରତ୍ୱ ଏବଂ ପୁରୁଷକାରର ଅଭିନୟ ମଧ୍ୟ ଭାରତ କ୍ଷେତ୍ରରେ ମନ୍ଦ ହୋଇ ନଥିଲା । କିନ୍ତୁ ହାୟ ! ସେହି ସୁନ୍ଦର କମନୀୟ ଚିତ୍ର ବିଧିଙ୍କ ଇଚ୍ଛାରେ କାଳିମାମୟ ହୋଇଗଲା— ପୂର୍ଣ୍ଣ ଶଶଧର ଅକାଳରେ ରାହୁଗ୍ରାସରେ ପତିତ ହେଲା; ଅନ୍ଧକାର ଚତୁର୍ଦ୍ଦିଗ ଘୋଟିଗଲା । ଏହି, ଅନ୍ଧକାରାବୃତ ସମୟ-ସମୁଦ୍ର ମଧ୍ୟରେ ପଡ଼ି ଭାରତବାସୀମାନେ ଜ୍ଞାନ ହଜାଇଲେ; ବୃଦ୍ଧି, ଉତ୍ସାହ, ବଳ, ବୀର୍ଯ୍ୟ ଓ ପ୍ରତିଭା କାଉଁଆଡ଼େ ରହିଲା ତାହା ନିର୍ଣ୍ଣୟ କରିପାରିଲେ ନାହିଁ; ଅତୀତର ସ୍କୃତି ବିସ୍କୃତି ହେଲେ; କିଂକର୍ତ୍ତବ୍ୟବିମୂଢ ହୋଇପଡ଼ିଲେ । ଘୋର ଦୁର୍ଦ୍ଦିନ ଉପସ୍ଥିତ ହେଲା— ଭାରତ ସନ୍ତାନମାନେ ପଙ୍କମଗ୍ନ କୁଞ୍ଜକବତ୍‌ ବଳବୁଦ୍ଧି ବିରହିତ ହୋଇପଡିଲେ । ସୁଖସୂର୍ଯ୍ୟ ଭାରତର ଗୈାରବକୁ ସଙ୍ଗେ ଘେନି ଅସ୍ତଗଲା— ଅନ୍ଧକାରମୟ ଯବନିକା ପଡିଲା । କିନ୍ତୁ ଚିରସ୍ଥାୟୀ ନୁହେ— ସୁଖଉତ୍ତାର ଦୁଃଖ, ଦୁଃଖଉତ୍ତାର ସୁଖ ଜଗତର ନୁହେଁ । ଦିବସର ପର ରାତ୍ର ଏବଂ ରାତ୍ରି ଉତ୍ତାରୁ ଦିବସ ସୃଷ୍ଟିର ନିୟମ । ଉତ୍‌ଥାନ-ପତନ, ଜନ୍ମ-ମୃତ୍ୟୁ ଜଗତର ନିତ୍ୟ ସହଚର । ଭାରତର ଦୁଃଖ ନିଶାର ଅବସାନ ହେଲା—ସୈାଭାଗ୍ୟ-ତପନ ଉଦୟାଚଳରେ ଧୀରେ ଧରେ ଦେଖାଦେଲେ । ସୁସମୟରେ ଇଂରେଜରେଜ ଭାରତବର୍ଷରେ ପଦାର୍ପଣ କଲେ— ଭାରତର ଜୀବନ୍ମୃତ ପ୍ରାୟ ମୁଦ୍ରିତ ନୟନରେ ପଡ଼ି ରହିଥିଲେ; କିନ୍ତୁ ସୂର୍ଯ୍ୟାଲୋକ ପ୍ରାପ୍ତ ହୋଇ ନେତ୍ରୋନ୍ମୀଳନ କରି ଦେଖିଲେ ଭୀଷଣ ରଜନୀ ଆଉ ନାହିଁ— ବାଳାର୍କରଞ୍ଜିତ ପ୍ରଭାତ ବିରାଜୁମଛି । କ୍ରମେ କ୍ରମେ ସମସ୍ତ ପୂର୍ବବଳ ଉପଚୟ କରିବାକୁ ଆରମ୍ଭ କଲେ । ବର୍ତ୍ତମାନ ଅତୀତର ଉଜ୍ଜଳ ସ୍ମୃତି ପଶ୍ଚାତରେ ରହିଅଛି । ଉଜ୍ଜଳ ଭବିଷ୍ୟତର ଚିତ୍ର ସମ୍ମୁଖରେ ରହିଅଛି; ଏକ ପଶ୍ଚାତରେ ଥାଇ ଉତ୍ସାହିତ କରୁଅଛୁ । ଅପର ସମ୍ମୁଖଆଡ଼କୁ ଆକର୍ଷଣ କରୁଅଛି ; ଭାରତବାସୀମାନେ ମଧ୍ୟରେ ପଡ଼ି ଆଶାମୁଗ୍ଧ ଏବଂ ଉତ୍ସାହୋନ୍ମତ୍ତ ହୋଇ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେଉଅଛନ୍ତି ।

 

ଏତେଦୂର ଆସି ଆଉ ପଶ୍ଚାତ ଆଡ଼କୁ ଅନାଇବାକୁ ମନ ବଳୁନାହିଁ । ଇଂରେଜମାନେ ଆଗମନ କଲା ପୂର୍ବରେ ଆମ୍ଭମାନଙ୍କ ଦେଶରେ କି ପ୍ରକାର ଶିକ୍ଷା ପ୍ରଚଳିତ ଥିଲା ତାହା ଦେଖିବାକୁ ଇଚ୍ଛା ହେଉନାହିଁ । କିନ୍ତୁ କି କରିବା— କର୍ତ୍ତବ୍ୟ ଅନୁରୋଧ ଫେରିବାକୁ ହେଉଅଛି । ଯେଉଁ ସମୟରେ ଇଂରେଜମାନେ ଏ ଦେଶକୁ ଆସିଲେ ସେହି ସମୟରେ ପୁରାକାଳୀନ ବିଦ୍ୟାଚର୍ଚ୍ଚାରେ ଅନୁରୂପ କୈାଣସି ଚର୍ଚ୍ଚା ନଥିଲେ ହେଁ, ଭାରତ ଶିକ୍ଷା ବିଷୟରେ ଏକାବେଳକେ ଉଦାସୀନ ନଥିଲା-। ବ୍ରାହ୍ମଣ ସନ୍ତାନମାନେ ବେଦାଦି ଶାସ୍ତ୍ର କେତେକ ପରିମାଣରେ ଅଧ୍ୟୟନ କରୁଥିଲେ । କେତେଗୁଡ଼ିଏ ସଂସ୍କୃତ ପାଠଶାଳା ଜାହ୍ନବୀ ଉପକୂଳରେ ଠାବେ ଠାବେ ଥିଲା । ମୁସଲମାନମାନେ ଏ ଦେଶରେ ବାସକରି ସ୍ୱଜାତୀୟ ବାଳକମାନଙ୍କ ଶିକ୍ଷା ନିମନ୍ତେ ମଦ୍ରସା ଓ ମକ୍ତବମାନ ସଂସ୍ଥାପନ କରିଥିଲେ । ଏତଦ୍‌ବ୍ୟତୀତ କେତେଗୁଡ଼ିଏ ପାଠଶାଳା ମଧ୍ୟ ଥିଲା । ସଂସ୍କୃତ ବିଦ୍ୟାଳୟମାନଙ୍କରେ ଯାହା ଅଧୀତ ହେଉଥିଲା ତାହା ବଡ଼ ଅକିଞ୍ଚିତ୍‌କର ଥିଲା । ବୃଥାରେ ଅନେକ ସମୟ ଅପବ୍ୟୟିତ ହେଉଥିଲା । ମୁସଲମାନମାନଙ୍କର ମକ୍ତବସମୂହରେ କୋରାଣ ଏବଂ ପାରସିକ-କବିତା ପଠିତ ହେଉଥିଲା ଏବଂ ସାଧାରଣ ହିନ୍ଦୁ-ପାଠାଶାଳାମରନଙ୍କରେ ବାଳକମାନେ ଲେଖିବାକୁ ଶିକ୍ଷା କରୁଥିଲେ; ଅଙ୍କ ବା ଗଣିତ ଶିକ୍ଷା ମଧ୍ୟ ପାଠଶାଳାରେ କେତେକ ପରିମାଣରେ ଘଟୁଥିଲା । ଭାରତର ଉକ୍ତ ସମୟକୁ ଅନ୍ଧକାର-ଯୁଗ (Dark Ages) ବୋଲାଯାଇପାରେ । କିନ୍ତୁ ସେଦିନ ଗତ ହୋଇଅଛି—ଇଂରାଜରାଜତ୍ୱର ସହିତ ଶିକ୍ଷାଜଗତରେ ନୂତନ ଯୁଗ ପ୍ରବର୍ତ୍ତିତ ହୋଇଅଛି । ଆଜିକାଲି ଶିକ୍ଷାସ୍ରୋତ ଯେଉଁ ବେଗରେ ଭାରତବର୍ଷ ଭେଦ କରି ଭାରତ ସନ୍ତାନମାନଙ୍କୁ ଆକର୍ଷଣ କରି ଉନ୍ନତି ଆଡ଼କୁ ଘେନି ଯାଉଅଛି, ତାହା ଦେଖିଲେ ମନରେ ପ୍ରଭୂତ ଆନନ୍ଦ ଉପଜାତ ହୁଏ । ଯେଉଁମାନେ ଅତୀତ ଗୈାରବର ସ୍ମୃତିରେ ବିମୋହିତ ହୋଇ ଆଧୁନିକ ବିଦ୍ୟାଚର୍ଚ୍ଚାକୁ ଉପେକ୍ଷା କରନ୍ତି ସେମାନେ ମୂଢ । ଭାରତ ଯେ ଉନ୍ନତ ଆସନରେ ଅଧିରୂଢ ହୋଇଥିଲା ତାହା ଦିନକର ପରିଶ୍ରମ ଫଳ ନୁହେଁ। ଯେଉଁ ଇଂଲଣ୍ଡ ଆଜି ଭାରତର ଶିକ୍ଷାଗୁରୁ ହୋଇଅଛି ତାହାର ଇତିହାସ ଆଲୋଚନା କର ଦେଖିବ ଇଂଲଣ୍ଡ ମଧ୍ୟ ଏକ ଲମ୍ପରେ ତୁଙ୍ଗ ସିଂହାସନାରୋହଣ କରିନାହିଁ । ଆମେରିକା, ଜର୍ମାନୀ ପ୍ରଭୃତି ଦେଶ ଆଜିକାଲି ଭବ୍ୟଜଗତରେ ଆଦର୍ଶସ୍ଥୀନୀୟ, ମାତ୍ର ଏମାନଙ୍କର ପ୍ରଚୀନ ଇତିବୃତ୍ତ ତାଦୃଶ ଉଜ୍ଜଳ ନୁହେଁ । ପୁଣି ମିଶର, ଗ୍ରାସ୍‌ ଏବଂ ଉତାଲୀର ଆଧୁନିକ ଓ ପ୍ରଚୀନ ଅବସ୍ଥାର ତୁଳନା କରିବାକୁ ଗଲେ ନୟନରୁ ଅଶ୍ରୁ ନିର୍ଗତ ହୁଏ । ପ୍ରଚୀନ ଭାରତ ସର୍ବତୋଭାବରେ ଭଲ ଏବଂ ଆଧୁନିକ ଭାରତ ସର୍ବପ୍ରକାରରେ ମନ୍ଦ ଏହା ଏକଦେଶଦର୍ଶୀଙ୍କର ମତ । ଏହି ସମ୍ପ୍ରଦାୟର ଲୋକ, କିନ୍ତୁ ନବ୍ୟଭାରତର ଚିତ୍ର ଏମାନଙ୍କ ଚକ୍ଷୁର କଣ୍ଟକ ଅଟେ । ପ୍ରାଚିନଭାରତର ଚିତ୍ରକୁ ସୁବର୍ଣ୍ଣ ଛାଡ଼ି ହୀରକ ଦେଖି ଆପତ୍ତି ନାହିଁ— ବରଂ ତାହା ମଙ୍ଗଳର ଚିହ୍ନ; କିନ୍ତୁ ଜିଜ୍ଞାସ୍ୟ ଏହି ଯେ ନବ୍ୟ ଭାରତରେ କି କିଛି ଆଧୁନିକ ଭାରତରେ ନାହିଁ ? ପ୍ରାଚୀନ ଭାରତରେ ଯାହା ଥିଲା ତାହା ଆଜିକାଲି ନାହିଁ ସତ୍ୟ; କିନ୍ତୁ ଆଜିକାଲି ଯାହା ଅଛି ପୁରାକାଳରେ କି ତତ୍‌ସମୁଦାୟ ବର୍ତ୍ତମାନ ଥିଲା ? ପ୍ରତ୍ୟେକ ଯୁଗର ‘ଭଲ ମନ୍ଦ’ ଅଛି । ଏ ଯୁଗରେ ମନ୍ଦ ଅଛି ସ୍ୱିକାର କରୁମଛୁଁ କିନ୍ତୁ କିଛି ଭଲ ବିଷୟ କି ଏ ଯୁଗରେ ନାହିଁ ? ପ୍ରଚୀନ ଇତିହାସରେ ନିମଗ୍ନ ଥାଇ ଅନୁତପ୍ତ ହେବା ବାଞ୍ଛନୀୟ ମାତ୍ର ଅନୁତପ୍ତ ହୋଇ ବାତୁଳସଦୃଶ୍ୟ ହିତାହିତ ଜ୍ଞାନଶୂନ୍ୟ ହେବା କଦାପି ବାଞ୍ଛନୀୟ ନୁହେଁ । ଜ୍ଞାନବୀର ସଲମନ କହିଅଛନ୍ତି, ‘‘ପୁରମାଳକୁ ଏ କାଳଠାରୁ ଉତ୍ତମ ବୋଲି ଭାବିବ ନାହିଁ ଯେହେତୁ ତୁମ୍ଭେ ଏ କେଳରେ ବିଷୟ ତେତେ ଅନୁସନ୍ଧାନ କରି ଦେଖନାହିଁ ।’’

 

ପ୍ରାଚୀନ ଭାରତରେ ଶିକ୍ଷାର ଗଭୀରତା ଥିଲା କିନ୍ତୁ ବିସ୍ତାର ନ ଥିଲା; ଏ ଯୁଗରେ ତାହାର ବିପରୀତ ଦେଖାଯାଏ । ଗଭୀରତା ଅଳ୍ପ ହେଲେ ହେଁ ଏ ଯୁଗରେ ଶିକ୍ଷା ବିସ୍ତାରଲାଭ କରୁଅଛି । ଶିକ୍ଷାସମ୍ୱନ୍ଧରେ ଗଭୀରତା ଏକାନ୍ତ ବାଞ୍ଛନୀୟ ସତ୍ୟ; କିନ୍ତୁ ବିସ୍ତାର ମଧ୍ୟ କମ୍‌ ବାଞ୍ଛନୀୟ ନୁହେଁ । ସାହାରା କ୍ଷେତ୍ର ମଧ୍ୟରେ ଦୁଇ ଚାରେଗୋଟି ବଟବୃକ୍ଷ ସଦୃଶ କୋଟି କୋଟି ନିରକ୍ଷର ମୂର୍ଖ ମଧ୍ୟରେ ଦୁଇ ଚାରିଜଣ ଜ୍ଞାନୀ ଚିନ୍ତାଶୀଳ ଲୋକ ଥିଲେ କଣ ହେବ ? ଶିକ୍ଷିତ ଲୋକ ନ ଥିଲେ ଶିକ୍ଷାର ଆଦର କେଉଁଠାରେ ? ଯେଉଁ ଦେଶରେ ସହସ୍ର ମୁର୍ଖଲୋକଙ୍କ ମଧ୍ୟରେ ଗଣେମାତ୍ର ହେବ ତାହା ଆମ୍ଭମାନଙ୍କୁ ଜଣାନାହିଁ ।

 

ଏହା ବୋଲାଯାଉ ନାହିଁ ଯେ ନବ୍ୟଭାରତ ପ୍ରାଚୀନ ଭାରତଠାରୁ ଅଧିକ ଉନ୍ନତି ଲାଭ କରିଅଛି । ଅନ୍ୟ ଲୋକ ଯେ ଯାହା କହନ୍ତୁ ଆମ୍ଭମାନେ ଏତିକି ବୋଲିବୁଁ ଯେ ଭାରତବର୍ଷରେ ଆଉ କିଛି ହେଉ ନ ହେଉ ଶିକ୍ଷାପ୍ରତି ଲୋକଙ୍କର ଅନୁାରଗ ଜନ୍ମିଅଛି— ଶିକ୍ଷା-ସୁଧାର ଆସ୍ୱାଦନ ନ ହେଉ ସୁଗନ୍ଧ ଲୋକେ ପାଇଅଛନ୍ତି । ଉକ୍ତ ଅନୁରାଗ ଜନ୍ମାଇଦେଇ ଇଂରାଜ ଗବର୍ଣ୍ଣମେଣ୍ଟ ଭାରତବାସୀଙ୍କ କୃତଜ୍ଞତା ପାଶରେ ଆବଦ୍ଧ କରିଅଛନ୍ତି । ଦୁଇ ଚାରିଖଣ୍ଡ ଇଂରାଜୀ ପୁସ୍ତକର ପଠନକୁ ଶିକ୍ଷାରୂପ ତୀର୍ଥସ୍ଥଳର ବହୁଦୂରରେ ଅବସ୍ଥାନ କଲେ ହେଁ ଯଥାର୍ଥ ମାର୍ଗ ପ୍ରାପ୍ତ ହୋଇଅଛି, ବର୍ତ୍ତମାନ ଯେଉଁ ସୂତ୍ର ସମ୍ମୁଖରେ ରହିଅଛି ତାହା ଅମଲମ୍ୱନ କରି ଅଗ୍ରସର ହେଲେ, ସମୟରେ ଶିକ୍ଷାତୀର୍ଥରେ ଅବଗାହନ କରି ଭାରତର ସନ୍ତାନମାନେ ତାପିତପ୍ରାଣ ଶୀତଳ କରିପରିବେ । ବର୍ତ୍ତମାନ ଆଶା, ଉତ୍ସାହ, ଉଦ୍ୟମ ଏବଂ ଯତ୍ନ ଏକାନ୍ତ ଆବଶ୍ୟକ ।

 

ବାଳକମାନଙ୍କୁ ଦଣ୍ଡଦେବା ବିଷୟକ କେତେଗୋଟି କଥା

 

ବାଳକମାନଙ୍କୁ କି ନିମନ୍ତେ ଦଣ୍ଡ ଦିଆଯାଏ – ଏହି ପ୍ରଶ୍ନଟିର ଉତ୍ତର ଏଡ଼େ ସାଧାରଣ ଓ ସହଜ ଯେ ବୋଧହୁଏ ଏହା ଶୁଣିଲା ମାତ୍ରକେ ଶିକ୍ଷକ ଓ ଛାତ୍ର ଉଭୟ ହାସ୍ୟ ସମ୍ବରଣ କରିପାରିବେ ନାହିଁ । ଲେଖକଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଦୟ ହେଲା କ୍ଷଣି ସେ ହାସ୍ୟ ସମ୍ବରଣ କରିପାରନ୍ତି । କିନ୍ତୁ ଟିକିଏ ଚିନ୍ତାକରି ଦେଖିଲେ ଦେଖାଯିବ ଯେ ଉକ୍ତ ପ୍ରଶ୍ନରେ ପରିହାସର କଥା ଅଧିକ ନାହିଁ । ଯାହାକୁ ସାଧାରଣ ବିଷୟ ବୋଲି ଉପେକ୍ଷା କରୁଅଛୁଁ, ଅକିଞ୍ଚିତ୍‌କର ଭାବି ଆଲୋଚନାର ଅଯୋଗ୍ୟ ବୋଲି ମଣୁଅଛୁ ସେହି ସାଧାରଣ ବିଷୟ ମଧ୍ୟରେ, ସେହି ଅକିଞ୍ଚିତ୍‌କର, ଆଲୋଚନାର ଅଯୋଗ୍ୟ, ସଦା ଉପସହିତ ବିଷୟ ମଧ୍ୟରେ ଯେଉଁ ଗଭୀରଭାବ ରହିଅଛି ତାହା ସମସ୍ତେ ଜାଣନକ୍ତ ନାହିଁ । ଶିକ୍ଷକ କି ନିମନ୍ତେ ଦଣ୍ଡ ଦେଲେ ଏହା କୌଣସି ଦଣ୍ଡତ ବାଳକକୁ ପଚାରିଲେ, ବୋଧହୁଏ ସେ କହିବ ଯେ ତାହାର ପାଠାଭ୍ୟାସ ଉତ୍ତମ ହୋଇନଥିଲା, ଅବା ସେ ସ୍କୁଲରେ ଗୋଳମାଳ ଇତ୍ୟାଦି କରିଥିଲା । ଏତଦ୍‌ଭିନ୍ନ ସେ ଯେ ଅନ୍ୟ କିଛି କହିବ ଏପ୍ରକାର ବୋଧହୁଏ ନାହିଁ । ଏପରି ଶିକ୍ଷକଙ୍କର ମଧ୍ୟ ଅଭାବ ନାହିଁ ଯେଉଁମାନେ ଉଲ୍ଲିଖିତ ପ୍ରଶ୍ନର ଉତ୍ତରରେ କହିବେ, ‘‘ଅମକୁ ମୁଣୁହିଁ ପଢ଼ା କରେ ନାହିଁ, ବଡ଼ ବିରକ୍ତ ହେଲି, ବଡ଼ ରାଗ ହେଲା ଇତ୍ୟାଦି ଏବଂ ତାହାକୁ ଦଣ୍ଡ ଦେଲି ।’’ ପାଠଶାଳାର କଥା ଆଉ କହିବୁଁ ନାହିଁ । ସେହି ସ୍ୱେଚ୍ଛାଚାରର ଲୀଳାଭୂମି, ଅଜ୍ଞାନ-ତମସାଚ୍ଛନ୍ନ ରଙ୍ଗସ୍ଥଳର ଭାଷାର ତେଜ ନାହିଁ, ରଚନାର ଚାତୁର୍ଯ୍ୟ ନାହିଁ, ବର୍ଣ୍ଣନାର କ୍ଷମତା ନାହିଁ ଯେ ସେହି ବୀଭତ୍ସ ଚିତ୍ରର ଜୀବନ୍ତ ଛବି ପାଠକମାନଙ୍କର ମାନସ-ଦର୍ପଣ ସମ୍ମୁଖରେ ସ୍ଥାପନ କରିବେ । ବାଳକମାନଙ୍କର କରୁଣଭାବ ଏବଂ ଅବଧାନମାନଙ୍କର ରୁଦ୍ରମୂର୍ତ୍ତି, ଏକ ପକ୍ଷରେ ଅସହାୟତ ଅପର ପକ୍ଷରେ ନିଷ୍ଠର କ୍ଷମତା ଯେଉଁମାନେ ଦେଖିଅଛନ୍ତି ସେମାନେ ଅବଶ୍ୟ ଜାଣନ୍ତି ସେ ଚିତ୍ର କି ପ୍ରକାର ଭୟାନକ, କି ପ୍ରକାର ହୃଦୟବିଦାରକ । ଅବଧାନମାନଙ୍କ ମଧ୍ୟରୁ ଅନେକ ବାଳକମାନଙ୍କୁ ଦଣ୍ଡ ଦେବାର ଉଦ୍ଦେଶ୍ୟ ଆଦୌ ବୁଝନ୍ତି ନାହିଁ । ଶୁଣିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ ଏପରି ଅନେକ ଅବଧାନ ଅଛନ୍ତି ଯେଉଁମାନେ ସ୍ପଷ୍ଟ କୁହନ୍ତି, ‘‘ମାଡ଼ ନ ଖାଇଲେ କି ପାଠ ଆସିବ ?’’ କ୍ଷୁଦ୍ରବୁଦ୍ଧି ଆମ୍ଭେମାନେ ଏହି ବଚନର କୂଟାର୍ଥ ବ୍ୟାଖ୍ୟା କରିବାକୁ ଏକାନ୍ତ ଅସମର୍ଥ । ଶିକ୍ଷା ସହିତର ‘ମାଡ଼ର’ କିରୂପ ସମ୍ଭନ୍ଧ ଏବଂ ‘ମାଡ଼ ନ ଖାଇଲେ ’ ଯେ କିପାଁ ପାଠ ‘ଆସିବ’ ନାହିଁ ତାହା ଉକ୍ତ ମତର ପୋଷକମାନେ ଅବଶ୍ୟ ଜ୍ଞାତ ଥିବେ । କି ନିମନ୍ତେ ବାଳକମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକ ହୁଏ, ଏହି ପ୍ରଶ୍ନର ଉତ୍ତର ଛଳରେ ଯାହା ଯାହା ବୋଲାଯାଇ ଅଛି ତାହା ପ୍ରକୃତରେ ଉତ୍ତର ନୁହରେଁ । ପାଠାଭ୍ୟାସ କରି ନ ଥିବା ଦଣ୍ଡ ପାଇବାର ପୂର୍ବବର୍ତ୍ତୀ ଘଟନା ହେଲେ ହେଁ ମୂଳକାରଣ ନୁହେଁ । ଯେଉଁମାନେ ବିରକ୍ତ ବା କ୍ରୋଧରେ ଉପଶମାର୍ଥ ଦଣ୍ଡ ର ଆଶ୍ରୟ ଗ୍ରହଣ କରନ୍ତି ସେମାନଙ୍କୁ ଆଉ କଣ କହିବୁଁ ?

 

କେତେକ ଶିକ୍ଷକ ବାହାଦୁରି କରି କହନ୍ତି– ‘‘ପିଲାମାନେ ମୋତେ ଏପରି ଡରନ୍ତି ଯେ ମୋତେ ଦେଖିଲାକ୍ଷଣି ସେମାନେ ତୁନି ହୋଇଯାନ୍ତି ।’’ ଏ ଦୁଃଖରକଥା ଆଉ କାହାକୁ କହିବୁଁ ? ଭୟ ପିଲାମାନଙ୍କଠାରେ ଯେଉଁ ଅନିଷ୍ଟ ଉତ୍ପାଦନ କରେ, ତାହା ଏମାନେ ଜାଣିଥିଲେ କଦାପି ଏପ୍ରକାର କଥା ଉଚ୍ଚାରଣକରି ବାହାଦୁରି ପ୍ରକାଶ କରନ୍ତେ ନାହିଁ । ଭୟବଶୀଭୂତ ପିଲାମାନଙ୍କର ମାନସିକ ଓ ନୈତିକ ଉଭୟବିଧ ଶକ୍ତିର ହ୍ରାସ ହୁଅଇ । ଏପ୍ରକାର ଅନେକ ଭଲପିଲା ଦେଖାଯାନ୍ତି ଯେଉଁମାନେ କେବଳ ଭୟର ବଶୀଭୂତ ହୋଇ ଜାଣିଥିବା ବିଷୟମାନ ପାସୋରି ପକାନ୍ତି ଏବଂ ଭୟରେ କାରଣ ଅବଗତ ନ ହେବା ପର୍ଯ୍ୟନ୍ତ କିଂକର୍ତ୍ତବ୍ୟବିମୂଢ଼ ହୋଇ ରହନ୍ତି । ପ୍ରବଞ୍ଚନା, ଶଠତା, ମିଥ୍ୟାକଥା ପ୍ରଭୃତି ଭୟରେ ଅନ୍ୟତମ ଫଳ ।

 

ଶିକ୍ଷକମାନେ ବାଳକର ଭୟର କାରଣ ହେଲେ ମନ୍ଦ ଛଡ଼ା ଶୁଭଫଳ ଫଳେ ନାହିଁ । ପିଲାମାନଙ୍କ ପ୍ରତି ଶିକ୍ଷକଙ୍କର ଏପ୍ରକାର ବ୍ୟବହାର କରିବା ବିଧେୟ, ଯେ ସେମାନେ ତାହାଙ୍କୁ ଭୟ ନ କରି ସ୍ନେହ କରିବେ । ଏହା ସ୍ଥିରନିଶ୍ଚୟ ଯେ ଶିକ୍ଷକ ପିଲାମାନଙ୍କୁ ଭଲପାଇଲେ ପିଲାମାନେ ମଧ୍ୟ ଶିକ୍ଷକମାନଙ୍କୁ ଭଲପାଇବେ ଏବଂ ଏପ୍ରକାର କାର୍ଯ୍ୟ କରିବାରୁ ବିରତ ହେବେ ଯଦ୍ଦ୍ୱାରା ଶିକ୍ଷକ ବିରକ୍ତ ବା ଅସନ୍ତୁଷ୍ଟ ହୁଅନ୍ତି । ଯେଉଁ ବିଦ୍ୟାଳୟରେ ସ୍ନେହ- ସ୍ରୋତ ପ୍ରବାହିତ ଏବଂ ବାତ୍ସଲ୍ୟ ସମୀରଣ ସଞ୍ଚାରିତ ସେଠାରେ ଶିକ୍ଷକଙ୍କର ବିରକ୍ତି ନାହିଁ, ବାଳକମାନଙ୍କର ତ୍ରୁଟି ନାହିଁ, କୌଣସି ପ୍ରକାର ଅଶାନ୍ତି ନାହିଁ– ବାଳକମାନଙ୍କୁ ଆୟାତ୍ତାଧୀନ କରିବାର ପ୍ରଧାନ ଓ ପ୍ରଶସ୍ତ ଉପାୟ ସ୍ନେହ ବିତରଣ । କିନ୍ତୁ କଥାରେ ଅଛି ସବୁ ମନୁଷ୍ୟ ମନୁଷ୍ୟ-ପଶୁ ମଧ୍ୟ କେହି କେହି ଥାନ୍ତି । ସବୁ ପଶୁ ଯେ ପ୍ରକାର ସ୍ନେହରେ ବିମୁଗ୍ଧ ହୁଅନ୍ତି ନାହିଁ, ସେହିପରି କେତେକ ବାଳକ ଯେଉଁମାନଙ୍କୁ ମନୁଷ୍ୟ-ପଶୁ ବୋଲାଯାଇପାରେ, ବେତ୍ସଲ୍ୟଭାବରେ ବିମୋହିତ ହୁଅନ୍ତି ନାହିଁ । ଏହିପ୍ରକାର ବାଳକମାନଙ୍କୁ ସତ୍‌ପଥକୁ ଆନୟନ କରିବା ନିମନ୍ତେ, ପୂର୍ବପ୍ରକୃତି ତ୍ୟାଗ କରାଇବା ନିମନ୍ତେ ଦଣ୍ଡ ଦେବାର ଆବଶ୍ୟକ ହୁଅଇ । ସମସ୍ତେ ଦେଖିଥିବେ ଅଶ୍ୱ ନିମନ୍ତେ ଦୁଇପ୍ରକାର ଲଗାମ ନିର୍ମିତ ହୁଏ; ତନ୍ମଧ୍ୟରୁ ଏମପ୍ରକାର କଣ୍ଟାବିଶିଷ୍ଟ ଏବଂ ଅନର ସୁରିକ୍କଣ । ବୋଲିବା ବାହୁଲ୍ୟ ଯେ ପୂର୍ବୋକ୍ତ ପ୍ରକାରର ଲଗାମ କେବେହେଁ ଶାନ୍ତପ୍ରକୃତି ଘୋଟକର ମୁଖରେ ଦେବାକୁ ହୁଅଇ ନାହିଁ; ଯେହେତୁ ସେ ସହଜରେ ଆପଣା ଗନ୍ତବ୍ୟ ପଥର ଗମନ କରେ । କିନ୍ତୁ ଯେଉଁମାନେ ଦୁଷ୍ଟ, ଯେଉଁମାନଙ୍କର ପ୍ରକୃତିଗତ ଦୋଷ ଥାଏ; ସେମାନଙ୍କୁ ଶାସନାଧୀନ କରି ରଖିବା ନିମନ୍ତେ ଉକ୍ତବିଧ ଲଗାମର ପ୍ରୟୋଜନ ହୋଇଥାଏ । ସେହିପରି ଯେଉଁ ବାଳକମାନେ ସ୍ନେହରେ ବଶୀଭୂତ ହୁଅନ୍ତେ ଦଣ୍ଡ ଆବଶ୍ୟକ ହୁଏ । ଦଣ୍ଡର କୁଫଳ ଅଛି, ସୁଫଳ ମଧ୍ୟ ଅଛି । କିନ୍ତୁ ସୁଫଳ ଉତ୍ପାଦନ କରିବାର କ୍ଷମତା ସମସ୍ତଙ୍କର ନାହିଁ । ଆମ୍ଭ ଦେଶର ଶିକ୍ଷକମାନେ ଦଣ୍ଡ ଶବ୍ଦର ଅର୍ଥରେ ବେତ୍ରାଘାତ ଛଡ଼ା ଆଉ କିଛି ବୁଝିନ୍ତି ନାହିଁ । ପୁଣି ଏମାନଙ୍କ ମଧ୍ୟରୁ ଅନେକଙ୍କର ଧାରଣା ଏହି ଯେ ବେତ୍ରାଘାତ ବିନା ଅଧ୍ୟାପନା କାର୍ଯ୍ୟ ଚଳି ନ ପାରେ । ଉକ୍ତ ଧାରଣାର ବଶବର୍ତ୍ତୀ ହୋଇ ଶିକ୍ଷକମାନେ ସଚରାଚର ସେମାନଙ୍କ କ୍ଷମତାର ଦଣ୍ଡସ୍ୱରୂପ ବସନ୍ତି ଦୀର୍ଘ ବେତ୍ର ଘେନି ଅଧ୍ୟାପନ କରିବାକୁ ବସନ୍ତି ଏବଂ ଭଲ ମନ୍ଦ କିଛି ନ ବୁଝି ଅଗ୍ରପଶ୍ଚାତ ନ ଚିନ୍ତି ବାଳକମାନଙ୍କ ଆଘାତ କରନ୍ତି ।

 

ଶିକ୍ଷକମାନଙ୍କର ଜାଣିବାର ଉଚିତ ଯେ, କେବଳ ପ୍ରହାର କଲେ ପିଲାମାନେ ବଶୀଭୂତ ହୁଅନ୍ତି ନାହିଁ; ପରନ୍ତୁ ସର୍ବଦା ମାଡ଼ ଖାଇ ଖାଇ ‘ମାଡୁଆ’ ହୋଇଯାନ୍ତି । ‘ମାଡୁଆ’ ପିଲାର କଦାପି କିଛି ହୁଅଇ ନାହିଁ । ଆମ୍ଭମାନଙ୍କ ଦେଶର ପାଠଶାଳା ଏବଂ କେତେକ ସ୍କୁଲରେ ଯେ ପ୍ରକାର ଦଣ୍ଡପଦ୍ଧତି ଦେଖାଯାଏ କିଛିଦିନ ପୂର୍ବରେ ସଭ୍ୟ ୟୁରୋପ ଖଣ୍ଡରେ ମଧ୍ୟ ସେହି ପଦ୍ଧତି ପ୍ରଚଳିତ ଥିଲା । ଏକଶତାବ୍ଦୀ ପୂର୍ବର ଇଂଲଣ୍ଡର ଜଣେ ପ୍ରଧାନ କବି ସ୍କୁଲସମୂହର ଦୁର୍ଦ୍ଦଶା ଦେଖି ବ୍ୟଥିତ ହୃଦୟରେ ଯାହା ଯାହା କହିଅଛନ୍ତି ତାହା ତାହାଙ୍କର କାବ୍ୟଗ୍ରନ୍ତ ମଧ୍ୟରେ ଜ୍ୱଳନ୍ତ ରହିଅଛି । (Cowper’s Tirocinium ) ବିଗତ ଏକଶତ ବର୍ଷ ମଧ୍ୟରେ ୟୁରୋପରେ ଶିକ୍ଷାପ୍ରଣାଳୀର ଅନେକ ଉତ୍କର୍ଷ ସାଧିତ ହୋଇଅଛି । ଇତିପୂର୍ବେ ଲୋକେ ଯାହାକୁ ଶିକ୍ଷାର ପ୍ରଧାନ ସହାୟ ବୋଲି ମଣୁଥିଲେ ଆଜିକାଲି ଚିନ୍ତାଶୀଳ ବିଜ୍ଞଲୋକେ ତାହାକୁ ପ୍ରଧାନ ଅନ୍ତରାୟ ବୋଲି ମଣୁଅଛନ୍ତି।

 

ପୂର୍ବେ କହିଅଛୁଁ ଦଣ୍ଡର ମନ୍ଦ ଏବଂ ଭଲ ଉଭୟବିଧ ଫଳ ଅଛି; କିନ୍ତୁ ସୁଫଳ ଉତ୍ପାଦନ କରିବାର କ୍ଷମତା ସମସ୍ତଙ୍କର ନାହିଁ । ଦଣ୍ଡ ଦେଲାବେଳେ ଅନେକେ ଦଣ୍ଡ ଦେବାର ଉଦ୍ଦେଶ୍ୟ ଭୁଲିଯାଇ ପ୍ରମାଦରେ ପଡ଼ନ୍ତି । ଦଣ୍ଡ ଦେବାର ଦୁଇଗୋଟି ପ୍ରଧାନ ଉଦ୍ଦେଶ୍ୟ ଅଛି । ବାଳକ ଅପରାଧ କରିଅଛି, ତନ୍ନିମିତ୍ତ ତାହାକୁ ଦଣ୍ଡ ଦେଲେ ଅପରାଧ-କ୍ଷାଳନ ହେବନାହିଁ । କୃତ ଅପରାଧ ତ ହୋଇଯାଇଅଛି, ବର୍ତ୍ତମାନ ଦଣ୍ଡ ଦେଲେ ତାହାର କିଛି ପ୍ରତିକାର ହେବନାହିଁ । ମନେକର ଜଣେ ବାଳକ ଅପର ଏକଜଣ ବାଳକକୁ ଗାଳିଦେଲା । ଏଠାରେ ଗାଳି ଦେଇଅଛି, ଏଥିପାଇଁ ଦଣ୍ଡ ଦେଲେ କଣ ହେବ ? ଯାହା ହେବାର ତାହା ତ ହୋଇଯାଇଅଛି । ବର୍ତ୍ତମାନ ଶିକ୍ଷକ ଯାହା କରିବେ ତାହା ଭବିଷ୍ୟତ ନିମନ୍ତେ । ଶିକ୍ଷକ ଦଣ୍ଡ ଦେବେ ଭିବଷ୍ୟତ ନିମନ୍ତେ–ଉପଦେଶ ଦେବେ ଭବିଷ୍ୟତ ନିମନ୍ତେ । ଅତୀତରେ ଯାହା ହୋଇଯାଇଅଛି ତାହା ଆଉ ଫେରିବ ନାହିଁ । ଦ୍ୱିତୀୟତଃ ଦଣ୍ଡ ଦେବାର ଆଉ ଗୋଟିଏ ଉଦ୍ଦେଶ୍ୟ ଅଛି । ଏହାଦ୍ୱାରା ଅପରାପର ବାଳକମାନେ ଶିକ୍ଷାପ୍ରାପ୍ତ ହୁଅନ୍ତି-। ‘‘ଶ୍ୟାମ ରାମକୁ ଗାଳିଦେଇ ଦଣ୍ଡ ଭୋଗକଲା– ଆମ୍ଭେମାନେ ମଧ୍ୟ କାହାରିକୁ ଗାଳିଦେଲେ ଦଣ୍ଡ ଭୋଗକରିବୁଁ’’, ଏହି ଧାରଣା ବାଳକମାନଙ୍କଠାରେ ଜନ୍ମାଇଦେବା ଦଣ୍ଡଦେବାର ଅନ୍ୟତମ ଉଦ୍ଦେଶ୍ୟ ଅଡେ । ବର୍ତ୍ତମାନ ଦଣ୍ଡଦେବା ବିଷୟରେ ଶିକ୍ଷକମାନଙ୍କୁ କେତେଗୁଡ଼ିଏ ବିଷୟ ଜଣାଇ ଏ ପ୍ରବନ୍ଧ ଶେଷ କରିବୁଁ ।

 

ବେତ ହାତରେ ଘେନି କଦାପି ଶିକ୍ଷାଦେବାକୁ ବସିବା ଉଚିତ ନୁହେଁ । ବେତ ହାତରେ ଘେନିବାର ଅନେକ ଦୋଷ ଅଛି । ଶିକ୍ଷକ ଏବଂ ଦଣ୍ଡ ଏ ପ୍ରକାର ଘନିଷ୍ଠସୂତ୍ରରେ ଆବଦ୍ଧ ହେବା କଦାପି ବାଞ୍ଛନୀୟ ନୁହେଁ । ପୁଣି ବେତ ପାଖରେ ଥିଲେ ତାହା ବ୍ୟବହାର କରିବାର ଇଚ୍ଛା ପ୍ରବଳ ହୁଏ । ଦଣ୍ଡ ଦେବାକୁ ହେଲେ ନିରପେକ୍ଷ ଏବଂ ସତ୍‌-ବିବେଚକ ହେବା ଉଚିତ । ଉତ୍ତମ ଶିକ୍ଷକଙ୍କର ଆଉ ଏକ ଗୁଣ ଏହି ଯେ ସେ ବାଳକମାନଙ୍କୁ ହଠାତ୍ ଦଣ୍ଡ ଦିଅନ୍ତି ନାହିଁ । ଅନେକ ଲୋକଙ୍କର ଏପରି ଧାରଣା ଅଛି ଯେ କଠିନ ସଜା ଦେଲେ ଦଣ୍ଡ ଦେବାର ଉଦ୍ଦେଶ୍ୟ ସିଦ୍ଧ ହୁଏ, କନ୍ତୁ ତାହା ଭ୍ରାନ୍ତି । ଆମ୍ଭମାନଙ୍କ ମତରେ ଦଣ୍ଡ ନିଶ୍ଚିତ ଏହି ଜ୍ଞାନ ସଫଳ ଉତ୍ପନ୍ନ କରେ । ବାଳକମାନେ ଯଦ୍ୟପି ବୁଝିପାରନ୍ତି ଯେ ଏପରି କାର୍ଯ୍ୟ କଲେ ନିଶ୍ଚିତ ଦଣ୍ଡ ଭୋଗ କରିବାକୁ ହେବ, ତାହା ହେଲେ ଦଣ୍ଡ ଦେବାର ଉଦ୍ଦେଶ୍ୟ ସଫଳ ହେବାର ଆଶା ଅଧିକ । ଏପରି ଦେଖାଯାଏ ଯେ କେତେକ ଶିକ୍ଷକ ଏକ ବାଳକକୁ କୌଣସି ଅପରାଧ ନିମନ୍ତେ ଗୁରୁଦଣ୍ଡ ଦେଲେ, କିନ୍ତୁ ସେହି ଅପରାଧରେ ଅପରାଧୀ ଅନ୍ୟ ଏକ ବାଳକକୁ କିଛି ନ କହି ଅଥବା ଲଘୁଦଣ୍ଡ ଦେଇ ଅବ୍ୟାହତି ଦେଲେ । ଶିକ୍ଷକଙ୍କର ଏପରି ଆଚରଣ ଅତୀବ ଦୂଷଣୀୟ ।

 

ଅନେକ ଶିକ୍ଷକ ମଶା ମାରିବା ନିମନ୍ତେ କାରଣ ଲୋଡ଼ିଲା ପ୍ରାୟ ସର୍ବଦା ଗୁରୁଦଣ୍ଡର ବ୍ୟବସ୍ଥା କରନ୍ତି । ଏହା ମନ୍ଦ ଶିକ୍ଷକର ଲକ୍ଷଣ । ପୂର୍ବେ କହିଅଛିଁ ଦଣ୍ଡ ଯେତେ ପରିହାର କରାଯାଇ ପାରେ ତେତେ ମଙ୍ଗଳ । ଯଦ୍ୟପି ନିତାନ୍ତ ଦଣ୍ଡ ଦେବାର ଆବଶ୍ୟକ ହୁଏ, ତାହା ଏଘୁଦଣ୍ଡରୁ ଆରମ୍ଭ କରିବା ଭଲ । ‘ଆଖି ଦେଖାଇଲେ’ ଯଦ୍ୟପି ଦଣ୍ଡ ଦେବାର ଉଦ୍ଦେଶ୍ୟ ସିଦ୍ଧ ହୁଏ ତାହା ହେଲେ ପାଟି ଫିଟାଇବାର ଆବଶ୍ୟକ ନାହିଁ; ପୁଣି ମିଷ୍ଟ ଭାଷାରେ ଦୁଇକଥା ବଛାଇ କହି ବାଳକର ମନ ଫେରାଇପାରିଲେ ତିରସ୍କାରର ପ୍ରୟୋଜନ କ’ଣ ? ବାକ୍ୟ ନିଷ୍ଫଳ ନହେବ ପର୍ଯ୍ୟନ୍ତ କୌଣସି ପ୍ରକାର ଦଣ୍ଡବିଧାନ କରିବା ଉଚିତ ନୁହେଁ । ସ୍କୁଲରେ ଯେ ଗୋଳମାଳ ହୁଏ ତାହା ଅଧିକାଂଶ ସ୍ଥଳରେ ଶିକ୍ଷକଙ୍କ ଦୋଷରୁ ଘଟି ଥାଏ । ସୁଦକ୍ଷ ଶିକ୍ଷକଙ୍କର ଚକ୍ଷୁ ପ୍ରତ୍ୟେକ ବାଳକ ଉପରେ ସମାନ ଭାବରେ ସର୍ବଦା ନିକ୍ଷିପ୍ତ ଥାଏ । ଏଣୁକଣି ଗୋଳମାଳର ପୂର୍ବ ଲକ୍ଷଣ ଜାଣିଲା ମାତ୍ରକେ ସେ ତାହା ଦମନ କରିପାରନ୍ତି । ଗଳ୍ପ କରିବା କେତେକ ବାଳକଙ୍କର ପ୍ରକୃତିଗତ ଦୋଷ । ଏମାନଙ୍କୁ ମାରପିଟ କଲେ ବିଶେଷ ଫଳ ନାହିଁ । ଏପ୍ରକାର ବାଳକକୁ ପାଖକୁ ଡାକି ସ୍କୁଲକୁ ଆସିବାର ଉଦ୍ଦେଶ୍ୟ ସରଳଭାଷାରେ ଉତ୍ତମରୂପେ ବୁଝାଇ ଦେଇ ପୃଥକ୍‌ କରି ଏକ ସ୍ଥାନରେ ବସାଇ ଥରକୁଥର ଏହାର ମାନସିକଭାବ ବିଡୁଥିବ । ସୁଯୋଗ୍ୟ ଶିକ୍ଷକ ବାଳକମାନଙ୍କୁ ଗଳ୍ପ କରିବାକୁ ଅବସର ଦିଅନ୍ତି ନାହିଁ ।

 

କେତେକ ଶିକ୍ଷକଙ୍କର ଦୋଷ ଏହି ଯେ ସେମାନେ ବାଳକମାନଙ୍କୁ ସର୍ବଦା ତିରସ୍କାର କରନ୍ତି । ଏହାର ଫଳସ୍ୱରୂପ ପିଲାମାନେ ଏକାବେଳେ ନିର୍ଲଜ୍ଜ ହୋଇଯାଇ ତିରସ୍କାର ପ୍ରତି ମନୋଯୋଗୀ ହୁଅନ୍ତି ନାହିଁ । ଆମ୍ଭେ ସ୍ୱଚକ୍ଷୁରେ ଦେଖିଅଛୁ ଏବଂ ପ୍ରାୟ ସମସ୍ତେ ଏହା ଜାଣନ୍ତି ଯେ ବିଦ୍ୟାଳୟର ନିମ୍ନଶ୍ରେଣୀମାନଙ୍କରେ ଶିକ୍ଷକମାନେ ବାଳକମାନଙ୍କୁ ବେଞ୍ଚ ଉପରେ ଠିଆ କରାଇ କରାଇ ଏପ୍ରକାର ଅଭ୍ୟାସ ଜନ୍ମାଇ ଦିଅନ୍ତି ଯେ ସେମାନେ ଠିଆହେବାକୁ ଆଦୈା ଲଜ୍ଜାବୋଧ କରନ୍ତି ନାହିଁ । ଏପ୍ରକାର ଅବସ୍ଥାରେ ଦଣ୍ଡ ଦେବାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଯାଏ । ଏପରି ଘଟିବାର କାରଣ ଆଉ କିଛି ନୁହେଁ, କେବଳ ଶିକ୍ଷକମାନଙ୍କର ଭ୍ରମ । ବାଳକକୁ ଲଜ୍ଜିତ କରାଇ କାର୍ଯ୍ୟୋଦ୍ଧାର କରିବା ମାନସରେ ଯେଉଁ ଦଣ୍ଡ ଉଦ୍ଭାବନ କରାଯାଏ । ପୁଣି ବାଳକମାନଙ୍କ ପ୍ରତି ‘‘ତୋହୋର କେବେହେଁ କିଛି ହେବନାହିଁ’’, ‘‘ତୋପରି ଗଧ ଆଉ ସଂସାରରେ ନାହିଁ’’ ଇତ୍ୟାଦି ବଚନ ବ୍ୟବହାର କରିବା ଯେ ଅନ୍ୟାୟ ତାହା ସୁଶିକ୍ଷକ ମାତ୍ରକେ ଅବଗତ ଅଛନ୍ତି । ପୂର୍ବକାଳରେ ମନ୍ଦପିଲାମାନଙ୍କୁ ‘ଫୁଲସ୍‌କ୍ୟାପ୍‌’, ‘ଗଧଟୋପି’ ପିନ୍ଧାଇ ସ୍କୁଲ ଚାରିପାଖ ବୁଲାଇ ଆଣିବାର ରୀତି ପ୍ରଚଳିତ ଥିଲା । ସୁଖର ବିଷୟ ଯେ ଆଜିକାଲି ସେ ରୀତି ବେଶି ବେଶି ଦେଖାଯାଏ ନାହିଁ । ‘ଗଧଟୋପି’ର ବିଶେଷ ଫଳ ଅଛି ଅସ୍ୱୀକାର କରୁନାହୁଁ; କିନ୍ତୁ ସମସ୍ତଙ୍କର ଏହା ମନରେ ରଖିବା ଉଚିତ ଯେ ତାହା ଯେତେ କମ ବ୍ୟବହାର ହୁଏ ସେତେ ଭଲ । ଉକ୍ତ ରୂପ ଘଟନା ସ୍କୁଲରେ ଥରକୁ ତିନିଥର ଘଟିଲେ ତାହାର ଆଉ ତାଦୃଶ ପ୍ରଭାବ ନଥାଏ । ବେତ୍ରାଘାତ (ଦୁଃଖର ବିଷୟ ଯାହାକି ସଚରାଚର ସର୍ବାଦୈା ବ୍ୟବହୃତ ହେବାର ଦେଖାଯାଏ ) ଶିକ୍ଷକଙ୍କର ସକଳ କୈାଶଳ ବ୍ୟର୍ଥ ହେଲେ, ଥରେ ଦୁଇଥର ବ୍ୟବହାର କରିପାରନ୍ତି । ଯେଉଁ ବାଳକମାନେ କୁନୀତିପରାୟଣ ସେମାନଙ୍କ ପକ୍ଷରେ ଏହି ଦଣ୍ଡ ଉପଯୁକ୍ତ, ସନ୍ଦେହ ନାହିଁ । ଦଣ୍ଡ ଦେଲାବେଳେ ଶିକ୍ଷକମାନେ ମନରେ ରଖିବେ ଯେ ଯେଉଁ ସ୍କୁଲରେ ଦଣ୍ଡ ଦେବାର କମ ଆବଶ୍ୟକତା ହୁଏ ସେ ସ୍କୁଲ ଭଲ ଏବଂ ସେ ସ୍କୁଲର ଶିକ୍ଷକମାନେ ପ୍ରଶଂସନୀୟ ।

 

ଶିକ୍ଷା ଓ କଳ୍ପନା

 

ମନୁଷ୍ୟ କଳ୍ପନାଶୂନ୍ୟ ହୋଇ ରହିନପାରିଲେ ହେଁ କଳ୍ପନା ବୃତ୍ତିର ଉତ୍କର୍ଷସାଧନ ନ କରି ଦିନାତିପାତ କରିପାରେ— ସାଂସାରିକ କାର୍ଯ୍ୟକଳାପ ନିର୍ବାହ କରିବାରେ ତାହାର କୈାଣସି ପ୍ରକାର କଷ୍ଟ ଉପସ୍ଥିତ ହୋଇନପାରେ ତାହାର କୈାଣସି ପ୍ରକାର କଷ୍ଟ ଉପସ୍ଥିତ ହୋଇନପାରେ । କିନ୍ତୁ ସୁନ୍ଦର ସୁସଜ୍ଜିତ ଗୃହ ତ୍ୟାଗ କରି କିଏ ଇଚ୍ଛାପୂର୍ବକ କଦର୍ଯ୍ୟ ଗୃହରେ ବାସ କରିବାକୁ ମନ ବଳାଇଥାଏ ? ଖଣ୍ଡିଏ ‘ଚାଳୀଘର’ ଅଛି; ତହିଁରେ ଆଲୋକ ପ୍ରବେଶ କରିପାରେ, ବାୟୁ ଗମନାଗମନ କରିପାରେ, ଜଳ ପ୍ରବେଶ କରିପାରେ ନାହିଁ; ଘରର ନିମ୍ନଭାଗ ମଧ୍ୟ ଓଦା ନୁହେଁ, ଏମନ୍ତ କି ଆମ୍ଭମାନଙ୍କର ଯାବତୀୟ କାର୍ଯ୍ୟ ଉକ୍ତ ଗୃହମଧ୍ୟରେ ନିର୍ବାହ କରାଯାଇପାରେ । କିନ୍ତୁ ଘରଟି ଦେଖିବାକୁ ସୁନ୍ଦର ନୁହେଁ,ଏହାର କାନ୍ଥଯାକ ମୋଟ ମୋଟ ଓ ସର୍ପାକୃତି ବିଶିଷ୍ଟ, କେଉଁଠାରେ ବା ଦୁଇହାତ ଗଭୀରର ଗର୍ଭ କାନ୍ଥଦେହରେ ରହିଅଛି । ଏହାର ବାତାୟନ ଗୁଡ଼ିକ ମଧ୍ୟ ଦେଖିବାକୁ ସୁନ୍ଦର ନୁହଇ । ପୁଣି ଏହି ଘର ପାଖରେ ଆଉ ଖଣ୍ଡିଏ ଘର ଅଛି । ଉକ୍ତ ଗୃହଟି ଦେଖିବାକୁ ସୁନ୍ଦର, ତାହାର କବାଟ, ଗବାକ୍ଷଗୁଡ଼ିକରେ ରଙ୍ଗ ଦିଆହୋଇଅଛି । ସମ୍ମୁଖରେ ସ୍ତମ୍ଭାବଳୀ ଗୃହର ଶୋଭାବର୍ଦ୍ଧନ କରୁଅଛି । କାନ୍ଥଗୁଡ଼ିକ ବେଶ୍‌ ସୁନ୍ଦର ଏବଂ କେତେଗୁଡ଼ିଏ ଭଲ ଭଲ ଛବି କାନ୍ଥଗୁଡ଼ିକ ବେଶ୍‌ ସୁନ୍ଦର ଏବଂ କେତେଗୁଡ଼ିଏ ଭଲ ଭଲ ଛବି କାନ୍ଥଦେହରେ ଲଟକା ହୋଇଅଛି । ପାଠକ ! କହ କେଉଁ ଗୃହଟି ତୁମ୍ଭର ମନୋମତ ହେବ ? ବୋଲିବା ବାହୁଲ୍ୟ ଯେ ଶେଷୋକ୍ତ ଗୃହଖଣ୍ଡିକ ପ୍ରାପ୍ତ ହେଲେ ତୁମ୍ଭେ ଚାଳୀଘରର ଅଗଣା ସୁଦ୍ଧା ମାଡ଼ିବ ନାହିଁ । ଏପରି ସ୍ଥଳରେ ତୁମ୍ଭଙ୍କୁ କଳ୍ପନାପ୍ରିୟ ନ ବୋଲି ଆଉ କିସ ବୋଲିବୁଁ ? ବର୍ତ୍ତମାନ ଦେଖାଯାଉ କଳ୍ପନାର ଉତ୍କର୍ଷ କି କି ଉପାୟରେ ଲାଭକରାଯାଇପାରେ ।

 

ଉପନ୍ୟାସ ଅଥବା ପରୀ ଇତ୍ୟାଦିର ଗଳ୍ପ ପାଠ କଲେ କଳ୍ପନାଶକ୍ତି ପରିବର୍ଦ୍ଧିତ ହୋଇପାରେ ସତ୍ୟ,କିନ୍ତୁ ଏହାର ପ୍ରକୃତ ଉପାୟ ଭିନ୍ନ ପ୍ରକାର । ମାନବଚରିତ୍ର ପାଠ କରିବା ନିମନ୍ତେ— ମାନବଚରିତ୍ର ସମ୍ବନ୍ଧରେ ଜ୍ଞାନଲାଭ କରିବା ନିମନ୍ତେ ଉପନ୍ୟାସ ପାଠର ଆବଶ୍ୟକତା କଣ ? ଯେଉଁ ମହାତ୍ମାମାନେ ଏହି ପୃଥିବୀକୁ ଆଗମନ କରି ସ୍ୱୀୟ କାର୍ଯ୍ୟକଳାପ ଦ୍ୱାରା ଏହି ସଂସାରକୁ ପବିତ୍ର କରିଅଛନ୍ତି— ଏ ସଂସାରର ଅତ୍ୟାଚାର, ଅପମାନ ଦୂର କରିଅଛନ୍ତି;ସେମାନଙ୍କର— ସେହି ମହାତ୍ମାମାନଙ୍କର ଜୀବନୀ ପାଠ କଲେ କି କଳ୍ପନାଶକ୍ତିର ଉତ୍କର୍ଷସାଧନ ହେବନାହିଁ ? ଏକ ବୁଦ୍ଧଦେବଙ୍କର ଜୀବନୀ ପାଠ କଲେ; ଏକ ଚୈତନ୍ୟଙ୍କର ଜୀବନୀ ପାଠ କଲେ; ଏକ ରାମମୋହନ ରାୟଙ୍କର ଜୀବନୀ ପାଠ କଲେ ଯେଉଁ ଫଳଲାଭ ହେବ ତାହା କୈାଣସି ଏକ ପ୍ରସିଦ୍ଧ ଉପନ୍ୟାସ ଲେଖକଙ୍କର ସମଗ୍ର ଉପନ୍ୟାସଗୁଡ଼ିକ ପାଠ କଲେ ହେବ କି ନାହିଁ ସନ୍ଦେହ । ଜୀବନଚରିତ ପାଠ କଲାରୁ ଆମ୍ଭେମାନେ ଦୁଇପ୍ରକାର ଫଳଲାଭ କରୁଁ । ପ୍ରଥମତଃ, ଆମ୍ଭେମାନେ ଜାଣିପାରୁଁ ଯେ ମନୁଷ୍ୟ ଏହି ରକ୍ତମାଂସ ଗଠିତ ଶରୀର ଧାରଣ କରି କି କି କାର୍ଯ୍ୟ ସମ୍ପାଦନ କରିପାରେ; ଦ୍ୱିତୀୟତଃ, ଉକ୍ତ ଜୀବନୀ ପାଠକରି ଆମ୍ଭମାନଙ୍କର କର୍ତ୍ତବ୍ୟ ସ୍ଥିର କରୁଁ । କିନ୍ତୁ କେବଳ କେତେଗୁଡ଼ିଏ ଜୀବନୀ ପଢିଲେ କୈାଣସି ଲାଭ ନାହିଁ: । ଯାହା ପଢିବ ତାହା ଆତ୍ମସାତେ କରିବାକୁ ହେବ; ପୁଣି ଯାହା ଆତ୍ମଗତ କରିବ ତାହା ନିଜ ଜୀବନରେ କାର୍ଯ୍ୟରେ ପରିଣତ କରିବାକୁ ହେବ । ଖଣ୍ଡିଏ ପୁସ୍ତକ ପଢି ଶେଷ କଲା ଉତ୍ତାରୁ ତାହା ମୁଦ୍ରିତ କରି କଳ୍ପନାଚକ୍ଷୁରେ ଦେଖିବ ‘‘କଣ ପାଠ କଲ—କଣ ଶିକ୍ଷା କଲ ।’’ ମନେକର ତୁମ୍ଭେ ବୁଦ୍ଧଙ୍କର ଜୀବନୀ ପାଠ କଲ । ପାଠ ସମାପ୍ତ ହେଲା; ତୁମ୍ଭେ ଏକାନ୍ତରେ ବସି ବୁଦ୍ଧଙ୍କର ଜୀବନୀର ପ୍ରତ୍ୟେକ ଘଟନା ଚିନ୍ତା କରିବାକୁ ଲାଗିଲ । ବୁଦ୍ଧଦେବ ରୋଗୀ, ଜରାଗ୍ରସ୍ତ ଓ ମୃତବ୍ୟକ୍ତି ଦେଖି ବିଗଳିତ ହୋଇଥିଲେ । ଜୀବନର ଏତେ ଦୁଃଖ କଳ୍ପନା କରି ତୁମ୍ଭର ହୃଦୟ ଉଛୁଳି ଉଠିବ । ସନ୍ନ୍ୟାସୀ ଦେଖି ବୁଦ୍ଧଙ୍କର ସଂସାରରେ ବିରକ୍ତି ଜାତ ହେଲା । ସଂସାରର ଅନିତ୍ୟତା ଦେଖି ସେ ସ୍ତମ୍ଭିତ ହେଲେ । ପାଠକ ! ତୁମ୍ଭ ମନରେ ଯଦି ଏହା ପାଠ କରି ବୈରାଗ୍ୟ ଉପସ୍ଥିତ ନ ହେଲା ତାହାହେଲେ ତୁମ୍ଭର ପୁସ୍ତକ ଅଧ୍ୟୟନ କରିବା ଅକାରଣ । ବୁଦ୍ଧଙ୍କର ପିତା ପୁତ୍ରର ତାଦୃଶ ବିରାଗ ଭାବ ଦେଖି ତାଙ୍କୁ ବିବାହିତ କରାଇଲେ, ତାହାଙ୍କୁ ନର୍ତ୍ତକୀ ବେଷ୍ଟିତ କରି ରଖିବାକୁ ଲାଗିଲେ; କିନ୍ତୁ ତହିଁରେ କଣ ହେବ ? ବୁଦ୍ଧ ଆମୋଦକୁ ଆମୋଦକୁ ଆମୋଦ ଜ୍ଞାନ କଲେନାହିଁ । ସୁଖସୈାଧ ତାହାଙ୍କଠାରେ କାରାଗାରବତ୍‌ ପ୍ରତୀୟମାନ ହେଲା । ମନୋହର ସୁଗନ୍ଧଦ୍ରବ୍ୟ ଓ ସ୍ନିଗ୍ଧକର ଚନ୍ଦନଲେପନ ତାହାଙ୍କର ଗାତ୍ରଦାହ ଉପସ୍ଥିତ କଲା । ସେ ଆଉ ସହ୍ୟ କରିପାରିଲେ ନାହିଁ । ତାହାଙ୍କର ଚତୁର୍ଦ୍ଦିଗରେ ବୀଭତ୍ସଚିତ୍ର ପ୍ରତିଫଳିତ ଦେଖିବାକୁ ଲାଗିଲେ । ପାଠକ ! ବୁଦ୍ଧଙ୍କର ସହିତରେ ତୁମ୍ଭେ ମଧ୍ୟ ଥରେ କଳ୍ପନାବଳରେ ପାପର ଦୃଶ୍ୟ, ନରକର ଚିତ୍ର ଅବଲୋକନ କର । ରାଜପୁତ୍ର ସୁଖକ୍ରୋଡ଼ରେ ପ୍ରତିପାଳିତ, ଅତୁଳ ଐଶ୍ୱର୍ଯ୍ୟର ଭାବି ଅଧିପତି, ପିତାମାତାଙ୍କର ସ୍ନେହର ଧନ, ଆଜି ସର୍ବତ୍ୟାଗୀ ହୋଇ ଚାଲିଲେ—ଧନ ସମ୍ପତ୍ତିକୁ ଉପେକ୍ଷା କରି ଭିକ୍ଷାବୃତ୍ତି ଅବଲମ୍ବନ କରିବାକୁ ଅଗ୍ରସର ହେଲେ । ପାଠକ ! ତୁମ୍ଭ କ୍ଷଣକାଳ ନିମନ୍ତେ କଳ୍ପନା ବଳରେ ତୁମ୍ଭର ସକଳପ୍ରକାର ବନ୍ଧନ ଛିନ୍ନ କରି ବୁଦ୍ଧଙ୍କର ପଶ୍ଚାଦ୍‌ବର୍ତ୍ତୀ ହୁଅ । ସ୍ନେହବନ୍ଧନ ଯାକ ଗୋଟି ଗୋଟି କରି ଛିନ୍ନ କର ।

 

ଏହା ଦେଖ, ମହାତ୍ମା ବୁଦ୍ଧ ସଦ୍ୟଜାତ ସନ୍ତାନର ମୁଖ ନିରୀକ୍ଷଣ କରି, ପ୍ରଣୟିନୀର ମୁଖପଦ୍ମ ଦେଖି ମାନବର ସ୍ୱାଭାବିକ ଦୁର୍ବଳତା କର୍ତ୍ତୃକ ଆକ୍ରାନ୍ତ ହେଲେ— ଅତର୍କିତ ଭାବରେ ଏକ-ବିନ୍ଦୁ ଅଶ୍ରୁ ତାହାଙ୍କର ଗଣ୍ଡସ୍ଥଳ ଉପରେ ରେଖା ଅଙ୍କିତ କରି ଭୂପୃଷ୍ଠ ଚୁମ୍ବନ କଲା । ପାଠକ ! ତୁମ୍ଭ ଚକ୍ଷୁରେ ଜଳ କିପାଁ ଦେଖାଗଲା ? ବୁଝିଅଛୁଁ, ତୁମ୍ଭର ସ୍ନେହମୟୀ ଜନନୀଙ୍କର କଥା ମନରେ ଉଦିତ ହୋଇଅଛି— ପ୍ରଣୟିନୀଙ୍କର ବଦନସୁଧାକର ମନେପଡ଼ିଅଛି, ନୟନାଭିରାମ ପୁତ୍ରଙ୍କ ମୁଖକମଳ ହୃଦୟରେ ଜାଗ୍ରତ ହୋଇଅଛି । କିନ୍ତୁ ଦେଖ, ବୁଦ୍ଧ ସେ ବନ୍ଧନ ସବୁ ଛିନ୍ନ କରି ରଜନୀର ଅନ୍ଧକାର ମଧ୍ୟରେ ଆପଣା ମୁଖ ଲୁକ୍କାୟିତ କରି ଆପଣା ଗନ୍ତବ୍ୟ ପଥରେ ଅନୁସରଣ କଲେ । ପାଠକ ! ତୁମ୍ଭେ କିପାଁ ଆଉ ବିଳମ୍ବ କରୁଅଛ ? ଦେଖ, ସାବଧାନ ହୁଅ ଏଠାରୁ ଯେପରି ଫେରି ନଯାଅ । ବୁଦ୍ଧ ପରମରତ୍ନ ଲାଭ କରିବା ନିମନ୍ତେ ବର୍ଷ ଉତ୍ତାରୁ ବର୍ଷ ବ୍ୟୟିତ କରିବାକୁ ଲାଗିଲେ— ଗୋଟିଏ ଉପାୟ ଉତ୍ତାରୁ ଆଉ ଗୋଟିଏ ଉପାୟ ଅବଲମ୍ବନ କରିବାକୁ ଲାଗିଲେ, କେତେ କଷ୍ଟ ସହ୍ୟ କଲେ, କେତେ ଥର ନିରାଶାର ଅତଳ-ସ୍ପର୍ଶସାଗର ମଧ୍ୟରେ ନିମଗ୍ନ ହେଲେ ଓ ସନ୍ଦେହରୂପ ଜଳରାଶି ଭେଦକରି ଉପରକୁ ଉଠିଲେ । ପାଠକ ! ତୁମ୍ଭେ ତାହାଙ୍କ ସହିତରେ କଷ୍ଟଭୋଗ କର, ଉତ୍ତେଜିତ କଳ୍ପନାର ଜଳରେ ତୁମ୍ଭେ ମଧ୍ୟ ଥରେ ନିମଗ୍ନ ହୁଅ ଏବଂ ଉଠ । ଅବଶେଷରେ ବୁଦ୍ଧଦେବ ପରମରତ୍ନ ଲାଭ କଲେ । ଆନନ୍ଦରେ ତାହାଙ୍କର ସର୍ବଶରୀର ରୋମାଞ୍ଚିତ ହେଲା,ବ୍ରହ୍ମତେଜୋଗ୍ନି ମୁଖମଣ୍ଡଳରେ ପ୍ରତିଫଳିତ ହେଲା; ପ୍ରାଣ ଆନନ୍ଦ ପ୍ରବାହରେ ପ୍ରବାହିତ ହେବାକୁ ଲାଗିଲା । ପାଠକ ! ସେହି ଆନନ୍ଦ ତୁମ୍ଭର ବଦନ ମଣ୍ଡଳରେ ପ୍ରତିଫଳିତ ହେଉ । ସେହି ବିମଳଜ୍ୟୋତି ତୁମ୍ଭର ମୁଖରେ ପ୍ରଭା ବିକୀର୍ଣ୍ଣ କରୁ— ସେହି ଆନନ୍ଦଲହରୀ ତୁମ୍ଭର ପ୍ରତ୍ୟେକ ଶିରାରେ ପ୍ରବାହିତ ହେଉ । ସେହି ଆନନ୍ଦ, ସେହି ପ୍ରେମ ଯେତେବେଳେ ତୁମ୍ଭଠାରେ ଦେଖିବୁଁ ତେତେବେଳେ କହିବୁଁ ଯେ ତୁମ୍ଭେ ବୁଦ୍ଧଚରିତ ‘ପାଠ’ କରିଅଛ । ତୁମ୍ଭେ ପୁସ୍ତକପାଠ ଶେଷକରିଅଛ । ମୁଦ୍ରିତ ନେତ୍ରରେ ଚିନ୍ତା କରୁଅଛ— ତୁମ୍ଭର ମୁଦ୍ରିତ ଚକ୍ଷୁର ସମ୍ମୁଖ ଦେଇ ସେହି ଜୀବନୀର ସମସ୍ତ ଘଟନା ସଜ୍ଜିତ ଯାତ୍ରାଦଳ ପରି ନାଚି ନାଚି ଯାଉଅଛି— ତୁମ୍ଭେ ଅଭିଭୂତ—କ୍ଷଣକାଳ ନିମନ୍ତେ ତୁମ୍ଭର ‘ନିଜତ୍ୱ’ ଭୁଲିଯାଇଅଛ; ବୋଧହେଉଅଛି ଯେ ତୁମ୍ଭେ ଏ ସଂସାରରେ କେହି ନୁହଁ । ତୁମ୍ଭେ ବୁଦ୍ଧଙ୍କ ସହିତରେ ଏକ ହୋଇଯାଇଅଛ—ପରମରତ୍ନ ଦୁଇ ହସ୍ତରେ ବିତରଣ କରୁଅଛ । ବୁଦ୍ଧଚରିତ ପାଠ କରୁ କରୁ ଯେତେବେଳେ ତୁମ୍ଭେ ଆତ୍ମବିସ୍ମୃତ ହୋଇପାରିବ ତେତେବେଳେ ବୁଝିବୁଁ ଯେ ତୁମ୍ଭର ପ୍ରକୃତ ପାଠ ଶେଷ ହୋଇଅଛି । ଉପନ୍ୟାସ ତୁମ୍ଭର କଣ କରନ୍ତା ? ପ୍ରକୃତ ଘଟନା ଯାହା ଶିକ୍ଷା ଦେଲା ଅପ୍ରାକୃତ ଘଟନା କି ତାହା ତୁମ୍ଭଙ୍କୁ ଶିକ୍ଷା ଦେଇପାରେ ? ବଙ୍କିମବାବୁଙ୍କର ପ୍ରଫୁଲ୍ଲ ପାଞ୍ଚବର୍ଷ ମଧ୍ୟରେ ବ୍ୟାକରଣ କଲେ । ଭଟ୍ଟି ଶେଷ କଲେ, ସମସ୍ତେ ଇନ୍ଦ୍ରିୟବୃତ୍ତିକୁ ଆୟତ୍ତାଧୀନ କଲେ; ପ୍ରଫୁଲ୍ଲ ଜଣେ ପ୍ରକୃତ ସାଧକ ହେଲେ । ଏହି ସକଳ ବୃଦ୍ଧା ଆଈଙ୍କର କାହାଣୀ କି ତୁମ୍ଭ ମନରେ ସାଧନାର ଭାବ ଜାତ କରାଇପାରେ ତ ? ତନ୍ନିମନ୍ତେ କହୁଥିଲୁଁ ଯେ ଯଦ୍ୟପି କଳ୍ପନାର ପ୍ରକୃତ ଉତ୍କର୍ଷ-ସାଧନ କରିବାକୁ ଇଚ୍ଛା କର ତାହା ହେଲେ ପ୍ରକୃତ ଜୀବନଚରିତ ପାଠ କର ।

 

ଶିଳ୍ପ ଓ ସଙ୍ଗୀତ ବିଦ୍ୟାଦ୍ୱୟ କଳ୍ପନାର ବିଶେଷ ଉତ୍କର୍ଷସାଧନ କରନ୍ତି । ସୈାନ୍ଦର୍ଯ୍ୟ କଳ୍ପନାର ପ୍ରକୃତ ଖାଦ୍ୟ । ଯେଉଁମାନଙ୍କର ସୈାନ୍ଦର୍ଯ୍ୟ ନିରୀକ୍ଷଣ କରିବାର କ୍ଷମତା ନାହିଁ, ସେମାନଙ୍କର ଜୀବନ ବୃଥା । କଳ୍ପନାର ଉତ୍କର୍ଷ-ସାଧନେଚ୍ଛୁ ପ୍ରତ୍ୟେକ ବ୍ୟକ୍ତିଙ୍କର ଏହା ମନେରଖିବା ଉଚିତ ଯେ କୈାଣସି ବିଷୟରେ ଦୋଷ ବାଛିବା ପୂର୍ବରେ ତାହାର ଗୁଣ ଓ ସୈାନ୍ଦର୍ଯ୍ୟ ଗ୍ରହଣ କରିବା ପ୍ରକୃତ ମନୁଷ୍ୟର କାର୍ଯ୍ୟ ।

 

ଶିକ୍ଷାପଦ୍ଧତି

 

୧ । ଶିକ୍ଷାଦାନ ପଦ୍ଧତିର ଦୋଷକୁ ଅନେକ କୃତବିଦ୍ୟ ଶିକ୍ଷକ ସୁଦ୍ଧା ଅକୃତକାର୍ଯ୍ୟ ହୁଅନ୍ତି-। ଦେଖାଯାଏ କେତେକ ଶିକ୍ଷକ ଉଚିତ ପରିଶ୍ରମ କରି ସୁଦ୍ଧା ଆଶାନୂରୂପ ଫଳପ୍ରାପ୍ତ ହୁଅନ୍ତି ନାହିଁ । ଏଥିର କାରଣ ଅନୁସନ୍ଧାନ କଲେ ଦେଖାଯିବ ଯେ ଏହା କେବଳ ଶିକ୍ଷାଦେବା ଦୋଷରୁ ଘଟିଥାଏ । ସକଳ କାର୍ଯ୍ୟରେ ନିୟମ ଥିବାର ଆବଶ୍ୟକ; ନିୟମ ନଥିଲେ କୈାଣସି ବିଷୟ ସୁନ୍ଦର ହୁଏନାହିଁ । ଆମ୍ଭେମାନେ ଯେଉଁ ଜଗତ ସମ୍ମୁଖରେ ଦେଖୁଅଛୁଁ — ଯାହାର ଏକାଂଶରେ ଆମ୍ଭେମାନେ ପରିବାରବର୍ଗ-ବେଷ୍ଟିତ ହୋଇ ବାସ କରୁଅଛୁଁ, ନିୟମର ରାଜତ୍ୱ ସେଥିରେ ନଥିଲେ ଯେ ତାହାର କି ଦଶା ଘଟନ୍ତା, ତାହା କଳିବା ଏକାନ୍ତ କଠିନ । ଶିକ୍ଷାପଦ୍ଧତିର ଯେଉଁସବୁ ସୁନିୟମ ଅଛି ତାହା ଉପେକ୍ଷା କଲେ କଦାପି ଭଳଫଳ ଲାଭ କରାଯାଇନପାରେ । ସ୍କୁଲରେ ଶିକ୍ଷକ କେଉଁ କେଉଁ ବିଷୟପ୍ରତି ଦୃଷ୍ଟି ରଖିବେ ଏବଂ କି ନିୟମରେ ଶିକ୍ଷା ଦେବେ ତାହା ବୋଲିବାକୁ ହେଲେ ଖଣ୍ଡିଏ ବୃହତ୍‌ ପୁସ୍ତକ ରଚନା କରିବାକୁ ପଡ଼ିବ । ‘ଶିକ୍ଷାବନ୍ଧୁ’ ରେ ତେତେ ସ୍ଥାନ ନାହିଁ ଏବଂ ଲେଖକଙ୍କର ମଧ୍ୟ ସେପରି କ୍ଷମତା ନାହିଁ । ଏଠାରେ ଶିକ୍ଷାପଦ୍ଧତିର କେବଳ ଦୁଇଚାରିଗୋଟି ନିୟମର ଉଲ୍ଲେଖ କରାଯାଉଅଛି ।

 

୨ । ଯେଉଁ ଶ୍ରେଣୀର ଛାତ୍ରମାନଙ୍କୁ ଶିକ୍ଷା ଦେବେ, ଶିକ୍ଷକ ଉକ୍ତ ଶ୍ରେଣୀ ମଧ୍ୟରେ ପ୍ରବିଷ୍ଟ ହୋଇ କେଉଁ ବାଳକ ଉପସ୍ଥିତ ନାହିଁ ତାହା ପ୍ରଥମେ ଅନୁସନ୍ଧାନ କରି ଦେଖିବେ । ଏ କାର୍ଯ୍ୟ କିଛି କଷ୍ଟସାଧ୍ୟ ନୁହେଁ । ପ୍ରତ୍ୟେକ ଶ୍ରେଣୀରେ ପ୍ରାତ୍ୟହିକ ଉପସ୍ଥିତ-ବାଳକମାନଙ୍କର ସଂଖ୍ୟା ଚିହ୍ନିତ କରିବା ନିମନ୍ତେ ଖଣ୍ଡେ ଖଣ୍ଡେ ବହି ଥାଏ । ଏହି ବହିକୁ ଭାଷାରେ ‘ହାଜିରାବହି’ ବୋଲାଯାଏ । ଉକ୍ତ ବହିରେ ଶ୍ରେଣୀସ୍ଥ ବାଳକମାନଙ୍କର ନାମ ଲେଖାଥାଏ । ସମାନଙ୍କର ନାମ କ୍ରମାନ୍ୱୟରେ ଡ଼ାକିଗଲେ କେଉଁ ବାଳକ ଉପସ୍ଥିତ ନାହିଁ ତାହା ସହଜରେ ଜଣାପଡ଼ିବ । ଏପରି କଲେ କିଛି ଫଳ ଅଛି କି ? କେହି କେହି ପଚାରନ୍ତି,‘‘ଏପରି କରିବାର ଲାଭ କ’ଣ ? ଶିକ୍ଷକ ଅଳସ ନ ହୋଇ ପଢାଇଲେ ହେଲା— କେତେ ବାଳକ ଆସିଅଛନ୍ତି ପୁଣି କେତେ ଆସିନାହାନ୍ତି ତାହା ନିତ୍ୟ ତଦନ୍ତ କରିବାକୁ ହେଲେ କେବଳ ବୃଥାରେ ସମୟ ଅପବ୍ୟୟ କରିବାକୁ ହେବ । ବାସ୍ତବରେ ଏହି ନିୟମ ରକ୍ଷା କରିବାକୁ ହେଲେ କିଛି ସମୟ ବ୍ୟୟ କରିବାକୁ ହୁଏ; କିନ୍ତୁ ଉକ୍ତ ସମୟ ବ୍ୟୟକରି ଯେଉଁ ଫଳ ଲାଭ କରାଯାଏ ତାହା ଯେ ବ୍ୟୟିତ ସମୟାପେକ୍ଷା ମୂଲ୍ୟବାନ୍‌ ତାହା ବହୁଦର୍ଶୀମାନେ ଅବଶ୍ୟ ସ୍ୱୀକାର କରିବେ । ବାଳକମାନଙ୍କର ଉନ୍ନତି ଜାଣିବା ନିମନ୍ତେ ‘ହାଜିରା ବହି’ ଆବଶ୍ୟକ ହୁଏ । ମଧ୍ୟ ‘ହାଜିରା ବହି’ ଯୋଗୁଁ ସ୍କୁଲରେ ଉପସ୍ଥିତ-ସଂଖ୍ୟା ବୃଦ୍ଧିହେବାର ଦେଖାଯାଏ । ଯଦ୍ୟପି ବାଳକମାନଙ୍କର ଅନୁପସ୍ଥିତ ହେବାର କାରଣ ଅନୁସନ୍ଧାନ କରାନଯାଏ ଏବଂ ସେଥିରେ କୈାଣସି ହିସାବ ରକ୍ଷିତ ନ ହୁଏ ତାହାହେଲେ ସେମାନେ ଉପସ୍ଥିତ ହେବା ପକ୍ଷରେ ବିଶେଷ ମନୋଯୋଗୀ ହୁଅନ୍ତି ନାହିଁ । ଯେଉଁ ବାଳକମାନେ ଅନୁପସ୍ଥିତ ଥିବେ, ସେମାନଙ୍କର ଅନୁପସ୍ଥିତ ହେବାର କାରଣ ଶିକ୍ଷକ ଅନୁସନ୍ଧାନ କରି ବୁଝିବେ । ଯଦ୍ୟପି କୈାଣସି ବାଳକ ବୃଥାରେ ଅନୁପସ୍ଥିତ ହୋଇଥାଏ ତାହାହେଲେ ସେ ପୁନଃ ଉପସ୍ଥିତ ହେଲେ ଶିକ୍ଷକ ବିବେଚନାପୂର୍ବକ ଦଣ୍ଡବିଧାନ କରିବେ ।

 

୩। ଆପଣା ଶ୍ରେଣୀରେ ଯେପରି କୈାଣସି ଗୋଳମାଳ ନ ହୁଏ ସେଥିପ୍ରତି ଶିକ୍ଷକ ବିଶେଷ ଦୃଷ୍ଟିରଖିବେ । ଦେଖାଯାଏ କେତେକ ଶିକ୍ଷକଙ୍କର ସମୟ କେବଳ ଗୋଳମାଳ ବନ୍ଦ କରିବାରେ ବ୍ୟୟିତ ହୁଏ । ଯେଉଁ ଶିକ୍ଷକଙ୍କର ଏପରି ଘଟେ ସେ ଶିକ୍ଷକତା କାର୍ଯ୍ୟରେ ସମ୍ପୂର୍ଣ୍ଣ ଅନୁପଯୁକ୍ତ । କେଉଁ ବାଳକମାନେ ସର୍ବଦା ଗୋଳମାଳ କରନ୍ତି ତାହା ଜାଣିବା ଆୟାସସାଧ୍ୟ ନୁହେଁ । ଦୁଷ୍ଟ ବାଳକମାନଙ୍କ ପ୍ରତି ଦୃଷ୍ଟି ରଖିଥିଲେ ଶ୍ରେଣୀରେ ଗୋଳମାଳ ହେବାର ସମ୍ଭାବନା ନଥାଏ । ବାସ୍ତବରେ ଯଦି ବାଳକମାନେ ଜାଣିପାରନ୍ତି ଯେ ସେମାନଙ୍କର କାର୍ଯ୍ୟ ଶିକ୍ଷକଙ୍କର ଦୃଷ୍ଟି ଅତିକ୍ରମ କରୁନାହିଁ ତାହାହେଲେ ସେମାନେ ଗୋଳମାଳରୁ ବିରତ ହେବେ ।

 

୪। ଶିକ୍ଷକ ଯାହା ପଢାଇବେ ତାହା ତାହାଙ୍କର ସୁଚାରୁରୂପେ ଜାଣିଥିବା ଉଚିତ-। ଉକ୍ତ ପାଠ ତାହାଙ୍କର ଏପରି ଜଣାଥିବ ଯେ ସେ ଶ୍ରେଣୀରେ ପୁସ୍ତକ ବ୍ୟବହାର ନକରି ସୁଦ୍ଧା ଅଧ୍ୟାପନ କରାଇପାରିବେ । ଆମ୍ଭମାନଙ୍କର ଏକଥା ବୋଲିବାର ତାତ୍‌ପର୍ଯ୍ୟ ଏହି ଯେ ଯଦ୍ୟପି କୈାଣସି ଶ୍ରେଣୀରେ ଅଧିକସଂଖ୍ୟକ ବାଳକ ଥାନ୍ତି ତାହାହେଲେ ଶିକ୍ଷକ ପୂର୍ବରୁ ପ୍ରସ୍ତୁତ ହୋଇ ଆସିନଥିଲେ ବାଳକମାନଙ୍କ ମଧ୍ୟରୁ କିଏ କିପରି ମନୋଯୋଗୀ ହେଉଅଛି ତାହା ସେ ଜାଣିପାରିବେ ନାହିଁ, ହେତୁ କି ପୁସ୍ତକରେ ମନ ଦେବାରେ ତାହାଙ୍କର ଅଧିକ ସମୟ ବ୍ୟୟିତ ହେବ । ପୁଣି ସାଧାରଣତଃ ଅମନୋଯୋଗୀ ବାଳକମାନେ ସୁବିଧାପ୍ରାପ୍ତ ହୋଇ ଅଧିକ ଅମନୋଯୋଗୀ ହେବେ । ବୋଲିବା ବାହୁଲ୍ୟ ଯେ, ବାଳକମାନଙ୍କ ମଧ୍ୟରୁ କିଏ କିପରି ମନଲଗାଇ ପାଠ କରୁଅଛି ତାହା ଦେଖିବା ଶିକ୍ଷକଙ୍କର କର୍ତ୍ତବ୍ୟ-କର୍ମ ଅଟେ ।

 

୫ । କେତେକ ଶିକ୍ଷକ କ୍ରମାନ୍ୱୟରେ ଶ୍ରେଣୀର ଏକପାର୍ଶ୍ୱରୁ ପଢାଇବାକୁ ଆରମ୍ଭ କରନ୍ତି ଏବଂ ପ୍ରଥମ ଦିନ ଯେଉଁ ଛାତ୍ରମାନେ ପଢିଥାନ୍ତି ଦ୍ୱିତୀୟ ଦିନ ସେମାନଙ୍କୁ ଅଧିକ କିଛି ନ ପଚାରି ସେମାନଙ୍କ ପରବର୍ତ୍ତୀ ବାଳକମାନଙ୍କୁ ପଢାନ୍ତି ଏବଂ କ୍ରମାନ୍ୱୟରେ ଏହି ପଥକୁ ଅବଲମ୍ବନ କରି ଅଗ୍ରସର ହୁଅନ୍ତି । ଅନେକ ସୁବିଜ୍ଞ ଶିକ୍ଷକଙ୍କୁ ମଧ୍ୟକରିବା ଦେଖାଯାଇଅଛି । ଏ ପ୍ରଥା ଯେ ମନ୍ଦ ତାହା ବୋଲିବା ବାହୁଲ୍ୟ । ବିଶେଷତଃ ଯେଉଁ ଶ୍ରେଣୀରେ ଅଧିକ ବାଳକ ଥାନ୍ତି ସେଠାରେ ଉକ୍ତ ପ୍ରଥା ଅବଲମ୍ବନ କଲେ ଯେ କିପରି ଫଳ ଘଟିଥାଏ ତାହା ଅନୁଭବୀ ବିନା ଆଉ କେହି ବୁଝିବେ ନାହିଁ । ଏପରି ଭାବରେ ପଢାଇାବାକୁ ହେବ ଯେ ପ୍ରତ୍ୟେକ ବାଳକ ତାହାର ପାଠ ଅଭ୍ୟାସ କରି ସ୍କୁଲରେ ଉପସ୍ଥିତ ହେବ । ଯଦି ଶିକ୍ଷକ ଆପଣା ଇଚ୍ଛାନୁସାରେ ବାଳକମାନଙ୍କୁ ପଢିବାକୁ ବୋଲନ୍ତି ତାହା ହେଲଷ ପ୍ରତ୍ୟେକ ବାଳକ ପାଠାଭ୍ୟାସ କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ପକ୍ଷାନ୍ତରରେ ବାଳକମାନେ ଯଦ୍ୟପି ଜାଣିପାରନ୍ତି ଯେ ଆଜି ଆମ୍ଭମାନଙ୍କୁ ପଢିବାକୁ ହେବ ନାହିଁ ତାହାହେଲେ ସେମାନେ ପାଠ୍ୟଭ୍ୟାସରେ ମନଯୋଗୀ ହୁଅନ୍ତି ନାହିଁ । ଏଠାରେ ଉଲ୍ଲେଖ କରିବା ଉଚିତ ଯେ ମନ୍ଦ ବାଳକମାନେ ସୁଦ୍ଧା ଉକ୍ତ ନିୟମ ଅବଲମ୍ବନ କଲାରୁ ସ୍ଥଳବିଶେଷରେ ଉନ୍ନତିଲାଭ କରିଥିବାର ଦେଖାଯାଏ ।

 

୬ । ଶିକ୍ଷକ ଭିନ୍ନ ଭିନ୍ନ ଛାତ୍ରକୁ ଯେତେ ପ୍ରଶ୍ନ ପଚାରି ପାରନ୍ତି ତେତେ ଭଲ । ଆମ୍ଭେମାନେ ଦେଖିଅଛୁଁ ଯେ ପ୍ରଶ୍ନ ପଚାରିବ। ଗୁଣରୁ ଛାତ୍ରମାନେ ଅମନୋଯୋଗୀ ହୋଇପାରନ୍ତି ନାହିଁ । ପୁଣି ନାନା ପ୍ରକାର ପ୍ରଶ୍ନ ଉଦ୍ଭାବନ କରି ବାଳକମାନଙ୍କୁ ପଚାରିଲେ ସେମାନଙ୍କର ଜ୍ଞାନବୃଦ୍ଧି ହୋଇଥାଏ; ଯେହେତୁ ଏହି ଉପାୟରେ ସେମାନଙ୍କୁ ଯେ ପରିମାଣରେ ଶିକ୍ଷା ଦିଆଯାଇପାରେ ଅନ୍ୟ କୌଣସି ଉପାୟରେ ତାହା ଦେବା କଷ୍ଟକର ।

 

୭। ଦେଖାଯାଏ କେତେକ ଶିକ୍ଷକ ପଢାଇଲାବେଳେ ଛାତ୍ରମାନଙ୍କୁ ବୁଦ୍ଧି ପରିଚାଳନା କରିବାର ଅବସର ଦିଅନ୍ତି ନାହିଁ। କୌଣସି ପାଠ ବୁଝାଇବାବେଳେ ସେ ଚତୁର୍ମୁଖ ହୋଇ ବୁଝାଇବାକୁ ଆରମ୍ଭ କରନ୍ତି । ଶିକ୍ଷକମାନେ ଯେ ବାଳକମାନଙ୍କୁ ବିଷୟଗୁଡ଼ିକ ଉତ୍ତମରୂପେ ବୁଝାଇଦେବେ, ତାହା ଅବଶ୍ୟ ବାଞ୍ଛନୀୟ; କିନ୍ତୁ ବାଳକମାନେ ଯେପରି ତାହାଙ୍କ ମୁଖନିସୃତ ବାକ୍ୟଗୁଡ଼ିକ ନ ବୁଝି ନ ସୁଝି କଣ୍ଠସ୍ଥ ନ କରନ୍ତି ତାହା ସର୍ବାଗ୍ରେ ଦେଖିବା କର୍ତ୍ତବ୍ୟ । ବାଲ୍ୟକାଳରୁ ମାନସିକବୃତ୍ତିନିଚୟରେ ପରିଚାଳନା ନ ହେଲେ ମନୁଷ୍ୟ କ୍ରମେ ସ୍ଥୂଳଧୀ ହୋଇଯାଏ । ଆମ୍ଭମାନଙ୍କ ମତରେ ଶିକ୍ଷକ ନିଜେ ବୁଝାଇାବକୁ ଚେଷ୍ଟା ନ କରି ବାଳକମାନଙ୍କୁ ବୁଝାଇବାକୁ ଦେବେ ଏବଂ ସେମାନଙ୍କୁ ସାହାଯ୍ୟ କରୁଥିବେ । ଯେଉଁଠାରେ ସେମାନଙ୍କର ଭୁଲ ହେଉଥିବ ତାହା ସା ସଂଶୋଧନ କରିଦେଇ ଭାବାର୍ଥ ଓ ତାତ୍‌ପର୍ଯ୍ୟଗୁଡ଼ିକ ଉତ୍ତମରୂପେ ବୁଝାଇଦେବେ । ଏହି ଉପାୟରେ ଶିକ୍ଷା ଦେଲେ ବାଳକମାନଙ୍କର ବିଶେଷ ଉନ୍ନତି ହେବ ।

 

୮ । ଶିକ୍ଷକଙ୍କୁ ସ୍କୁଲରେ ଯେ କେବଳ ଶିକ୍ଷକତା (ପ୍ରକୃତ ଅର୍ଥରେ) କରିବାକୁ ହୁଏ ଏମନ୍ତ ନୁହେଁ । ତାହାଙ୍କର କ୍ଲାସ ଗୋଟିଏ ରାଜ୍ୟତୁଲ୍ୟ ଏବଂ ସେ ସେଠାରେ ରାଜା ସଦୃଶ । ତାହାଙ୍କୁ ଶାସନକାର୍ଯ୍ୟ ନିର୍ବାହ କରିବାକୁ ହୁଏ–ବିଚାରକାର୍ଯ୍ୟ ସମାଧାନ କରିବାକୁ ହୁଏ । ଛାତ୍ରମାନେ ତାହାଙ୍କର ପ୍ରଜା । ପ୍ରଜାମାନଙ୍କ ମଧ୍ୟରେ ଅମେଳ ହେଲେ ତାହାଙ୍କୁ ସେମାନଙ୍କ ମଧ୍ୟରେ ସଖ୍ୟଭାବ ଓ ସୌହାର୍ଦ୍ଦ ସ୍ଥାପନ କରିଦେବାକୁ ହୁଏ । ତାହାଙ୍କର ବିଚାରକାର୍ଯ୍ୟରେ ପକ୍ଷପାତିତ୍ୱ ଲକ୍ଷିତ ହେଲେ ମନ୍ଦଫଳ ଘଟିବାର ସମ୍ଭାବନା । ଏଣୁକରି ଶିକ୍ଷକମାଡ଼ଙ୍କର ସାବଧାନ ହୋଇ କାର୍ଯ୍ୟ କରିବା କର୍ତ୍ତବ୍ୟ ।

 

୯ । ଶିକ୍ଷକତା କାର୍ଯ୍ୟର ଦାୟିତ୍ୱ ଗୁରୁତ୍ୱ ଇତିପୂର୍ବେ ଅନେକଥର ଶିକ୍ଷାବନ୍ଧୁରେ ବୁଝାଇବାକୁ ଚେଷ୍ଟା କରାଯାଇଅଛି । ଏଠାରେ ଆଉ ସେ ବିଷୟରେ ପୁନରୁଲ୍ଲେଖ କରିବା ନିଷ୍ପ୍ରୟୋଜନ । ଶିକ୍ଷକ ଏକଥା ମନେରଖିଥିବେ ଯେ ଯେଉଁ ବାଳକମାନେ ଆଜି ତାହାଙ୍କ ଚାରିଆଡ଼ରେ ବସି ବଦ୍ୟାଧ୍ୟୟନ କରୁଅଛନ୍ତି ସେମାନେ ସମୟରେ ମନୁଷ୍ୟ ହେବେ ଏବଂ ସମାଜର ପୁଷ୍ଟିସାଧନ କରିବେ । ଯେପରି ବୃକ୍ଷ ଦେହରେ ଏକପ୍ରକାର କୀଟ ଲାଗିଲାରୁ ବୃକ୍ଷ ନଷ୍ଟ ହୋଇଯାଏ, ଅଥବା ବୃକ୍ଷର ବିଶେଷ କ୍ଷତି ହୁଏ, ଏହିପରି ଏମାନେ ଅସଚ୍ଚରିତ୍ର ହେଲେ ସମାଜର କ୍ଷତି ହୋଇଥାଏ । ଅତଏବ ବାଳକମାନେ ଯେପରି ସଚ୍ଚରିତ୍ର ହୁଅନ୍ତି ସେଥିପ୍ରତି ଶିକ୍ଷକ ଦୃଷ୍ଟି ରଖିବାକୁ ଭୁଲିବେ ନାହିଁ । ବାଲ୍ୟକାଳ ଅପ୍ରଷ୍ପୁଟିତ ପୁଷ୍ପ ସଦୃଶ । ଅପ୍ରଷ୍ପୁଟିତ ପୁଷ୍ପ ମଧ୍ୟରେ କୀଟ ପ୍ରବେଶ କରି ଯେପରି ତାହାର ସୌନ୍ଦର୍ଯ୍ୟ ବିନଷ୍ଟ କରିଦିଏ ସେହିପରି କୁତ୍ସିତଭାବ ଓ ମନ୍ଦଅଭ୍ୟାସ ବାଲ୍ୟକାଳରୂପେ କୁସୁମ ମଧ୍ୟରେ ଏକାବେଳେକେ ଖରାପ ହୋଇଯାଏ । ଶିକ୍ଷକ ଏହା ସ୍ମରଣ ରଖି ଶିକ୍ଷା ଦେଲେ ସମାଜର ଉନ୍ନତି, ସୁତରାଂ ଦେଶର ଉନ୍ନତି ହେବ ବୋଲି ଆଶା କରାଯାଇପାରେ ।

 

ଅଳଙ୍କାର ବୋଧୋଦୟ

ସମାଲୋଚନା

 

ଏହି ଗ୍ରନ୍ଥଖଣ୍ଡି ପାଠକରି ଆମ୍ଭେ ଅତ୍ୟନ୍ତ ପ୍ରୀତି ହୋଇଅଛୁଁ । ସଂସ୍କୃତ ଅଳଙ୍କାରଗ୍ରନ୍ଥକ ଓଡ଼ିଆଭାଷାରେ ଅନୁବାଦ କରିବା ସହଜ କଥା ନୁହେଁ । ରାଧାନାଥବାବୁ ଏ ସମ୍ବନ୍ଧରେ ଯାହା କହିଅଛନ୍ତି, ସେଥିରେ ଆମ୍ଭ ମତର ସମ୍ପୂର୍ଣ୍ଣ ଐକ୍ୟ ଅଛି । ଆହୁରି ଆନନ୍ଦର ବିଷୟ ଯେ ଏହି ଦୁରୂହ କାର୍ଯ୍ୟଟି ଜଣେ ନାନା ରାଜକାର୍ଯ୍ୟବ୍ୟାପୃତ ରାଜାଙ୍କ କର୍ତ୍ତୃକ ସମ୍ପାଦିତ ହୋଇଅଛି । ରାଜନ୍ୟବର୍ଗରେ ବାସୁଦେବାଭିଧେୟ ନରପତିଙ୍କର ପାଣ୍ଡିତ୍ୟ, ସତ୍‌ ପରିଶ୍ରମ ଏବଂ ଅଧ୍ୟବସାୟର ଉଦାହରଣ ଅତି ବିରଳ ଲକ୍ଷିତ ହୁଏ ।

 

ପ୍ରାଚ୍ୟ ଅଳଙ୍କାରଶାସ୍ତ୍ର ଏବଂ ପାଶ୍ଚତ୍ୟ ଅଳଙ୍କାରଶାସ୍ତ୍ର, ଏ ଉଭୟ ବିସ୍ତର ପ୍ରଭେଦ ଦେଖାଯାଏ । ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ରର ଆଲୋଚ୍ୟ ବିଷୟ କବିତା ଏବଂ ବକ୍ତୃତା, ପ୍ରାଚ୍ୟ ଅଳଙ୍କାରଶାସ୍ତ୍ରର ଆଲୋଚ୍ୟ ବିଷୟ କେବଳ କବିତା ମାତ୍ର । ପାଶ୍ଚତ୍ୟ କବିତାର ଜନ୍ମଭୂମି ଗ୍ରୀସ୍ । ଏହି ଦେଶର ପ୍ରାକୃତିକ ଅବସ୍ଥା କବିତାର ଯେପରି ଅନୁକୂଳ ଥିଲା, ରାଜନୈତିକ ଅବସ୍ଥା ମଧ୍ର ବକ୍ତୃତାର ସେହିପରି ଅନୁକୂଳ ଥିଲା । ପ୍ରାଚୀନ ଗ୍ରୀସ୍‌ରେ ପ୍ରଜାତନ୍ତ୍ରଣପ୍ରଣାଳୀ ପ୍ରଚଳିତ ଥିବାରୁ ବକ୍ତୃତାରୁ ଯଥେଷ୍ଟ ଆଦର ହୋଇଥିଲା ଏବଂ ବାଗ୍ମିମାନେ ନିଜ ନିଜ ଦକ୍ଷତାନୁସାରେ ସାମାଜିକ ସମ୍ମାନ ଲାଭ କରିଥିଲେ । ଭାରତବର୍ଷରେ ରାଜତନ୍ତ୍ରପ୍ରଣାଳୀ ପ୍ରଚଳିତ ଥିବାରୁ ବାଗ୍ମିତା ତାଦୃଶ ଉତ୍କର୍ଷ ଲାଭ କରିପାରିନାହିଁ । ସଂପ୍ରତି ସଭ୍ୟତାର ଉନ୍ନତି ସଙ୍ଗେ ସଙ୍ଗେ ଏ ଦେଶରେ ମଧ୍ୟ ଅଳ୍ପ ବା ଅଧିକ ପରିମାଣରେ ବକ୍ତୃତାର ସ୍ଫୂର୍ତ୍ତି ଦେଖାଯାଉଅଛି । ପରନ୍ତୁ ଏହି ସ୍ଫୂର୍ତ୍ତି ରାଜନୈତିକ ଉନ୍ନତିର ଅବଶ୍ୟମ୍ଭାବୀ ସହଚର । ପ୍ରଚଳିତ ରାଜ୍ୟମାନଙ୍କରେ ଅଳଙ୍କାରଗ୍ରନ୍ଥ ପ୍ରଣୟନ କରିବାକୁ ହେଲେ, କେବଳ କବିତାକୁ ଗ୍ରନ୍ଥର ବିଷୟୀଭୂତ ନ କରି କବିତା ଏବଂ ବକ୍ତୃତା ଉଭୟର ଯଥାଯଥ ଆଲୋଚନା କରିବାର ଆବଶ୍ୟକ ।

 

ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ର ସଙ୍ଗେ ତୁଳନା କରି ଦେଖିଲେ, ପ୍ରାଚ୍ୟ ଅଳଙ୍କାରଶାସ୍ତ୍ରର ଆଉ ଗୋଟିଏ ଅଭାବ ପରିଲକ୍ଷିତ ହୁଏ। ସଂସ୍କୃତ ଅଳଙ୍କାରଗ୍ରନ୍ଥରେ କାବ୍ୟମାନଙ୍କୁ ଗୋଟିଏ ଗୋଟିଏ ଶ୍ଳୋକ ନେଇ ସେଥିରେ ଦୋଷଗୁଣ, ଉତ୍‌କର୍ଷାପକର୍ଷ ସମ୍ବନ୍ଧରେ ଅତି ସୂକ୍ଷ୍ମବିଚାର କରାଯାଇଅଛି । ମାତ୍ର ଖଣ୍ଡିଏ ସମଗ୍ର କାବ୍ୟ ବା ନାଟକର ବିଚାର ସେଥିରେ ଦୋଷ ଗୁଣ ପ୍ରଦର୍ଶିତ ହୋଇନାହିଁ । ସମଗ୍ର କାବ୍ୟ ବା ନାଟକର ଶରୀର-ଗଠନ କିପରି, ତାହାର ଆଦ୍ୟ, ମଧ୍ୟ, ପ୍ରାନ୍ତ ଏମାନଙ୍କ ମଧ୍ୟରେ ପରସ୍ପର ସାମଞ୍ଜସ୍ୟ ଅଛି କି ନାହିଁ; ପ୍ରତ୍ୟେକ ବର୍ଣ୍ଣିତ ବିଷୟ ମୂଳବିଷୟର ଉପଯୋଗୀ କି ନା, କାବ୍ୟର କେଉଁ ଅଂଶ ପ୍ରାସଙ୍ଗିକ, କେଉଁ ଅଂଶ ଅପ୍ରାସଙ୍ଗିକ; ନାୟକ ନାୟକମାନଙ୍କର ଚରିତ୍ରଗଠନ କିପରି; ସେମାନଙ୍କର ଉକ୍ତି-ପ୍ରତ୍ୟୁକ୍ତି ସେହି ଚରିତ୍ରର ଅନୁରୂପ ଏବଂ ପରିପୋଷକ କି ନା, ଏହି ରୀତିର ସମାଲୋଚନା ପ୍ରାୟ କୌଣସି ସଂସ୍କୃତ ଅଳଙ୍କାରଗ୍ରନ୍ଥରେ ଦେଖାଯାଏ ନାହିଁ । ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ରରେ ଏହି ରୀତିର ସମାଲୋଚନା ଅଥିକ ଥିବାରୁ, ରୁଚିର ସଂସ୍କରଣ ବିଷୟରେ ତାହା ଅଧିକତର ଉପଯୋଗୀ ବୋଧହୁଏ । ପାଶ୍ଚତ୍ୟ ଅଳଙ୍କାରଶାସ୍ତ୍ର ବ୍ୟଷ୍ଟି ଅପେକ୍ଷା ସମଷ୍ଟି ପ୍ରତି ଅଧିକତର ମନୋଯୋଗୀ, ପ୍ରାଚ୍ୟ ଅଳଙ୍କରଶାସ୍ତ୍ର ସମେ୍ଟି ଅପେକ୍ଷା ବ୍ୟଷ୍ଟି ପ୍ରତି ଅଧିକତର ମନୋଯୋଗୀ ।

 

ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଉଭୟବିଧ ଅଳଙ୍କାରଶାସ୍ତ୍ରର ଦୋଷଗୁଣ ତୁଳନା କରିବାର ସୁବିଧାସତ୍ତ୍ୱେ, ଆମ୍ଭମାନଙ୍କର ଉଚିତ ଯେ ଉଭୟଙ୍କର ତ୍ରୁଟି ପରିହାରପୂର୍ବକ ଭାରତୀୟ ଭାଷାଳଙ୍କାର ଗ୍ରନ୍ଥରେ ଯେପରି ଉଭୟଙ୍କର ଉତ୍କର୍ଷ ସମବେତ ହୋଇପାରିବ, ସେଥି ପକ୍ଷରେ ଯତ୍ନଶୀଳ ହେବୁଁ ।

 

ଅଳଙ୍କାର ବୋଧୋଦୟକୁ ଉଳ୍ଲିଖିତ ଲକ୍ଷଣାନୁସାରେ ବିଚାର କରିବାର ଅନୁଚିତ । ଏହା କେବଳ ଖଣ୍ଡିଏ ଉତ୍‌କୃଷ୍ଟ ଅଳଙ୍କାର ଗ୍ରନ୍ଥର (ସାହିତ୍ୟ ଦର୍ପଣର) ଅନୁବାଦ ମାତ୍ର । ଉପରେ ଆମ୍ଭେମାନେ ଯେଉଁ ଲକ୍ଷଣ ନିର୍ଦ୍ଦେଶ କଲୁଁ ସେହି ଲକ୍ଷଣାକ୍ରାନ୍ତ ପୁସ୍ତକ ରଚନା କରିବାର ସମୟ ବହୁଦୂରବର୍ତ୍ତୀ । ଓଡ଼ିଆ ଭାଷାର କଥା ଦୂରେ ଥାଉ, ସମଧିକ ଉନ୍ନତ ଓ ମାର୍ଜିତ ବଙ୍ଗଳା ଭାଷାରେ ସୁଦ୍ଧା ସେ ସମୟ ଉପସ୍ଥିତ ହୋଇଅଛି କି ନାହିଁ ସନ୍ଦେହର ବିଷୟ । ପ୍ରକୃତ ପକ୍ଷରେ ବଙ୍ଗଳାରେ ଏ ଶ୍ରେଣୀର ଗ୍ରନ୍ଥ ଅବଧି ରଚିତ ହୋଇନାହିଁ । ବରଂ ‘କାବ୍ୟନିର୍ଣ୍ଣୟ’ ପ୍ରଭୃତି ଯେଉଁ ଅଳଙ୍କାଗ୍ରନ୍ଥ ବଙ୍ଗଭାଷାରେ ରଚିତ ହୋଇଅଛି, ତାହା ଅଳଙ୍କାର ବୋଧୋଦୟ ଅପେକ୍ଷା କୌଣସି ଅଂଶରେ ଉତ୍‌କୃଷ୍ଟ ନୁହେଁ ।

 

ରାଧାନାଥବାବୁ ଅଳଙ୍କାର ବୋଧୋଦୟ ସମ୍ବନ୍ଧରେ ଯେଉଁ ତ୍ରୁଟିର ଉଲ୍ଲେଖ କରିଅଛନ୍ତି, ତାହା ସଂଶୋଧନ କରିବାର ଉଚିତ । ବାମଣ୍ଡାଧିପତି ମହାରାଜା ବାସୁଦେବ ଏହି ଗ୍ରନ୍ଥ ସଙ୍କଳନରେ ବିଶେଷ ଶ୍ରମ ଏବଂ ଅଧ୍ୟବସାୟର ପ୍ରମାଣ ଦେଇଅଛନ୍ତି ସତ୍ୟ, ମାତ୍ର କିଛି ଅଧିକ ସମୟ ବ୍ୟୟ କରି ଅଧିକତର ଶ୍ରମ ସ୍ୱୀକାର କରିଥିଲେ, ପୁସ୍ତକର ଭାଷା ଆହୁରି ସହଜ ହୋଇଥାନ୍ତା ଏବଂ ଉଦାହରଣଗୁଡ଼ିକ ଆହୁରି ଉପଯୋଗୀ ହୋଇଥାନ୍ତା । କେତେକ ସ୍ଥଳରେ ଉଦାହରଣଗୁଡ଼ିକ ସୁବିଚାର ସହିତ ସଙ୍କଳିତ ହୋଇନାହିଁ ଏବଂ କୌଣସି କୌଣସି କୌଣସି ସ୍ଥଳରେୁ ସଂସ୍କୃତ ଶ୍ଳୋକର ପଦ୍ୟାନୁବାଦ ମୂଳଶ୍ଳୋକର ଉପଯୁକ୍ତ ହୋଇନାହିଁ । ସେ ଯାହା ହେଉ ସ୍ଥୂଳରେ ପୁସ୍ତକଖଣ୍ଡିଗ ଆଶାତୀତ ବୋଲିବାକୁ ହେବ ।

 

ଅଳଙ୍କାରବୋଧୋଦୟ ଦ୍ୱାରା ଓଡ଼ିଆ ସାହିତ୍ୟ ଶିକ୍ଷାର ବିଶେଷ ସାହାଯ୍ୟହେବାର ସମ୍ଭାବନା । ରୁଚିର ସଂସ୍କାର ଓଡ଼ିଶାରେ ନିତାନ୍ତ ଆବଶ୍ୟକ ହୋଇଅଛି । ଏ ଦେଶରେ ପ୍ରାଚୀନ ସାହିତ୍ୟରେ ଯେ ଉତ୍କୃଷ୍ଟ କିଛି ନାହିଁ, ଏହା ଆମ୍ଭେ କହୁ ନାହିଁ। ମାତ୍ର ଓଡ଼ିଶାର ପ୍ରାଚୀନ ସାହିତ୍ୟ ବୋଲି ଯାହା ଜନସମାଜରେ ପ୍ରତିଷ୍ଠିତ, ସେଥିରେ ଅଧିକାଂଶ ଯେ ସୁରୁଚି-ସମ୍ଭୂତ ନୁହେଁ, ତାହା ବିନା ଅଳଙ୍କାରଶାସ୍ତ୍ରଚର୍ଚ୍ଚା ପାଠକମାନେ ସମୀଚୀନ ରୂପେ ଉପଲବ୍ଧ କରିପାରିବେ ନାହିଁ । ବ୍ୟାକରଣ ଏବଂ ଅଳଙ୍କାରଠାରେ ପ୍ରାଚୀନ ଉତ୍କଳ-ସାହିତ୍ୟ ଯେମନ୍ତ ଅପରାଧୀ, ଏମନ୍ତ ଭାରତବର୍ଷର ଅନ୍ୟ ପ୍ରଦେଶରେ ଅଛି କି ନାହିଁ, ସନ୍ଦେହର ସ୍ଥଳ ।

 

ମହାରାଜ ବାସୁଦେବେଙ୍କର ଗ୍ରନ୍ଥକାର ସଂସ୍କାରରେ ଏହି ପ୍ରଥମ ପ୍ରବେଶ । ଏହି ନବରାଜ୍ୟକୁ ଆମ୍ଭେମାନେ ତାହାଙ୍କୁ ହୃଦୟର ସହିତ ଅଭିନନ୍ଦନ କରୁଅଛୁ । ସଂସାରରେ ଯେତେ ପ୍ରକାର କୀର୍ତ୍ତି ଅଛି, ସେଥିମଧ୍ୟରେ ଲିପିକୀର୍ତ୍ତି ସର୍ବାପେକ୍ଷା ଅଧିକକାଳ ସ୍ଥାୟୀ । ଓଡ଼ିଶାରେ ସହସ୍ର ରାଜା ଆବିର୍ଭୂତ ହୋଇ କାଳଭର୍ଗରେ ତିରୋହିତ ହୋଇଅଛନ୍ତି, ମାତ୍ର ରାଜକବି ଉପେନ୍ଦ୍ର ଭଞ୍ଜଙ୍କର ନାମ ଅଦ୍ୟାପି ଦେଦୀପ୍ୟମାନ ଅଛି ଏବଂ ଯେତେଦିନ ଓଡ଼ିଆଭାଷାର ଅସ୍ତିତ୍ୱ ଥିବ ଉପେନ୍ଦ୍ର ଭଞ୍ଜଙ୍କର କୀର୍ତ୍ତି ଲୋପ ହେବନାହିଁ । ମହାରାଜ ବାସୁଦେବ ସ୍ୱୟଂ ବିଦ୍ୱାନ, ସୁତରାଂ ଲିପିକୀର୍ତ୍ତିର ସାରବର୍ତ୍ତା ହୃଦୟଙ୍ଗମ କରିବାକୁ ସମ୍ପୂର୍ଣ୍ଣ ସମର୍ଥ। ଏହି ହେତୁରୁ ଅଧିକାଂଶ ରାଜାଙ୍କ ପରି ସିଂହାସନସୁଲଭ ବିଳାସସୁଖକୁ ଜୀବନର ଲକ୍ଷ୍ୟ ନ କରି ଲିପିକୀର୍ତ୍ତି ସ୍ଥାପନ ବିଷୟରେ ଯତ୍ନଶୀଳ ହୋଇଅଛନ୍ତି ଏବଂ ସେହି ପ୍ରଥମ ଫଳସ୍ୱରୂପ ‘ଅଳଙ୍କାର ବୋଧଦୟ’କୁ ସାଧରଣଙ୍କଠାରେ ଉପହାର ଦେଇ ସାଧାରଣର ବିଚାରପ୍ରାର୍ଥୀ ହୋଇଅଛନ୍ତି । ଏପରି ଗୌରାବାନିତ୍ୱ ଦୃଶ୍ୟ ସହୃଦୟ ଲୋକର ମନ ଆନନ୍ଦରସରେ ଅଭିସିକ୍ତ ନ ହେବ ? ଆମ୍ଭମାନେ ସର୍ବାନ୍ତଃକରଣରେ ସର୍ବସିଦ୍ଧି-ଦାତାଙ୍କ ଠାରେ ପ୍ରାର୍ଥନା କରୁଅଛୁଁ ସେ ବାସୁଦେବଙ୍କର ଏହି ସାଧୁବାସନା ଉପରେ ତାହାଙ୍କର ଅମୋଘ ଆଶୀର୍ବାଦ ବର୍ଷଣ କରନ୍ତୁ ଏବଂ ମହାରାଜାଙ୍କର ନିର୍ମଳଯଶ୍ଚନ୍ଦ୍ରର ଜ୍ୟୋସ୍ନାରେ ସମଗ୍ର ଉତ୍କଳଭୂମି ଆଲୋକିତ ହେଉ ।

 

କବିତାବଳୀ ଦ୍ୱିତୀୟ ଭାଗ :

ଆକାଶପ୍ରତି

 

ପ୍ରଶ୍ନ –

 

୧ । ଏହି କବିତାର ଭାବରାଜି ବିଶ୍ଲେଷଣ କରି; ଯଥାକ୍ରମେ ତାହା ପ୍ରଦର୍ଶନ କର ।

 

୨ । ନିମ୍ନୋଦ୍ଧୃତ କବିତାଂଶମାନଙ୍କର ବ୍ୟାଖ୍ୟା ପ୍ରଦର୍ଶନ କର । ଯେଉଁ ଯେଉଁ ସ୍ଥଳରେ ଭାବର ବିଶେଷତ୍ୱ ଏବଂ ନିଗୂଢତ୍ୱ ଅଛି ତାହାକୁ ବ୍ୟାଖ୍ୟରେ ବିଶେଷରୂପେ ଦେଖାଇ ଦିଅ ।

 

(କ)      ନିସ୍ତରଙ୍ଗ ଥିଲା ଯେବେ ଅନନ୍ତ ସମୟ

ଘଟନାବିହୀନ ଘୋର କାଳ-ପାରବାର

 

(ଖ)      ପୁଷ୍ପର ପ୍ରଥମ ହାସ୍ୟ ତୋହରି ଗୋଚର

ପ୍ରଥମ ଜୀବର ସୃଷ୍ଟି ତୋର ସନ୍ନିଧାନେ,

ସୃଷ୍ଟ ଆଦି ନରନାରୀ ଅଗ୍ରତେ ତୋହର

ସର୍ବଦର୍ଶୀ ଅଟୁ ତୁହି ବିଧିର ବିଧାନେ ।

 

(ଗ)      କେତେବେଳେ ଦିଗମ୍ବର ତୁହି ନୀଳାମ୍ବର

କେବେ ମେଘ ଆଡମ୍ବରେ ଦିଶୁ ଭୟଙ୍କର

 

(ଘ)      ରଞ୍ଜଇ ଧରଣୀମୁଖ କିରଣେ

 

(ଙ)      ଦର୍ଶନେ ପବିତ୍ର କରେ କଳୁଷିତ ମନ ।

 

(ଚ)      ନାଚଇ ଅଗଣ୍ୟ ବିଶ୍ୱ ନିତ୍ୟ ଲୀଳାରଙ୍ଗେ

ତୋ ମହା ସୁନୀଳ ବକ୍ଷେ ଶାସନେ ବିଧିର ।

 

୩ । ନିମ୍ନଲିଖିତ ବାକ୍ୟାଶଂର ଉପଯୋଗିତା ଦେଖାଇ ତାହାକୁ ବ୍ୟାଖ୍ୟା କର ।

 

ସାକ୍ଷୀ ତୁହିରେଗଗନ ସୃଷ୍ଟି ପ୍ରକ୍ରିୟାର, ଅବଗାହି ଜ୍ୟୋତିଜଳେ, ଆଲୋକ-ନନ୍ଦିନୀ, କୌମୁଦୀ-ଚର୍ଚ୍ଚିତ, ନୀରବବେଦ ।

ଉତ୍ତର –

 

୧ । କବି ନିର୍ଜନ ସ୍ଥାନରେ ବସି ଥରେ ଆକାଶ ଆଡ଼କୁ ନେତ୍ରପାତ୍ର କରି ଦେଖିଲେ– ଆକାଶ ଅନନ୍ତ, ଅସୀମ, ସର୍ବବ୍ୟାପୀ । ପରମୁହୂର୍ତ୍ତରେ ତାହାଙ୍କର ମନ ଆପଣା ଆଡ଼କୁ ଆକୃଷ୍ଟ ହେଲା; ସେ ନିଜର କ୍ଷୁଦ୍ରତ୍ୱ ଅନୁଭବ କଲେ– ଅନନ୍ତ ଆକାଶର ଅନନ୍ତତ୍ୱ ଦିଗୁଣ ବର୍ଦ୍ଧିତ ହେଲା । ତେଣୁ ସେ ଆକାଶକୁ ସମ୍ବୋଧନ କରି କହିଲେ –‘‘ଅନନ୍ତ ଅପାର ତୁହି ରେ ମହା ଆକାଶ, ପୃଥିବୀର କୀଟ ମୁହିଁ କ୍ଷୁଦ୍ର ବୁଦ୍ଧି ନର ।’’ ପରିପୂର୍ଣ୍ଣ ହୋଇଗଲା । ସେ ଭାବର ବର୍ଣ୍ଣନା କରାଯାଇ ପାରେନାହିଁ । ହର୍ଷ, ଆଶ୍ଚର୍ଯ୍ୟ, ଗମ୍ଭୀରତା ଏକତ୍ର ମିଶ୍ରିତ ହେଲା । କବି ଏହି ଅନନ୍ତ ଆକାଶର ଆଦି ଖୋଜିଲେ । କଳ୍ପନାନେତ୍ରରେ ସେ ଯାହା ଦେଖିଲେ ତହିଁରେ ତାହାଙ୍କର ମନ ସ୍ତବ୍ଧ ହୋଇଗଲା । ସେ ଦେଖିଲେ ଯେ ଅନାଦିକାରଣ ଈଶ୍ୱରଙ୍କୁ ଅବଳମ୍ବନ କରି ଆକାଶ ବିଦ୍ରମାନ ରହିଅଛି– କିନ୍ତୁ ସେ ଆକାଶର ରୂପ ଅନ୍ୟରୂପ । ସେ ଆକାଶରେ ଚନ୍ଦ୍ର ସୂର୍ଯ୍ୟ ନାହିଁ– ତେତେବେଳେ ଆଲୋକର ଜନ୍ମ ହୋଇ ନଥିଲା– ଆକାଶ ଅନ୍ଧକାରଚ୍ଛନ୍ନ ଥିଲା । ସୂଚୀଭେଦ୍ୟ ଅନ୍ଧକାର ବିପୁଳ ଆକାଶର ପ୍ରତ୍ୟେକ ଅଂଶ ଅଧିକାର କରି ରହିଥିଲା । ଆକାଶର ତତ୍‌କାଳୀନ ମହିମା ମନୁଷ୍ୟ ଧାରଣାର ଅତୀତ । କବି କହିଲେ –‘ସେ ମହିମା, ସ୍ତବ୍ଧ ଚିତ୍ତ ଯାହାର ଚିନ୍ତନେ ।’ କବି ଏହି ଗଭୀର ଅନ୍ଧକାର ମଧ୍ୟରେ ଅଧିକ କ୍ଷଣ ରହିପାରିଲେ ନାହିଁ – ଅବର୍ଣ୍ଣନୀୟ ଅନ୍ଦକାରମୟ ଆକାଶରେ ସେ ଆଲୋକର କଣା ଦେଖିଲେ । ଆକାଶ ଆଲୋକର ବିଭାସିତ ହେଲା । ତମୋରାଶି ଭେଦ କରି କୋଟି କୋଟି ସଂସାର ବିସ୍ତୀର୍ଣ୍ଣ ଆକାଶର ଦେହରେ ପ୍ରକାଶିତ ହେବାର ଦେଖି କବି ମୁଗ୍ଧ ହେଲେ ଏବଂ ଆକାଶକୁ ସମ୍ବୋଧନ କରି କହିଲେ – ହେ ଆକାଶ ! ତୁମ୍ଭେ ସୃଷ୍ଟିପ୍ରକ୍ରିୟାର ସାକ୍ଷୀ ଅଟ । ଜଗତ ବ୍ରହ୍ମାଣ୍ଡରେ ଯାହା କିଛି ଘଟିଅଛି ଏବଂ ଘଟୁଅଛ ତାହା ସବୁ ତୁମ୍ଭଙ୍କୁ ଗୋଚର । ଏହି ସୁଖଦୁଃଖମୟ ପୃଥିବୀର ତାବତୀୟ ଘଟନା ତୁମ୍ଭ ସମ୍ମୁଖରେ ସଂଘଟିତ ହୋଇଅଛି । ତୁମ୍ଭେ ଶହ ଶହ ବିପଦ ପ୍ରତ୍ୟେକ୍ଷ କରିଅଛ । ସଂଖ୍ୟାତୀତ ରାଜ୍ୟନାଶ ଓ ଅଭ୍ୟୁଦୟ ତୁମ୍ଭ ସମ୍ମୁଖରେ ଘଟିଅଛି-। ତୁମ୍ଭ ସଦୃଶ ପୁରାତତ୍ତ୍ୱଜ୍ଞ ଏ ସଂସାରରେ ଆଉ କେହି ନାହିଁ । ମନୁଷ୍ୟମାନଙ୍କର ଅତ୍ୟାଚାର, ଅନାଚାର, ପ୍ରବଞ୍ଚନା, ଶଠତା ଇତ୍ୟାଦି ସକଳପ୍ରକାର ଦୁଷ୍କ୍ରିୟା ତୁମ୍ଭର ଗୋଚର । ଏହି ପ୍ରକାରେ ଆକାଶର ମହିମା କୀର୍ତ୍ତନ କରୁ କରୁ କବିଙ୍କର ସୌନ୍ଦର୍ଯ୍ୟପିପାସା ବୃଦ୍ଧିପ୍ରାପ୍ତ ହେଲା । ସେ ଅନନ୍ତ ଆକାଶର ଅନନ୍ତ କ୍ରୋଡ଼ରେ ଅନନ୍ତ ଶୋଭା ଦର୍ଶନ କଲେ । ବ୍ୟୋମର ଅତୁଳନୀୟ ଶୋଭା ଦେଖି ସେ ବିମୋହିତ ହେଲେ । ଏଣୁ ଆକାଶର ଭିନ୍ନ ଭିନ୍ନ ସମୟର ଭିନ୍ନ ଭିନ୍ନ ଶୋଭା ବର୍ଣ୍ଣନା କଲେ । ଉଷାଲୋକ, ସୂର୍ଯ୍ୟାଦୟ ଓ ଜ୍ୟୋତ୍ସାମୟୀ ରଜନୀର କମନୀୟ ଶୋଭା କ୍ରମେ ବର୍ଣ୍ଣନ କରି ପରିଶେଷରେ ସେ କ୍ଲାନ୍ତ ହୋଇ କହିଲେ –

 

ଧନ୍ୟ ଧନ୍ୟ ରେ ଆକାଶ, ଧନ୍ୟ ତୋ ମହିମା,

ମହାଭାବ ଉପୁଜଇ ତୋର ଦରଶନେ,

ଉଦାର ପ୍ରଶାନ୍ତ ତୋର ଅନନ୍ତ ନୀଳିମା

ସଂସାରର କ୍ଷୁଦ୍ରଭାବ ବିନାଶର କ୍ଷଣେ ।

ମୁହୂର୍ତ୍ତକେ ଘେନୁ ମୋତେ ରେ ମହାଗଗନ

ପରମାତ୍ମା ପ୍ରାଣସଖା ମହେଶ ଶ୍ରୀପଦେ,

ମହା ପ୍ରେମାବଶେ ଅଶ୍ରୁ ବର୍ଷେ ମୋ ନୟନ

ଲଭଇ ମୁଁ ସ୍ୱରଭର ଆନନ୍ଦ ସମ୍ପଦେ

 

(୨) (କ) ନିସ୍ତରଙ୍ଗ ଇତ୍ୟାଦି – ଏଠାରେ କବି ଆକାଶକୁ ସମ୍ବୋଧନ କରି କହୁଅଛନ୍ତି, ହେ ଆକାଶ ! ଯେତେବେଳେ ଅନନ୍ତ ସମୟ ନିସ୍ତରଙ୍ଗ ଥିଲା, ଅର୍ଥାତ୍‌ ତରଙ୍ଗଶୂନ୍ୟ ଥିଲା ଏବଂ ଘୋର କାଳରୂପ ପାରାବାର (ସମୁଦ୍ର) ଘଟନାବିହୀନ ଥିଲା, ତେତେବେଳେ ମଧ୍ୟ ତୁମ୍ଭେ ଅନାଦିକାରଣ ଈଶ୍ୱରଙ୍କୁ ମହାମହିମାରେ ଅବଲମ୍ୱନ କରି ବିରାଜିତ ଥିଲ । ନିସ୍ତରଙ୍ଗ ଇତ୍ୟାଦି ପ୍ରଥମ ପଂକ୍ତିର ଅର୍ଥ ଦ୍ୱିତୀୟ ପଂକ୍ତିର ସମ୍ୟକ୍‌ ପ୍ରସ୍ଫୁଟିତ ହୋଇଅଛି । ସମୟକୁ ନିସ୍ତରଙ୍ଗ ବୋଲିବାର ତାତ୍‌ପର୍ଯ୍ୟ ଏହି କି, ସେ ସମୟରେ କୌଣସି ପ୍ରକାର ଘଟନା ଯଥା– ସୂର୍ଯ୍ୟ ଚନ୍ଦ୍ର ଓ ଗ୍ରହତାରାମାନଙ୍କର ସୃଷ୍ଟି ଅଥବା ଆଲୋକର ଉଦ୍ଭବ ଘଟି ନ ଥିଲା । ସମୟ କେଉଁଠାରେ ଆରମ୍ଭ ଏବଂ ଏହାର ଶେଷ ବା କେଉଁଠାରେ ଏହା ମାନବଧାରଣାର ଅତୀତ ଅଟେ । ଏଣୁ କରି ସମୟକୁ ଅନନ୍ତ ଆଖ୍ୟା ପ୍ରଦତ୍ତ ହୋଇଅଛି । ‘‘କାଳପାରାବାର’’ , ଏଠାରେ କାଳକୁ ଅର୍ଥାତ୍‌ ସମୟକୁ ସମୁଦ୍ର ସହିତ ତୁଳନା କରାଯାଇଅଛି ।

 

(ଖ) ପୁଷ୍ପର ପ୍ରଥମ ହାସ୍ୟ ଇତ୍ୟାଦି– କବି ଆକାଶକୁ କହୁଅଛନ୍ତି ଯେ ତୁମ୍ଭେ ଈଶ୍ୱରଙ୍କ ବିଧାନରୁ ସର୍ବଦର୍ଶୀ ଅଟେ । ଏହି ଜଗତ-ସଂସାର ମଧ୍ୟରେ ଯାହା କିଛି ସଂଘଟିତ ହେଉଅଛି ଏବଂ ହୋଇଅଛି ତାହା ତୁମ୍ଭର ଅବିତିତ ନାହିଁ । ପୁଷ୍ପର ପ୍ରସ୍ଫୁଟନ କେହି ନ ଦେଖିଲା ପୂର୍ବରୁ ତୁମ୍ଭେ ଦେଖିଅଛି । ଏହି ପୃଥିବୀର ପ୍ରଥମେ ଯେଉଁ ଜୀବର ସୃଷ୍ଟି ହୁଏ ତାହା ତୁମ୍ଭେ ଦେଖିଅଛ । ଆଦି ନରନାରୀ ମଧ୍ୟ ତୁମ୍ଭ ଅଗ୍ରତେ ସୃଷ୍ଟି ହୋଇଅଛନ୍ତି ।

 

ପୁଷ୍ପର ଶୋଭା ଏରୂପ ମନୋହର ଯେ ତାହା ଦେଖିଲା ମାତ୍ରକେ ହାସ୍ୟ କାରୁଥିବା ପ୍ରାୟ ବୋଧହୁଏ । ଏ ନିମନ୍ତେ କବି ପୁଷ୍ପର ପ୍ରସ୍ଫୁଟନକୁ ପୁଷ୍ପର ହାସ୍ୟ ବୋଲି ଉଲ୍ଲେଖ କରିଅଛନ୍ତି । ଆକାଶ ସର୍ବବ୍ୟାପୀ ହେଲାରୁ କି ଅରଣ୍ୟ, କି ଉଦ୍ୟାନ–ଯେଉଁଠାରେ ପୁଷ୍ପ ପ୍ରସ୍ଫୁଟିତ ହେଉନା କାହିଁକି ତାହା ଆକାଶର ଦୃଷ୍ଟିଗୋଚର ହୁଏ । ଏଣୁ କରି କବି କହୁଅଛନ୍ତି– ‘‘ପୁଷ୍ପର ପ୍ରଥମ ହାସ୍ୟ ତୋହର ଗୋଚର’’ । ଅନ୍ୟ କେହି ଦେଖିଲା ପୂର୍ବରୁ ପୁଷ୍ପର ପ୍ରସ୍ଫୁଟନ ଆକାଶ ଦେଖିବାକୁ ସମର୍ଥ ହୁଏ ବୋଲି...

 

(ଗ) ... ହେ ଆକାଶ ! ତୁମ୍ଭେ ନାନା ବେଶ ଧାରଣ କର । କେତେବେଳେ ତୁମ୍ଭ ଦେହରେ ମେଘର ଲବମାତ୍ର ନ ଥାଏ– ଚତୁର୍ଦ୍ଦିକ୍‌ ପରିଷ୍କାର ପରିଚ୍ଛନ୍ନ ଦେଖାଯାଏ । କେତେବେଳେ ଚନ୍ଦ୍ର ନକ୍ଷେତ୍ର ତୁମ୍ଭ ଶରୀରର ଶୋଭା ବର୍ଦ୍ଧନ କରନ୍ତି, ପୁଣି କେତେବେଳେ ଜଳଦମାଳା ତୁମ୍ଭଙ୍କୁ ଭୟଙ୍କର ସଜ୍ଜାରେ ସଜ୍ଜିତ କରିଥାନ୍ତି । ଆକାଶର ଅନ୍ୟ ଏକ ନାମ ‘ନୀଳମ୍ବର’ । ପରିଷ୍କାର ଆକାଶର ଦେହ ନୀଳବସନାବୃତ ପ୍ରାୟ ଦିଶଇ ବୋଲି ଏହାକୁ ନୀଳମ୍ବର ବୋଲିଯାଏ ।

 

‘‘ଦିଗମ୍ବର ତୁହି ନୀଳମ୍ବର’’– ହେ ନୀଳମ୍ବର (ଆକାଶ), ତୁହି କେତେବେଳେ (କୌଣସି କୌଣସି ସମୟରେ) ଦିଗମ୍ୱର (ଦିକ୍‌ ଅମ୍ବର, ବସ୍ତ୍ର ଯାହାର) ଅଟୁ । ଅର୍ଥାତ୍‌ ଦିକ୍‌ ବ୍ୟତୀତ ତୋହର ଅନ୍ୟ କୌଣସି ବସ୍ତ୍ର ନଥାଏ । ଏଣୁ କରି ସାଧାରଣଭାଷାରେ ଏହାହିଁ ବୋଲିବାକୁ ହେବ ଯେ ଆକାଶ ଦିଗନ୍ତ ପର୍ଯ୍ୟନ୍ତ କେବେ କେବେ ପରିଷ୍କାର ପରିଚ୍ଛନ୍ନ ଥାଏ ।

 

ଆଡ଼ମ୍ବରେ – ଅର୍ଥାତ୍‌ ଆଡ଼ମ୍ବର (ଘଟା) ହେତୁରୁ ।

 

(ଘ) ରଞ୍ଜଇ ଧରଣୀମୁଖ ଇତ୍ୟାଦି– ଏଠାରେ କବି ସୂର୍ଯ୍ୟୋଦୟର ଶୋଭା ମନେ ମନେ ନିରକ୍ଷଣ କରୁଅଛନ୍ତି । ସେ କହୁଅଛନ୍ତି ଯେ ଆକାଶର ଇଙ୍ଗିତମାତ୍ରକେ ଦୀପ୍ତିମନ୍ତ ସୂର୍ଯ୍ୟ ପୃଥିବୀର ଉପରିଭାଗକୁ ରଞ୍ଜିତ କରଇ, ଅର୍ଥାତ୍‌ ସୁଶୋଭିତ କରଇ ।

 

‘ଧରଣୀମୁଖ’ ଶବ୍ଦର ଅର୍ଥ ଧରଣୀର ଅର୍ଥାତ୍‌ ପୃଥିବୀର ଉପରିଭାଗ ।

 

(ଙ) ଦର୍ଶନେ ପବିତ୍ର ଇତ୍ୟାଦି– କବି ଚନ୍ଦ୍ରାଲୋକ ବିଭାସିତ ପ୍ରଶାନ୍ତ ଆକାଶର ରୂପ ଦେଖି...

 

(ଚ) ନାଚଇ ଅଗଣ୍ୟ ବିଶ୍ୱ ଇତ୍ୟାଦି– ଏଠାରେ କବି ପୃର୍ଥବୀ, ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ରମାଳା ଓ ଅପରାପର ଗ୍ରହମାନଙ୍କୁ ଲକ୍ଷ୍ୟ କରି କହୁଅଛନ୍ତି । ଏହି ସୁନୀଳ ଆକାଶର ବକ୍ଷରେ ବିଧିଙ୍କ ଶାସନରୁ ସଂଖ୍ୟାତୀତ ଗ୍ରହ ସ୍ୱଚ୍ଛନ୍ଦରେ ନାଚୁଅଛନ୍ତି ଅର୍ଥାତ୍‌ ଭ୍ରମଣ କରୁଅଛନ୍ତି । – କବି ସୁବିସ୍ତୃତ ଆକାଶକୁ ଆକାଶର ସୁବିଶାଳ ବକ୍ଷସ୍ଥଳ ବୋଲି ବର୍ଣ୍ଣନା କରିଅଛନ୍ତି । ‘ଶାସନ’ ଶବ୍ଦର ଅର୍ଥ ‘ନିୟମ’--‘ବିଧିର ଶାସନେ’ ଅର୍ଥାତ୍‌ ଈଶ୍ୱରଙ୍କ ନିୟମରେ ।

 

୩ । ସାକ୍ଷ୍ୟ ତୁହିରେ ଗଗନ ସୃଷ୍ଟିପ୍ରକ୍ରିୟାର– ଗଗନକୁ ସୃଷ୍ଟିକାର୍ଯ୍ୟର ସାକ୍ଷୀ ବୋଲିବାର କାରଣ ଏହି କି ଯେ ଗଗନ ଗ୍ରହ, ନକ୍ଷତ୍ର, ମନୁଷ୍ୟ, ଜୀବଜନ୍ତୁମାନଙ୍କ ସୃଷ୍ଟି ହେଲା ପୂର୍ବରୁ ବିଦ୍ୟମାନ ଥିଲା । ଏଣୁ କରି ଗ୍ରହମାନଙ୍କର ସୃଷ୍ଟି ଗଗନ ଅବଶ୍ୟ ପ୍ରତ୍ୟକ୍ଷ କରିଥିବ। କବି ଏହି ଧାରଣାର ବଶବର୍ତ୍ତୀ ହୋଇ କହୁଅଛନ୍ତି– ଗଗନ ! ତୁହି ସୃଷ୍ଟି ପ୍ରକ୍ରିୟାର ସାକ୍ଷୀ ଅଟୁ ।

 

ଅବଗାହି ଜ୍ୟୋତି ଜଳେ– ଜ୍ୟୋତିରୂପ ଜଳରେ ଅବଗାହନ ଅର୍ଥାତ୍‌ ସ୍ନାନ କରି (ତୋହର ରୂପ କିପରି ମନୋହର ହୋଇଅଛି)। କବି ପୂର୍ବେ କହିଅଛନ୍ତି ଯେ ଆକାଶ ପ୍ରଥମରେ କେବଳ ଅନ୍ଧକାରରେ ପରିପୂର୍ଣ୍ଣ ଥିଲା; ତଦନନ୍ତର ‘‘ସହସା ପ୍ରଥମ–ଉର୍ମି ମହାକାଳ ନୀରେ, ଖେଳିଲା ଅନନ୍ତ ମହାମହେଶ ଆଦେଶେ । ସହସା ପ୍ରକାଶେ ଜ୍ୟୋତିଧାରା ଯେ ଶରୀରେ, ଶୁଭ୍ର ମନ୍ଦାକିନୀ ଯଥା ବ୍ୟୋମକେଶ ବେଶେ ।’’ ଏବଂ କ୍ରମେ ଗଗନ ଜ୍ୟୋତିରେ ପରିପୂର୍ଣ୍ଣ ହୋଇଗଲା । କବି ଆକାଶ ଆଲୋକରୂପ ଜଳରେ ସ୍ନାନ କରୁଅଛି। ଆଲୋକ-ନନ୍ଦିନୀ– କବି ଉଷାକୁ ଆଲୋକନନ୍ଦିନୀ ଆଖ୍ୟା ଦେଇଅଛନ୍ତି । ଉଷା ଆଲୋକଜାତ ବୋଲି କବି ତାହାକୁ ଆଲୋକର କନ୍ୟାବୋଲି ବ୍ୟକ୍ତ କରିଅଛନ୍ତି । ‘ଆଲୋକ-ନନ୍ଦିନୀ’ ଶବ୍ଦର ଅର୍ଥ ଆଲୋକର କନ୍ୟା ।

 

କୌମୁଦୀ-ଚର୍ଚ୍ଚିତ– କବି ଆକାଶକୁ ସମ୍ବୋଧନ କରି କହୁଅଛନ୍ତି ଯେ ତୋହର କୌମୁଦୀଚର୍ଚ୍ଚିତ ନୀଳ କଳେବର ଓ ଗମ୍ଭୀର ପ୍ରଶାନ୍ତ ମୂର୍ତ୍ତି ମନର କଳୁଷ ନାଶ କରି ମନ ମଧ୍ୟରେ ପବିତ୍ରଭାବ ଆନୟନ କରଇ । କୌମୁଦୀଚର୍ଚ୍ଚିତ ଶବ୍ଦର ଅର୍ଥ ଜ୍ୟୋତ୍ସ୍ନାଲିପ୍ତ । କବି ଚନ୍ଦନଚର୍ଚ୍ଚିତ ଶବ୍ଦକୁ ଅବଲମ୍ବନ କରି କୌମୁଦୀଚର୍ଚ୍ଚିତ ଶବ୍ଦର ସ୍ମରଣ କରିଅଛନ୍ତି ।

 

ନୀରବବେଦ– କବି ନିଶୀଥ କାଳରେ ସଂସାରର ନୀରବ ଅଥଚ ଗମ୍ଭୀରଭାବକୁ ସ୍ମରଣ କରି ଆକାଶକୁ କହୁଅଛନ୍ତି–‘‘ନିସ୍ତବ୍ଧ ରାତ୍ରିକାଳରେ ତୁ କି ଆଶ୍ଚର୍ଯ୍ୟ ନୀରବ ବେଦ ପ୍ରଚାର କରୁ । ଏଣୁ ଏହି ନୀରବ ବିଶ୍ୱ ତାହା ଭୟଯୁକ୍ତ ହୃଦୟରେ ଶ୍ରବଣ କରଇ । କବି ଗମ୍ଭୀର ଭାବମୟ ନୀରବତାକୁ ଏଠାରେ ‘ବେଦ’ ବୋଲି ଉଲ୍ଲେଖ କରିଅଛନ୍ତି–ଯେହେତୁ ଆଜି ଧର୍ମଶାସ୍ତ୍ର ବେଦ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଟେ । ବେଦ ଗମ୍ଭୀର ଭାବରେ ପଠିତ ହେଲେ ହୃଦୟରେ ଯେପରି ଗମ୍ଭୀର ଭାବ ଜାତ ହୁଏ, ସେହିପରି ନୀରବତାର ଭାବରେ ମଗ୍ନ ହେଲେ ହୃଦୟ ଗମ୍ଭୀର ଓ ସ୍ତବ୍ଧ ହୋଇଯାଏ ।

 

 

କବିତାବଳୀ ଦ୍ୱିତୀୟ ଭାଗ :

ଜୀବନଚିନ୍ତା

ପ୍ରଶ୍ନ –

 

୧ । ଭାବରାଜି ବିଶ୍ଲେଷଣ କରି ଏହି କବିତାଟିକୁ ଭିନ୍ନ ଭିନ୍ନ ଅଂଶରେ ବିଭକ୍ତ କର ।

 

୨ । ଏହି କବିତାର ଦୋଷଗୁଣ ବିଚାର କର ।

 

୩ । ନିମ୍ନୋଦ୍ଧୃତ ବାକ୍ୟାଂଶମାନଙ୍କର ଉପଯୋଗୀତା ଦେଖାଇ ବ୍ୟାଖ୍ୟା ପ୍ରଦାନ କର । ଯେଉଁଠାରେ ଭାବର ବିଶେଷତ୍ୱ ଅଛି ତାହାକୁ ବିଶେଷରୂପେ ବ୍ୟାଖ୍ୟାରେ ଦେଖାଇଦିଅ ।

 

ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ; କାମନା ନିଚୟ, ବିଫଳ ସତତ; କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ; ନ ହୁଅଇ ବିକଶିତ ଜୀବତ୍ମାକୁସୁମ ଏଥି; ପାପର ଭୀଷଣାବର୍ତ୍ତ; ଦିବାକରେ ନିରେଖି ଗଗନେ ହର୍ଷେ ଫୁଟେ ପଦ୍ମଫୁଲ ଇତ୍ୟାଦି ।

 

ଉତ୍ତର –

 

୧ । (କ) କବି ଆତ୍ମାକୁ ନିଦ୍ରା ପରିତ୍ୟାଗକରି ଜୀବନସ୍ରୋତର ଗତି ନିରୀକ୍ଷଣ କରିବା ନିମନ୍ତେ ସମ୍ବୋଧନ କରୁଅଛନ୍ତି ।

 

(ଖ) ଜଗତରେ ଅନିତ୍ୟତା ଦର୍ଶାଇ ଅଛନ୍ତି । ୩-୮,୧୧ ।

 

(ଗ) ରିପୁର ତାଡ଼ନାଜିତ ମାନସିକ ଅପକର୍ଷ ଓ ଶାନ୍ତିର ଅଭାବ; ୯-୧୦, ୧୨-୧୩ ।

 

(ଘ) କାତର ଓ ଅସ୍ଥିର ହୃଦୟପ୍ରତି ଶାନ୍ତ୍ୱନା ଓ ପ୍ରାଣାରାମ ଧନଲାଭର ଉପାୟ ନିର୍ଦ୍ଦେଶ । ୧୪-୨୪ ।

 

(ଙ) ଇଶ୍ୱରଙ୍କଠାରେ ସୁମତି ପ୍ରାର୍ଥନା । ୨୫-୨୬ ।

 

୨ । ‘ଜୀବନଚିନ୍ତା’ ଶବ୍ଦଟି ଗଭୀରଭାବବ୍ୟଞ୍ଜକ । ବାସ୍ତବରେ ଅନନ୍ତ ପ୍ରହେଳିକାପୂର୍ଣ୍ଣ ଏହି ଅଦ୍ଭୁତଲବ୍‌ଧ ଜୀବନର କଥା ଥରେ ଚିନ୍ତାକରି ଦେଖି ସ୍ତବ୍‌ଧ ହେବାକୁ ହୁଏ । ସଂସାରକ୍ଷେତ୍ରରରେ ମାନବର ଅବସ୍ଥିତି ଓ ତାହାର କାର୍ଯ୍ୟକୌଶଳ, ବୁଦ୍ଧିର ପରିଚାଳନା ଓ ଜ୍ଞାନୋନ୍ନତି, ଆତ୍ମୋତ୍‌କର୍ଷ ଓ ପବିତ୍ରଭାବ ଇତ୍ୟାଦି ବିଷୟଗୁଡ଼ିକର ଆଲୋଚନା କଲେ ପ୍ରଭୂତ ଆନନ୍ଦ ଉପଲବ୍‌ଧି ହୋଇଥାଏ-। କବି ଜୀବନଚିନ୍ତା ରଚନାରେ ଗଭୀରତାର ପରାକାଷ୍ଠା ପ୍ରଦର୍ଶନ କରୀଅଛନ୍ତି । କବିତାଟିକୁ ଯେତେଥର ପାଠ କରାଯାଏ ତାହାର ନିଗୂଢ଼ତ୍ୱ–ଭାବର ବିଶେଷତ୍ୱ, ରଚନାର ଚାତୁର୍ଯ୍ୟ, ବିଷୟର ବିଶାଳତ୍ୱ ତେତେଗୁଣ ବୃଦ୍ଧିପ୍ରାପ୍ତ ହୁଅଇ । ଜୀବନ-ଚିନ୍ତାରେ ମଧୁରତାର ଅଭାବ ମଧ୍ୟ ନାହି–ରଚନାର ଲାଳିତ୍ୟ, ଶବ୍ଦବନ୍ୟାସ ଏବଂ ଉପମା ଅଳଙ୍କାରାଦି ପାଠକର ମନୋହରଣ କରଇ । ଏଇ କବିତାଟିରେ ଅଧ୍ୟାତ୍ମଭାବ ପ୍ରଧାନ । ସମାଲୋଚକ ମଧୁରତାର ଦୃଷ୍ଟାନ୍ତ ଜୀବନଚିନ୍ତାରୁ ସଂକଳନ କରିବାକୁ ଗଲେ ମହାବିପଦରେ ପଡ଼ିବେ, ହେତୁକି କେଉଁ ସ୍ଥଳଟି ଅମଧୁର ଏବଂ କେଉଁ ସ୍ଥାନ ସେ ପରିତ୍ୟାଗ କରିବେ ତାହା ସେ ସହଜରେ ଖୋଜିପାରିବେ ନାହିଁ । ହୃଦୟପ୍ରତି ଆଶ୍ୱାସବାକ୍ୟ ଏବଂ ୩,୭,୧୧ ଚିହ୍ନିତ ପଦଗୁଡ଼ିକ ଯେ କିରୂପ ଆଶାପ୍ରଦ, ଶିକ୍ଷାପ୍ରଦ ଓ ମନୋରମ ତାହା ପାଠକେ ଅବଶ୍ୟ ଅନୁଭବ କରିବେ । ୧୭-୧୯ କବିଙ୍କର କ୍ଷମତାର ବିଶେଷ ପରିଚୟ ସ୍ଥଳ । ଜୀବନଚିନ୍ତାରେ ଯେ ଦୋଷ ନାହିଁ ଏମନ୍ତ ନୁହେଁ, ସ୍ଥାନେ ସ୍ଥାନେ ସାମାନ୍ୟ ତ୍ରୁଟି ଥାଇ ଏହାକୁ କଳଙ୍କିତ କରିଅଛି । ଯଥାକ୍ରମେ ଦୋଷା ଉଲ୍ଲେଖ କରାଯାଉଅଛି ।

 

(କ) ଜଟିଳତା– କବିତାଟିର କେତେକ ସ୍ଥଳରେ ଭାଷା ଜଟିଳ ହୋଇଅଛି । ଦୃଷ୍ଟାନ୍ତ ସ୍ଥଳରେ ୧୫ ଶ୍ଳୋକ ଉଦ୍ଧୃତ କରାଯାଇପାରେ ।

 

ସେ ଅମୃତ ମହୌଷଧ–ଉଦ୍ଦୀପନା । ୧୫ । ଏଠାରେ ଦୁଇପ୍ରକାର ଅର୍ଥ (ଅବଶ୍ୟ ସେମାନଙ୍କର ପ୍ରଭେଦ କମ୍‌) ସମ୍ଭବ ।

 

ରିପୁଚୟ କୋଳାହଳେ ଏ ପିପାସା କେଭେ (କେବେହେଁ) ନିର୍ବାପିତ ନୋହେ (ହୁଅଇ ନାହିଁ)–ଅର୍ଥ ପରିଷ୍କାର ନୁହେଁ ।

 

(ଖ) କେତେକ ସ୍ଥଳରେ ଉପଯୁକ୍ତ ଶବ୍ଦ ବ୍ୟବହୃତ ହୋଇନାହିଁ । ଯଥା ଆତ୍ମା ସୁଧାମଲାଗି ପିପାସିତ ପରିବର୍ତ୍ତରେ ଉତ୍କଣ୍ଠିତ ବ୍ୟବହାର କରିଥିଲେ ଉପଯୁକ୍ତ ହୋଇଥାନ୍ତା । ସୁଧାମ ଅର୍ଥାତ୍‌ ସୁନ୍ଦର ଧାମ ବା ସ୍ଥାନ ।

 

ଅସାର ସଂସାର– ଜଳେ । ସଂସାରର ଜଳକୁ ଅସାର (ସାରହୀନ) ବୋଲିବାର ତାତ୍ପର୍ଯ୍ୟ କ’ଣ ? ଅସାର – ସଂସାର ଜଳେ ଏରୂପ ଥିଲେ ଅର୍ଥଲାଭ ହୁଅନ୍ତା ।

 

ଅମୃତ ଜୀବନଦାତା... । ୨୨ ।

 

ଅମୃତରୂପ ଜୀବନ ଅପ୍ରସିଦ୍ଧ । ‘ଅମରଜୀବନ’ ଲେଖା ହୋଇଥିଲେ ଉପଯୋଗୀ ହୋଇଥାନ୍ତା ।

 

(ଗ) ଦୁଇଏକ ସ୍ଥଳର ଭାବରେ ମଧ୍ୟ ଦୋଷ ପଡ଼ିଅଛି । ଦୃଷ୍ଟାନ୍ତ ସ୍ଥଳ ୫।୨୩ ।

 

ଭାବସିନ୍ଧୁ ମାୟାଶୌଳମୟ ଉତ୍ୟାଦି । ୫ ।

 

ମୃତ୍ୟୁକୁ ସିନ୍ଧୁ ସହିତରେ ତୁଳନା କରାଯାଇଅଛି । ପ୍ରଥମ ଚାରିପଦରେ ତାହା ଦ୍ରଷ୍ଟବ୍ୟ । ପୁଣି ୫ମ ପଦରେ ଭବସଂସାରକୁ ସିନ୍ଧୁବୋଲିବାରୁ ଭାବରେ ଦୋଷ ଘଟିଅଛି ।

 

କରରେ ହୃଦୟାକାଶ...ଇତ୍ୟାଦି । ୨୩ ।

 

୨୨ ଶ ପଦରେ ହୃଦୟକୁ ସମ୍ବୋଧନ କରାଯାଇଅଛି, ଫଳତଃ ଅନ୍ୟ କର୍ତ୍ତାର ଅବିଦ୍ୟମାନରେ ୨୩ ପଦରେ ମଧ୍ୟ ତାହାକୁ କର୍ତ୍ତାବୋଲି ଗ୍ରହଣ କରିବାକୁ ହେବ । ଏଣୁକରି ହୃଦୟକର୍ତ୍ତା ହେଲେ କରରେ ହୃଦୟାକାଶ ଇତ୍ୟାଦି ଥିବାର ଅସଙ୍ଗତ ।

 

(ଘ) ସ୍ଥାନଚ୍ୟୁତ ଦୋଷ ଏକସ୍ଥଳରେ ଲକ୍ଷିତ ହୁଅଇ– ଦୃଷ୍ଟାନ୍ତ ସ୍ଥଳ । ୧୧ ।

 

ମୁକୁଟମଣ୍ଡିତ ରାଜଶିର ଇତ୍ୟାଦି ୮ମ ପଦର ଅବ୍ୟବହିତ ପରେ ଆସିଥିଲେ ଉତ୍ତମ ହୋଇଥାନ୍ତା ।

 

୩ । ପ୍ରଶ୍ନର ଉତ୍ତର ମୃତ୍ୟୁସିନ୍ଧ-କରାଳ-ଲହରୀ–କରାଳ (ଭୟଙ୍କର) ଲହରୀପୂର୍ଣ୍ଣ ମୃତ୍ୟୁରୂପ ସିନ୍ଧୁ ଅର୍ଥାତ୍‌ ସାଗର । ମୃତ୍ୟୁ ମାନବାତ୍ମାର ଶେଷ ନ ହେଉ ମାନବ ଜୀବନର (ଜୀବିତ ଦଶାର) ଶେଷ ଅଟେ । ନଦୀର ସାଗରସଂଗମହିଁ ପ୍ରସିଦ୍ଧ ଏବଂ ଜୀବନକୁ ନଦୀ ସହିତରେ ତୁଳନା କରାଯାଇଥିବାରୁ ମୃତ୍ୟୁକୁ ସାଗର ବୋଲାଯାଇଅଛି । ଏଠାରେ କବି ଆତ୍ମାକୁ ସମ୍ବୋଧନ କରି କହୁଅଛନ୍ତି– ଆତ୍ମାନ୍‌, ଦେଖ ଜୀବନସ୍ରୋତ କିପରି ବେଗରେ ଭୀଷଣଲହରୀପୂର୍ଣ୍ଣ ମୃତ୍ୟୁରୂପ ସିନ୍ଧୁକୁ ଭେଟିବାକୁ ଯାଉଅଛି ।

 

କାମନାନିଚୟ ଇତ୍ୟାଦି– କବି ଭବସଂସାରକୁ ସିନ୍ଧୁସଦୃଶ ଜ୍ଞାନକରି ସଂସାରର ସ୍ୱାର୍ଥବିଜଡ଼ିତ ମାୟା ବନ୍ଧୁନକୁ ଶୌଳବୋଲି ବର୍ଣ୍ଣନ କରିଅଛନ୍ତି । ସମୁଦ୍ର ମଧ୍ୟରେ ପର୍ବତ ଥିଲେ ବିଚକ୍ଷଣ ନାବିକ ବ୍ୟତୀତ ଅନ୍ୟ କେହି ନିରାପଦରେ ତରୀ ବହିବାକୁ ସକ୍ଷମ ହୁଅନ୍ତି ନାହିଁ । ଭବସିନ୍ଧୁ ମାୟାଶୈଳମୟ ହୋଇଥିବାରୁ ଅନେକଙ୍କର ଆଶାରୂପ ତରଣୀ (ଭବସିନ୍ଧୁ ପାର ହେଲାବେଳେ) ଉକ୍ତ ଶୈଳରେ ବାଜି ଚୂର୍ଣ୍ଣ ହୋଇଯାଏ; ଫଳତଃ ସେମାନଙ୍କର କାମନାନିଚୟ ସର୍ବଦା ନିଷ୍ଫଳ ହୋଇଥାଏ ।

 

କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ– ସ୍ଥିର ଓ ଅଚଞ୍ଚଳ ଏକଅର୍ଥ ପ୍ରକାଶ କରୁଅଛି । କବି ଜଗତର ଅନିତ୍ୟତା ପ୍ରଦର୍ଶନ କରି ପ୍ରଶ୍ନ କରୁଅଛନ୍ତି ‘‘କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ ।’’ ପ୍ରକାରାନ୍ତରରେ ସେ କହୁଅଛନ୍ତି ଯେ ଏ ଜଗତ ଅନିତ୍ୟ, ଏଠାରେ କୌଣସି ବସ୍ତୁ ସ୍ଥିର ଅଚଞ୍ଚଳ ଭାବରେ ନାହିଁ । ଯାହା ଆଜି ସମ୍ମୁଖରେ ଦେଖୁଅଛୁଁ ଦୁଇଦିନ ପରେ ତାହା ବିନଷ୍ଟ ହୋଇଯିବ; ତାହାର ଚିହ୍ନସୁଦ୍ଧା ଏଠାରେ ରହିବ ନାହିଁ । ନ ହୁଅଇ ବିକଶିତ ଉତ୍ୟାଦି– କବି କହୁଛନ୍ତି ଯେ ଏ ସଂସାର ଅନ୍ଧକାର ସ୍ଥାନ, ଏଠାରେ ଜୀବାତ୍ମାରୂପ କୁସୁମ ସହଜରେ ବିକଶିତ ହୁଅଇ ନାହିଁ (ସୂର୍ଯ୍ୟକିରଣବିରହିତ ଅନ୍ଧକାରମୟ ସ୍ଥାନରେ ପୃଷ୍ଠ ଫୁଟଇ ନାହିଁ । ପୁଷ୍ପର ପସ୍ଫୁଟନା ପକ୍ଷରେ ସୂର୍ଯ୍ୟାଲୋକର ବିଶେଷ ଆବଶ୍ୟକ) ପୁଣି ଏହି ସଂସାର ଯଦ୍ୟପି ଅନ୍ୟ କୌଣସି ଅନ୍ଧକାରରେ ଆଚ୍ଛନ୍ନ ହୁଏ (ଜଗତର ସ୍ଥାୟୀ ଅନ୍ଧକାର ଛଡ଼ା) ତାହା ହେଲେ ଜୀବାତ୍ମା କୁସୁମର ବିକାଶ ତେଣିକି ଥାଉ ତାହା ଶୁଷ୍କ ହୋଇଯାଏ । ‘‘ଏ ସଂସାର ଅନ୍ଧକାର ସ୍ଥାନ’’ ଏଠାରେ ଅନ୍ଧକାରର ଅର୍ଥ ସାଧାରଣ ଅର୍ଥରୁ କିଞ୍ଚିତ ବିଭିନ୍ନ । ସୂର୍ଯ୍ୟାଲୋକ ବିଭାସିତ ସଂସାରକୁ ଅନ୍ଧକାରାଚ୍ଛିନ୍ନ ବୋଲିବାର ଅର୍ଥ ଅଛି । ଏଠାରେ ଆଧ୍ୟାତ୍ମିକ ଉନ୍ନତିର ଅଭାବକୁ ଲକ୍ଷ୍ୟକରି କବି ଅନ୍ଧକାର ଶବ୍ଦ ବ୍ୟବହାର କରିଅଛନ୍ତି ।

 

‘‘ଅନ୍ଧାରେ ହେଲେ ଜଡ଼ିତ’’– ଏଠାରେ ବିଶ୍ୱାସ, କୁସଂସ୍କାର, ଶିକ୍ଷାର ଅଭାବ ଇତ୍ୟାଦିକୁ ଅନ୍ଧାରପଦବାଚ୍ୟ କରାଯାଇଅଛି । ପାପର ଭୀଷଣାବର୍ତ୍ତ– ‘ଆବର୍ତ୍ତ’ ଶବ୍ଦ ପ୍ରୟୋଗ କଲାବେଳେ କବିଙ୍କ ମନରେ ଅବଶ୍ୟ ସଲିଳର ଭାବ ଉଦୟ ହୋଇଥିବ । ପାପର ଭୀଷଣାବର୍ତ୍ତ ଅର୍ଥାତ୍‌ ପାପସଲିଳର ଉଭୟଙ୍କର ଆବର୍ତ୍ତନ ବା ଘୂର୍ଣ୍ଣନ (ଯାହାକୁ ଭାଷାରେ ଭଉଁରୀ କହନ୍ତି)। କବି କହୁଅଛନ୍ତି ଯେ ଅହଂକାରାଦି ରିପୁ ମନୁଷ୍ୟମାନଙ୍କୁ ପାପର ଭୟଙ୍କର ଆବର୍ତ୍ତ ମଧ୍ୟରେ ନିକ୍ଷେପ କରଇ, ଅର୍ଥାତ୍‌ ମନୁଷ୍ୟମାନେ ଅହଂକାରାଦି ରିପୁର ବଶବର୍ତ୍ତୀ ହୋଇ ନାନାପ୍ରକାର ଜଘନ୍ୟ କାର୍ଯ୍ୟ କରନ୍ତି । ଦିବାକରେ ନିରେଖି ଗଗନେ ଇତ୍ୟାଦି–ପଦ୍ମପୁଷ୍ପକୁ କବିମାନେ ସୂର୍ଯ୍ୟର ପ୍ରଣୟିନୀ ବୋଲି ବର୍ଣ୍ଣନା କରିଅଛନ୍ତି । ପଦ୍ମଫୁଲ ସୂର୍ଯ୍ୟୋଦୟ ହେଲା ଉତ୍ତାରୁ ପ୍ରସ୍ଫୁଟିତ ହୁଏ ବୋଲି ପ୍ରସିଦ୍ଧି ଅଛି । ଦିବାକର ଅର୍ଥରେ ସୂର୍ଯ୍ୟ ଏବଂ ନିରେଖି ଅର୍ଥ ନିରୀକ୍ଷଣ କରି । କବି ଏଠାରେ ଆତ୍ମାକୁ ପଦ୍ମସହିତ ତୁଳନା କରି କହୁଅଛନ୍ତି ଯେ ପଦ୍ମ ଯେରୂପ ସୂର୍ଯ୍ୟକୁ ଦେଖିଲାମାତ୍ରରେ ବିକଶିତ ହୁଏ, ଆତ୍ମା ମଧ୍ୟ ବିଭୁଙ୍କର ଦରଶନ ପ୍ରାପ୍ତ ହୋଇ ପ୍ରଫୁଲ୍ଲ ହୁଅଇ । ବିଭୁଙ୍କୁ ‘ପୁଣ୍ୟର ତପନ’ ବୋଲିବାର ଅର୍ଥ ଏହି ଯେ ସୂର୍ଯ୍ୟଙ୍କୁ ଦେଖିଲାକ୍ଷଣି ପୃଥିବୀର ଅନ୍ଧକାରରାଶି ଯେପରି ପଳାୟନ କରେ, ସେହିପରି ବିଭୁଙ୍କୁ ଦେଖିଲାକ୍ଷଣି ପାପରାଶି ଅନ୍ତରିତ ହୋଇଯାଏ ଏବଂ ପାପର ଭୂବନରେ ପୁଣ୍ୟର ଜ୍ୟୋତି ପ୍ରକାଶିତ ହୁଏ ।

 

ପୂର୍ଣ୍ଣଧର୍ମ

 

ଏକମାତ୍ର

ପୂର୍ଣ୍ଣଧର୍ମ

ସର୍ବାଙ୍ଗସୁନ୍ଦର

ଏକମାତ୍ର

ପୂର୍ଣ୍ଣଶାସ୍ତ୍ର

ବ୍ରହ୍ମାଣ୍ଡ ମଧ୍ୟର

ଏକମାତ୍ର

ଜ୍ଞାନଭକ୍ତି

ଯୋଗ କର୍ମବିଧି

ଏକମାତ୍ର

ସତ୍ୟପୁଣ୍ୟ

ପ୍ରେମ ଶାନ୍ତିନିଧି

ଏକମାତ୍ର

ସର୍ବଧର୍ମ

ସମନ୍ୱୟକାରୀ

ଏକମାତ୍ର

ଦେଶକାଳ

ବ୍ୟବଧାନହାରୀ

ଏକମାତ୍ର

ଜାତିଜାତି

ବିରୋଧବିନାଶୀ

ଏକମାତ୍ର

ନରନାରୀ

ମଙ୍ଗଳବିଳାସୀ

ଏକମାତ୍ର

ସତ୍ୟଧର୍ମ

ବ୍ରହ୍ମ ନିଃଶ୍ୱସିତ

ଏକମାତ୍ର

ବ୍ରହ୍ମବିଧି

ବ୍ରହ୍ମାଣ୍ଡରେ ବଡ଼ ।

 

ଏହି ପୃଥିବୀରେ ଯେତେ ଧର୍ମ ପ୍ରଚଳିତ ଅଛି, ତନ୍ମଧ୍ୟସ୍ଥ କୌଣସି ଧର୍ମକୁ ଆମ୍ଭେମାନେ ଅସତ୍ୟ ବୋଲି ଜ୍ଞାନକରୁନାହିଁ। ବ୍ରହ୍ମବଳ ଅର୍ଥାତ୍‌ ସତ୍ୟର ଜୀବନୀଶକ୍ତି ପ୍ରତ୍ୟେକ ଧର୍ମର ମୂଳରେ କାର୍ଯ୍ୟ କରୁଅଛି । ବୈଷ୍ଣବ, ଶାକ୍ତ, ଶୈବ, ଖ୍ରୀଷ୍ଟିଆନ, ବୌଦ୍ଧ, ମୁସଲମାନ ପ୍ରଭୃତି ସମସ୍ତ ଧର୍ମ ସତ୍ୟର ଭିତ୍ତି ଉପରେ ପ୍ରତିଷ୍ଠିତ । ଏହା ଆମ୍ଭେମାନେ ସ୍ୱୀକାର କରି ପ୍ରତ୍ୟେକ ଧର୍ମକୁ ଧର୍ମାବହ ପରମେଶ୍ୱରଙ୍କର ବିଶେଷ-ବିଶେଷ ବିଧାନ ବୋଲି ଜାଣି ପ୍ରତ୍ୟେକ ଧର୍ମର ଚରଣ ତଳରେ ପ୍ରଣତି ହେଉଅଛୁଁ । କିନ୍ତୁ ଆମ୍ଭେମାନେ ପ୍ରଚଳିତ ଧର୍ମମାନଙ୍କ ମଧ୍ୟରୁ କାହାରିକୁ ପୂର୍ଣ୍ଣାବୟବ ସର୍ବାଙ୍ଗସୁନ୍ଦର ଧର୍ମବୋଲି ସ୍ୱୀକାର କରି ନ ପାରୁଁ । ପ୍ରତ୍ୟେକ ଧର୍ମରେ ବିଶେଷ-ବିଶେଷ ସତ୍ୟର ପ୍ରକାଶ ହୋଇଅଛି । କିନ୍ତୁ ଜ୍ଞାନ ଓ ପବିତ୍ରତା, ଭକ୍ତି ଓ କର୍ମ, ଯୋଗ ଓ ବୈରାଗ୍ୟ, ଈଶ୍ୱରଙ୍କର ଅଦ୍ୱିତୀୟତା ଏବଂ ଲୀଳାସୌନ୍ଦର୍ଯ୍ୟ, ଆତ୍ମାର ସ୍ୱାଧୀନତା ଓ ଏକମାତ୍ର ସତ୍ୟଶାସ୍ତ୍ରର ଆଧିପତ୍ୟ, ଆତ୍ମାର ଅନନ୍ତ ଉନ୍ନତି ଓ ସର୍ବଦେଶୀୟ ସାଧୁଭକ୍ତ ଋଷିମାନଙ୍କର ନିର୍ବିରୋଧ ମିଳନ ଏ ସମସ୍ତ ଏକାଧାରରେ ଦେଖାଯାଏନାହିଁ । ତେଣୁ ଆମ୍ଭେମାନେ ପ୍ରଚଳିତ ଧର୍ମମାନଙ୍କୁ କୌଣସି ପ୍ରକାରେ ଅବଜ୍ଞା ନକରି ସୁଦ୍ଧା ସତ୍ୟର ଅନୁରୋଧରେ ଆଂଶିକ ଖଣ୍ଡଧର୍ମ ବୋଲି କହିବାକୁ ବାଧ୍ୟହେଲୁଁ ।

 

ଆମ୍ଭେମାନେ ପୂର୍ଣ୍ଣଧର୍ମର ପ୍ରୟାସୀ । ସେହି ସର୍ବାଙ୍ଗସୁନ୍ଦର ଅନନ୍ତ ପୂର୍ଣ୍ଣବ୍ରହ୍ମଙ୍କର ଧର୍ମ ମଧ୍ୟରେ ସତ୍ୟ ପୁଣ୍ୟ-ପ୍ରେମ-ମଙ୍ଗଳ- ଶାନ୍ତି–ଆନନ୍ଦ-ଯୋଗ-ବୈରାଗ୍ୟ-ଜ୍ଞାନ-କର୍ମ ପ୍ରଭୃତି ଆତ୍ମାର ଚିରବାଞ୍ଚିତ ସମସ୍ତ ସଂପଦ ଏକାଧାରରେ ସନ୍ନିବିଷ୍ଟ ହୋଇଅଛି । ପୃଥିବୀର ଏହି ପୂର୍ଣ୍ଣ ସତ୍ୟୋଜ୍ଜ୍ୱଳ ଧର୍ମର ଆଗମନ ପଥ ପରିଷ୍କାର କରିବା ନିମିତ୍ତ ଆଂଶିକ ଧର୍ମ ବିଧାନମାନଙ୍କର ଆବିର୍ଭାବ । ପୂର୍ଣ୍ଣଶକ୍ତି ଅନନ୍ତ ବିଧାତାଙ୍କର ସର୍ବ ବିଜୟିନୀ ଇଚ୍ଛାବଳରେ ପୃଥିବୀ ଏହି ପୂର୍ଣ୍ଣଧର୍ମ ଗ୍ରହଣ କରିବା ନିମିତ୍ତ ନିତ୍ୟ ନିତ୍ୟ ଅଗ୍ରସର ହେଉଅଛି । ହେ ମନୁଷ୍ୟ, ନିଜର ଓ ପୃଥିବୀର ଅତୀତ ଇତିହାସ ଆଲୋଚନା କରି, ଭବିଷ୍ୟତ୍‌ ପ୍ରତି ଆଶା ଓ ବିଶ୍ୱାସ ନୟନରେ ବାରେ ଅନାଇ ଏକମାତ୍ର ବ୍ରହ୍ମବିଧି ପୂର୍ଣ୍ଣଧର୍ମରୂପେ କଳ୍ପତରୁର ଶୀତଳ ଚରଣତଳରେ ଆତ୍ମା ସମର୍ପଣ କର ।

 

[ନବସମ୍ବାଦ, ପ୍ରଥମ ବର୍ଷ, ଚତୁର୍ଦ୍ଦଶ ସଂଖ୍ୟା

୨୮।୪।୧୮୮୬]

 

ଧର୍ମର ବଳ

 

ଶରୀର ବଳ, ଧନର ବଳ, ଜ୍ଞାନର ବଳ, ଅସ୍ତ୍ରର ବଳ ମନୁଷ୍ୟ ନିତ୍ୟ-ପ୍ରତ୍ୟକ୍ଷ କରୁଅଛି । ତେଣୁ ମନୁଷ୍ୟ ସେହି ସେହି ବଳ ନିକଟରେ ସହଜରେ ପ୍ରଣତ ହୁଏ । କିନ୍ତୁ ଧର୍ମର ବଳ ଜଡ଼ସର୍ବସ୍ୱ ଲୋକଙ୍କ ନିକଟରେ ନିତ୍ୟ-ପ୍ରତ୍ୟକ୍ଷ ବ୍ୟାପାର ମଧ୍ୟରେ ପରିଗଣିତ ହୁଏନାହିଁ । ତେଣୁ ଧର୍ମର ବଳ ଅଛି ବୋଲି ସ୍ୱୀକାର କରିବାକୁ ଅବିଶ୍ୱାସୀ ସଂସାର ପ୍ରାୟଶଃ କୁଣ୍ଠିତ ହୁଏ । କିନ୍ତୁ ବିଶ୍ୱାସୀ ଧାର୍ମିକ ନିକଟରେ ଧର୍ମର ବଳ ନିତ୍ୟ-ପ୍ରତ୍ୟକ୍ଷ ବ୍ୟାପାର, ବିଶ୍ୱାସୀ ଜଡ଼ାତୀତ ଅତୀନ୍ଦ୍ରିୟ ଆଧ୍ୟାତ୍ମିକ ରାଜ୍ୟରେ ବାସକରି ଧର୍ମର ଯେଉଁ ଅଦ୍ଭୁତ ବଳ ଅନୁଭବ କରେ, ତାହା ବାସ୍ତବ ବ୍ୟାପାର । ଧର୍ମର ବଳ କି ମହାନ୍‌ ! ମୁହୂର୍ତ୍ତକ ମଧ୍ୟରେ ଧର୍ମ ଅଦ୍ଭୁତ ପରିବର୍ତ୍ତନ ସଂଘଟନ କରେ । ଯେଉଁ ବ୍ୟକ୍ତି ସଂସାରକୁ ସର୍ବସ୍ୱ ମଣି କେବଳ ଧନ-ମାନ-ସଂପଦର ଅନ୍ୱେଷଣରେ ରତ ଥିଲା, ସେ କ୍ଷଣିକ ମଧ୍ୟରେ କାହା ବଳରେ ସଂସାରକୁ ତୁଚ୍ଛକରି ଈଶ୍ୱରଙ୍କ ନିମିତ୍ତ ନିଜର ସର୍ବସ୍ୱ ପରିତ୍ୟାକ କଲା ? ଈଶ୍ୱରଙ୍କୁ କାହାରି ଚକ୍ଷୁ ଦେଖିପାରେ ନାହିଁ । ଜଡ଼ସର୍ବସ୍ୱ ବ୍ୟକ୍ତି ନିକଟରରେ ଇଶ୍ୱର କିଛି ନୁହନ୍ତି ଏବଂ ଇନ୍ଦିୟାତୀତ ଆଧ୍ୟାତ୍ମିକ ରାଜ୍ୟ ଅସାର ଏବଂ ଅପଦାର୍ଥ ଅଟେ; କିନ୍ତୁ ବିଶ୍ୱାସୀ ନିକଟରେ ସଂସାର ଅସାର ଓ ଅପଦାର୍ଥ ଏବଂ ଈଶ୍ୱର ଜୀବନର ପରମଧନ ଓ ପରମ ପଦାର୍ଥ । ଏହି ଅଦ୍ଭୁତ ପରିବର୍ତ୍ତନ କେବଳ ଧର୍ମର ବଳ ଦ୍ୱାରା ସଂସାଧିତ ହୁଏ ।

 

ପୂର୍ଣ୍ଣଈଶ୍ୱର ଅଛନ୍ତି । ଏହି ବିଶ୍ୱାସପୂର୍ଣ୍ଣ ମହାମନ୍ତ୍ରର ସାଧନ ଧର୍ମବଳର ଏକମାତ୍ର କାରଣ ଅଟେ । ଏହି ବିଶ୍ୱାସ ଉପରେ ନିର୍ଭର କରି ଯେଉଁ ବ୍ୟକ୍ତି ଜୀବନଧାରଣ କରେ, ତାହାର ବଳ ଓ ବୀରତ୍ୱ ଦେଖି ସଂସାର ବିସ୍ମୟାଭିଭୂତ ହୁଏ । ଯୀଶୁ, ଚୈତନ୍ୟ, ମହମ୍ମଦ ପ୍ରଭୃତି ମହାପୁରୁଷମାନଙ୍କର ଯେଉଁ ମହାଶକ୍ତି ବିଷୟ ଚିନ୍ତାକରି ହେ ସଂସାରୀ, ତୁମେ ବିସ୍ମିତ ଓ ଅବାକ୍‌ ହେଉଅଛ, ସେହି ଶକ୍ତି କି ଧନମାନୋ-ପାସନାର ଫଳ ? ସେମାନେ କାହା ବଳରେ ଧନମାନ ବିଦ୍ୟା ଅସ୍ତ୍ର ପ୍ରଭୃତିର ବଳକୁ ତୁଚ୍ଛକରି, ମୃତ୍ୟୁ ଭୟକୁ ଉପହାସ କରି, ଭବସାଗର ଭୀଷଣ ତରଙ୍ଗ ନିର୍ଭୟରେ ଉତ୍ତୀର୍ଣ୍ଣ ହୋଇଥିଲେ । ଧନ୍ୟ ଧର୍ମ ! ତୋହରି ବଳରେ ଅସମ୍ଭବ ସମ୍ଭବ ହୋଇଅଛି । ସଂସାରର ବିଭୀଷିକା ପରାସ୍ତ ହୋଇଅଛି; ପ୍ରକାଣ୍ଡ ସଂସାରର ବିଭୀଷିକା ପରାସ୍ତ ହୋଇଅଛି; ପ୍ରକାଣ୍ଡ ସଂସାରର ଭୀଷଣ ମାୟା ନାଗପାଶ ଛିନ୍ନ ହୋଇଅଛି । ତାହାରି ପଦତଳେ ମୁଁ ଏହି ଜୀବନକୁ ସମର୍ପଣ କରୁଅଛି, ମୋତେ ଏହି ସଂସାରର ଅସାର ଅସତ୍ୟ ମଧ୍ୟରୁ ଉଦ୍ଧାର କରି ବିଶ୍ୱାସର ମହାମନ୍ତ୍ର ସାଧନ କରିବାର ଶକ୍ତି ପ୍ରଦାନ କର । ହେ ପ୍ରଭୁ, ତୁମେ ଅଛ, ଏହି କଥା ମୋ ପ୍ରାଣର ପରମଶାସ୍ତ୍ର ହେଉ ।

 

[ନବସମ୍ବାଦ, ୧/୪ (୧୩।୨।୧୮୮୭)]

 

ଗୋଟିଏ କଥା

 

ଆଜିକାଲି ଏଠା ସମାଜର ରୀତିନୀତି ଦେଖିଲେ ଆଶ୍ଚର୍ଯ୍ୟ ବୋଧହୁଅଇ । ପୂର୍ବକାଳରେ ଲୋକ ପରର ଉପକାର କରିପାରିଲେ ଆପଣାକୁ କୃତାର୍ଥ ମଣୁଥିଲେ । ଏତେବେଳେ ସେପରି ନାହିଁ, ପରର ଉପକାର କରିବା ତେଣିକି ଥାଉ, ତାହାର ଅନିଷ୍ଟ କରିପାରିଲେ କିମ୍ବା ଆପେ ନ କରି ଅନ୍ୟ କାହାରି ଦ୍ୱାରା ଅନିଷ୍ଟ ହେବାର ଦେଖିଲେ ଆପଣାକୁ ମନରେ ସୁଖୀ କରୁଅଛନ୍ତି । ସମ୍ପ୍ରତି ଲୋକମାନଙ୍କୁ ଗୋଟାଏ ହିଂସାବୃତ୍ତି ଆଶ୍ରୟ କରିଅଛି । ପୂର୍ବକାଳର ଲୋକ ଜଣେ ଜଣକର ଉପକାର କଲେ ଅନ୍ୟାନ୍ୟ ଲୋକ ଉପକାରୀକୁ ଉତ୍ସାହ ଦେଉଥିଲେ । ଏଣିକି ଜଣେ ଅନ୍ୟ ଜଣକର ଅନିଷ୍ଟ କରିଅଛି ଦେଖି, ଅନିଷ୍ଟକାରୀ ସହିତ ଯୋଗଦେଇ ତାହାକୁ ଉତ୍ସାହିତ କରୁଅଛନ୍ତି । ଅନିଷ୍ଟକାରୀ ଦ୍ୱାରା ସେ ଜଣକର କିପରି ଅନିଷ୍ଟ ହେଉଅଛି ତାହା ସାଗ୍ରହ ନେତ୍ରରେ ଦୃଷ୍ଟିଦେଇ ଅଛନ୍ତି । ତାହାର କଷ୍ଟକୁ କୌତୁକ ମଣି ଆନନ୍ଦ ପ୍ରକାଶ କରୁଅଛନ୍ତି । ସହାନୁଭୂତି ବୋଲି ଯେ ଗୋଟିଏ କଥା ଅଛି ତାହା ଆଜିକାଲି ଲୋକଙ୍କୁ ପରିତ୍ୟାଗ କରିଅଛି । ଯେବେ କେଉଁସ୍ଥାନରେ ସହାନୁଭୂତି ଦେଖିବ, ସେଥିଭିତରେ ଅବଶ୍ୟ ସ୍ୱାର୍ଥ ନିହିତ ଥିବ । ତେବେ ଯେ ଏକାବେଳକେ ନିଃସ୍ୱାର୍ଥ ସହାନୁଭୂତି ନାହିଁ, ତାହା ଆମ୍ଭେମାନେ କହୁନାହୁଁ । ସେପରି ଲୋକ ଆଜିକାଲି ସମୟରେ ଗୋଟିଏ ଜିଲ୍ଲାରେ ପାଞ୍ଚ ଛଅ ଜଣ ମାତ୍ର ପାଇବ । ନିମ୍ନଶ୍ରେଣୀଠାରୁ ଉଚ୍ଚଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ହିଂସାବୃତ୍ତି ଆଶ୍ରୟ କରିଅଛି । ସେହି ବୃତ୍ତି ଚରିତାର୍ଥ କରିବା ସକାଶେ ଲୋକେ ନାନା ଉପାୟ ଅବଲମ୍ବନ କରୁଅଛନ୍ତି । କେହି ଯେବେ ପରୋପକାର ବା ସାଧାରଣର ଉପକାର କୌଣସି କାର୍ଯ୍ୟ କଲା କିମ୍ବା କରିବାକୁ ଉଦ୍ୟତହେଲା ତେବେ ଆଜିକାଲି ସମାଜରେ ସେ ଉପହାସର ପାତ୍ର । ଲୋକ କେତେପ୍ରକାରେ ତାକୁ ଉପହାସ କରିବେ ଓ ତାହାର ସାହାଯ୍ୟ ସକାଶେ କାହାରକୁ ଛିଡ଼ା ହେବାର ଦେଖିବ ନାହିଁ । କିନ୍ତୁ ଅପକାରୀର ସାହାଯ୍ୟ ସକାଶେ ଅନେକଙ୍କୁ କମର ବାନ୍ଧିବାକୁ ଦେଖିବ । ଆହୁରି ଗୋଟିଏ ଆଶ୍ଚର୍ଯ୍ୟ ରୀତି ଏହି ଯେ, ସମାଜ ମଧ୍ୟାରୁ ଯେବେ କେହି ଆପଣା ଉଦ୍ୟମରୁ ବିଷୟବନ୍ତ ହୋଇ ପଦମର୍ଯ୍ୟାଦା ଲାଭକଲା, ତେବେ ସେ ଲୋକ ଅବଶ୍ୟ ସାଧାରଣ ଚକ୍ଷୁରେ ବାଲିକଣା ହେଲା; କିପରି ସେ ବ୍ୟକ୍ତି ଉକ୍ତ ବିଷୟ ଓ ପଦମର୍ଯ୍ୟାଦାରୁ ବଞ୍ଚିତ ହେବ ଏହି ଚେଷ୍ଟା ଦିବାରାତ୍ର ଲାଗି ରହିଲା । ସେଥିପାଇଁ କେତେ ସ୍ଥାନରେ କେତେ ପରାମର୍ଶ, କେତେ ଉପାୟମାନ ଓ କେତେ ମାମଲାର ସୂଚନା ହୋଇଯିବ ତାହାର ସଂଖ୍ୟା ରହିବ ନାହିଁ । ଜଣକୁ ପଦମର୍ଯ୍ୟାଦାରେ ସମାଗତ କରାଇବାର କ୍ଷମତା ନାହିଁ । କିନ୍ତୁ ପଦମର୍ଯ୍ୟାଦାରୁ ତ ବ୍ୟକ୍ତିକୁ ସେଥିରୁ ବଞ୍ଚିତ କରିବା ସକାଶେ ଉପାୟ ଓ ପାରମର୍ଶ ଲୋକଙ୍କ ମନରେ ବିଦ୍ୟମାନ ଅଛି । ପୂର୍ବେ ଏକତ୍ରରେ ଦଶଜଣ ଉପବେଶନ କରୁଥିଲେ । ଆପଣା ଗ୍ରାମର ଗୋଟିଏ ହିତକର ପରାମର୍ଶ କରୁଥିଲେ ଓ ଆପଣା ମଧ୍ୟରେ ଉନ୍ନତିର ମାର୍ଗ ଅନୁସଂଧାନ କରୁଥିଲେ; ବର୍ତ୍ତମାନ ସମୟରେ ସେପରି ନାହିଁ । ଏଣିକି ଦଶଜଣ ଏକତ୍ର ହୋଇ କାହାରି ଅନିଷ୍ଟକର ପରାମର୍ଶ ସ୍ଥିର କରିପାରିଲେ କାମନା ସିଦ୍ଧହେଲା ବୋଲି ହର୍ଷପ୍ରାପ୍ତ ହେବେ । ଏ ସମସ୍ତ ଦେଖି କେଉଁ ବୁଦ୍ଧିମାନ ବ୍ୟକ୍ତି ଆଜିକାଲି ସମାଜକୁ ମନ୍ଦ ନବୋଲି ଉତ୍ତମ ବୋଲିବ ? ଏଥି ସକାଶେ ଏଠା ସମାଜ ଦିନକୁ ଦିନ ନିରୟଗାମୀ ହେଉଅଛି । ପରସ୍ପର ସୁଖ ସ୍ୱଚ୍ଛନ୍ଦତେ ନାହିଁ; ଦିନକୁ ଦିନ ଅମେଳ ବୃଦ୍ଧି ହେଉଅଛି । ଆମ୍ଭେ ଦିବ୍ୟ ଚକ୍ଷୁରେ ଦେଖୁଅଛୁ ଯେ, ଲୋକମାନେ ଏପରି ମନ୍ଦବୃତ୍ତିମାନଙ୍କୁ ମନ ମଧ୍ୟରେ ପ୍ରତିପୋଷଣ କରି କେବେହେଁ ଆପଣାର ମଙ୍ଗଳ କରିପାରିବ ନାହିଁ ଏବଂ ଏପରି ଲୋକମାନଙ୍କର ପରିମାଣ ଭଲ ନୁହଇ । ଯେଉଁ ଯେଉଁ ସ୍ଥାନର ଲୋକମାନେ ବା ସମାଜ ଏପରି କୁପ୍ରବୃତ୍ତିର ଅଧିନ ହୋଇ କାର୍ଯ୍ୟ କରିଅଛନ୍ତି, ସେମାନେ ସଫଳକାମ ହୋଇନାହାନ୍ତି ବା ହୋଇପାରିବେ ନାହିଁ । ଆମ୍ଭେମାନେ କହୁଁ ସମାଜ ବା ଲୋକମାନେ ହିଂସାବୃତ୍ତି ପରିତ୍ୟାଗ କରି ପରସ୍ପରର ମଙ୍ଗଳ କାମନା କରନ୍ତୁ– ଦେଖିବ ଅତିଶୀଘ୍ର ଏହି ଅବନତି ପରିବର୍ତ୍ତିତ ହୋଇ ଉନ୍ନତିମାର୍ଗକୁ ଧାବିତ ହେବ, ଏଥିରେ ଆଉ ସନ୍ଦେହ କଅଣ !

 

[ଓଡ଼ିଆ ଓ ନବସମ୍ବାଦ,

ତା।୨୦।୧୨।୧୮୯୩]

 

ପରଲୋକଗତ ଶୀ ଜଗନ୍ମୋହନ ରାୟ

 

ବିଗତ କାର୍ତ୍ତିକ ସଂକ୍ରାନ୍ତ ଦିନ ୬୮ ବର୍ଷ ବୟସରେ ଦୀନାଜନନୀ ଉତ୍କଳ ଭୂମିର ମାତୃବତ୍ସଳ ସୁପୁତ୍ର ଖ୍ୟାତନାମା ଭକ୍ତିଭାଜନ ଶ୍ରୀଯୁକ୍ତ ଜଗନ୍ମୋହନ ରାୟ ମହାଶୟ ପରଲୋକ ଗମନ କରିଥିବାର ସମ୍ବାଦ ପାଠକବର୍ଗ ‘ଦୀପିକା’ ରୁ ଅବଗତ ହୋଇଥିବେ । ପ୍ରାୟ ଦ୍ୱାଦଶ ବର୍ଷ ହେଲା ରାୟ ମହାଶୟ ବ୍ୟାଧିଜର୍ଜରିତ ହୋଇ ସରକାରୀ କାର୍ଯ୍ୟରୁ ଏବଂ ସାଧାରଣ ସଂକ୍ରାନ୍ତ କାର୍ଯ୍ୟ କ୍ଷେତ୍ରରୁ ଅବସର ଗ୍ରହଣ କରିଥିବାରୁ ତାହାଙ୍କ ଯଶୋବୃତ୍ତାନ୍ତ କାଳର ଅପ୍ରତିହତ ପ୍ରଭାବରେ ବର୍ତ୍ତମାନ ସମୟର ନାନା ବୈଷୟିକ ବ୍ୟାପାର ନିମଗ୍ନ ସାଧାରଣ ଲୋକମଣ୍ଡଳୀର ଚିତ୍ତକ୍ଷେତ୍ରରୁ ଅନେକ ପରିମାଣରେ ଅପସାରିତ ହୋଇ ଆସିଥିଲା; ତେଣୁ ତାହାଙ୍କର ମୃତ୍ୟୁଦ୍ୱାରା ସାଧାରଣ ଜନବର୍ଗ ମଧ୍ୟରେ ତୀବ୍ର ଶୋକଭିଘାତ ଉପସ୍ଥିତ ହୋଇନାହିଁ । କିନ୍ତୁ ବର୍ତ୍ତମାନର ମୋହ କୁହୁକରେ ପଡ଼ି କ୍ଷଣିକ ଉତ୍ତେଜନାରେ ପ୍ରମତ୍ତ ଯୁବକ ଜନଙ୍କ ପକ୍ଷରେ ପ୍ରାଚୀନମାନଙ୍କର ଗୌରବ ଓ ମର୍ଯ୍ୟାଦାପ୍ରତି ସମ୍ୟକ୍‌ ଆସ୍ଥାବାନ୍‌ ନୋହିବା ବିସ୍ମୟକର ନୋହିଲେ ହେଁ, ତାହା ଯେ କର୍ତ୍ତବ୍ୟର ପ୍ରତ୍ୟବାୟ, ସେଥିରେ ସନ୍ଦେହ ନାହିଁ । ରାୟ ମହାଶୟ ଯେ ଜଣେ ଆଦର୍ଶସ୍ଥାନୀୟ ଲୋକ ଥିଲେ, ତାହା ସର୍ବବାଦିସମ୍ମତ । ଏପରି ସ୍ଥଳରେ ତାହାଙ୍କର ଚରିତ୍ର ଅନୁଧ୍ୟାନ କରି ତାଙ୍କ ଚରିତ୍ରର ସାଧୁଭାବ, ହୃଦୟସ୍ଥ ଏବଂ ଆତ୍ମସାତ୍‌ କରିବା ଆମ୍ଭମାନଙ୍କର ଏକାନ୍ତ କର୍ତ୍ତବ୍ୟ ।

 

ଆଜିକାଲି ଚାରିଆଡ଼ରେ ଉଚ୍ଚଶ୍ରେଣୀର ବିଦ୍ୟାଳୟମାନ ପ୍ରତିଷ୍ଠିତ ହୋଇଅଛି । ସୁତରାଂ ବିଦ୍ୟା ଅର୍ଜିବା ଏବଂ ଉଚ୍ଚଶିକ୍ଷା ଲଭିବା ନିମିତ୍ତ ସୁବିଧାର ଅଭାବ ନାହିଁ । କିନ୍ତୁ ରାୟ ମହାଶୟଙ୍କର ବାଲ୍ୟକାଳରେ ସମସ୍ତ ଉତ୍କଳ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ମାତ୍ର ଇଂରାଜୀ ବିଦ୍ୟାଳୟ ଥିଲା ଏବଂ ସେହି ନୂତନ ବିଦ୍ୟାଳୟ ପ୍ରତି ତଦାନୀନ୍ତନ ଉତ୍କଳବାସୀ ମାନଙ୍କର ବିଷମ ବିରାଗ ଓ ଘୃଣା ଥିଲା । ଇସ୍କୁଲରେ ପଢ଼ିଲେ କୁଳଧର୍ମ ନାଶହୁଏ, ଏହି ସଂସ୍କାରର ବଶବର୍ତ୍ତୀ ହୋଇ ଇସ୍କୁଲ ଯେ ଇସ୍କୁଲ ସେ, ଅର୍ଥାତ୍‌ ଇସ୍କୁଲକୁ ଯିବା ଯାହା, ଏ କୁଳରୁ ଅନ୍ୟ କୁଳକୁ ଯିବା ତାହା, ଏହିପର ପ୍ରବାଦ ଲୋକମୁଖରେ ପ୍ରଚଳିତ ହୋଇ ଆସିଥିଲା । ସେ ମସୟରେ ପାରସୀ ଭାଷାର ସମଧିକ ଆଦର ଓ ମର୍ଯ୍ୟାଦା ଥିଲା ଏବଂ ଅନେକେ, ବିଶେଷତଃ ବଙ୍ଗାଳୀ ବଂଶୋଦ୍ଭବ ଲୋକମାନେ ପାରସୀ ଶିକ୍ଷାପ୍ରତି ଅତ୍ୟନ୍ତ ପକ୍ଷପାତୀ ଥିଲେ । ନାନା ବିଘ୍ନ ବ୍ୟାଘାତ ସତ୍ତ୍ୱେ ରାୟ ମହାଶୟ ପରାସୀ ଏବଂ ଇଂରାଜୀ ଉଭୟ ଭାଷା ଯତ୍ନ ସହକାରେ ଶିକ୍ଷା କରିଥିଲେ । ତାହାଙ୍କର ଆନ୍ତରିକ ଉଚ୍ଚାଭିଳାଷ ଏବଂ ବିଦ୍ୟାନୁରାଗ ବାଲ୍ୟକାଳାରୁ ଉଦ୍ଦୀପିତ ହୋଇଥିଲା ଏବଂ ସେ ପ୍ରଶଂସା ସହିତ କଟକ ଇଂରାଜୀ ବିଦ୍ୟାଳୟରୁ ପୂର୍ବତନ ଇଂରାଜୀ ଜୁନିୟର ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ବୃତ୍ତି ସାହାଯ୍ୟରେ ହୁଗୁଲି କଲେଜରେ କେତେବର୍ଷ ଅଧ୍ୟୟନ କରିଥିଲେ । ଉକ୍ତ କଲେଜରେ ପଢ଼ିଲାବେଳେ, ସେ ଅନେକ ପ୍ରତିଭାଶାଳୀ ବଙ୍ଗାଳୀ ସହାଧ୍ୟାୟିମାନଙ୍କ ସଙ୍ଗେ ସମକକ୍ଷତା ରକ୍ଷା କରି ଆପଣାର ବୁଦ୍ଧିମତ୍ତାର ପରିଚୟ ଦେଇଥିଲେ । ସୁବିଖ୍ୟାତ ବାବୁ ଦ୍ୱାରକାନାଥ ମିତ୍ର-ଯେ ପରେ କଲିକତା ହାଇକୋର୍ଟର ବିଚାରପତି ଆସନରେ ଆରୂଢ଼ ହୋଇ ଅସାଧାରଣ ଧୀମତ୍ତା ଓ ତେଜସ୍ୱିତାର ପରିଚୟ ପ୍ରଦାନ କରିଥିଲେ– ରାୟ ମହାଶୟଙ୍କର ଜଣେ ସତୀର୍ଥ ଥିଲେ । ସେ ଅଠରଶହ ପଞ୍ଚାବନ ସାଲରେ କଲେଜ ପରିତ୍ୟାଗ କରି ପୁରୀରେ କିରାନି କର୍ମ ଗ୍ରହଣ କଲେ । ତାହାଙ୍କର ହସ୍ତାକ୍ଷର କିରାନିପଦର ଉପଯୁକ୍ତ ନଥିଲା; କିନ୍ତୁ ଇଂରାଜୀ ଭାଷାରେ ତାହାଙ୍କର ପ୍ରଶସ୍ତ ଅଧିକାର ଓ ବ୍ୟୁତ୍‌ପତ୍ତି ଦେଖି ପୁରୀର ତଦାନୀନ୍ତନ ଗୁଣଜ୍ଞ ମାଜିଷ୍ଟ୍ରେଟ ତାହାଙ୍କୁ ଅତିଶୀଘ୍ର ହେଡ଼କିରାନି ପଦ ପ୍ରଦାନ କଲେ । ତଦାନୀନ୍ତନ ଉତ୍‌କଳୀୟ କର୍ମଚାରୀମାନଙ୍କ ମଧ୍ୟରେ ସେ ଯେ ସର୍ବାପେକ୍ଷା ସୁଯୋଗ୍ୟ ଓ ସୁଦକ୍ଷ ଥିଲେ, ତାହା କମିଶନର ମଧ୍ୟ ଜାଣିପାରିଥିଲେ । ସୁତରାଂ କଟକରେ ହେଡ଼କିରାନି ପଦ ଶୂନ୍ୟ ହେଲା ମାତ୍ରକେ କମିଶନର ତାହାଙ୍କୁ ହିଁ ନିର୍ବାଚନ କଲେ । କଟକରେ ରିପୋର୍ଟ ପ୍ରଭୃତି ସରକାରୀ ଇଂରାଜୀ ପତ୍ରାଦି ଲିଖନ ବିଷୟରେ ଦକ୍ଷତା ଏବଂ ସମଗ୍ର ଶାସନ କାର୍ଯ୍ୟ ସମ୍ବନ୍ଧରେ ତାଙ୍କର ଅଭିଜ୍ଞତା ଦେଖି ମହାମନା ସୋର ସାହେବ ତାହାଙ୍କୁ ୧୮୬୦ ସାଲରେ ଡେପୁଟି କଲେକ୍ଟର ପଦରେ ନିଯୁକ୍ତ କରାଇଲେ । ରାୟ ମହାଶୟ ପ୍ରାୟ ସତେଇଶ ବର୍ଷ କାଳ ସୁଯଶ ସହକାରେ ଆପଣାର ଉଚ୍ଚପଦର ମର୍ଯ୍ୟାଦା ରକ୍ଷାକରି ୧୮୮୬ ସାଲରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କଲେ । ସେ ସରକାରୀ କାର୍ଯ୍ୟ କରିବା ସମୟରେ ନ୍ୟାୟପରାୟଣତା ଏବଂ ସ୍ୱାଧୀନଚିତ୍ତତା ନିମିତ୍ତ ପ୍ରସିଦ୍ଧ ଥିଲେ । ଏହି ସମୟ ମଧ୍ୟରେ ସେ ଉତ୍‌କଳ ପ୍ରଦେଶର ଶିକ୍ଷୋନ୍ନତି ଏବଂ ଧର୍ମସଂସ୍କାର ନିମିତ୍ତ ସାଧ୍ୟାନୁସାର ଯତ୍ନ କରିଥିଲେ । କଟକ ପ୍ରିଣ୍ଟିଂ କୋମ୍ପାନିଙ୍କର ଛାପାଖାନା–ଯାହାର ଶୁଭସ୍ଥାପନ ଦ୍ୱାରା ଉତ୍‌କଳ ସାହିତ୍ୟର ଇତିହାସରେ ମହାଯୁଗାନ୍ତର ସଂଘଟିତ ହୋଇଅଛି– ସେହି ଛାପାଖାନାର ଜଣେ ମୁଖ୍ୟ ପ୍ରବର୍ତ୍ତକ ଥିଲେ । ତାହାଙ୍କର ଉଦ୍ୟମ ଓ ଦାକ୍ଷିଣ୍ୟ ଯୋଗେ କଟକ ବ୍ରହ୍ମମନ୍ଦିର ପ୍ରାୟ ପଞ୍ଚବିଂଶତି ବର୍ଷ ହେଲା ନିର୍ମିତ ହୋଇ ଏକମାତ୍ର ପରଂବ୍ରହ୍ମଙ୍କର ଉପାସନା ନିମିତ୍ତ ଉତ୍‌ସୃଷ୍ଟ ରହିଅଛି । କଟକରେ କଲେଜ, ନର୍ମାଲ ସ୍କୁଲ, ମେଡିକାଲ ସ୍କୁଲର ସ୍ଥାପନାଦି ବିଷୟରେ ସେ କମିଶନର ପ୍ରଭୃତି କର୍ତ୍ତୁପକ୍ଷମାନଙ୍କୁ ସତ୍‌ ପରାମର୍ଶ ଦ୍ୱାରା ବିଶେଷ ସାହାଯ୍ୟ କରିଥିଲେ ଏବଂ ସରକାରୀ କାର୍ଯ୍ୟରୁ ଅବସୃତ ହୋଇ ସୁଦ୍ଧା କଟକ ଆକାଡେମୀ, କଟକ ଟାଉନସ୍କୁଲ ପ୍ରଭୃତି ବିଦ୍ୟାଳୟମାନଙ୍କର ଶ୍ରୀବୃଦ୍ଧି ସାଧନ ନିମିତ୍ତ ଅନେକ ଚେଷ୍ଟା କରୁଥିଲେ । ସେ ସାକ୍ଷାତ୍‌ଭାବରେ ଉତ୍କଳ ସାହିତ୍ୟ ସେବକ ନଥିଲେ ହେଁ ଉତ୍କଳଭାଷା ଓ ସାହିତ୍ୟର ଉନ୍ନତି ସାଧନ ନିମିତ୍ତ ବନ୍ଧୁମାନଙ୍କୁ ଉତ୍ସାହିତ କରୁଥିଲେ ଏବଂ ବଙ୍ଗଳା ତାହାଙ୍କର ମାତୃଭାଷା ହେଲେହେଁ, ଓଡ଼ିଆ ଭାଷାକୁ ମାତୃଭାଷା ତୁଲ୍ୟ ମଣି ସେଥିପ୍ରତି ସର୍ବଦା ଅନୁରାଗ ପ୍ରଦର୍ଶନ କରୁଥିଲେ ।

 

ରାୟ ମହାଶୟ ଯୌବନ କାଳରୁ ଧର୍ମଶୀଳ ଏବଂ ଭକ୍ତିପରାୟଣ ଥିଲେ । ଏହି ଧର୍ମଭାବ ବୟୋବୃଦ୍ଧି ସଙ୍ଗେ ସଙ୍ଗେ ବର୍ଦ୍ଧିତ ଓ ଘନୀଭୂତ ହୋଇଥିଲା । ନବ୍ୟ ଶିକ୍ଷିତମାନଙ୍କ ମଧ୍ୟରେ ଅନେକେ ଧର୍ମପ୍ରତି ନିତାନ୍ତ ଉଦାସୀନ, କେହି କେହି ସଂଶୟବାଦୀ, କେହି କେହି ଅବା ଆପଣାକୁ ନାସ୍ତିକ ବୋଲି ପରିଚୟ ଦେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଏ ପ୍ରକାର ଭାବ ଦର୍ଶନରେ ରାୟ ମହୋଦୟଙ୍କ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଇଥିଲା ଏବଂ ତାହାଙ୍କର ପରିଚିତ ପରିଜନ ଓ ବନ୍ଧୁମାନଙ୍କ ହୃଦୟରେ ଈଶ୍ୱର ବିଶ୍ୱାସକୁ ବଦ୍ଧମୂଳ କରିବା ନିମିତ୍ତ ସେ ଏକାନ୍ତ ଆଗ୍ରହ ଓ ନିଷ୍ଠା ସହକାରେ ନାନାବିଧ ଚେଷ୍ଟା କରୁଥିଲେ । ଉତ୍‌କଳର ମୁଖୋଜ୍ଜ୍ୱଳକାରୀ ପରଲୋକଗତ ସ୍ମରଣୀୟନାମା ଶ୍ରୀ ନନ୍ଦକିଶୋର ଦାସ ମହୋଦୟଙ୍କର ଚିତ୍ତ ଈଶ୍ୱରର ଓ ପରଲୋକ ସମ୍ବନ୍ଧରେ ସନ୍ଦିହାନ ଥିବାର ଜାଣିପାରି ରାୟ ମହୋଦୟ ବହୂକାଳ ପର୍ଯ୍ୟନ୍ତ ତାଙ୍କ ସହିତ ଯୁକ୍ତି ସମ୍ବଳିତ ଧର୍ମାଳାପ କରି ତାହାଙ୍କର ସନ୍ଦେହ ଦୂର କରି ଧର୍ମବିଶ୍ୱାସକୁ ସୁଦୃଢ଼ ଓ ଉଜ୍ଜ୍ୱଳ କରିଥିଲେ । ଏହି ଉଦ୍ଦେଶ୍ୟ ସାଧନ ନିମିତ୍ତ ସେ ପୀଡିତ ଥାଇ ସୁଦ୍ଧା ମାର୍ଟିନୋ ପ୍ରଭୃତି ବିଖ୍ୟାତ ଇଂରାଜୀ ଦାର୍ଶନିକମାନଙ୍କର କଠିନ ଗ୍ରନ୍ଥମାନ ଯତ୍ନ ସହକାରେ ଅଧ୍ୟୟନ କରିଥିଲେ । ଏହିପରି ସେ ଆହୁରି ଅନେକ କୃତବିଦ୍ୟ ବ୍ୟକ୍ତିମାନଙ୍କର ହୃଦୟରେ ଧର୍ମାନୁରାଗ ଜନ୍ମାଇବା ନିମିତ୍ତ ଚେଷ୍ଟାକରି ସଫଳକାମ ହୋଇଥିଲେ । ରାୟ ମହାଶୟ ତାହାଙ୍କର ଜୀବନର ଶେଷ ଚାରି ପାଞ୍ଚବର୍ଷ ରୋଗର ତୀବ୍ରଯାତନା ମଧ୍ୟରେ ଅତି ସହିଷ୍ଣୁ ଭାବରେ ଯାପନ କରି ଚରିତ୍ର ମଧ୍ୟରେ ଅତି ସହିଷ୍ଣୁ ଭାବରେ ଯାପନ କରି ଚରିତ୍ର ମଧ୍ୟରେ ଅକୃତ୍ରିମ ବିଶ୍ୱାସ ଓ ଭକ୍ତିର ସ୍ୱର୍ଗୀୟ ମାଧୁରୀ ସଞ୍ଚୟ କରିଥିଲେ । ବ୍ରହ୍ମୋପାସନା, ବ୍ରହ୍ମସଙ୍ଗିତ ଗାନ, ବ୍ରହ୍ମନାମ କୀର୍ତ୍ତନ କରିବା ନିମିତ୍ତ ସେ ବାରମ୍ବାର ବନ୍ଧୁମାନଙ୍କୁ ସାଗ୍ରହ ଅନୁରୋଧ କରୁଥିଲେ । ମୃତ୍ୟୁର ପୂର୍ବଦିନ ସେ ଏକାଗ୍ର ଭାବରେ ବ୍ରହ୍ମୋପାସନା ଓ ବ୍ରହ୍ମସଙ୍ଗୀତ ଶ୍ରବଣ କରି ଭକ୍ତିବିଗଳିତ ହୃଦୟରେ ଅଶ୍ରୁପାତ କରିଥିଲେ ଏବଂ ଅନ୍ତିମକାଳରେ ମୃତ୍ୟୁର ଦାରୁଣଯାନ୍ତ୍ରଣା ମଧ୍ୟରେ ତାଙ୍କ କର୍ଣ୍ଣରେ ବ୍ରହ୍ମନାମ ଉଚ୍ଚାରିତ ହେଲାକ୍ଷଣି, ସମସ୍ତ ଯାତନା ବିସ୍ମୃତ ହୋଇ ସେ ତାହା ଆନନ୍ଦରେ ଶ୍ରବଣ କରୁଥିଲେ ।

 

ରାୟ ମହାଶୟ ଏକାବେଳକେ ଦୋଷ ବର୍ଜିତ ଥିଲେ ତାହା ନୁହେଁ; କିନ୍ତୁ ବିପୁଳ ଗୁଣରାଶି ମଧ୍ୟରେ ତାହାଙ୍କର ଦୋଷ ଇନ୍ଦୁ କିରଣରେ କଳଙ୍କ ରେଖାପରି କେଉଁଆଡ଼େ ବୁଡ଼ିଯାଇଥିଲା ତାହାଙ୍କର ଗାମ୍ଭୀର୍ଯ୍ୟ ଓ ପ୍ରଶାନ୍ତଭାବ, ତାହାଙ୍କର ଦୟା ଦାକ୍ଷିଣ୍ୟ, ନିଜ ଅପରାଧ ନିମିତ୍ତ ତାହାଙ୍କର ପ୍ରଗାଢ଼ ଅନୁତାପ, ତାହାଙ୍କର ପ୍ରତୀଭକ୍ତି, ତାହାଙ୍କର କର୍ତ୍ତବ୍ୟନିଷ୍ଠା ଓ ଧର୍ମଭୀରୁତା, ଦେଶହିତକର କାର୍ଯ୍ୟରେ ଏବଂ ବିଶୁଦ୍ଧ ଧର୍ମସାଧନ ସମ୍ବନ୍ଧରେ ତାହାଙ୍କର ଅକୃତ୍ରିମ ଉତ୍ସାହ, ଏହିପରି ନାନା ସଦ୍‌ଗୁଣରେ ବିଭୂଷିତ ହୋଇ ଶ୍ରୀ ଜଗନ୍ମୋହନ ନିଜ ନାମକୁ ସାର୍ଥକ କରିଯାଇଅଛନ୍ତି । ବର୍ତ୍ତମାନ ସମୟରେ ଉଚ୍ଚ ପଦାରୂଢ଼ ଉତ୍କଳୀୟ ଶିକ୍ଷିତମାନଙ୍କର ମଧ୍ୟରେ ଏପରି ଚରିତ୍ରବତ୍ତା, ଏପରି ଦେବ ସ୍ପୃହଣୀୟ ଈଶ୍ୱର ବିଶ୍ୱାସ, ଏହିପରି ସୁସଂଯତ ଚରିତ୍ରବତ୍ତତା କାହିଁ?

 

ସର୍ବଲୋକପତି ମଙ୍ଗଳମୟ ବିଧାତା ଶ୍ରୀ ଜଗନ୍ମୋହନଙ୍କୁ ପରିଦୃଶ୍ୟମାନ ଜଗତରୁ କେଉଁ ଅଦୃଶ୍ୟ ନେପଥ୍ୟକୁ ଘେନିଯାଇ ଅଛନ୍ତି, ତାହା ଆନନ୍ଦଧାମ, ପୂଣ୍ୟଧାମ, ସତ୍ୟ-ଶିବ-ସୁନ୍ଦର ଧାମ । ସେହି ଧାମରେ ଆମ୍ଭମାନଙ୍କର ଭକ୍ତିଭାଜନ ବନ୍ଧୁଙ୍କର ଆତ୍ମା ଅନନ୍ତ ଜ୍ଞାନ ପ୍ରେମପୁଣ୍ୟରେ କଳ୍ପତରୁର ଶୀତଳ ଛାୟାରେ ଶାଶ୍ୱତୀ ଶାନ୍ତି ସମ୍ଭୋଗ କରନ୍ତୁ, ଆମ୍ଭମାନଙ୍କର ଏହି ପ୍ରାର୍ଥନା ।

 

[ଉତ୍କଳ ସାହିତ୍ୟ, ଦ୍ୱିତୀୟ ବର୍ଷ, ଏକାଦଶ ସଂଖ୍ୟା ମାର୍ଗଶିର ୧୩୦୬ (ନଭେମ୍ବର, ୧୮୯୮)]